ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଜଳବାୟୁ ପରିବର୍ତ୍ତନ ଉପରେ ଆମେରିକା ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ଦୂତ ଜନ୍ କେରି

Posted On: 07 APR 2021 8:34PM by PIB Bhubaneshwar

ଜଳବାୟୁ ଉପରେ ଆମେରିକା ରାଷ୍ଟ୍ରପତିଙ୍କ ସ୍ଵତନ୍ତ୍ର ଦୂତ ମହାମହିମ ଶ୍ରୀ ଜନ୍ କେରି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । 

ଶ୍ରୀ କେରି ରାଷ୍ଟ୍ରପତି ବାଇଡେନଙ୍କ ଶୁଭେଚ୍ଛା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ନିକଟରେ ରାଷ୍ଟ୍ରପତି ବାଇଡେନଙ୍କ ସହ କ୍ୱାଡ ଲିଡର୍ସ ସମ୍ମିଳନୀରେ ହୋଇଥିବା ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ମତ ବିନିମୟକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଏବଂ ରାଷ୍ଟ୍ରପତି ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଦେବା ପାଇଁ ଶ୍ରୀ କେରିଙ୍କୁ ଅନୁରୋଧ କରିଥିଲେ ।

ଭାରତରେ ଗତ ଦୁଇ ଦିନ ମଧ୍ୟରେ ତାଙ୍କର ଫଳପ୍ରଦ ଆଲୋଚନା ବିଷୟରେ ଶ୍ରୀ କେରି ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ଭାରତର ଉଚ୍ଚାଭିଳାଷୀ ଅକ୍ଷୟ ଶକ୍ତି ଯୋଜନାକୁ ନେଇ ସେ ଏକ ସକାରାତ୍ମକ ମତ ପ୍ରକାଶ କରିଥିଲେ । 22-23 ଏପ୍ରିଲ 2021ରେ ଜଳବାୟୁ ଉପରେ ଆଗାମୀ ନେତୃବୃନ୍ଦଙ୍କ ସମ୍ମିଳନୀ ବିଷୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ପ୍ୟାରିସ ଚୁକ୍ତିନାମା ଅନୁଯାୟୀ ଭାରତ ଏହାର ନିର୍ଦ୍ଦିଷ୍ଟ ଜାତୀୟ ଅଂଶଦାନକୁ ପୂରଣ କରିବା ଲାଗି ପ୍ରତିଶ୍ରୁତିବଦ୍ଧ ଏବଂ ଏହାକୁ ପୂରଣ କରିବାରେ ଅଗ୍ରଣୀ ଦେଶ ମଧ୍ୟରେ ଭାରତ ଅନ୍ୟତମ । ଶ୍ରୀ କେରି ମଧ୍ୟ ଉଲ୍ଲେଖ କରିଥିଲେ ଯେ, ସବୁଜ ପ୍ରଯୁକ୍ତିବିଦ୍ୟା ତଥା ଆବଶ୍ୟକ ଅର୍ଥ ଯୋଗାଇ ଦେବା ଲାଗି ଆମେରିକା ଭାରତର ଜଳବାୟୁ ଅନୁକୂଳ ଯୋଜନାକୁ ସହଯୋଗ କରିବ । ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ ଯେ, ଭାରତ ଏବଂ ଆମେରିକା ମଧ୍ୟରେ ସହଯୋଗ ବିଶେଷକରି ନବୋନ୍ମେଷ ସହିତ ସବୁଜ ପ୍ରଯୁକ୍ତିବିଦ୍ୟାର ନିୟୋଜନ ଅନ୍ୟ ଦେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ ।

 

**********

TRP/

 



(Release ID: 1710323) Visitor Counter : 208