ପ୍ରତିରକ୍ଷା ମନ୍ତ୍ରଣାଳୟ

ସର୍ଟ ସର୍ଭିସ କମିଶନର ଅବସରପ୍ରାପ୍ତ ଅଧିକାରୀ ନିଜର ପୂର୍ବ ସାମରିକ ପଦବୀକୁ ବ୍ୟବହାର କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମତି

Posted On: 24 MAR 2021 2:13PM by PIB Bhubaneshwar

ସ୍ଥଳସେନାର ସେବା ନିବୃତ୍ତ ସର୍ଟ ସର୍ଭିସ କମିଶନ(ଏସ.ଏସ.ସି)ର ଅଧିକାରୀମାନଙ୍କୁ ନିଜର ପୂର୍ବ ସାମରିକ ପଦବୀ ବ୍ୟବହାର କରିବାର ସୁଯୋଗ ଦେବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତି ନେଇଛି । ଏସ ଏସ.ଏସ.ସି ଅଧିକାରୀ ନିଜର ଚାକିରି କାଳରେ ପାଇଥିବା ବିଭିନ୍ନ ପଦପଦବୀ ଅବସର ପରେ ତାହା ବ୍ୟବହାର କରିବାକୁ ‌ସୁଯୋଗ ପାଉ ନ ଥିଲେ । ସେମାନଙ୍କ ପାଇଁ ଉଦିଷ୍ଟ ଥିବା ନିଯୁକ୍ତି ସର୍ତ୍ତାବଳୀରେ ଏହି ସୁବିଧା ନ ଥିଲା । ସେମାନେ ସ୍ଥାୟୀ ସାମରିକ ଅଧିକାରୀମାନଙ୍କ ଭଳି ସମାନ ସେବା ପ୍ରଦାନ କରିବା ସହ ବିଭିନ୍ନ ପ୍ରକାର କଠିନ ପରିସ୍ଥିତିର ସମ୍ମୁଖୀନ ହେବା ସତ୍ତ୍ୱେ ଅବସର ପରେ ପୂର୍ବର ପଦବୀ ବ୍ୟବହାର କରିବାର ସୁଯୋଗ ପାଉ ନ ଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଥିଲା ।

ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ଅବସରପ୍ରାପ୍ତ ଏସ.ଏସ.ସି ଅଧିକାରୀମାନଙ୍କ ମଧ୍ୟରେ ଥିବା ଏହି ଅସନ୍ତୋଷ ଦୂର ହେବ । ଏହା ମଧ୍ୟ ଏହି ସେବାରେ ଭର୍ତ୍ତି ହେବାକୁ ଥିବା ଆଶାୟୀ ଯୁବକମାନଙ୍କ ମନୋବଳକୁ ଦୃଢ କରିବ । ୧୯୮୩ରୁ ଏହି ସୁବିଧା ପାଇଁ  ଦାବି ହୋଇଆସୁଥିଲା ।

ସୂଚନାଯୋଗ୍ୟ ଯେ, ଏସ.ଏସ.ସି କ୍ୟାଡର ଭାରତୀୟ ସେନାର ମେରୁଦଣ୍ଡ ସଦୃଶ । ସେମାନେ ୧୦ରୁ ୧୪ବର୍ଷ ଯାଏଁ ସେବା ଯୋଗାଇଥାଆନ୍ତି ଏବଂ ଯୁବ ଅଫିସରମାନଙ୍କ ଅଭାବ ପୂରଣ କରିଥାଆନ୍ତି । ଏହି ସେବାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅବସର ପରେ ସାମରିକ ପଦବୀର ବ୍ୟବହାର କରିବା ଏହି କ୍ୟାଡର ଅଧିକାରୀଙ୍କ ଏକ ପ୍ରମୁଖ ଦାବି ଥିଲା ।

ପୂର୍ବରୁ ଏସ.ଏସ.ସି ଅଧିକାରୀମାନେ ମାତ୍ର ୫ବର୍ଷ ପାଇଁ କାମ କରୁଥିଲେ । ଏବେ ଏହାକୁ ୧୦ବର୍ଷ କରାଯାଇଛି । ଏହାଛଡା ଚାକିରି କାଳକୁ ଅଧିକ ୪ବର୍ଷ ବଢାଇବାର ବ୍ୟବସ୍ଥା  ରହିଛି । ଅଧିକରୁ ଅଧିକ ଯୁବକଙ୍କୁ ସେନାରେ ଭର୍ତ୍ତି କରିବାକୁ ଏହି ଏସଏସସି କ୍ୟାଡର ସୃଷ୍ଟି କରାଯାଇଛି ।

*****

TKM



(Release ID: 1707337) Visitor Counter : 131