ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଦେଶରେ ମହିଳାଙ୍କ ସୁରକ୍ଷାରେ ସୁଧାର ଲାଗି ଅନେକଗୁଡ଼ିଏ ପଦକ୍ଷେପ ନେଇଛି ଗୃହ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ମହିଳାଙ୍କ ସଶକ୍ତିକରଣ ଦିଗରେ ଗ୍ରହଣ କରିଛନ୍ତି ଅନେକଗୁଡ଼ିଏ ପଦକ୍ଷେପ

ମହିଳାଙ୍କ ସୁରକ୍ଷା ସହ ଜଡ଼ିତ ଅନେକଗୁଡ଼ିଏକ ପଦକ୍ଷେପ ଦ୍ରୁତଗତିରେ ଗ୍ରହଣ କରାଯାଉଛି

ସମୟବଦ୍ଧ ଏବଂ ପ୍ରଭାବୀ ତଦନ୍ତ ଲାଗି ଆଇଟିଏସଏସଓ, ଏନଡିଏସଓ, ସିଆରଆଇ-ଏମଏସି ଓ ନୂତନ ନାଗରିକ ସେବା ସହିତ ଆଇଟି ସହ ଜଡ଼ିତ ବିଭିନ୍ନ ପଦକ୍ଷେପ ନେଇଛନ୍ତି

ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଅନଲାଇନ ଟୁଲର ପ୍ରଭାବୀ ଉପଯୋଗ ନିମନ୍ତେ ସୁପାରିସ କରିଛନ୍ତି ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ

ସରକାର ପୁଲିସ ଥାନାରେ ମହିଳା ସହାୟତା ଡେସ୍କ (ଡବ୍ଲୁଏଚଡି) ପ୍ରତିଷ୍ଠା ଓ ଦେଶର ସମସ୍ତ ଜିଲ୍ଲାରେ ମାନବ ଚାଲାଣନିରୋଧୀ ୟୁନିଟ (ଏଏଚଟିୟୁ)ର ପ୍ରତିଷ୍ଠା/ଦୃଢ଼ତା ଉଦ୍ଦେଶ୍ୟରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଗି 200 କୋଟି ଟଙ୍କାର ମଞ୍ଜୁରି ଦେଇଛନ୍ତି

Posted On: 08 MAR 2021 2:10PM by PIB Bhubaneshwar

ଦେଶର ମହିଳାମାନଙ୍କର ସୁରକ୍ଷାକୁ ବଢ଼ାଇବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି, ସେଥିପାଇଁ ନିର୍ଭୟା ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯାଇଛି। ଗୃହ ମନ୍ତ୍ରଣାଳୟ (ଏମଏଚଏ) ଯୌନ ନିର୍ଯାତନା ମାମଲାରେ ନିର୍ଦ୍ଧାରିତ ସମୟରେ ତଦନ୍ତ ସମ୍ପୂର୍ଣ୍ଣ କରିବା ସହିତ ମହିଳା ସୁରକ୍ଷା ସହ ଜଡ଼ିତ ପ୍ରସଙ୍ଗ ପ୍ରତି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ସମ୍ବେଦନଶୀଳ କରିବା ଲାଗି ଏକ ଭିନ୍ନ ମହିଳା ସୁରକ୍ଷା ଡିଭିଜନ ମଧ୍ୟ ପ୍ରତିଷ୍ଠା କରିଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ବିଗତ ସାତ ବର୍ଷ ମଧ୍ୟରେ ମହିଳାଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ସୁରକ୍ଷା ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୌନ ନିର୍ଯାତନା ଭଳି ଘୃଣ୍ୟ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତ ସରକାର ଅପରାଧିକ ଆଇନ ସଂଶୋଧନ ଅଧିନିୟମ, 2018 ମାଧ୍ୟମରେ ବଳାତ୍କାର ପାଇଁ ଦଣ୍ଡକୁ ଅଧିକ କଠୋର କରିଛନ୍ତି। ଆଇନରେ ସଂଶୋଧନକୁ ପ୍ରଭାବୀ ଢଙ୍ଗରେ ତୃଣମୂଳସ୍ତରରେ ଲାଗୁ କରିବା ସୁନିଶ୍ଚିତ କରିବା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ ଅନେକଗୁଡ଼ିଏ ପଦକ୍ଷେପ ନିଆଯାଇଛି। ଏଗୁଡ଼ିକର ଅଗ୍ରଗତି ନିୟମିତ ଭାବେ ଅନୁଧ୍ୟାନ କରାଯାଉଛି। ଏଥିରେ ଯୌନ ଅପରାଧ ପାଇଁ ତଦନ୍ତ ନିରୀକ୍ଷଣ ପ୍ରଣାଳୀ (ଆଇଟିଏସଏସଓ), ଯୌନ ଅପରାଧିମାନଙ୍କ ଜାତୀୟ ଡାଟାବେସ (ଏନଡିଏସଓ), ସିଆରଆଇ-ଏମଏସି(କ୍ରାଇମ ମଲ୍ଟି-ଏଜେନ୍ସି କେନ୍ଦ୍ର) ଏବଂ ନୂତନ ନାଗରିକ ସେବା ସାମିଲ ରହିଛି। ଆଇଟି ସହ ଜଡ଼ିତ ଏସବୁ ପଦକ୍ଷେପ ଫଳରେ ନିର୍ଦ୍ଧାରିତ ସମୟରେ ଏବଂ ପ୍ରଭାବୀ ତଦନ୍ତ ସହାୟତା ମିଳୁଛି। ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶକୁ ଏହିସବୁ ଅନଲାଇନ ଟୁଲ୍ସର ପ୍ରଭାବୀ ଉପଯୋଗ ନିମନ୍ତେ ଦୃଢ଼ ଭାବେ ସୁପାରିସ କରିଛନ୍ତି।

ଆଇଟିଏସଏସଓ ଏବଂ ଏନଡିଏସଓ

ଯୌନ ଅପରାଧ ପାଇଁ ତଦନ୍ତ ନିରୀକ୍ଷଣ ପ୍ରଣାଳୀ (ଆଇଟିଏସଏସଓ) ଏକ ଅନଲାଇନ ବିଶ୍ଳେଷଣାତ୍ମକ ସାଧନ ଅଟେ। ଏହାକୁ ଯୌନ ନିର୍ଯାତନା ମାମଲାରେ ପୁଲିସ ତଦନ୍ତର ନିରୀକ୍ଷଣ ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ତଦନ୍ତକୁ ସମ୍ପୂର୍ଣ୍ଣ କରିବା ଲାଗି (ଅପରାଧିକ (ସଂଶୋଧନ) ଆଇନ, 2018 ଅନ୍ତର୍ଗତ ବର୍ତ୍ତମାନ ଏହା ଦୁଇ ମାସ ଲାଗି) ପ୍ରସ୍ତୁତ କରାଯାଇଛି। ଅନ୍ୟପକ୍ଷରେ ବାରମ୍ବାର ଅପରାଧ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ତଦନ୍ତ ସମୟରେ ଯୌନ ଅପରାଧୀଙ୍କ ସମ୍ପର୍କରେ ଆଲର୍ଟ ହାସଲ କରିବା ଲାଗି ଯୌନ ଅପରାଧୀମାନଙ୍କର ଜାତୀୟ ଡାଟାବେସ (ଏସଡିଏସଓ)ର ଶୁଭାରମ୍ଭ କରାଯାଇଛି।

ଅପରାଧିକ ମାମଲାଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରିବାର ଉଦ୍ଦେଶ୍ୟରେ ରାଜ୍ୟଗୁଡ଼ିକୁ ସହାୟତା ପ୍ରଦାନ କରିବାର ପଦକ୍ଷେପ ଭାବେ ଏକ ସ୍ଥଗନ ଚେତାବନୀ ମଡ୍ୟୁଲ ମଧ୍ୟ ବିକଶିତ କରାଯାଇଛି। ଏହାର ଅନ୍ତର୍ଗତ, ଯେତେବେଳେ ଜଣେ ସରକାରୀ ଓକିଲ କୌଣସି ଅପରାଧିକ ମାମଲାରେ ଦୁଇ ଥରରୁ ଅଧିକ ସ୍ଥଗନ ପାଇଁ ଦାବି କରିବେ, ଏହି ପ୍ରଣାଳୀର ଏକ ଅପରିହାର୍ଯ୍ୟ ବିଳମ୍ବରୁ ବର୍ତ୍ତିବା ଲାଗି ବରିଷ୍ଠ ଅଧିକାରୀମାନଙ୍କୁ ଏକ ଆଲର୍ଟ ପଠାଇବାର ବ୍ୟବସ୍ଥା ରହିଛି।

ସିଆରଆଇ-ଏଏମସି

କ୍ରାଇମ ମଲ୍ଟି ଏଜେନ୍ସି କେନ୍ଦ୍ର (ସିଆରଆଇ-ଏମଏସି)କୁ ରାଜ୍ୟ/କେନ୍ଦ୍ର ଶାସିତ କ୍ଷେତ୍ରର ପୁଲିସ ଥାନା ଏବଂ ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକ ପାଇଁ ଜାରି କରାଯାଇଛି। ଘୃଣ୍ୟ ଅପରାଧ ଏବଂ ଆନ୍ତଃରାଜ୍ୟ ଅପରାଧ ମାମଲାରେ ସାମଞ୍ଜସ୍ୟ ସ୍ଥାପନ ସହ ଏ ସମ୍ବନ୍ଧୀୟ ଅନ୍ୟ ପ୍ରସଙ୍ଗ ଜଡ଼ିତ ସୂଚନା ପ୍ରଦାନ କରିବା ଲାଗି 12 ମାର୍ଚ୍ଚ, 2020ରେ ଏହାକୁ ଉପସ୍ଥାପନ କରାଯାଇଥିଲା। ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ରଗୁଡ଼ିକୁ ଇମେଲ/ଏସଏମଏସ ମାଧ୍ୟମରେ ଅପରାଧ ଏବଂ ଆନ୍ତଃରାଜ୍ୟ ଅପରାଧର ଆଲର୍ଟ କିମ୍ବା ତଦସମ୍ବନ୍ଧୀୟ ସୂଚନା ପଠାଇବା ନିମନ୍ତେ ଏହାକୁ ଉପଯୋଗ କରାଯାଇପାରିବ।

ନୂତନ ନାଗରିକ ସେବା

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ମହିଳାମାନଙ୍କ ବିରୋଧରେ ଅପରାଧ ମାମଲାରେ ନିଜର ପୋର୍ଟାଲ digitalpolicecitizenservice.gov.in ରେ ନୂତନ ନାଗରିକ ସେବା ଶୁଭାରମ୍ଭ କରିଛି। ଏହି ସେବାଗୁଡ଼ିକରେ “ନିଖୋଜ ଲୋକମାନଙ୍କର ସନ୍ଧାନ” ଭଳି କାର୍ଯ୍ୟ ସାମିଲ ରହିଛି, ଯାହାଫଳରେ ନାଗରିକମାନେ ଅଜ୍ଞାତ ଲୋକ/ଅଜ୍ଞାତ ମୃତକମାନଙ୍କର ଡାଟାବେସରୁ ନିଜର ନିଖୋଜ ସମ୍ପର୍କୀୟଙ୍କୁ ଖୋଜିବା ଲାଗି ସହାୟତା ପାଇପାରୁଛନ୍ତି। ଏହାବ୍ୟତୀତ “ଘୋଷିତ ଅପରାଧୀ”ଙ୍କ ଜଡ଼ିତ ଆଉ ଏକ ସେବା ମଧ୍ୟ ରହିଛି, ଯାହାଫଳରେ ନାଗରିକମାନଙ୍କୁ ଘୋଷିତ ଅପରାଧି ସହ ଜଡ଼ିତ ଅନଲାଇନ ସୂଚନା ହାସଲ କରିବାରେ ସହାୟତା ମିଳିପାରୁଛି।

ନିର୍ଭୟା ପାଣ୍ଠି ପ୍ରକଳ୍ପ ତ୍ବରାନ୍ବିତ

ମହିଳାଙ୍କ ସୁରକ୍ଷାକୁ ବଢ଼ାଇବା ଲାଗି ଏମଏଚଏ ପକ୍ଷରୁ ନିର୍ଭୟା ପାଣ୍ଠିରୁ ଅର୍ଥଲଗାଣ ପ୍ରକଳ୍ପକୁ ଦ୍ରୁତ ଗତିରେ ଲାଗୁ କରାଯାଉଛି। “ଜରୁରିକାଳୀନ ମୁକାବିଲା ସମର୍ଥନ ପ୍ରଣାଳୀ (ଇଆରଏସଏସ)” ଏପରି ପଦକ୍ଷେପର ଏକ ଉଦାହରଣ। ଏହା ଏକ ସର୍ବଭାରତୀୟ, ଏକକ ତଥା ଅନେକ ଜରୁରି ସ୍ଥିତି ଲାଗି ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପ୍ରାପ୍ତ ନମ୍ବର 112 ଅଟେ। ଇଆରଏସଏସ ବର୍ତ୍ତମାନ ମାର୍ଚ୍ଚ, 2022 ସୁଦ୍ଧା ଦେଶର 34ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ କାର୍ଯ୍ୟକ୍ଷମ ରହିଛି। ଏହାକୁ ସରକାରୀ ଭାବେ 16 ଫେବୃଆରୀ, 2019ରେ ଉପସ୍ଥାପନ କରାଯାଇଥିଲା। ସେବେଠାରୁ ଇଆରଏସଏସ ସର୍ବଭାରତୀୟ ସ୍ତରରେ 15.66 ମିନିଟର ପ୍ରତିକ୍ରିୟା ସମୟ ସହିତ 11.48 କୋଟି କଲ୍ ପରିଚାଳନା (31 ଜାନୁଆରୀ, 2021) କରିସାରିଛି। 112 ଇଣ୍ଡିଆ ମୋବାଇ ଆପ୍ଲିକେସନ ଫେବୃଆରୀ, 2019 ସୁଦ୍ଧା 9.98 ଲକ୍ଷ ଡାଉନଲୋଡ ହୋଇସାରିଛି, ଯେଉଁଥିରେ 5.57 ଲକ୍ଷ ୟୁଜର ପଞ୍ଜୀକୃତ ହୋଇଛନ୍ତି ଏମାନଙ୍କ ମଧ୍ୟରୁ 2.65 ଲକ୍ଷ ମହିଳା ଅଛନ୍ତି।

ମହିଳାଙ୍କ ବିରୋଧରେ ସାଇବର ଅପରାଧ ରୋକିବା

ଗୃହ ମନ୍ତ୍ରଣାଳୟ ମହିଳା ଓ ଶିଶୁମାନଙ୍କ ବିରୋଧରେ ସାଇବର ଅପରାଧ ରୋକିବା ଲାଗି ମୁଖ୍ୟତଃ ଜୋର ଦେଇଛି। ବର୍ତ୍ତମାନ, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମିଜୋରାମ, ଓଡ଼ିଶା, ତେଲଙ୍ଗାନା, ଉତ୍ତର ପ୍ରଦେଶ ଏବଂ ଉତ୍ତରଖଣ୍ଡ ସମେତ 14 ରାଜ୍ୟ ସାଇବର ଫରେନସିକ ଟ୍ରେନିଂ ଲାବ୍ରୋଟୋରୀ ପ୍ରତିଷ୍ଠା କରିସାରିଛନ୍ତି। 13295 ପୁଲିସ କର୍ମଚାରୀ, ଓକିଲ ଏବଂ ନ୍ୟାୟିକ ଅଧିକାରୀମାନଙ୍କୁ ମହିଳା ଓ ଶିଶୁମାନଙ୍କ ବିରୋଧରେ ସାଇବର ଅପରାଧର ଚିହ୍ନଟ, ଠାବ କରିବା ଏବଂ ସମାଧାନ ଲାଗି ପ୍ରଶିକ୍ଷଣ ଦିଆଯାଇଛି। ଗୃହ ମନ୍ତ୍ରଣାଳୟ ଏକ ପୋର୍ଟାଲ www.cybercrime.gov.in ମଧ୍ୟ ଲଞ୍ଚ କରିଛି। ଏଥିରେ ନାଗରିକମାନେ ଅଶ୍ଳୀଳ ବିଷୟବସ୍ତୁ ସମ୍ପର୍କରେ ସୂଚନା ଦେଇପାରିବେ ଏବଂ ଏହାକୁ 72 ଘଣ୍ଟା ମଧ୍ୟରେ ବ୍ଲକ କରାଯାଇପାରିବ। ମନ୍ତ୍ରଣାଳୟ ପକ୍ଷରୁ ଅଧିକ ସୁଧାର ସହିତ ଏହି ପୋର୍ଟାଲକୁ 30 ଅଗଷ୍ଟ, 2019 ଶୁଭାରମ୍ଭ କରାଯାଇଛି।

ଦିଲ୍ଲୀ ପୁଲିସ ମହିଳାମାନଙ୍କୁ ବିନା କୌଣସି ଭୟ କିମ୍ବା ଲଜ୍ଜାରେ ଆଗକୁ ଆସିବା ଏବଂ ଅପରାଧର ସୂଚନା ଦେବା ଲାଗି ପ୍ରୋତ୍ସାହିତ କରିବାର ଉଦ୍ଦେଶ୍ୟରେ ସାମାଜିକ କର୍ମୀ ଓ ପରାମର୍ଶଦାତାଙ୍କୁ ଦେଇଛି ନିଯୁକ୍ତି

ଦିଲ୍ଲୀ ପୁଲିସ ବିନା କୌଣସି ଭୟ କିମ୍ବା ଲଜ୍ଜାରେ ଆଗକୁ ଆସିବା ଏବଂ ଅପରାଧ ସୂଚନା ଦେବା ଲାଗି ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ପୁଲିସ ଥାନା ଓ ସବଡିଭିଜନ ସ୍ତରରେ କାର୍ଯ୍ୟାଳୟରେ ସାମାଜିକ କର୍ମୀ ଏବଂ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଇଛି। ସାମାଜିକ କର୍ମୀ/ପରାମର୍ଶଦାତା ସ୍ତରରେ ହିଂସା ଉପରେ ରୋକ ଲଗାଇବା ଲାଗି ବ୍ୟକ୍ତିଗତ ଏବଂ ମିଳିତ ସ୍ତରରେ 19,316 ଅଧିବେଶନର ଆୟୋଜନ କରାଯାଇସାରିଛି। ଦିଲ୍ଲୀ ପୁଲିସ 7550 ଅଧିବେଶନରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କ୍ୟାମ୍ପ ଆୟୋଜନ କରିସାରିଛି । ଯେଉଁଥିରେ 14,82,481 ଜଣ ସ୍କୁଲ, କଲେଜ ଛାତ୍ରଛାତ୍ରୀ, ଗୃହିଣୀ, କର୍ମଜୀବୀ ମହିଳା, ଗରିବ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇସାରିଛି।

ଆଠଟି ସହରରେ ସୁରକ୍ଷିତ ସହର ପ୍ରକଳ୍ପ

ନିର୍ଭୟା ପାଣ୍ଠି ଜରିଆରେ ଆଠଟି ସହର (ଅହମ୍ମଦାବାଦ, ବେଙ୍ଗଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ ଓ ମୁମ୍ବାଇ)ରେ ସୁରକ୍ଷିତ ସହର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପରେ ମହିଳମାନଙ୍କର ସୁରକ୍ଷା ଲାଗି  ପ୍ରଯୁକ୍ତିର ଉପଯୋଗ କରାଯାଉଛି, ଯେଉଁଥିରେ ଡ୍ରୋନ, ସିସିଟିଭି କ୍ୟାମେରା ସଂଯୋଗ,ପୁଲିସକୁ ଅପରାଧ ସମ୍ପର୍କରେ ସୂଚନା ଦେବା, ସ୍ମାର୍ଟ ଲାଇଟିଂ ସିଷ୍ଟମ ଭଳି ପ୍ରଯୁକ୍ତି ଆଧାରିତ ଭିତ୍ତିଭୂମି ଆଦି ବିକଶିତ କରାଯାଉଛି।

ଫରେନସିକ ବିଜ୍ଞାନାଗାରର ସୁଦୃଢ଼ୀକରଣ

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ଫରେନ୍ସିକ ବିଜ୍ଞାନାଗାରଗୁଡ଼ିକୁ ସୁଦୃଢ଼ କରି ନ୍ୟାୟ ବିଭାଗରେ ସୁଧାର ଆଣିବା ଲାଗି ଆଉ ଏକ ପ୍ରୟାସ କରିଛି। ଚଣ୍ଡିଗଡ଼ରେ 23 ଡିସେମ୍ବର, 2019ରେ ଆଧୁନିକ ଡିଏନଏ ବିଶ୍ଳେଷଣ ୟୁନିଟର ଶୁଭାରମ୍ଭ କରାଯାଇଛି।

ଯୌନ ନିର୍ଯାତନା ମାମଲାରେ ସାକ୍ଷ୍ୟମାନଙ୍କର ତଦନ୍ତରେ ମାନକୀକରଣ ଏବଂ ଗୁଣବତ୍ତା ସୁନିଶ୍ଚିତ କରିବା କ୍ରମରେ ଫରେନସିକ ବିଜ୍ଞାନ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ଯୌନ ନିର୍ଯାତନା ମାମଲାରେ ଫରେନସିକ ସାକ୍ଷ୍ୟ ସଂଗ୍ରହ, ହ୍ୟାଣ୍ଡେଲିଂ ଏବଂ ଭଣ୍ଡାରଣ ନିମନ୍ତେ ଦିଶାନିର୍ଦ୍ଦେଶ ଅଧିସୂଚୀତ କରାଯାଇଛି। ଏଥିପାଇଁ ମୋଟ 13602 ଜଣ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପୁଲିସ ତଦନ୍ତ ଏବଂ ବିକାଶ ବ୍ୟୁରୋ (ବିପିଆରଆଣ୍ଡଡି) ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ କ୍ଷେତ୍ରଗୁଡ଼ିକୁ 14950 ଯୌନ ନିର୍ଯାତନା ମାମଲାରେ ସାକ୍ଷ୍ୟ ସଂଗ୍ରହ କିଟ୍ସ ବିତରଣ କରିଛି।

କେନ୍ଦ୍ର ସରକାର ପୁଲିସ ଥାନାରେ ମହିଳା ସହାୟତା ଡେସ୍କ ପ୍ରତିଷ୍ଠା କରିବା ଲାଗି 200 କୋଟି ଟଙ୍କାର ପାଣ୍ଠି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପାଇଁ ମଞ୍ଜୁର କରିଛନ୍ତି। ସମ୍ବେଦନଶୀଳ ସୀମା ଭଳି ଦେଶର ସମସ୍ତ ଜିଲ୍ଲାରେ ମାନବ ଚାଲାଣ ନିରୋଧୀ ୟୁନିଟ ପ୍ରତିଷ୍ଠା/ସୁଦୃଢ଼ କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ମଧ୍ୟ ଏହି ସହାୟତା ଦିଆଯାଇଛି।

ଭାରତ ସରକାର ମହିଳା ଓ ଶିଶୁଙ୍କ ସୁରକ୍ଷା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଏବଂ ଏହାସହ ଜଡ଼ିତ ଅନେକ ପ୍ରକଳ୍ପ ନିର୍ମାଣାଧୀନ ରହିଛି, ଯାହାଫଳରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ କେବଳ ସୁରକ୍ଷିତ ହେବେ ନାହିଁ, ବରଂ ଦେଶର ମହିଳାମାନେ ସ୍ୱାଧୀନ ଭାବେ ରହିବା ଲାଗି ସଶକ୍ତ ମଧ୍ୟ ହେବେ।

 

*********

 

P.S


(Release ID: 1703365) Visitor Counter : 212