ରାଷ୍ଟ୍ରପତିଙ୍କ ସଚିବାଳୟ
ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ହେବା ଆମ ପାଇଁ ଗର୍ବର ବିଷୟ : ରାଷ୍ଟ୍ରପତି
ଅହମ୍ମଦାବାଦଠାରେ 1.32ଲକ୍ଷ ଦର୍ଶକ କ୍ଷମତା ବିଶିଷ୍ଟ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ ଉଦଘାଟିତ
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ପୋର୍ଟସ ଏନକ୍ଲେଭର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି
प्रविष्टि तिथि:
24 FEB 2021 2:58PM by PIB Bhubaneshwar
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆଜି (ଫେବୃଆରୀ 24, 2021) ଅହମ୍ମଦାବାଦଠାରେ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମର ଉଦଘାଟନ କରିବା ସହ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ପୋର୍ଟସ ଏନକ୍ଲେଭ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦଘାଟନୀ ଉତ୍ସବରେ ଶ୍ରୀ କୋବିନ୍ଦ କହିଛନ୍ତି, “ଏହା ଆମ ପାଇଁ ଗର୍ବର ବିଷୟ ଯେ, 1.32 ଲକ୍ଷ ଦର୍ଶକଙ୍କ କ୍ଷମତା ବିଶିଷ୍ଟ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ହୋଇପାରିଛି” । ସେ ଆହୁରି କହିଥିଲେ ଯେ, ଏହା କେବଳ ବିଶ୍ଵର ସର୍ବବୃହତ ଷ୍ଟାଡିୟମ ନୁହେଁ ବରଂ ବିଭିନ୍ନ କ୍ରୀଡା ଗତିବିଧି ପାଇଁ ବିଶ୍ୱସ୍ତରୀୟ ସୁବିଧା ମଧ୍ୟ ଯୋଗାଇ ଦେବାର କ୍ଷମତା ଏଥିରେ ରହିଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ବର୍ତ୍ତମାନର ରୂପ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୁଜରାଟ କ୍ରିକେଟ ଆସୋସିଏସନର ସମସ୍ତ ଅଧିକାରୀ, ଏଜେନ୍ସି ଏବଂ ଅଂଶୀଦାରମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ଏହି ଷ୍ଟାଡିୟମର ଗୁଣବତ୍ତାକୁ ପ୍ରଶଂସା କରି ରାଷ୍ଟ୍ରପତି କହିଥିଲେ ଯେ, ଗ୍ରୀନ ବିଲ୍ଡିଂ ସାଟିଫିକେସନର ଗୋଲ୍ଡ ରେଟିଂ ସହିତ ଏହା ପରିବେଶ ଅନୁକୂଳ ବିକାଶର ଏକ ଉତ୍ତମ ଉଦାହରଣ । ଏହି ଷ୍ଟାଡିୟମରେ ନୂଆ ଭାରତର ଆକାଂକ୍ଷା ଏବଂ ସାମର୍ଥ୍ୟ ପ୍ରଦର୍ଶନ କରୁଛି, ଯାହା ବିଶ୍ୱ ମଞ୍ଚରେ ଏକ ପ୍ରଭାବଶାଳୀ ଛାପ ସୃଷ୍ଟି କରିଛି । ରାଷ୍ଟ୍ରପତି କହିଛନ୍ତି ଯେ, କ୍ରିକେଟ କ୍ଷେତ୍ରରେ ଭାରତ ଯେଉଁ ଆଧିପତ୍ୟ ହାସଲ କରିଛି ତାହା ବିଶ୍ୱାସକୁ ଆହୁରି ଦୃଢୀଭୂତ କରୁଛି ଯେ କେବଳ ଅନ୍ୟ କ୍ରୀଡାରେ ନୁହେଁ ବିକାଶ କ୍ଷେତ୍ରରେ ମଧ୍ୟ ବିଶ୍ୱରେ ଶୀର୍ଷ ସ୍ଥାନ ହାସଲ କରିବାର ସାମର୍ଥ୍ୟ ଆମ ଦେଶରେ ରହିଛି ।
ରାଷ୍ଟ୍ରପତି କହିଥିଲେ ଯେ, ଭାରତକୁ 'ପାୱାର ହାଉସ୍ ଅଫ୍ କ୍ରିକେଟ' ବା 'ହବ୍ ଅଫ୍ କ୍ରିକେଟ' କୁହାଯାଏ । ତେଣୁ ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ବର୍ତ୍ତମାନ ଆମ ଦେଶରେ ରହିବା ଅତ୍ୟନ୍ତ ଉପଯୁକ୍ତ ହୋଇପାରିଛି। ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଥିବା ଏବଂ ପରେ ଗୁଜରାଟ କ୍ରିକେଟ ଆସୋସିଏସନର ଚେୟାରମ୍ୟାନ ଭାବରେ ଶ୍ରୀ ଅମିତ ଶାହାଙ୍କ ଦ୍ଵାରା କୌଶଳ ପୂର୍ବକ ଆଗକୁ ନିଆଯାଇଥିବା ଏହି ଷ୍ଟାଡିୟମ ନିର୍ମାଣ ଲାଗି କରାଯାଇଥିବା ପ୍ରୟାସକୁ ସେ ପ୍ରଶଂସା କରିଥିଲେ ।
ରାଷ୍ଟ୍ରପତି ସୂଚିତ କରିଥିଲେ ଯେ, ଆମର ଅନେକ ଯୁବ କ୍ରିକେଟର, ଉପାନ୍ତ ଅଞ୍ଚଳରେ ଥିବା ଛୋଟ ଛୋଟ ଗାଁ ଏବଂ ସହରରୁ ଆସୁଛନ୍ତି ଏବଂ ଧୀରେ ଧୀରେ ସେମାନଙ୍କ ପରିଶ୍ରମ ବଳରେ ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ା ପ୍ରତିଭା ଭାବରେ ଉଭା ହେଉଛନ୍ତି । ଆମର ଯୁବକମାନେ ମଧ୍ୟ ଆନ୍ତର୍ଜାତୀୟ ସ୍ତରରେ ଅନ୍ୟ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିବାର କ୍ଷମତା ରଖିଛନ୍ତି । ସେମାନଙ୍କୁ ଆହୁରି ପ୍ରୋତ୍ସାହନ ଦେବାକୁ ହେଲେ ଆମକୁ କ୍ରିକେଟ ଭଳି ସେମାନଙ୍କୁ ବିଶ୍ୱ ସ୍ତରର ଭିତ୍ତିଭୂମି ଯୋଗାଇବାକୁ ପଡିବ । ଏହି ଉଦ୍ଦେଶ୍ୟ ସହିତ ଗୁଜରାଟ ସରକାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ପରିସରରେ ଏକ ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ଏନକ୍ଲେଭ ନିର୍ମାଣ ପାଇଁ ପଦକ୍ଷେପ ନେଇଛନ୍ତି । ସେ ଦର୍ଶାଇଛନ୍ତି ଯେ, ଏହି କ୍ରୀଡା ଏନକ୍ଲେଭ ଏକ ମଲ୍ଟି ସ୍ପୋର୍ଟସ୍ ଭେନ୍ୟୁ ଭାବରେ କାର୍ଯ୍ୟ କରିବ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ ପାଇଁ ମଧ୍ୟ ସୁବିଧା ଯୋଗାଇବ । କ୍ରୀଡା ଭିତ୍ତିଭୂମି ଦୃଷ୍ଟିରୁ ଏହି କ୍ରୀଡା ଏନକ୍ଲେଭ ଅହମ୍ମଦାବାଦ ସହରକୁ ଏକ ନୂତନ ପରିଚୟ ପ୍ରଦାନ କରିବ ବୋଲି ସେ ପ୍ରକାଶ କରିଥିଲେ ।
ରାଷ୍ଟ୍ରପତି କହିଥିଲେ ଯେ, କ୍ରୀଡାର ବିକାଶ ମହତ୍ଵପୂର୍ଣ୍ଣ ହୋଇଥିବାବେଳେ ଅଧିକ ସଂଖ୍ୟକ ପ୍ରତିଭାବାନ ଖେଳାଳି ଏହି ସୁବିଧାଗୁଡ଼ିକର ଲାଭ ଉଠାଇବା ଜରୁରୀ । ଆମର କ୍ରୀଡା ପ୍ରତିଭାମାନଙ୍କର ଉତ୍ତମ ବିକାଶ ପାଇଁ ସମସ୍ତ ସୁବିଧା ଏବଂ ଏହାର ଉପଲବ୍ଧତା ଉଭୟ ଅତ୍ୟନ୍ତ ଆବଶ୍ୟକ । ସୁଦୂର ଅଞ୍ଚଳରେ ରହୁଥିବା ଅନେକ ପ୍ରତିଜ୍ଞାକାରୀ ଖେଳାଳି ଆର୍ଥିକ ପ୍ରତିବନ୍ଧକ କିମ୍ବା ଅନ୍ୟାନ୍ୟ ବାଧାବିଘ୍ନ ହେତୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇ ପାରୁନାହାନି । ଯୁବ ଖେଳାଳିଙ୍କୁ ସୁବିଧା ଯୋଗାଇବା ପାଇଁ ପ୍ରୟାସ କରାଯାଉଛି । ବ୍ୟାପକ ସ୍ତରରେ ଏପରି ପ୍ରୟାସ କରିବା ଦ୍ଵାରା ଆମ ଦେଶରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାମାନଙ୍କର ପାଇଁ ସୁଯୋଗ ସୃଷ୍ଟି ହେବ। କେବଳ ପ୍ରତିଭା ପ୍ରୋତ୍ସାହନ ପାଇଁ ନୁହେଁ ବରଂ ଯୁବ ପିଢିଙ୍କ ସାମଗ୍ରିକ ବିକାଶ ପାଇଁ ମଧ୍ୟ ଏହି ପ୍ରୟାସ ଗୁରୁତ୍ୱପୂର୍ଣ୍ଣ । ଏହା ଗୋଟିଏ ଦେଶର ବିକାଶ ସୂଚକାଙ୍କ ହେବା ବ୍ୟତୀତ ଦଳଗତ ଶକ୍ତି, ସୁସ୍ଥ ପ୍ରତିଯୋଗିତା ଏବଂ ବ୍ୟକ୍ତିଗତ ଲକ୍ଷ୍ୟ ଭାବରେ ଜାତୀୟ ଲକ୍ଷ୍ୟର ପରିଚୟକୁ ବିକଶିତ କରିଥାଏ । ଏମାନେ ଯୁବ ପିଢିର ଚରିତ୍ର ବିକାଶରେ ସହାୟକ ହୁଅନ୍ତି, ପ୍ରତିବଦଳରେ ସାମାଜିକ ଏବଂ ଜାତୀୟ ବିକାଶକୁ ପ୍ରୋତ୍ସାହିତ କରନ୍ତି ।
ରାଷ୍ଟ୍ରପତି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗୁଜରାଟରେ କ୍ରୀଡାକୁ ବିଶେଷ ପ୍ରୋତ୍ସାହିତ କରିଥିଲେ । ରାଷ୍ଟ୍ରପତି ଆହୁରି କହିଥିଲେ ଯେ, ସାରା ଦେଶରେ କେନ୍ଦ୍ର ସରକାର କ୍ରୀଡ଼ାର ଏକ ନୂତନ ସଂସ୍କୃତି ବିକଶିତ କରୁଛନ୍ତି । 'ଖେଲୋ-ଇଣ୍ଡିଆ' ଏବଂ 'ଫିଟ୍-ଇଣ୍ଡିଆ' ଭଳି ଅଭିଯାନ ଲୋକମାନଙ୍କ ମଧ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ଏବଂ କ୍ରୀଡାକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଧାରା ସୃଷ୍ଟି କରୁଛି । 'ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍' ଭଳି କାର୍ଯ୍ୟକ୍ରମ ସହିତ କ୍ରୀଡା ଜଗତରେ ଭାରତର ପ୍ରଭାବଶାଳୀ ଉପସ୍ଥିତି ସାବ୍ୟସ୍ତ କରିବା ଲାଗି ପ୍ରୟାସ କରାଯାଉଛି। ଆଜି ନୂତନ ଭାବେ ଉଦ୍ଘାଟିତ ଷ୍ଟାଡିୟମରେ କ୍ରିକେଟ ଖେଳୁଥିବା ଭାରତୀୟ ଏବଂ ଇଂଲଣ୍ଡ ଦଳକୁ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଥିଲେ।
ରାଷ୍ଟ୍ରପତିଙ୍କ ହିନ୍ଦୀ ଭାଷଣ ପଢ଼ିବା ଲାଗି ଏଠାରେ କ୍ଲିକ କରନ୍ତୁ
**********
TRP/
(रिलीज़ आईडी: 1700577)
आगंतुक पटल : 217