ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜଳବାୟୁ ଅନୁକୂଳନ ଶିଖର ସମ୍ମିଳନୀ-୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 25 JAN 2021 8:50PM by PIB Bhubaneshwar

ମାନନୀୟ,

ଜଳବାୟୁ ଅନୁକୂଳନ ଶିଖର ସମ୍ମିଳନୀକୁ ଭାରତ ସ୍ୱାଗତ କରୁଛି ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀ ମାର୍କ ରୁଟଙ୍କ ନେତୃତ୍ୱକୁ ପ୍ରଶଂସା କରୁଛି ।

ଜଳବାୟୁ ପରିବର୍ତ୍ତନ ଆଜିର ତାରିଖରେ ପୂର୍ବଠାରୁ ଅଧିକ ମହତ୍ତ୍ୱ ରଖୁଛି ଏବଂ ଭାରତର ବିକାଶମୂଳକ ପ୍ରୟାସଗୁଡ଼ିକର ଏହା ଏକ ପ୍ରମୁଖ ଅଂଶବିଶେଷ ।

 

ଆମେ ନିଜ ପ୍ରତି ନିମ୍ନଲିଖିତ ଭାବେ ପ୍ରତିବଦ୍ଧ ହୋଇଛୁ:

- ଆମେ କେବଳ ଆମର ପ୍ୟାରିସ ବୁଝାମଣା ଲକ୍ଷ୍ୟ ପୂରଣ କରିବୁ ନାହିଁ, ବରଂ ତା’ଠାରୁ ଅଧିକ କିଛି ହାସଲ କରିବୁ;

- ଆମେ କେବଳ ପରିବେଶ ସଂକ୍ରାନ୍ତ କ୍ଷୟକ୍ଷତିକୁ ନିୟନ୍ତ୍ରଣ କରିବୁ ନାହିଁ, ଏହାର ସଂରକ୍ଷଣ ଉପରେ ଯଥେଷ୍ଟ ଧ୍ୟାନ ଦେବୁ; ,

- ଆମେ କେବଳ ନୂଆ ସାମର୍ଥ୍ୟ ସୃଷ୍ଟି ଉପରେ ଗୁରୁତ୍ୱ ଦେବୁନାହୁଁ, ଏହା ଯେମିତି ବିଶ୍ୱର ମଙ୍ଗଳ ପାଇଁ କାମରେ ଲାଗିବ, ତାହା ବି ସୁନିଶ୍ଚିତ କରିବୁ ।

 

ଆମର ପ୍ରତ୍ୟେକ ପଦକ୍ଷେପ ଆମ ପ୍ରତିଶ୍ରୁତିବଦ୍ଧତାକୁ ସୂଚାଉଛି ।

୨୦୩୦ ସୁଦ୍ଧା ୪୫୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ପାଇଁ ଆମେ ଲକ୍ଷ୍ୟ ରଖିଛୁ ।

ଆମେ ଏଲଇଡି ଆଲୋକକୁ ପ୍ରୋତ୍ସାହନ ଦେଉଛୁ ଏବଂ ବର୍ଷକୁ ୩୮ ନିୟୁତ ଟନ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରୁଛୁ ।

୨୦୩୦ ସୁଦ୍ଧା ଆମେ ୨୬ ନିୟୁତ ହେକ୍ଟର ଅନୁର୍ବର ଜମିକୁ ଶସ୍ୟଶ୍ୟାମଳା କରିବାକୁ ଯାଉଛୁ ।

୮୦ ନିୟୁତ ଗ୍ରାମୀଣ ପରିବାରକୁ ଆମେ ସ୍ୱଚ୍ଛ ରନ୍ଧନ ଗ୍ୟାସ ଯୋଗାଇ ଦେଉଛୁ ।

୬୪ ନିୟୁତ ପରିବାରକୁ ଆମେ ପାଇପ ଜଳ ଯୋଗାଣ ସଂଯୋଗ ଯୋଗାଇ ଦେଇଛୁ ।

ଏବଂ, ଆମର ପଦକ୍ଷେପଗୁଡ଼ିକ କେବଳ ଭାରତ ମଧ୍ୟରେ ସୀମିତ ନାହିଁ ।

ଅନ୍ତର୍ଜାତୀୟ ସୌର ସଂଗଠନ ଓ ବିପର୍ଯ୍ୟୟ ପ୍ରତିରୋଧୀ ଢାଞ୍ଚା ନିମନ୍ତେ ହୋଇଥିବା ମେଣ୍ଟ ଅନ୍ତର୍ଜାତୀୟ ଜଳବାୟୁ ଭାଗୀଦାରିକୁ ମଜଭୁତ କରିଛି । ମୁଁ ଅନ୍ତର୍ଜାତୀୟ ଆୟୋଗକୁ ବିଶ୍ୱ ସ୍ତରରେ ଢାଞ୍ଚାଗତ ନମନୀୟତା ବଢ଼ାଇବା ପାଇଁ ସିଡିଆରଆଇ ସହ କାମ କରିବାକୁ ଅପିଲ କରୁଛି । ଏବଂ, ଆପଣମାନଙ୍କୁ ସମସ୍ତଙ୍କୁ ଚଳିତବର୍ଷ ଶେଷଭାଗରେ ଭାରତରେ ହେବାକୁ ଥିବା ବିପର୍ଯ୍ୟୟ ନମନୀୟତା ଭିତ୍ତିଭୂମି ସଂକ୍ରାନ୍ତ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରୁଛି ।

 

ମାନନୀୟ,

ପ୍ରକୃତି ସହ ସଦଭାବରେ ରହିବା ଆବଶ୍ୟକ ବୋଲି ଭାରତର ସଭ୍ୟତାଗତ ମୂଲ୍ୟବୋଧ ଆମକୁ ଶିଖାଉଛି ।

ଆମର ପ୍ରାଚୀନ ଗ୍ରନ୍ଥ ୟଜୁର୍ବେଦ ଆମକୁ ଶିଖାଉଛି ଯେ ପୃଥିବୀ ସହ ଆମର ସମ୍ପର୍କ ଜଣେ ମାଆ ଓ ତା’ର ସନ୍ତାନ ଭଳି ।

ଯଦି ଆମେ ଧରିତ୍ରୀ ମାତାର ଧ୍ୟାନ ରଖିବା, ତେବେ ସେ ଆମର ପାଳନ-ପୋଷଣ କରିଚାଲିବ ।

ଜଳବାୟୁ ପରିବର୍ତ୍ତନ ଅନୁକୂଳ ହେବା ପାଇଁ, ଆମର ଜୀବନଶୈଳୀ ମଧ୍ୟ ଏହି ଆଦର୍ଶ ସହିତ ଅନୁକୂଳ ହେବା ଆବଶ୍ୟକ ।

ଆଗକୁ ବଢ଼ିବା ପାଇଁ ଆମର ମାର୍ଗଦର୍ଶନରେ ଏହି ଭାବନା ରହିବା ଉଚିତ ।

 

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।

 

***

SR



(Release ID: 1692492) Visitor Counter : 231