ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମୋଦୀ ସରକାରଙ୍କ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉତ୍ତରପ୍ରଦେଶ ଲୋକେ ଉପକୃତ

Posted On: 20 JAN 2021 3:31PM by PIB Bhubaneshwar

ଉତରପ୍ରଦେଶର ଗରୀବରୁ ଗରୀବତର ଲୋକମାନଙ୍କୁ ଦ୍ରୁତଗତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ  ଲାଭ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି  । ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ବାବଦରେ 6ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ପାଇଁ ଆଜି ଅର୍ଥ ମଞ୍ଜୁର କରିବା ଅବସରରେ ଏହା ପ୍ରକାଶ କରିଛନ୍ତି ।

ଏହି ଅର୍ଥକୁ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ମଞ୍ଜୁର କରି ସେ କହିଛନ୍ତି ଯେ, ଆତ୍ମନିର୍ଭର ଭାରତ ପ୍ରତ୍ୟକ୍ଷ ଭାବରେ ଦେଶର ନାଗରିକମାନଙ୍କ ଆତ୍ମବିଶ୍ୱାସ ସହ ଜଡିତ । ନିଜର ବାସଗୃହ ଥିଲେ ଏହି ଆତ୍ମବିଶ୍ୱାସ ବହୁଗୁଣିତ ହୋଇଯାଏ । ନିଜର ବାସଗୃହ ରହିବା ଦ୍ୱାରା ଜୀବନକୁ ଆଶ୍ୱାସନା ମିଳିଥାଏ ଏବଂ ଦାରିଦ୍ର‌୍ୟରୁ ମୁକ୍ତ ହେବାର ଆଶାସଂଚାର ହୋଇଥାଏ ।

ପୂର୍ବର ସରକାର ସମୟର ଘଟଣାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେତେବେଳେ ଗରୀବ ଲୋକମାନେ ସରକାରଙ୍କ ପକ୍ଷରୁ ବାସଗୃହ ପାଇବେ ବୋଲି ବିଶ୍ୱାସ କରିପାରୁ ନ ଥିଲେ । ଆହୁରି ମଧ୍ୟ ସେତେବେଳେ ନିର୍ମାଣ କରାଯାଉଥିବା ଘରଗୁଡିକର ମାନ ଅତ୍ୟନ୍ତ ନିମ୍ନଧରଣର ଥିଲା । ଗରୀବ ଲୋକେ ଭୁଲ ନୀତିରେ ଶରବ୍ୟ ହୋଇଥିଲେ । ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ସବୁ ଗରୀବଙ୍କୁ ଘର ଯୋଗାଇବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଣୟନ କରାଯାଇଥିଲା ବୋଲି ସେ କହଛନ୍ତି । ଏପର୍ଯ୍ୟନ୍ତ ଏହି ଯୋଜନାରେ ଦୁଇ କୋଟି ଆବାସ ଗ୍ରାମାଞ୍ଚଳରେ ନିର୍ମାଣ କରାଯାଇସାରିଲାଣି । ଏଥିପାଇଁ କେନ୍ଦ୍ର ସରକାର 1.5ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ପୂର୍ବରୁ ଏହି ଯୋଜନା ନେଇ ରାଜ୍ୟ ସରକାରମାନେ ପ୍ରତିକ୍ରିୟା ଶୂନ୍ୟ ଥିଲେ । ଉତ୍ତରପ୍ରଦେଶରେ 22ଲକ୍ଷ ଗ୍ରାମୀଣ ଆବାସ ନିର୍ମାଣ କରାଯିବ ଏବଂ ସାଢେ 21ଲକ୍ଷ ଘର ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । ବର୍ତ୍ତମାନର ସରକାରଙ୍କ ସମୟରେ 14.5ଲକ୍ଷ ପରିବାର ଘର ପାଇ ସାରିଲେଣି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ  କହିଛନ୍ତି ।

*******

SSD/ SLP



(Release ID: 1690716) Visitor Counter : 191