ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାନୁଆରୀ 9ତାରିଖରେ ପ୍ରବାସୀ ଭାରତୀୟ ଦିବସ – 2021 ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 07 JAN 2021 7:07PM by PIB Bhubaneswar

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ପ୍ରମୁଖ ସମାରୋହ ପ୍ରବାସୀ ଭାରତୀୟ ଦିବସ (ପିବିଡି) ସମ୍ମିଳନୀ ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ପରସ୍ପର ସହିତ ଯୋଡିହେବାର ଗୁରୁତ୍ବପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ। ପ୍ରବାସୀମାନଙ୍କ ମାନସିକତାକୁ ଦୃଷ୍ଟିରେ ରଖି କୋଭିଡ  ମହାମାରୀ ସମୟରେ ମଧ୍ୟ ଜାନୁଆରୀ 9 ତାରିଖରେ 16ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆୟୋଜନ କରାଯିବ । ଏହି ସମ୍ମିଳନୀ ଭର୍ଚୁଆଲ ପ୍ଲାଟଫର୍ମରେ ଅନୁଷ୍ଠିତ ହେବ। ପୂର୍ବରୁ ଏଥିପାଇଁ ବିଭିନ୍ନ ପ୍ରସ୍ତୁତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ପ୍ରବାସୀ ଭାରତୀୟ ଦିବସର ବିଷୟବସ୍ତୁ ରହିଛି ‘ଆତ୍ମ ନିର୍ଭର ଭାରତ ପାଇଁ ଯୋଗଦାନ’ ।

ଚଳିତ ବର୍ଷର ପ୍ରବାସୀ ଭାରତୀୟ ଦିବସ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ଘାଟନ କରିବେ। ମୁଖ୍ୟ ଅତିଥି ଭାବେ ସୁରିନାମ ସାଧାରଣତନ୍ତ୍ରର ମହାମହିମ ରାଷ୍ଟ୍ରପତି ଶ୍ରୀ ଚନ୍ଦ୍ରିକାପ୍ରସାଦ ସନ୍ତୋକ୍ଷୀ ଦୀକ୍ଷାନ୍ତ ଭାଷଣ ରଖିବେ । ଏହି ଅବସରରେ ଯୁବଗୋଷ୍ଠୀଙ୍କ ପାଇଁ ଅନୁଷ୍ଠିତ ଅନ୍‍ଲାଇନ୍‍ କୁଇଜ ପ୍ରତିଯୋଗିତା ‘ଭାରତ କୋ ଜାନିୟେ’ ର ବିଜେତାଙ୍କ ନାମ ଘୋଷଣା କରାଯିବ ।

ଉଦ୍‍ଘାଟନୀ ଅଧିବେଶନ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟଟି ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଅଂଶଗ୍ରହଣ ଶୀର୍ଷକ ଥିବାବେଳେ ଏଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଉଦ୍‍ବୋଧନ ଦେବେ । ଦ୍ୱିତୀୟ ପର୍ଯ୍ୟାୟରେ କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ, ଅର୍ଥବ୍ୟବସ୍ଥା, ସାମାଜିକ ଏବଂ ଆର୍ନ୍ତଜାତିକ ଆହ୍ୱାନ ଶୀର୍ଷକ ବିଷୟବସ୍ତୁ ଉପରେ ଉଭୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଉଦବୋଧନ ଦେବେ । ଉଭୟ ପର୍ଯ୍ୟାୟରେ ପ୍ରବାସୀ ବିଶେଷଜ୍ଞମାନଙ୍କୁ ନେଇ ଦଳଗତ ଆଲୋଚନା ହେବ ।

ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ଦିବସ ଉପରେ ତାଙ୍କର ଉଦ୍‍ଯାପନୀ ଅଭିଭାଷଣ ପ୍ରଦାନ କରିବେ । ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର 2020-21ର ବିଜେତାମାନଙ୍କର ନାମ ଘୋଷଣା କରାଯିବ। ଉଭୟ ଭାରତ ଏବଂ ବିଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରବାସୀ ଭାରତୀୟଙ୍କୁ ବର୍ଷପାଇଁ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରାଯାଇଥାଏ।

 ଜାନୁଆରୀ 8ତାରିଖରେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଯୁବ ପ୍ରବାସୀ ଭାରତୀୟ ଦିବସ ମଧ୍ୟ ଭର୍ଚୁଆଲ ପ୍ଲାଟଫର୍ମରେ ଅନୁଷ୍ଠିତ ହେବ । ଏହାର ବିଷୟବସ୍ତୁ ରହିଛି “ଭାରତ ଓ ଭାରତ ବାହାରେ ରହୁଥିବା କୃତୀ ଯୁବ ପ୍ରତିଭାଙ୍କୁ ଏକତ୍ରିତ କରିବା” । ଏହି କାର୍ଯ୍ୟକ୍ରମରେ ନ୍ୟୁଜିଲାଣ୍ଡର ଗୋଷ୍ଠୀ ଏବଂ ସ୍ୱେଚ୍ଛାକୃତ କ୍ଷେତ୍ରର ମାନ୍ୟବର ମନ୍ତ୍ରୀ ସୁଶ୍ରୀ ପ୍ରିୟଙ୍କା ରାଧାକ୍ରିଷ୍ଣନ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ ।

 

************

HS/PS

 


(ରିଲିଜ ଆଡି: 1686965) ପରିଦର୍ଶକ କାଉଣ୍ଟର : 357