ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ୍‍ ପାଇପ ଲାଇନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

ଏହି ପାଇପ ଲାଇନ ଦ୍ୱାରା ଉଭୟ କେରଳ ଓ କର୍ଣ୍ଣାଟକର ଲୋକେ ଉପକୃତ ହେବେ: ପ୍ରଧାନମନ୍ତ୍ରୀ

ବ୍ଲୁ ଇକନମି ଆତ୍ମନିର୍ଭର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହେବାକୁ ଯାଉଛି: ପ୍ରଧାନମନ୍ତ୍ରୀ

Posted On: 05 JAN 2021 1:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ୍‍ ପାଇପ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ଘଟଣା ‘ଏକ ରାଷ୍ଟ୍ର ଏକ ଗ୍ୟାସ୍‍ ଗ୍ରୀଡ’ ସ୍ଥାପନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟଭାବେ ପରିଗଣିତ ହୋଇଛି । ଏହି କାର୍ଯ୍ୟକ୍ରମରେ କର୍ଣ୍ଣାଟକ ଏବଂ କେରଳର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଗଣ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଦିନଟି ଉଭୟ କେରଳ ଓ କର୍ଣ୍ଣାଟକ ରାଜ୍ୟବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ଉଭୟ ରାଜ୍ୟ ଗୋଟିଏ ପ୍ରାକୃତିକ ଗ୍ୟାସ୍‍ ପାଇପ ଲାଇନ ଦ୍ୱାରା ସଂଯୁକ୍ତ ହୋଇଛନ୍ତି । ଏହି ପାଇପ ଲାଇନ ସଂପୃକ୍ତ ଦୁଇ ରାଜ୍ୟର ଅର୍ଥନୀତି ଅଭିବୃଦ୍ଧି ଉପରେ ଗଠନମୂଳକ ପ୍ରଭାବ ପକାଇବ । ସେ କହିଛନ୍ତି ଯେ ଗ୍ୟାସ୍‍ଭିତ୍ତିକ ଅର୍ଥନୀତିର ଦ୍ରୁତ ସଂପ୍ରସାରଣ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା । ସେଇଥିପାଇଁ ସରକାର ଏକ ରାଷ୍ଟ୍ର ଏକ ଗ୍ୟାସ୍‍ ଗ୍ରୀଡ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସଂପୃକ୍ତ ଗ୍ୟାସ୍‍ ପାଇପ ଲାଇନର ଲାଭ ଓ ସୁବିଧା ସୁଯୋଗର ବିବରଣୀ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ଏହି ପାଇପ ଲାଇନ ଦ୍ୱାରା ଉଭୟ ରାଜ୍ୟର ଲୋକଙ୍କ ଜୀବନଧାରଣ ସହଜ ହେବ ଏବଂ ଗରିବ, ମଧ୍ୟବିତ୍ତ ଶ୍ରେଣୀର ଲୋକ ତଥା ଉଦ୍ୟୋଗୀମାନଙ୍କର ଖର୍ଚ୍ଚ କମିବ । ଏହା ବିଭିନ୍ନ ସହର ଓ ନଗରରେ ଗ୍ୟାସ୍‍ ବଣ୍ଟନର ମୂଳ ଭିତ୍ତି ହେବ । ଏହା ମଧ୍ୟ ସିଏନ୍‍ଜିଭିତ୍ତିକ ପରିବହନ ବ୍ୟବସ୍ଥାକୁ ମୌଳିକ ସୁବିଧା ଯୋଗାଇବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପାଇପ ଲାଇନ ମାଙ୍ଗାଲୁରୁ ତୈଳ ବିଶୋଧନାଗାରକୁ ସ୍ୱଚ୍ଛ ଉର୍ଜ୍ଜା ଯୋଗାଇଦେବ ଏବଂ ଏହାଦ୍ୱାରା ଉଭୟ ରାଜ୍ୟରେ ପ୍ରଦୂଷଣ ହ୍ରାସ ପାଇବ । ସେ କହିଛନ୍ତି ଯେ ପ୍ରଦୂଷଣ ହ୍ରାସର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡିବ; ଯାହାର ଅର୍ଥ ନିୟୁତ ନିୟୁତ ବୃକ୍ଷରୋପଣ ସହ ସମାନ । ଏହାଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଅନୁକୂଳ ପ୍ରଭାବ ପଡିବ ଏବଂ ସେମାନଙ୍କର ଚିକିତ୍ସା ବାବଦ ଖର୍ଚ୍ଚ କମିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପାଇପ ଲାଇନ ନିର୍ମାଣରେ 1.2 ନିୟୁତ ଶ୍ରମ ଦିବସ ସୃଷ୍ଟି ହୋଇପାରିଛି ଏବଂ ଏହାଦ୍ୱାରା ନୂଆ ନିଯୁକ୍ତି ଏବଂ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । ଏହା କାର୍ଯ୍ୟକ୍ଷମ ହେବା ଦ୍ୱାରା ସାର, ପେଟ୍ରୋ ରସାୟନ ଏବଂ ଶକ୍ତି କ୍ଷେତ୍ରକୁ ଲାଭ ମିଳିବ । ଏହା ମଧ୍ୟ ଦେଶର ହଜାର ହଜାର କୋଟି ଟଙ୍କାର ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟରେ ସହାୟକ ହୋଇପାରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶେଷଜ୍ଞଙ୍କ ମତ ଅନୁସାରେ ଏକବିଂଶ ଶତାବ୍ଦୀରେ ଯେଉଁ ଦେଶ ସଂଯୋଗ ବ୍ୟବସ୍ଥା ଓ ସ୍ୱଚ୍ଛ ଇନ୍ଧନରେ ସର୍ବାଗ୍ରେ ରହିବ ସେ ଦେଶ ବିକାଶର ସେତେ ଉପରେ ତାହାର ସ୍ଥାନ ନିଶ୍ଚିତ କରିବ । ଦେଶରେ ଯେଉଁ ବେଗରେ ସଂଯୋଗ ବ୍ୟବସ୍ଥା ଏବେ କାର୍ଯ୍ୟକାରୀ ହେଉଛି ତାହା ବିଗତ ଦଶନ୍ଧିଗୁଡିକରେ କେବେ ଦେଖାଯାଇ ନ ଥିଲା ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ 2014ର 27 ବର୍ଷ ପୂର୍ବରୁ ଦେଶରେ ମାତ୍ର 15000 କିମି ପ୍ରାକୃତିକ ଗ୍ୟାସ୍‍ ପାଇପ ଲାଇନ ନିର୍ମିତ ହୋଇଥିଲା । ଏବେ କିନ୍ତୁ ଦେଶବ୍ୟାପୀ 16000 କିମି ଲମ୍ବର ଗ୍ୟାସ୍‍ ପାଇପ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଛି । ଆଗାମୀ 5-6 ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ । ଅଧିକରୁ ଅଧିକ ସିଏନ୍‍ଜି ଫୁଏଲ ଷ୍ଟେସନ, ପିଏନ୍‍ଜି ଓ ଏଲ୍‍ପିଜି ସଂଯୋଗ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏ କ୍ଷେତ୍ରରେ ତାଙ୍କ ସରକାର ଯେଉଁ ସୁବିଧା ଲୋକଙ୍କୁ ଯୋଗାଉଛନ୍ତି ତାହା ପୂର୍ବରୁ କେବେ ଦେଖାଯାଇ ନ ଥିଲା । ସେ କହିଛନ୍ତି ଯେ ଏହି ବର୍ଦ୍ଧିତ ସଂଯୋଗ ବ୍ୟବସ୍ଥା ଫଳରେ ଆଉ କିରୋସିନିର ଅଭାବ ପଡୁନାହିଁ । କାରଣ ଏହାକୁ ଲୋକେ ଅଧିକ କିଣୁନାହାନ୍ତି । ଅନେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଇତିମଧ୍ୟରେ ନିଜ ନିଜକୁ କିରୋସିନି ମୁକ୍ତ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ 2014ଠାରୁ ସରକାର ତୈଳ ଓ ଗ୍ୟାସ୍‍ କ୍ଷେତ୍ରରେ ଅନେକ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି । ତୈଳ ଓ ଗ୍ୟାସ୍‍ ଉତ୍ପାଦନ, ଖନନ,  ବିପଣନ ଏବଂ ଆବଣ୍ଟନ ଆଦି ସବୁ କ୍ଷେତ୍ରରେ ସଂସ୍କାର ଆସିଛି । ସେ କହିଛନ୍ତି ଯେ ଏକ ରାଷ୍ଟ୍ର ଏକ ଗ୍ରୀଡ ଲକ୍ଷ୍ୟ ହାସଲ କରି ସରକାର ଗ୍ୟାସ୍‍ଭିତ୍ତିକ ଅର୍ଥନୀତିକୁ ଆପଣାଇବାକୁ ଯୋଜନା କରୁଛନ୍ତି । କାରଣ ଏହି ଗ୍ୟାସ୍‍ର ପରିବେଶଗତ ଲାଭ ଅନେକ ରହିଛି । ଭାରତର ଉର୍ଜ୍ଜା ଆବଶ୍ୟକତାରେ ପ୍ରାକୃତିକ ଗ୍ୟାସ୍‍ର ଅଂଶ ବଢାଇବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏହାକୁ 6 ଶତାଂଶରୁ 15 ଶତାଂଶକୁ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ଗେଲ୍‍ର କୋଚି-ମାଙ୍ଗାଲୁରୁ ଗ୍ୟାସ୍‍  ପାଇପ ଲାଇନ କାର୍ଯ୍ୟକ୍ଷମ ହେବା ଆମର ଏକ ରାଷ୍ଟ୍ର ଏକ ଗ୍ୟାସ୍‍ ଗ୍ରୀଡ କାର୍ଯ୍ୟକ୍ରମର ଅଂଶବିଶେଷ । ସ୍ୱଚ୍ଛ ଇନ୍ଧନ ଏକ ଉତ୍ତମ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ପାଇପ ଲାଇନ ସ୍ୱଚ୍ଛ ଇନ୍ଧନ ଯୋଗାଣ ପ୍ରକ୍ରିୟାରେ ଉନ୍ନତି ଆଣିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଭବିଷ୍ୟତ ଉର୍ଜ୍ଜା ଆବଶ୍ୟକତା ପୂରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହି ଲକ୍ଷ୍ୟ ପୂରଣ ପାଇଁ ଗୋଟିଏ ପଟେ ପ୍ରାକୃତିକ ଗ୍ୟାସ୍‍ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଅନ୍ୟପକ୍ଷେ ଉର୍ଜ୍ଜା ଉତ୍ସଗୁଡିକୁ ବିବିଧ କରାଯାଉଛି । ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ ଗୁଜରାଟରେ ବିଶ୍ୱର ସବୁଠୁ ବଡ଼ ଅକ୍ଷୟ ଶକ୍ତି ପ୍ଲାଣ୍ଟ ନିର୍ମାଣର ପରିକଳ୍ପନା ରହିଛି । ଏଥିସିହତ  ଜୈବ ଇନ୍ଧନ ଉପରେ ଗୁରୁତ୍ୱ ଦିଆଯାଉଛି । ସେ କହିଛନ୍ତି ଯେ ଚାଉଳ ଏବଂ ଆଖୁରୁ ଇଥାନଲ ବାହାର କରିବା ପାଇଁ ଏକନିଷ୍ଠ ଉଦ୍ୟମ ଚାଲିଛି । ଦଶବର୍ଷ ମଧ୍ୟରେ ପେଟ୍ରୋଲରେ 20 ଶତାଂଶ ପର୍ଯ୍ୟନ୍ତ ଇଥାନଲ ମିଶାଇବାକୁ  ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ନାଗରିକଙ୍କୁ ସୁଲଭ, ପ୍ରଦୂଷଣମୁକ୍ତ ବିଜୁଳି ଏବଂ ଇନ୍ଧନ ଯୋଗାଇ ଦେବାକୁ ସରକାର ଅଙ୍ଗୀକାରବଦ୍ଧ ।

ଦୁଇ ଉପକୂଳ ରାଜ୍ୟ କେରଳ ଓ କର୍ଣ୍ଣାଟକ ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଦୁଇ ତଟବର୍ତ୍ତୀ ପ୍ରଦେଶର ସମନ୍ୱିତ ଉପକୂଳ ଉନ୍ନୟନ ସଂପର୍କରେ ତାଙ୍କର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିଛି । ଏହି ଦୁଇ ରାଜ୍ୟ ସହିତ ଦକ୍ଷିଣର ଅନ୍ୟାନ୍ୟ ରାଜ୍ୟଗୁଡିକରେ ନୀଳ ଅର୍ଥନୀତି ବା ବ୍ଲୁ ଇକନମିର ବିକାଶ ପାଇଁ ଚୂଡାନ୍ତ ଯୋଜନା ଏବେ କାର୍ଯ୍ୟକାରୀ ହେଉଛି । ବ୍ଲୁ ଅର୍ଥନୀତି ଆତ୍ମନିର୍ଭର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହେବ । ଏହାଦ୍ୱାରା ବନ୍ଦର ସହିତ ଉପକୂଳ ସଡ଼କଗୁଡିକୁ ସଂଯୁକ୍ତ କରାଯାଇ ମଲ୍‍ଟି ମୋଡାଲ କନେକ୍ଟିଭିଟି ଉପରେ ଗୁରୁତ୍ୱ ଦିଆଯାଉଛି । ଆମ ଉପକୂଳ ଅଞ୍ଚଳଗୁଡିକୁ ବସବାସ, ଜୀବନଧାରଣ ଏବଂ ବାଣିଜ୍ୟ ବ୍ୟବସାୟ ପାଇଁ ଆଦର୍ଶ ଅଞ୍ଚଳଭାବେ ଗଢି ତୋଳିବାକୁ ଆମେ କାର୍ଯ୍ୟ କରୁଛୁ ।

ସେ କହିଛନ୍ତି ଯେ ତଟବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀମାନେ କେବଳ ସମୁଦ୍ର ଉପରେ ଜୀବିକା ପାଇଁ ନିର୍ବାହଶୀଳ ନୁହଁନ୍ତି । ସେମାନେ ମଧ୍ୟ ଏହି ସାଗର ସମ୍ପତ୍ତିର ଅଭିଭାବକ । ସେଥିପାଇଁ ସରକାର ଉପକୂଳ ପରିବେଶକୁ ଋଦ୍ଧିମନ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଗଭୀର ସମୁଦ୍ରରେ ମାଛଧରା, ସ୍ୱତନ୍ତ୍ର ମତ୍ସ୍ୟ ବିଭାଗ ସ୍ଥାପନ, ସୁଲଭ ଋଣ ଯୋଗାଣ ବ୍ୟବସ୍ଥା, କିଷାନ କ୍ରେଡିଟକାର୍ଡ ପ୍ରଦାନ ଆଦି ମତ୍ସ୍ୟଜୀବୀଙ୍କ ପାଇଁ କରାଯାଇଛି । ନିକଟରେ ଆରମ୍ଭ ହୋଇଥିବା 20 ହଜାର କୋଟି ଟଙ୍କା ମତ୍ସ୍ୟ ସମ୍ପଦା ଯୋଜନା ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାଦ୍ୱାରା କେରଳ ଓ କର୍ଣ୍ଣାଟକର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ସିଧାସଳଖ ଉପକୃତ ହେବେ । ଭାରତର ମାଛ ଓ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ପରିମାଣ ଦ୍ରୁତଗତିରେ ବଢୁଛି । ଭାରତକୁ ଏକ ଉତ୍ତମ ମାନର ପ୍ରକ୍ରିୟାକୃତ ସିଫୁଡ୍‍ ହବ୍‍ରେ ପରିଣତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଏବେ ସିୱିଡ୍‍ର ଚାହିଦା ବଢୁଛି । ଏହାକୁ ପୂରଣ କରିବା ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ । ସେହିଭଳି ଚାଷୀମାନଙ୍କୁ ମଧ୍ୟ ସିୱିଡ୍‍ ଚାଷ ପାଇଁ ଉତ୍ସାହିତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********

DS/AKP/SKS/TM(SM)

 



(Release ID: 1686386) Visitor Counter : 282