କ୍ୟାବିନେଟ

ପାଞ୍ଚଟି ଚଳଚିତ୍ର ମିଡିଆ ୟୁନିଟର ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଏହାର ଭିତ୍ତିଭୂମି, କର୍ମଚାରୀ ଓ ଅନ୍ୟାନ୍ୟ ସମ୍ବଳର ମଧ୍ୟ ମିଶ୍ରଣ ହେବ

Posted On: 23 DEC 2020 4:48PM by PIB Bhubaneshwar

ଆମ ଦେଶରେ ପ୍ରତିବର୍ଷ ତିନି ହଜାରରୁ ଅଧିକ ଚଳଚିତ୍ର ନିର୍ମିତ ହେଉଛି । ଏହା ବିଶ୍ଵରେ ସବୁଠାରୁ ଅଧିକ । ଚଳଚିତ୍ର କ୍ଷେତ୍ରକୁ ସହାୟତା ସ୍ୱରୂପ କେନ୍ଦ୍ର ସରକାର ଏହାର ପାଞ୍ଚଟି ବିଭାଗକୁ ମିଶାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି । ଫଳତଃ ଚଳଚିତ୍ର ଗଣମାଧ୍ୟମ ଏକାଂଶର ଚାରୋଟି ଯାକ ୟୁନିଟ ଯଥା ଚଳଚିତ୍ର ପ୍ରଭାଗ (ଫିଲ୍ମ ଡିଭିଜନ), ଚଳଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ (ଡି ଏଫଏଫ), ଭାରତୀୟ ଜାତୀୟ ଚଳଚିତ୍ର ଅଭିଲେଖାଗାର (ଏନଏଫ ଏଆଇ) ଏବଂ ଭାରତୀୟ ଶିଶୁ ଚଳଚିତ୍ର ସମିତି (ସି ଏଫଏସଆଇ)ର ଜାତୀୟ ଚଳଚିତ୍ର ଉନ୍ନୟନ ନିଗମ ଲିମିଟେଡ (ଏନଏଫଡିସି) ସହ ମିଶ୍ରଣ ହୋଇଛି । ଏନଏଫଡିସିର ମେମୋରାଣ୍ଡମ ଅଫ ଆର୍ଟିକଲ ଅଫ ଆସୋସିଏସନର ସଂପ୍ରସାରଣ ଯୋଗୁଁ ଏବେ ଏନଏଫଡିସି ଚାରୋଟି ଯାକ ୟୁନିଟର ସମସ୍ତ କାର୍ଯ୍ୟ ପରିଚାଳନା କରିବ । ଚଳଚିତ୍ର ଗଣମାଧ୍ୟମ ଏକାଂଶଗୁଡିକର ଗୋଟିଏ ନିଗମ ଅଧୀନରେ ମିଶ୍ରଣ ଯୋଗୁଁ ସମନ୍ଵୟ ବୃଦ୍ଧି ପାଇବା ସହ କାର୍ଯ୍ୟକାରିତାରେ ମଧ୍ୟ ଯଥେଷ୍ଟ ସୁଧାର ଆସିବ । 

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିନସ୍ଥ କାର୍ଯ୍ୟାଳୟ ଭାବେ ପରିଗଣିତ ହେଉଥିବା ଫିଲ୍ମ ଡିଭିଜନ 1948 ମସିହାରେ ପ୍ରତିଷ୍ଠା କରାଯାଇଥିଲା । ସରକାରୀ କାର୍ଯ୍ୟକ୍ରମ ଓ ଭାରତୀୟ ଇତିହାସର ଅଭିଲେଖ ପ୍ରସ୍ତୁତ କରୁଥିବା ଏହି ଡିଭିଜନ ମୂଳତଃ ବୃତଚିତ୍ର ଓ ସମ୍ବାଦ ପରିକ୍ରମା ପ୍ରସ୍ତୁତ ପାଇଁ ସ୍ଥାପିତ ହୋଇଥିଲା

ଭାରତୀୟ ଶିଶୁ ଚଳଚିତ୍ର ସମିତି ଏକ ସ୍ଵୟଂଶାସିତ ସଂସ୍ଥା ଭାବେ 1955 ମସିହାରେ ପ୍ରତିଷ୍ଠା କରାଯାଇଥିଲା । ସୋସାଇଟି ଆଇନ ଅଧୀନରେ ପ୍ରତିଷ୍ଠିତ ଏହି ସଂସ୍ଥା ଚଳଚିତ୍ର ଜରିଆରେ ଶିଶୁ ଓ ଯୁବଗୋଷ୍ଠୀମାନଙ୍କ ନିମନ୍ତେ ମୂଲ୍ୟବୋଧ ଭିତ୍ତିକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରୁଥିଲା

1973 ମସିହାରେ ସୂଚନା ଓ ପ୍ରସାରଣ ସହ ସଂଶ୍ଳିଷ୍ଟ ହୋଇଥିବା ଚଳଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ ଭାରତୀୟ ଚଳଚିତ୍ରର ପ୍ରଚାର ପ୍ରସାର ସହ ସାଂସ୍କୃତିକ ବିନିମୟ କାର୍ଯ୍ୟର ମଧ୍ୟ ପରିଚାଳନା କରୁଥିଲା । ଭାରତୀୟ ଚଳଚିତ୍ର ଶିଳ୍ପର ସମନ୍ଵିତ ବିକାଶ ଓ ଯୋଜନା ଆଭିମୁଖ୍ୟ ନେଇ ଏନଏଫଡିସି କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଭାବେ 1975 ମସିହାରେ ଗଠନ କରାଯାଇଥିଲା ।

କେନ୍ଦ୍ର କ୍ୟାବିନେଟ ଏହି ମିଡିଆ ୟୁନିଟଗୁଡିକର ମିଶ୍ରଣ ସହ ଏହାର ସମ୍ପତ୍ତି ଓ କର୍ମଚାରୀମାନଙ୍କ ସ୍ଥାନାନ୍ତର କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଆଇନ ଓ ଆର୍ଥିକ ପରାମର୍ଶଦାତାଙ୍କ ନିଯୁକ୍ତିକୁ ମଧ୍ୟ ଅନୁମୋଦନ କରିଛନ୍ତି । ମିଶ୍ରଣ ପ୍ରକ୍ରିୟା ଯୋଗୁଁ ସମସ୍ତ ମିଡିଆ ୟୁନିଟର କର୍ମଚାରୀମାନଙ୍କ ସ୍ଵାର୍ଥରକ୍ଷା ସହ କେହି ଯେପରି ଛଟେଇ ନହୁଅନ୍ତି ତାହା ଦେଖାଯିବ ।

ମୁଖ୍ୟ ସଂସ୍ଥା ଭାବେ ଏନଏଫଡିସି ଚଳଚିତ୍ର ମିଡିଆ ୟୁନିଟଗୁଡିକର ମିଶ୍ରଣ ସହ ଚଳଚିତ୍ରଗୁଡିକର ପ୍ରସାରଣ, ନିର୍ମାଣ ଓ ସଂରକ୍ଷଣ ଭଳି କାର୍ଯ୍ୟ ପରିଚାଳନା କରିବ । ଭାରତୀୟ ଚଳଚିତ୍ରଗୁଡ଼ିକର ବିକାଶ ସହ ଶିଶୁ ଚଳଚିତ୍ର ବିଷୟବସ୍ତୁ, ଆନିମେସନ, କ୍ଷୁଦ୍ର ଓ ବୃତ ଚିତ୍ର ଇତ୍ୟାଦି ସବୁଥିରେ ଭାରସାମ୍ୟ ରକ୍ଷା କରିବାକୁ ପଡିବ । ସମସ୍ତ ୟୁନିଟ ଗୋଟିଏ ସଂସ୍ଥା ଅଧୀନରେ ରଖିବା ଫଳରେ ଏହାର ଭିତ୍ତିଭୂମି ଓ ମାନବ ସମ୍ବଳର ଯଥାର୍ଥ ଉପଯୋଗ ହେବା ସହ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ।

 

**********


(Release ID: 1683137) Visitor Counter : 249