ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଇଂଲଣ୍ଡରୁ ସମସ୍ତ ବିମାନ ଯାତାୟାତ ବାତିଲ କଲା ଭାରତ


ନୂତନ କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ନିଷ୍ପତ୍ତି

22 ରୁ 31 ଡିସେମ୍ବର 2020 ପର୍ଯ୍ୟନ୍ତ ସମସ୍ତ ବିମାନଯାତ୍ରା ବାତିଲ

ଚାଲୁଥିବା ସମସ୍ତ ବିମାନଯାତ୍ରୀଙ୍କ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ

ପୋଷ୍ଟ କରାଯିବା ଦିନାଙ୍କ: 21 DEC 2020 6:22PM by PIB Bhubaneswar

ଇଂଲଣ୍ଡରୁ ଭାରତ ଆସୁଥିବା ସମସ୍ତ ଯାତ୍ରୀବାହି ବିମାନ ଆସନ୍ତାକାଲି (22.12.2020)ଠାରୁ 31 ଡିସେମ୍ବର 2020 ପର୍ଯ୍ୟନ୍ତ ବାତିଲ କରାଯାଇଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଜଣାଇଛନ୍ତି । କେତେକ ଦେଶରେ କରୋନା ସଂକ୍ରମଣ ଅଧିକ ଦେଖାଦେବା ପରିପ୍ରେକ୍ଷୀରେ ଭାରତ ସରକାର ସମସ୍ତ ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ନେଉଥିବା ଶ୍ରୀ ପୁରୀ କହିଛନ୍ତି ।

ଇଂଲଣ୍ଡରେ କୋଭିଡ-19 ଅଧିକ ସଂକ୍ରମଣ ଦୃଷ୍ଟିରୁ ଭାରତ ସରକାର ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ସମସ୍ତ ବିମାନ ଯାତାୟାତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଆସନ୍ତାକାଲି (22.12.2020) ରାତି 11ଟା 59 ମିନିଟ  ଠାରୁ ଲାଗୁ ହେବ । ତେବେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଅନୁମୋଦିତ ସମସ୍ତ ପଣ୍ୟବାହୀ ଆନ୍ତର୍ଜାତିକ ବିମାନ ଯାତ୍ରା ଉପରେ ଏହି କଟକଣା ଲାଗୁ ହେବନାହିଁ ।

ଭାରତକୁ ଅନ୍ୟାନ୍ୟ ବିମାନ ସଂସ୍ଥା ପକ୍ଷରୁ ଆସୁଥିବା ବିମାନରେ ସେମାନେ ଇଂଲଣ୍ଡରୁ  ଭାରତକୁ କୌଣସି ଯାତ୍ରୀଙ୍କୁ ଆଣିବେ ନାହିଁ । ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କୌଣସି ଯାତ୍ରୀ ଯେପରି ଇଂଲଣ୍ଡରୁ ଭାରତକୁ ଯାତ୍ରା ନକରନ୍ତି ତାହା ସୁନିଶ୍ଚିତ  କରାଯିବ

ପ୍ରତିଷେଧକ ମୂଳକ ବ୍ୟବସ୍ଥା ସ୍ୱରୂପ ଇଂଲଣ୍ଡରୁ ଆସୁଥିବା ବିମାନରେ ଯେଉଁ ଯାତ୍ରୀ ଆସନ୍ତାକାଲି ରାତି 11ଟା 59 ପୂର୍ବରୁ ପହଞ୍ଚିବେ ବିମାନବନ୍ଦରରେ ସେମାନଙ୍କ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଯେଉଁ ଯାତ୍ରୀ ପହଞ୍ଚିବା ପରେ କୋଭିଡ-19 ସଂକ୍ରମିତ ବିବେଚିତ ହେବେ ସେମାନେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମାର୍ଗଦର୍ଶିକା ଅନୁସାରେ ସଙ୍ଗରୋଧରେ ରହିବେ । ଯାତ୍ରୀଙ୍କୁ ମେଡିକାଲ ଖର୍ଚ୍ଚ ମଧ୍ୟ ବହନ କରିବାକୁ ପଡିବ ।

**********


(ରିଲିଜ ଆଡି: 1682489) ପରିଦର୍ଶକ କାଉଣ୍ଟର : 265