ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଆଖୁ ଚାଷୀଙ୍କ ପାଇଁ 3,500 କୋଟି ଟଙ୍କାର ସହାୟତା ପ୍ରସ୍ତାବକୁ କ୍ୟାବିନେଟର ସବୁଜ ସଂକେତ

ଏହି ସହାୟତା ରାଶି ସିଧାସଳଖ ଚାଷୀଙ୍କ ଜମାଖାତାକୁ ଯିବ

ଏହି ନିଷ୍ପତ୍ତି ଫଳରେ 5 କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ଉପରେ ନିର୍ଭର କରୁଥିବା ଲୋକ ତଥା ଚିନିକଳ ଓ ଆନୁସଙ୍ଗିକ ଶିଳ୍ପରେ କାର୍ଯ୍ୟରତ 5 ଲକ୍ଷ ଶ୍ରମିକ ଉପକୃତ ହେବେ

Posted On: 16 DEC 2020 3:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଦେଶର ଆଖୁଚାଷୀଙ୍କ ପାଇଁ 3,500 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ପ୍ରସ୍ତାବକୁ ସବୁଜ ସଂକେତ ମିଳିଛି । ଏହା ଫଳରେ 5 କୋଟିରୁ ଅଧିକ ଆଖୁଚାଷୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ଏବଂ 5 ଲକ୍ଷ ଚିନିକଳ ଶ୍ରମିକ ଉପକୃତ ହେବେ । ସେମାନଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ଏହି ଅର୍ଥରାଶି ପଠାଯିବ ।

ଏବେ ଦେଶରେ ପ୍ରାୟ 5 କୋଟି ଆଖୁଚାଷୀ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ରହିଛନ୍ତି । ଏହାଛଡା ଦେଶର ଚିନିକଳ ଓ ଅନୁସାରୀ ଶିଳ୍ପରେ ପ୍ରାୟ 5 ଲକ୍ଷ ଶ୍ରମିକ କାର୍ଯ୍ୟରତ । ସେମାନଙ୍କର ଜୀବନଜୀବିକା ଚିନି ଶିଳ୍ପ ଉପରେ ନିର୍ଭର କରେ ।

ଚାଷୀମାନେ ଚିନିକଳକୁ ନିଜର ଆଖୁ ବିକି ଦେଇସାରିଲା ପରେ ଏବେ ନିଜର ପ୍ରାପ୍ୟ ପାଉନାହାନ୍ତି; କାରଣ ଚିନିକଳ ମାଲିକଙ୍କ ପାଖରେ ବଳକା ଚିନି ମହଜୁଦ ରହିଛି । ଫଳରେ ଉତ୍ପାଦିତ ଆଖୁ ପେଷା ଯାଇପାରୁନାହିଁ ଏବଂ ଚାଷୀ ପ୍ରାପ୍ୟ ନ ପାଇ କ୍ଷତିଗ୍ରସ୍ତ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ସରକାର ବଳକା ଚିନିର ସୁପରିଚାଳନା ନିମନ୍ତେ ଏକ ବ୍ୟବସ୍ଥା କରିଛନ୍ତି; ଯାହା ଫଳରେ ଆଖୁଚାଷୀ ଓ ଚିନିକଳ ଶ୍ରମିକମାନେ ସେମାନଙ୍କର ପ୍ରାପ୍ୟ ପାଇପାରିବେ । ଏଥିପାଇଁ ସରକାର ବିଭିନ୍ନ ଚିନିକଳରେ ମହଜୁଦ ଥିବା 3,500 କୋଟି ଟଙ୍କାର 60 ଲକ୍ଷ ମେଟ୍ରିକ ଟନ ଚିନି ବିଦେଶକୁ ରପ୍ତାନୀ କରିବେ । ରପ୍ତାନୀରୁ  ଯେଉଁ ଅର୍ଥ ମିଳିବ ତାହାକୁ ସିଧାସଳଖ ଚିନିକଳ ମାଲିକଙ୍କ ପକ୍ଷରୁ ଚାଷୀଙ୍କ ବ୍ୟାଙ୍କଖାତାରେ ସିଧାସଳଖ ଜମା କରାଯିବ । ଚାଷୀ ଓ ଶ୍ରମିକଙ୍କୁ ସେମାନଙ୍କ ଦେୟ ଦେଇସାରିବା ପରେ ଯେଉଁ ଅର୍ଥ ବଳିବ ତାହାକୁ ଚିନିକଳ ମାଲିକଙ୍କୁ ଦିଆଯିବ ।

ସରକାର ଏହି କାର୍ଯ୍ୟଟିକୁ ଏକ ରିଆତି ବ୍ୟବସ୍ଥା ଭଳି ପରିଚାଳନା କରିବାର ଲକ୍ଷ୍ୟ ରଖିଛନ୍ତି । ଯେଉଁ 60 ଲକ୍ଷ ମେଟ୍ରିକ ଟନ ଚିନି ରପ୍ତାନୀ କରାଯିବ ତାହାର ସଂଗ୍ରହ, ପ୍ରକ୍ରିୟାକରଣ, ମୂଲ୍ୟ ନିର୍ଦ୍ଧାରଣ, ପରିବହନ ଏବଂ ରପ୍ତାନୀଜନିତ ଖର୍ଚ୍ଚ ଉପରେ ସରକାର ସବ୍‌ସିଡି ପ୍ରଦାନ କରିବେ । ଏହି ବ୍ୟବସ୍ଥାଟି କେବଳ 2020-21 ଆଖୁ ଋତୁ ପାଇଁ ଲାଗୁ ହେବ ।

ଏହି ନିଷ୍ପତ୍ତି ଫଳରେ 5 କୋଟି ଆଖୁଚାଷୀ ଏବଂ ସେମାନଙ୍କ ଉପରେ ନିର୍ଭର କରୁଥିବା ଲୋକ ଏବଂ ବିଭିନ୍ନ ଚିନିକଳ ଓ ଅନୁସାରୀ ଶିଳ୍ପରେ କାମ କରୁଥିବା ପ୍ରାୟ 5 ଲକ୍ଷ ଶ୍ରମିକ ଉପକୃତ ହେବେ ବୋଲି ଆଶା କରାଯାଉଛି ।

 

**********



(Release ID: 1681303) Visitor Counter : 155