ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମ୍ୟାଲେରିଆ ରିପୋର୍ଟ 2020 ପ୍ରକାଶିତ
• ମ୍ୟାଲେରିଆ ବୋଝ ହ୍ରାସ କରିବାରେ ଭାରତର ଉଲ୍ଲେଖନୀୟ ସଫଳତା ଜାରି
• ରୋଗ ପ୍ରଭାବିତ ଏକମାତ୍ର ଦେଶ ଭାବେ ଭାରତରେ 2018 ତୁଳନାରେ 2019ରେ 17.6% ହ୍ରାସ
• ଅଧିକ ବିପତ୍ତି ଥିବା ରାଜ୍ୟ ମଧ୍ୟରୁ ଅନ୍ୟତମ ଓଡ଼ିଶାରେ ମ୍ୟାଲେରିଆ ମାମଲା 40.35 ହ୍ରାସ
• 2012 ପରଠାରୁ ଭାରତରେ ମ୍ୟାଲେରିଆର ବାର୍ଷିକ ପାରାସିଟିକ ଇନ୍ସିଡେନ୍ସ (ଏପିଆଇ) ଲଗାତାର 1ରୁ ତଳେ ରହିଛି
Posted On:
02 DEC 2020 11:25AM by PIB Bhubaneshwar
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ୱ ମ୍ୟାଲେରିଆ ରିପୋର୍ଟ 2020 ଜାରି କରାଯାଇଛି। ଗାଣିତ୍ୟିକ ଆକଳନ ଆଧାରରେ ସାରା ବିଶ୍ୱରେ ମ୍ୟାଲେରିଆ ମାମଲାକୁ ପ୍ରଦର୍ଶିତ କରୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତ ମ୍ୟାଲେରିଆ ମାମଲା ହ୍ରାସ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ମ୍ୟାଲେରିଆ ପ୍ରଭାବିତ ଏକମାତ୍ର ଦେଶ ଭାବେ ଭାରତ 2018 ତୁଳନାରେ 2019ରେ ଏହି ରୋଗ ମାମଲାରେ 17.6% ହ୍ରାସ କରିବାରେ ସଫଳ ହୋଇଛି । ଭାରତରେ ଆନୁଆଲ ପାରାସିଟି ଇନ୍ସିଡେନ୍ସ (ଏପିଆଇ) 2017 ତୁଳନାରେ 2018ରେ 27.6 ପ୍ରତିଶତ ଏବଂ 2019ରେ 2018 ତୁଳନାରେ 18.4 ପ୍ରତିଶତରେ ପହଞ୍ଚିଛି । ଭାରତ 2012 ପରଠାରୁ ଏପିଆଇ ହାରକୁ ଏକରୁ କମ ସ୍ତରରେ ବଜାୟ ରଖିପାରିଛି ।
ସେହିପରି କ୍ଷେତ୍ରୱାରୀ ମ୍ୟାଲେରିଆ ମାମଲା ହ୍ରାସ କ୍ଷେତ୍ରରେ ମଧ୍ୟ ଭାରତ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିଛି। ଏହା 20 ମିଲିୟନରୁ ହ୍ରାସ ପାଇ ପାଖାପାଖି 6 ମିଲିୟନରେ ପହଞ୍ଚିଛି। ବର୍ଷ 2000 ଠାରୁ 2019 ମଧ୍ୟରେ ମ୍ୟାଲେରିଆ ମାମଲାରେ 71.8 ପ୍ରତିଶତ ହ୍ରାସ ଏବଂ ମୃତ୍ୟୁ ମାମଲାରେ 73.9 ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି ।
ଭାରତର 31ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ (ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଛତିଶଗଡ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ଓଡିଶା, ପଞ୍ଜାବ, ରାଜସ୍ଥାନ, ତେଲଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ପୁଡୁଚେରୀ, ଚଣ୍ଡିଗଡ଼, ଡାମନ୍ ଆଣ୍ଡ ଡିୟୁ, ଦାଦ୍ରା ଓ ନଗର ହାଭେଳୀ ଏବଂ ଲାକ୍ଷାଦ୍ୱୀପ) ମ୍ୟାଲେରିଆ ମାମଲା ଦେଖିବାକୁ ମିଳିଥିଲା ଏବଂ ଏସବୁ ରାଜ୍ୟରେ ଉପଯୁକ୍ତ ପଦକ୍ଷେପ ଯୋଗୁ ମ୍ୟାଲେରିଆ ମାମଲାରେ ହ୍ରାସ ପରିଲକ୍ଷିତ ହୋଇଥିଲା। 2018 ତୁଳନାରେ 2019ରେ ଓଡ଼ିଶାରେ 40.35 ପ୍ରତିଶତ, ମେଘାଳୟରେ 59.10 ପ୍ରତିଶତ, ଝାଡ଼ଖଣ୍ଡରେ 34.96 ପ୍ରତିଶତ, ମଧ୍ୟପ୍ରଦେଶରେ 36.50 ପ୍ରତିଶତ ଏବଂ ଛତିଶଗଡ଼ରେ 23.20 ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଥିଲା ।
ଦେଶରେ ବର୍ଷ 2000 ରେ 20,31,790 ମ୍ୟାଲେରିଆ ମାମଲା ଦେଖିବାକୁ ମିଳିଥିବା ବେଳେ ଏଥିରେ 932 ଜଣ ମୃତ୍ୟୁବରଣ କରିଥିଲେ। 2019ରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା 3,38,494 ଏବଂ ମୃତ୍ୟୁ ସଂଖ୍ୟା 77କୁ ହ୍ରାସ ପାଇଥିଲା। ତେଣୁ 2000ରୁ 2019 ମଧ୍ୟରେ ଦେଶରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା 83.34 ପ୍ରତିଶତ ଏବଂ ମୃତ୍ୟୁ ସଂଖ୍ୟା 92 ପ୍ରତିଶତ ହ୍ରାସ ପାଇଛି। ଏହାଫଳରେ ଭାରତ ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟ (2000ରୁ 2019 ମଧ୍ୟରେ ମ୍ୟାଲେରିଆ ମାମଲାରେ 50-75% ହ୍ରାସ ଆଣିବା) ହାସଲ କରିପାରିଛି ।
ମ୍ୟାଲେରିଆ ମାମଲାରେ ପ୍ରତିବର୍ଷ ନିୟମିତ ହ୍ରାସ ଦେଖିବାକୁ ମିଳିଛି। ମ୍ୟାଲେରିଆ ଆକ୍ରାନ୍ତ ମାମଲା ଓ ସେଥିରୁ ହେଉଥିବା ମୃତ୍ୟୁ ସଂଖ୍ୟା 2018ରେ (4,29,928 ମାମଲା ଓ 96 ମୃତ୍ୟୁ) ତୁଳନାରେ 2019ରେ (3,38,494 ଆକ୍ରାନ୍ତ ଓ 77 ମୃତ୍ୟୁ) କ୍ରମାଗତ ହ୍ରାସ ପାଇ ଯଥାକ୍ରମେ 21.27 ପ୍ରତିଶତ ଏବଂ 20ପ୍ରତିଶତରେ ସୀମିତ ରହିଛି । 2020 ବର୍ଷର ଅକ୍ଟୋବର ମାସ ସୁଦ୍ଧା ମ୍ୟାଲେରିଆର ମୋଟ ମାମଲା 1,57,284 ଥିବା ରେକର୍ଡ କରାଯାଇଛି ଯାହାକି 2019ର ଏହି ଅବଧି ସୁଦ୍ଧା ଚିହ୍ନଟ କରାଯାଇଥିବା ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା 2,86,091 ତୁଳନାରେ 45.02 ପ୍ରତିଶତ ହ୍ରାସକୁ ଦର୍ଶାଉଛି ।
ଦେଶରେ ମ୍ୟାଲେରିଆ ଉନ୍ମୁଳନ ପ୍ରୟାସ 2015ରେ ଆରମ୍ଭ ହୋଇଥିଲା ଏବଂ 2016ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଫ୍ରେମୱର୍କ ଫର ମ୍ୟାଲେରିଆ ଏଲିମିନେସନ (ଏନଏଫଏମଇ) ଆରମ୍ଭ କରାଯାଇଥିଲା। ଏହାପରେ ଏହି କାର୍ଯ୍ୟକ୍ରମ ଅଧିକ ଦ୍ରୁତ ଗତିରେ ତ୍ୱରାନ୍ୱିତ ହୋଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇ 2017ରେ ମ୍ୟାଲେରିଆ ଉନ୍ମୁଳନ ନିମନ୍ତେ ଏକ ଜାତୀୟ ରଣନୀତି ଯୋଜନା (2017ରୁ 2022) ଆରମ୍ଭ କଲେ ଯେଉଁଥିରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କରାଗଲା ।
ପ୍ରଥମ ଦୁଇ ବର୍ଷରେ ମ୍ୟାଲେରିଆ ମାମଲା 27.7 ପ୍ରତିଶତ ଏବଂ ମୃତ୍ୟୁ ସଂଖ୍ୟା 49.5 ପ୍ରତିଶତ ହ୍ରାସ ପାଇଲା। 2015ରେ 11,69,261 ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ 385 ଜଣ ଏହି ରୋଗରେ ପ୍ରାଣ ହରାଇଥିଲେ। 2017ରେ 8,44,558 ଆକ୍ରାନ୍ତ ଏବଂ 194 ମୃତ୍ୟୁ ରେକର୍ଡ କରାଯାଇଥିଲା ।
2019ରେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମେଘାଳୟ ଓ ମଧ୍ୟପ୍ରଦେଶରେ ମୋଟ ମାମଲାର 45.47 ପ୍ରତିଶତ ମାମଲା (ସାରା ଭାରତରେ 3,38,494 ମାମଲା ମଧ୍ୟରୁ 1,53,909) ଚିହ୍ନଟ କରାଯାଇଥିଲା। ଏହାବ୍ୟତୀତ ସାରା ଭାରତରେ ଚିହ୍ନଟ ହୋଇଥିବା ଫେଲସିପେରମ ମ୍ୟାଲେରିଆ ମାମଲାର 70.54 ଅର୍ଥାତ 1,10,708ଟି ମାମଲା ଏହିସବୁ ରାଜ୍ୟରେ ଚିହ୍ନଟ କରାଯାଇଥିଲା । ଏହି ରାଜ୍ୟଗୁଡ଼ିକରେ ପ୍ରତ୍ୟେକ 77 ମଧ୍ୟରୁ 49 (63.64) ମୃତ୍ୟୁ ମଧ୍ୟ ରେକର୍ଡ କରାଯାଇଥିଲା ।
ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମାଇକ୍ରୋସ୍କୋପ, ଦ୍ରୁତ ନିଦାନ ଯୋଗାଣ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ତିଷ୍ଠି ରହୁଥିବା କୀଟନାଶକଯୁକ୍ତ ମଶାରୀ (ଏଲଏଲଆଇଏନ) ବିତରଣ କରିବା ନିମନ୍ତେ ବ୍ୟାପକ ପ୍ରୟାସ କରିଥିଲେ। ଯାହାଫଳରେ 7ଟି ପୂର୍ବୋତ୍ତର ରାଜ୍ୟ, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ଓଡ଼ିଶା ଭଳି ଅଧିକ ମ୍ୟାଲେରିଆ ପ୍ରବଣ ରାଜ୍ୟରେ ଏହି ରୋଗର ପ୍ରସାରକୁ ପର୍ଯ୍ୟାପ୍ତ ମାତ୍ରାରେ ହ୍ରାସ ରେକର୍ଡ କରାଯାଇଥିଲା। ଏସବୁ ରାଜ୍ୟରେ 2018-19ରେ ପାଖାପାଖି 5କୋଟି ମଶାରୀ ବିତରଣ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା 2.52 କୋଟି ମଶାରୀ ବିତରଣ କରାଯାଇସାରିଛି। ଏହାବ୍ୟତୀତ ଆହୁରି 2.52 କୋଟି ଅତିରିକ୍ତ ମଶାରୀ କିଣି ରଖାଯାଇଛି। ଏହି ଏଲଏଲଆଇଏନ ମଶାରୀ ସାରା ଦେଶରେ ବ୍ୟାପକ ମାତ୍ରାରେ ଉପଯୋଗ ହେବା ଫଳରେ ମ୍ୟାଲେରିଆ ମାମଲା ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅଧିକ ବିପତ୍ତି ଥିବା 11ଟି ଦେଶରେ ଉଚ୍ଚ ବିପଦ ଏବଂ ଉଚ୍ଚ ପ୍ରଭାବ (ଏଚବିଏଚଆଇ) ଯୋଜନା ଆରମ୍ଭ କରାଯାଇଛି । ଏଥିରେ ଭାରତ ମଧ୍ୟ ସାମିଲ ରହିଛି । ଏହି ଯୋଜନାକୁ ଚାରିଟି ରାଜ୍ୟ-ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଏହି ଚାରିଟି ରାଜ୍ୟରେ ଜୁଲାଇ 2019ରେ ଆରମ୍ଭ କରାଯାଇଥିଲା। ଏଥିରେ ପ୍ରଗତିର ମାନଦଣ୍ଡ “ଉଚ୍ଚ ବିପତ୍ତିରୁ ଉଚ୍ଚ ପ୍ରଭାବ” ପର୍ଯ୍ୟନ୍ତ ଯିବାକୁ ରଖାଯାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆରବିଏମର ଭାଗୀଦାରୀରେ ମ୍ୟାଲେରିଆ ଉନ୍ମୁଳନ ପ୍ରୟାସର ବ୍ୟାପକ ପ୍ରଭାବ ଭାରତରେ ଦେଖିବାକୁ ମିଳିଲା । ଯାହାଫଳରେ ବିଗତ 2 ବର୍ଷରେ ରୋଗ ମାମଲାରେ 18 ପ୍ରତିଶତ ଏବଂ ମୃତ୍ୟୁ ମାମଲାରେ 20 ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି ।
କେନ୍ଦ୍ର ସରକାର 2030 ସୁଦ୍ଧା ସମ୍ପୂର୍ଣ୍ଣ ମ୍ୟାଲେରିଆ ଉନ୍ମୁଳନ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ରଣନୈତିକ ପଦକ୍ଷେପ ସଫଳ ହେଉଥିବା କାରଣରୁ ଏହି ଲକ୍ଷ୍ୟ ହାସଲ ସମ୍ଭବ ବୋଲି ଆଶା କରାଯାଉଛି ।
*********
(Release ID: 1677835)
Visitor Counter : 364
Read this release in:
English
,
Marathi
,
Urdu
,
Hindi
,
Assamese
,
Manipuri
,
Bengali
,
Punjabi
,
Tamil
,
Telugu
,
Malayalam