ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

80ତମ ଅଖିଳ ଭାରତୀୟ ଅଧିଷ୍ଠାତା (ପ୍ରିଜାଇଡିଂ ଅଫିସର) ସମ୍ମିଳନୀର ଅନ୍ତିମ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

• ଆଇନର ଭାଷା ଲୋକଙ୍କ ପାଇଁ ସରଳ ଓ ବୋଧଗମ୍ୟ ହେବା ଉଚିତ: ପ୍ରଧାନମନ୍ତ୍ରୀ
• ଏକ ରାଷ୍ଟ୍ର ଏକ ନିର୍ବାଚନ ସଂପର୍କରେ ଆଲୋଚନା ହେବା ଆବଶ୍ୟକ: ପ୍ରଧାନମନ୍ତ୍ରୀ
• କେୱାଇସି-ନିଜ ସମ୍ବିଧାନକୁ ଜାଣନ୍ତୁ, ଏକ ବଡ଼ ସୁରକ୍ଷା ବ୍ୟବସ୍ଥା: ପ୍ରଧାନମନ୍ତ୍ରୀ

Posted On: 26 NOV 2020 2:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେୱଡିଆଠାରେ ଅନୁଷ୍ଠିତ 80ତମ ଅଖିଳ ଭାରତୀୟ ଅଧିଷ୍ଠାତା (ପ୍ରିଜାଇଡିଂ ଅଫିସର) ସମ୍ମିଳନୀର ଅନ୍ତିମ ଅଧିବେଶନରେ ଉଦ୍‌ବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉଦ୍‌ବୋଧନ ହେଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ ଆଜି ଦିନଟି ଗାନ୍ଧୀଜୀଙ୍କ ପ୍ରେରଣା ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅଙ୍ଗୀକାରକୁ ମନେ ପକାଇବାର ଦିନ । ସେହିଭଳି 2008 ଆଜିର ଦିବସରେ ମୁମ୍ବାଇରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି । ଏହି ଘଟଣାରେ ସହିଦ ହୋଇଥିବା ଆମ ନିରାପତ୍ତାବାହିନୀର ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ଭାରତ ଏକ ନୂଆ ଉପାୟରେ ଆତଙ୍କବାଦର ମୁକାବିଲା କରୁଛି ।

ଜରୁରୀକାଳୀନ ଅବସ୍ଥା ସଂପର୍କରେ ଉଲ୍ଲେଖକରି ଶ୍ରୀ ମୋଦୀ କହିଛନ୍ତି ଯେ 1970 ଦଶକରେ କ୍ଷମତାର ପୃଥକୀକରଣ (ସେପାରେସନ ପାୱାର) ଘେନି ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଥିଲା ତାହାର ମର୍ଯ୍ୟାଦା ଓ ଗରିମାକୁ ଭୁଲୁଣ୍ଠିତ କରିବା ପାଇଁ ଉଦ୍ୟମ ହୋଇଥିଲା । ଏହି କ୍ଷମତାର ପୃଥକୀକରଣ ବ୍ୟବସ୍ଥାଟି ଆମ ସମ୍ବିଧାନରେ ଉଲ୍ଲେଖ ଅଛି ଏବଂ ଏହାର ମର୍ଯ୍ୟାଦା ରକ୍ଷା ସର୍ବଦା ଗୁରୁତ୍ୱ ରଖେ । ଜରୁରୀ ପରିସ୍ଥିତି ପରେ ନିୟନ୍ତ୍ରଣ ଓ ଭାରସାମ୍ୟ ରକ୍ଷା (ଚେକ୍‌ ଏଣ୍ଡ ବାଲାନ୍ସ) ବ୍ୟବସ୍ଥା ଅଧିକ ମଜଭୁତ ହୋଇଛି ଏବଂ ସେହି ସମୟର ଘଟଣାରୁ ଶିକ୍ଷାଲାଭ କରି ବ୍ୟବସ୍ଥାର ୩ଟିଯାକ ଅଙ୍ଗ ବିଧାନପାଳିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ନିଜ ନିଜ ସୀମାସରହଦ ମଧ୍ୟରେ ରହି କାର୍ଯ୍ୟ କରୁଛନ୍ତି । ସରକାରଙ୍କ 3ଟି ଅଙ୍ଗ ଉପରେ 130 କୋଟି ଭାରତୀୟଙ୍କର ଥିବା ବିଶ୍ୱାସ ଯୋଗୁଁ ଏହା ସଫଳ ହୋଇଛି । ସମୟକ୍ରମେ ଲୋକଙ୍କର ଏହି ବିଶ୍ୱାସ ମଧ୍ୟ ଅଧିକ ମଜଭୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ଆମ ସମ୍ବିଧାନର ଶକ୍ତି ଓ ସାମର୍ଥ୍ୟ ଅସୁବିଧା ସମୟରେ ଆମକୁ ସାହାଯ୍ୟ କରିଛି । ଭାରତୀୟ ନିର୍ବାଚନ ବ୍ୟବସ୍ଥାର ସ୍ଥିତିସ୍ଥାପକତା ଏବଂ କରୋନା ମହାମାରୀ ପ୍ରତି ଲୋକଙ୍କ ପ୍ରତିକ୍ରିୟାରୁ ଏହା ପ୍ରମାଣିତ ହୋଇଛି । ନିକଟ ଅତୀତରେ ପାର୍ଲାମେଣ୍ଟରେ ସଭ୍ୟମାନଙ୍କର ଆଲୋଚନା ଓ ସମୟର ଯଥାର୍ଥ ଉପଯୋଗ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ସାଂସଦମାନଙ୍କୁ ପ୍ରଶଂସା କରିଛନ୍ତି । କରୋନା ବିରୋଧୀ ଲଢେଇରେ ସାମିଲ ହେବାପାଇଁ ପାର୍ଲାମେଣ୍ଟ ସଦସ୍ୟମାନେ ବେତନ ନ ନେଇ କାମ କରୁଥିବାରୁ ସେ ଏଥିରେ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଛନ୍ତି ।

ଦୀର୍ଘକାଳ ଧରି ପ୍ରକଳ୍ପ କାର୍ଯ୍ୟକୁ ପକାଇ ରଖିବା ନୀତି ଓ ଧାରାକୁ ନାପସନ୍ଦ କରି ଏଥିପ୍ରତି ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ସର୍ଦ୍ଦାର ସରୋବର ଏଭଳି ଏକ ପ୍ରକଳ୍ପ ଯାହାକୁ ଦୀର୍ଘକାଳ ଧରି ପକାଇ ରଖାଯାଇଥିଲା । ଏହା ଫଳରେ ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ରାଜସ୍ଥାନର ଲୋକଙ୍କୁ ଏହି ପ୍ରକଳ୍ପର ଲାଭ ପାଇବାକୁ ବହୁକାଳ ଅପେକ୍ଷା କରିବାକୁ ପଡିଥିଲା ।  ଶେଷରେ ଡ୍ୟାମ କାର୍ଯ୍ୟ ଯେତେବେଳେ ଶେଷ ହେଲା ଏହିସବୁ ରାଜ୍ୟର ଲୋକଙ୍କୁ ବିପୁଳ ଲାଭ ମିଳିଲା ।

ଶ୍ରୀ ମୋଦୀ କର୍ତ୍ତବ୍ୟର ଗୁରୁତ୍ୱ ସଂପର୍କରେ ବିଶେଷ ଜୋର୍‌ ଦେଇଛନ୍ତି । ସେ କହିଛନ୍ତି ଯେ କର୍ତ୍ତବ୍ୟ- ଅଧିକାର, ମର୍ଯ୍ୟାଦା ଓ ଆତ୍ମବିଶ୍ୱାସର ଏକ ସୂତ୍ରଭାବେ ବିବେଚିତ ହେବା ଉଚିତ । ଆମ ସମ୍ବିଧାନରେ ବିଭିନ୍ନ ବିଷୟ ରହିଛି । ତେବେ ଏଥିରେ କର୍ତ୍ତବ୍ୟକୁ ଯେଉଁ ଗୁରୁତ୍ୱ ପ୍ରଦାନ କରାଯାଇଛି ତାହା ଏକ ସ୍ୱତନ୍ତ୍ର ବିଶେଷତ୍ୱ । ମହାତ୍ମା ଗାନ୍ଧୀ ମଧ୍ୟ କର୍ତ୍ତବ୍ୟ ବିଷୟରେ ଅତ୍ୟନ୍ତ ସଚେତନ ଥିଲେ । ସେ ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ନିବିଡ ସଂପର୍କ ଦେଖୁଥିଲେ । ତାଙ୍କ ବିଚାରରେ ଥରେ ଆମେ ଆମର ଦାୟିତ୍ୱ ନିର୍ବାହ କରିଦେଲେ ଆପଣାଛାଏଁ ଆମ ଅଧିକାର ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ସମ୍ବିଧାନର ମୂଲ୍ୟବୋଧର ବାର୍ତ୍ତାକୁ ପ୍ରସାର କରିବାର ବିଶେଷ ଆବଶ୍ୟକତା ରହିଛି । କେୱାଇସି ବା ନୋ ଇୟୋର କଷ୍ଟୋମର ବ୍ୟବସ୍ଥା ଯେପରି ଡିଜିଟାଲ ନିରାପତ୍ତାର ଏକ ଅତି ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱ ; ସେହିଭଳି କେୱାଇସି ମଧ୍ୟ ନୋ ଇୟୋର କନଷ୍ଟିଚ୍ୟୁସନ (ନିଜ ସମ୍ବିଧାନକୁ ଜାଣ) ସେହିଭଳି ବିଶେଷ ମହତ୍ୱ ରଖେ । ଏହାଦ୍ୱାରା ସାମ୍ବିଧାନିକ ନିରାପତ୍ତା ସୁରକ୍ଷିତ ହୋଇପାରିବ । ସେ କହିଛନ୍ତି ଯେ ଆମ ଆଇନର ଭାଷା ଅତି ସରଳ ଏବଂ ସାଧାରଣ ଲୋକ ବୁଝିପାରିଲା ଭଳି ହେବା ଉଚିତ । ଏହାଦ୍ୱାରା ଲୋକେ ଆଇନ ସହିତ ସିଧାସଳଖ ସଂଯୁକ୍ତ ହେବାର ଭାବନା ଉପଲବ୍ଧି କରିବେ । ସେ ଆହୁରି କହିଛନ୍ତି ଯେ ପୁରୁଣାକାଳିଆ ଆଇନଗୁଡିକୁ ରଦ୍ଦ କରିବା ପ୍ରକ୍ରିୟା ସରଳ ହେବା ଉଚିତ । ପୁରୁଣାକାଳିଆ ଆଇନକୁ ଯେତେବେଳେ ଆମେ ସଂଶୋଧନ କରୁଛୁ ସେତେବେଳେ ଏସବୁ ପୁରୁଣା ଆଇନ ଆପଣାଛାଏଁ ରଦ୍ଦ ହୋଇଯିବାର ଏକ ସ୍ୱୟଂକ୍ରିୟ ବ୍ୟବସ୍ଥା ତିଆରି ହେବାର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟ ଏହି ଅବସରରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟବସ୍ଥା ସଂପର୍କରେ ଆଲୋଚନା ପାଇଁ ଆହ୍ୱାନ ଜଣାଇଛନ୍ତି । ଏକସଙ୍ଗରେ ଲୋକସଭା, ବିଧାନସଭା କିମ୍ବା ସ୍ଥାନୀୟ ପଞ୍ଚାୟତସ୍ତରରେ ନିର୍ବାଚନ କରାଇବା ସଂପର୍କରେ ବିଚାର ଆଲୋଚନା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ସାଧାରଣ ଭୋଟର ତାଲିକା ବ୍ୟବହାର କରାଯାଇପାରିବ । ବିଧାନସଭାଗୁଡିକରେ ଡିଜିଟାଲ ଇନୋଭେସନକୁ ଅଧିକ ଆଗ୍ରହର ସହିତ ପ୍ରବର୍ତ୍ତନ କରିବା ସପକ୍ଷରେ ମଧ୍ୟ ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଷ୍ଟୁଡେଣ୍ଟ ପାର୍ଲାମେଣ୍ଟର ଆୟୋଜନ ହେବା ଉଚିତ । ବାଚସ୍ପତି ବା ଗୃହର ଅଧ୍ୟକ୍ଷଙ୍କ ତତ୍ତ୍ୱାବଧାନରେ ଏସବୁ ପାର୍ଲାମେଣ୍ଟର ଆୟୋଜନ କରାଯିବା ଆବଶ୍ୟକ ।

 

**********



(Release ID: 1676158) Visitor Counter : 208