ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନିବେଶକଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା, ଭାରତର ସହରାଞ୍ଚଳ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଉତ୍ତମ ସୁଯୋଗ ରହିଛି

• ମାନସିକତା ଓ ରୀତିନୀତିରେ ପରିବର୍ତ୍ତନ ଚାହିଁବ କୋଭିଡ୍‌ ପରବର୍ତ୍ତୀ ବିଶ୍ୱ
• 100 ସ୍ମାର୍ଟ ସିଟି ପକ୍ଷରୁ 30 ବିଲିୟନ ଡଲାର ମୂଲ୍ୟର ପ୍ରକଳ୍ପ ପ୍ରସ୍ତୁତ
• ତୃତୀୟ ବାର୍ଷିକ ବ୍ଲୁମ୍‌ବର୍ଗ ନୂଆ ଆର୍ଥିକ ଫୋରମ୍‌ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

Posted On: 17 NOV 2020 8:06PM by PIB Bhubaneshwar

ଭାରତର ସହରାୟନ ପ୍ରକ୍ରିୟାରେ ପୁଞ୍ଜି ନିବେଶ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିବେଶକମାନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି । ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଜି ତୃତୀୟ ବାର୍ଷିକ ବ୍ଲୁମ୍‌ବର୍ଗ ନୂତନ ଆର୍ଥିକ ଫୋରମ୍‌ରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ‘ଆପଣମାନେ ଯଦି ସହରାୟନ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ, ତାହାହେଲେ ଭାରତରେ ସେଥିପାଇଁ ଉତ୍ତମ ଓ ଆକର୍ଷଣୀୟ ସୁଯୋଗ ସୁବିଧା ରହିଛି । ଆପଣ ଯଦି ମବିଲିଟି (ଗମନାମଗମନ) କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଚାହାଁନ୍ତି ସେଥିପାଇଁ ମଧ୍ୟ ଭାରତରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରହିଛି । ଆପଣ ଯଦି ଇନୋଭେସନ କ୍ଷେତ୍ରରେ ପୁଞ୍ଜି ଲଗାଇବାକୁ ଚାହାଁନ୍ତି, ସେଥିପାଇଁ ଭାରତରେ ଚମକ୍ରାର ସୁବିଧା ସୁଯୋଗ ଉପଲବ୍‌ଧ । ଆପଣ ଯଦି ସଷ୍ଟେନେବଲ ସଲୁସନ୍ସ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଚାହାନ୍ତି ସେଥିପାଇଁ ଭାରତରେ ଆକର୍ଷଣୀୟ ସୁବିଧା ସୁଯୋଗ ରହିଛି । ଏହି ସୁଯୋଗ ସହ ଭାରତରେ ଏକ ଦୃଢ ଓ ସ୍ଥିର ଗଣତାନ୍ତ୍ରିକ  ଶାସନ ବ୍ୟବସ୍ଥା କାର୍ଯ୍ୟ କରୁଛି । ଦେଶରେ ବ୍ୟବସାୟ ଅନୁକୂଳ ପରିବେଶ, ଏକ ବିରାଟ ବଜାର ଏବଂ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଏକ ଉତ୍ତରଦାୟୀ ସରକାର ମଧ୍ୟ ରହିଛି । ଭାରତକୁ ଏକ ବୈଶ୍ୱିକ ନିବେଶ ଲକ୍ଷ୍ୟସ୍ଥଳୀରେ ପରିଣତ କରିବା ପାଇଁ ସରକାର ସବୁମନ୍ତେ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ କୋଭିଡ୍‌ ପରବର୍ତ୍ତୀ ବିଶ୍ୱରେ ଏକ ପୁନରାମ୍ଭର ଆବଶ୍ୟକତା ପଡିବ । ତେଣୁ ସେଥିପାଇଁ ଆମକୁ ପୁନଃ ସଂଯୋଜିତ (ରିସେଟ୍‌) ହେବାକୁ ପଡିବ । ଏହି ପୁନଃ ସଂଯୋଜନା ବିନା ଏହି ପୁନରାମ୍ଭ ସମ୍ଭବ ହେବ ନାହିଁ । ଆମର ମାନସିକତାକୁ ବଦଳାଇ ପୁନଃ ସଂସ୍ଥାପିତ କରିବାକୁ ପଡିବ । ପ୍ରକି୍ରୟା ଏବଂ ଅଭ୍ୟାସକୁ  ପୁନଃସଂସ୍ଥାପିତ କରିବାକୁ ହେବ । ଏହି ମହାମାରୀ ଆମକୁ ପ୍ରତ୍ୟେକ କ୍ଷେତ୍ରରେ ନୂଆ ନୀତି ଓ ବ୍ୟବସ୍ଥା ବିକଶିତ କରିବାକୁ ସୁଯୋଗ ପ୍ରଦାନ କରିଛି । ଭବିଷ୍ୟତ ପାଇଁ ଏକ ସ୍ଥିତିସ୍ଥାପକ ବ୍ୟବସ୍ଥା ନିର୍ମାଣ କରିବାକୁ ଆମେ ଯଦି ଚାହୁଁ  ତାହାହେଲେ ଏହି ସୁଯୋଗକୁ ସମଗ୍ର ବିଶ୍ୱ କରାୟତ୍ତ କରିବା ଉଚିତ । କୋଭିଡ୍‌ ପରବର୍ତ୍ତୀ ବିଶ୍ୱ ଆବଶ୍ୟକତା ବିଷୟରେ ଆମକୁ ଭାବିବାକୁ ପଡିବ । ଆମ ସହରାଞ୍ଚଳ କେନ୍ଦ୍ର ବା ଅର୍ବାନ ସେଣ୍ଟରଗୁଡିକ ଏହି ନବଯୌବନ ପ୍ରାପ୍ତିର ଏକ ଉତ୍ତମ ପ୍ରାରମ୍ଭିକ ବିନ୍ଦୁ ହେବବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅର୍ବାନ ସେଣ୍ଟରର ନବକଳେବର ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହିସବୁ କେନ୍ଦ୍ରମାନ ଆମ ପୁନରୁଦ୍ଧାର ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ ପାଲଟିବ । ଜନତାଙ୍କୁ ସର୍ବବୃହତ୍‌ ସମ୍ବଳ ଏବଂ ସାମଜ ଓ ସଂପ୍ରଦାୟଙ୍କୁ ସର୍ବବୃହତ୍‌ ଅଟ୍ଟାଳିକାଭାବେ ଚିତ୍ରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏହି ମହାମାରୀ ଆଉଥରେ ପ୍ରମାଣିତ କରିଦେଇଛି ଯେ ସମାଜ ଓ ବ୍ୟବସାୟ କ୍ଷେତ୍ରରେ ଜନତା ହିଁ ସବୁଠୁ ବଡ଼ ସମ୍ବଳ । କୋଭିଡ୍‌ ପରବର୍ତ୍ତୀ ପୃଥିବୀକୁ ଗଢିବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ମୌଳିକ ସମ୍ବଳକୁ ବିଜ୍ଞତାର ସହ ଉପଯୋଗ କରିବାକୁ ପଡିବ ।ମହାମାରୀ ସମୟରେ ମିଳିଥିବା ଶିକ୍ଷାକୁ ପାଥେୟ କରି ଆଗକୁ ବଢିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଲକ୍‌ଡାଉନ ସମୟର ସ୍ୱଚ୍ଛ ପରିବେଶ ସଂପର୍କରେ ଉଲ୍ଲେଖ କରି ସେ କହିଛନ୍ତି, ଆମେ ଏମିତି ନଗରୀ ସବୁ ଗଢିପାରିବା କି? ଯେଉଁଠି ସ୍ୱଚ୍ଛ ପରିବେଶ ଏକ ନୀତିଭାବେ ପରିଗଣିତ ହେବ? ‘ଆମେ ଭାରତରେ ଅର୍ବାନ ସେଣ୍ଟରମାନ ନିର୍ମାଣ କରିବାକୁ ଚେଷ୍ଟା କରୁଛୁ । ସେଥିରେ ନଗରୀଗୁଡିକର ସମସ୍ତ ସୁଖସୁବିଧା ଏବଂ ଗ୍ରାମର ଚେତନା ରହିବବୋଲି ଶ୍ରୀ ମୋଦୀ କହିଛନ୍ତି ।

ଭାରତରେ ସହରାଞ୍ଚଳର ରୂପରେଖ ବଦଳାଇବା ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସେ ଫୋରମ୍‌କୁ ସୂଚନା ଦେଇଥିଲେ । ଭାରତରେ କାର୍ଯ୍ୟକାରୀ ହେଉଥିବା ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ୍‌ ଇଣ୍ଡିଆ, ସୁଲଭ ଆବାସ ଯୋଜନା, ରିୟଲ ଇଷ୍ଟେଟ ନିୟନ୍ତ୍ରଣ ଆଇନ ଏବଂ 27ଟି ନଗରୀର ମେଟ୍ରୋ ରେଳ ସଂପର୍କରେ ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ 2022 ସୁଦ୍ଧା ପାଖାପାଖି 1000 କିମି ମେଟ୍ରୋରେଳ ଟ୍ରାକ ଭାରତରେ ବିଛାଇବାକୁ ଥିବା ଆମର ଲକ୍ଷ୍ୟ ଅନୁସାରେ କାମ ଆଗେଇ ଚାଲିଛୁ ଏବଂ ଏଥିରେ ଆମେ ସଫଳ ହେବୁ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ‘ଆମେ ଦୁଇ ପର୍ଯ୍ୟାୟ ଭିତ୍ତିକ ପ୍ରକ୍ରିୟାରେ ଦେଶରେ 100ଟି ସ୍ମାର୍ଟସିଟି ବାଛିଛୁ । ଏହା ଏକ ରାଷ୍ଟ୍ରବ୍ୟାପୀ ପ୍ରତିଯୋଗିତା ମାଧ୍ୟମରେ କରାଯାଇଛି । ଏଥିରେ ସହଯୋଗଭିତ୍ତିକ ଓ ପ୍ରତିଯୋଗିତାମୂଳକ ସଂଘୀୟ ଦର୍ଶନ ପ୍ରତିଫଳିତ ହୋଇଛି । ଏହି ସବୁ ସ୍ମାର୍ଟସିଟି ପ୍ରାୟ 2 ଲକ୍ଷ କୋଟି ଟଙ୍କା ବା 30 ବିଲିୟନ ଡଲାର ମୂଲ୍ୟର ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି । ସେଥିମଧ୍ୟରୁ 1 ଲକ୍ଷ 40 ହଜାର କୋଟି ଟଙ୍କା ବା 20 ବିଲିୟନ ଡଲାର ମୂଲ୍ୟର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି କିମ୍ବା ଶେଷ ହେବାକୁ ଯାଉଛି ।

 

**********

 



(Release ID: 1673582) Visitor Counter : 212