ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜସ୍ଥାନର ଜୈସଲମେରଠାରେ ବାୟୁସେନା ବାହିନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

Posted On: 14 NOV 2020 7:30PM by PIB Bhubaneshwar

ସାଥୀଗଣ,

ଜୈସଲମେର ଏୟାରବେସକୁ କେତେ ଥର ଆସିବାକୁ ମୋତେ ଅବସର ତ ମିଳିଛି କିନ୍ତୁ କାର୍ଯ୍ୟକ୍ରମର ଶୃଙ୍ଖଳା ଏଭଳି ରହିଥାଏ ଯେ ନା କେତେବେଳେ ଏଠାରେ ମୁଁ ଅଟକି ରହିପାରିଛି, ନା କାହାକୁ ଭେଟିବାର ଅବସର ମୋତେ ମିଳିପାରିଛି । କିନ୍ତୁ ଆଜି ମୋର ସୌଭାଗ୍ୟ ଯେ ମୋତେ କେବଳ ଆପଣମାନଙ୍କ ସମସ୍ତଙ୍କ ଗହଣରେ ସମୟ ବିତାଇବାର ଏବଂ ଦୀପାବଳି ଉତ୍ସବ ପାଳନ କରିବାର ଅବସର ମିଳିଛି । ଏହି ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ, ଆପଣମାନଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଦୀପାବଳିର ବହୁତ ବହୁତ ଶୁଭକାମନା ।

ସାଥୀଗଣ,

ଦୀପାବଳି ଦିନ ଦୁଆରମୁହଁ କିମ୍ବା ଫାଟକ ସାମ୍ନାରେ ଶୁଭ ଲାଭ କିମ୍ବା ରିଦ୍ଧି ସିଦ୍ଧି ଭଳି ରଙ୍ଗୋଲି ଚିତ୍ର ଆଙ୍କିବାର ପରମ୍ପରା ରହିଛିଏହା ପଛରେ ଥିବା ଚିନ୍ତାଧାରା ଓ ମାନସିକତାଟି ହେଲା ଏହା ଯେ ଦୀପାବଳି ଅବସରରେ ଆମମାନଙ୍କ ଘରକୁ ସୁଖ ସମୃଦ୍ଧି ଆସୁ ବୋଲି ଆମେ ସଭିଏଁ କାମନା କରିଥାଉ । ଏବେ ଯେମିତି ଭାବେ ଘରର ଦରଜା ରହିଛି ସେମିତି ଆମ ରାଷ୍ଟ୍ରର ମଧ୍ୟ ସୀମା ରହିଛି ଏବଂ ଏହାକୁ ଏକପ୍ରକାର ଦରଜା କରିଲେ ଅତ୍ୟୁକ୍ତି ହେବନାହିଁ । ତେଣୁ ରାଷ୍ଟ୍ରର ମଧ୍ୟ ସମୃଦ୍ଧି ହେବା ଆବଶ୍ୟକ ଏବଂ ତାହା ଆପଣମାନଙ୍କ ଉପରେ ନ୍ୟସ୍ତ, ରାଷ୍ଟ୍ରର ଶୁଭ ଲାଭ ଆପଣମାନଙ୍କ ଉପରେ ନିର୍ଭର କରେ । ରାଷ୍ଟ୍ରର ରିଦ୍ଧି ସିଦ୍ଧି ଆପଣମାନଙ୍କ ଉପରେ ନିର୍ଭରଶୀଳ ଏବଂ ଆପଣମାନଙ୍କ ପରାକ୍ରମ ଉପରେ ଆଧାରିତ । ସେଇଥିପାଇଁ ଆଜି ଦେଶର ପ୍ରତ୍ୟେକ ଘରେ ଆପଣମାନଙ୍କର ଗୌରବଗାନ କରାଯାଇ ଆପଣମାନଙ୍କ ପାଇଁ ଦୀପ ଜଳାଇ ଲୋକମାନେ ନିଜ ନିଜ ଭାବନା ବ୍ୟକ୍ତ କରୁଛନ୍ତି । ଦୀପାବଳିର ଏହି ଦୀପ ଆପଣମାନଙ୍କ ପରାକ୍ରମର ରୋଶଣିକୁ ଅଧିକ ଉଜ୍ଜ୍ୱଳ  କରୁଛି । ଦୀପାବଳିର ଏହି ଦୀପ ଆପଣମାନଙ୍କ ସମ୍ମାନରେ ଭାରତର ପ୍ରତ୍ୟେକ କୋଣରେ, ପ୍ରତ୍ୟେକ ପରିବାରରେ ପ୍ରଜ୍ଜ୍ୱଳିତ ହେଉଛି । ମୁଁ ଏହି ଭାବନାର ସହିତ ଆଜି ଆପଣମାନଙ୍କ ଗହଣରେ ଉପସ୍ଥିତ ହୋଇଛି । ଆପଣମାନଙ୍କୁ, ଆପଣମାନଙ୍କ ଦେଶଭକ୍ତିକୁ, ଆପଣମାନଙ୍କ ଶୃଙ୍ଖଳାବୋଧକୁ, ଦେଶ ପାଇଁ ଜୀବନ ବଞ୍ଚିବା ଏବଂ ଜୀବନ ଉତ୍ସର୍ଗ କରିବା ପଣକୁ, ମୁଁ ଆଜି ନମସ୍କାର କରିବାକୁ ଆସିଛି ।

ସାଥୀଗଣ,

ଯଦି ଆଜି ଭାରତର ବୈଶ୍ୱିକ ପ୍ରଭାବକୁ ଦେଖିବା ତେବେ ଏହାର ଆର୍ଥିକ, ସାଂସ୍କୃତିକ ଏବଂ ସାମରିକ ସାମର୍ଥ୍ୟ ଆଡ଼େ ଚାହିଁବା, ପ୍ରତ୍ୟେକ ସ୍ତରରେ ଆମକୁ ମଜଭୁତି ହିଁ ଦୃଶ୍ୟ ହେବ । ଆଜି ବିଶ୍ୱବ୍ୟାପୀ ଭାରତୀୟ ମୂଳ ନାଗରିକଙ୍କ ଦବଦବା ବୃଦ୍ଧି ପାଇବାରେ ଲାଗିଛି । ଭାରତର ଯୁବ ଟ୍ୟାଲେଣ୍ଟର ମଧ୍ୟ ବିଶ୍ୱବ୍ୟାପୀ ସମ୍ମାନ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ଏବଂ ଯଦି ଆମେ ଦେଶ କଥା କହିବା ତେବେ ଏହାର ସୀମାର ଏହି କ୍ଷେତ୍ରରେ ତ ଏହି ତିନି କଥା ଆମକୁ ସହଜରେ ଦର୍ଶନ ମିଳିବ । ବିଗତ କିଛି ବର୍ଷ ମଧ୍ୟରେ ଯେମିତି ବେଗରେ ଏବଂ ମାତ୍ରାରେ ଆପଣମାନଙ୍କୁ ସଶକ୍ତ କରିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି ତାହା ଆମର ଆର୍ଥିକ ଶକ୍ତିକୁ ହିଁ ପ୍ରଦର୍ଶିତ କରୁଛି । ଆମଣମାନେ ସମସ୍ତେ ଭିନ୍ନ ଭିନ୍ନ ରାଜ୍ୟର ପରମ୍ପରା, ସେଠାକାର ବିବିଧତାକୁ ଆଣି ଏଠାରେ ଏକତ୍ରିତ କରିଛନ୍ତି । ବିଶ୍ୱର ସବୁଠାରୁ ବଡ଼ ସୈନ୍ୟ ଶକ୍ତିର ନିର୍ମାଣ କରିଛନ୍ତି । ଆମର ସେନାର ସାମର୍ଥ୍ୟ ଏଭଳି ଯେ ଯେତେବେଳେ କେହି ଆମ ଆଡ଼କୁ ବକ୍ର ଦୃଷ୍ଟିରେ ଚାହିଁବାର ଦୁଃସାହସ କରିଛନ୍ତି ତ ସେମାନଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ ଦେବାର ଶକ୍ତି ଆପଣମାନଙ୍କ ସମସ୍ତଙ୍କ ଠାରେ ନିହିତ ରହିଛି । ଏହା ସେଭଳି କଥା ଯେ ଭାରତର ସେନାଙ୍କୁ ବିଶ୍ୱ ଦୃଷ୍ଟିରେ ସବୁଠାରୁ ବିଶ୍ୱସନୀୟ କରି ଗଢ଼ିଛି ।  ଆଜି ଭାରତର ସଶସ୍ତ୍ର ସେନା ବିଶ୍ୱର ବଡ଼ ବଡ଼ ଦେଶଙ୍କ ସହିତ ସମୂହ ସମରାଭ୍ୟାସ କରୁଛି । ଆତଙ୍କବାଦ ବିରୋଧରେ ଆମର ରଣନୀତିକ ବୁଝାମଣା କରାଯାଉଛି । ଭାରତୀୟ ସେନା ସାରା ବିଶ୍ୱକୁ ଦେଖାଇ ଦେଇଛନ୍ତିଯେ ସେମାନେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରେ ସୁଦ୍ଧା ଆକ୍ରମଣ କରିବାକୁ ସକ୍ଷମ । ଏହା ସେହି ସୈନ୍ୟବଳ ଯେଉଁମାନେ ବିଶ୍ୱର ପ୍ରତ୍ୟେକ କୋଣରେ ଶାନ୍ତିସେନା ଭାବେ ଅଭିଯାନରେ ଯାଇ ଶାନ୍ତି ରକ୍ଷା କରିବା ସହ ଉପଦ୍ରୁତ ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରିଛନ୍ତି । ଭାରତୀୟ ସେନାର ଯେଉଁଠି ଶତ୍ରୁପକ୍ଷଙ୍କ ଛାତି ଥରାଇ ଦେବାଭଳି ସାମର୍ଥ୍ୟ ରହିଛି ସେଇଠି ସେମାନେ ଯେକୌଣସି ଆପଦପୂର୍ଣ୍ଣ ସ୍ଥାନରେ ଦୀପ ଭଳି ନିଜେ ପ୍ରଜ୍ଜ୍ୱଳିତ ହୋଇ ଅନ୍ୟମାନଙ୍କ ଜୀବନରେ ଆଲୋକ ଭରି ଦେଇପାରୁଛନ୍ତି ।

ସାଥୀଗଣ,

କରୋନାରେ ପ୍ରଭାବିତ ନିଜର ନାଗରିକମାନଙ୍କୁ ବିଦେଶରୁ ସୁରକ୍ଷିତ ଭାବେ ଫେରାଇ ଆଣିବା ନିମନ୍ତେ ବାୟୁସେନା ଏବଂ ଆମର ନୌସେନାର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ରହିଛି । କରୋନା ସଂକମଣ କାଳରେ ଯେତେବେଳେ ଉହାନ ଯିବାଭଳି ଚାଲେଞ୍ଜ ଥିଲା ଏବଂ ସେଠାକାର ଭୟାନକତାର ସେତେବେଳେ ତ ଅୟମାରମ୍ଭ ମାତ୍ର ଥିଲା ଏବଂ ଉହାନ ନଗରୀରେ ଯେଉଁଠି ଯେଉଁଠି ଆମର ଭାରତୀୟ ନାଗରିକମାନେ ଫସି ରହିଥିଲେ ସେମାନଙ୍କ ସେଠାରୁ ଉଦ୍ଧାର କରିବା ବେଶ୍‌ କଷ୍ଟସାଧ୍ୟ ଥିଲା । ସେତେବେଳେ ଆମର ବାୟୁସେନାର କର୍ମଚାରୀ ଓ ଅଧିକାରୀ ସର୍ବାଗ୍ରେ ଥିଲେ । କିଛି ଏଭଳି ଦେଶ ମଧ୍ୟ ଥିଲେ ଯେଉଁମାନେ ସେମାନଙ୍କ ନିଜ ଦେଶର ନାଗରିକମାନଙ୍କୁ ସେମାନଙ୍କ ଭାଗ୍ୟ ଉପରେ ଛାଡ଼ି ଦେଇଥିଲେ । କିନ୍ତୁ ଭାରତ କେବଳ ନିଜର ପ୍ରତ୍ୟେକ ନାଗରିକଙ୍କୁ ସେଠାରୁ ଉଦ୍ଧାର କରିନଥିଲା ବରଂ ଆହୁରି କେତେକ ରାଷ୍ଟ୍ରର ନାଗରିକଙ୍କୁ ମଧ୍ୟ ଆମର ଏୟାରଫୋର୍ସର ଯବାନମାନେ ସହାୟତା ଯୋଗାଇ ଦେଇଥିଲେ । ଅପରେସନ୍‌ ସମୁଦ୍ରସେତୁ ମାଧ୍ୟମରେ ମଧ୍ୟ ବିଦେଶରୁ ହଜାର ହଜାର ଲୋକଙ୍କ ଆମର ନୌସେନା ଦ୍ୱାରା ସୁରକ୍ଷିତ ଭାବେ ଭାରତ ଫେରାଇ ଅଣାଯାଇ ପାରିଥିଲା । କେବଳ ଗୋଟିଏ ଦେଶରୁ ନୁହେଁ, ବରଂ ମାଳଦ୍ୱୀପ, ମରିସସ୍‌, ଆଫଗାନିସ୍ତାନ ଠାରୁ ଆରମ୍ଭ କରି କୁଏତ, କଙ୍ଗୋ ଏବଂ ଦକ୍ଷିଣ ସୁଦାନ ସହିତ ଅନେକ ମିତ୍ର ରାଷ୍ଟ୍ରକୁ ମଧ୍ୟ ସହାୟତା ଆମର ବାୟୁସେନା ଜରିଆରେ ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟରେ ମଧ୍ୟ ଆମର ବାୟୁସେନା ସର୍ବାଗ୍ରେ ଥିଲେ । ବାୟୁସେନାର ସହଯୋଗ ଦ୍ୱାରା ହିଁ ସଂକଟର ଏଭଳି ଘଡ଼ିରେ ଶହ ଶହ ଟନ୍‌ ରିଲିଫ ସାମଗ୍ରୀ ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ପହଞ୍ଚା ଯାଇପାରିଥିଲା ।

ସାଥୀଗଣ,

କରୋନା ମହାମାରୀ କାଳରେ ଆପଣମାନଙ୍କର ସମସ୍ତଙ୍କର ଏହି ପ୍ରୟାସର ଢ଼େର୍‌ ଚର୍ଚ୍ଚା ତ ହୋଇ ପାରିଲାନାହିଁ ଏବଂ ସେଥିପାଇଁ ମୁଁ ଆଜି ବିଶେଷ ଭାବେ ଦେଶର ଧ୍ୟାନ ଏହି ଦିଗକୁ ଆକର୍ଷିତ କରୁଛି । ଡିଆରଡିଓ ହୋଇଥାଉ, ଆମର ତିନି ବାହିନୀ ହୋଇଥାଉ, ବିଏସଏଫ ସହିତ ଆମର ସମସ୍ତ ପାରାମିଲିଟାରୀ ଫୋର୍ସ କୋଭିଡ଼ ସହିତ ଜଡ଼ିତ ଉପକରଣଠାରୁ ନେଇ କ୍ୱାରେଣ୍ଟାଇନ୍‌ ଏବଂ ଉପଚାର ପର୍ଯ୍ୟନ୍ତ ଯେଉଁଭଳି ଭାବେ ଯୁଦ୍ଧକାଳୀନ ସ୍ତରରେ କାର୍ଯ୍ୟ କରିଥିଲେ, ତାହା ଅଭୂତପୂର୍ବ । ଯେତେବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ସାନିଟାଇଜର ଏବଂ ଫେସ୍‌ ମାସ୍କକୁ ନେଇ ପିପିଇ ପର୍ଯ୍ୟନ୍ତ  ଯୋଗାଡ଼ କରିବା ଏକ ଚାଲେଞ୍ଜ ଥିଲା ସେତେବେଳେ ଦେଶର ଏହି ଆବଶ୍ୟକତାକୁ ପୂରଣ କରିବାର ଦାୟିତ୍ୱ ଆପଣମାନେ ସମସ୍ତେ ଉଠାଇଥିଲେ । ପ୍ରୋଟେକ୍ସନ କିଟ୍‌ ହୋଇଥାଉ, ଭେଣ୍ଟିଲେଟର ହୋଇଥାଉ, ମେଡ଼ିକାଲ ଅକ୍ସିଜେନ ସହିତ ସଂଶ୍ଳିଷ୍ଟ ସୁବିଧାସୁଯୋଗ ହୋଇଥାଉ, ହସପିଟାଲ ହେଉ, ପ୍ରତ୍ୟେକ ସ୍ତରରେ ଆପଣମାନେ ସମସ୍ତେ ନିଜ ନିଜର ବିଶେଷ ଯୋଗଦାନ ପ୍ରଦର୍ଶନ କରିଛନ୍ତି । କେବଳ ସେତିକି ନୁହେଁ ଯେତେବେଳେ ଦେଶର ଅନେଭ ଭାଗରେ ଭୀଷଣ ଚକ୍ରବାତୀ ତୋଫାନ ଆସିଛି ସେତେବେଳେ ମଧ୍ୟ ଆପଣମାନେ ଏଭଳି ସଂକଟ ସମୟରେ ସଂକଟ ଭିତରେ ଫସି ରହିଥିବା ନାଗରିକମାନଙ୍କୁ ସାହାଯ୍ୟ କରିବା ସକାଶେ ଅଗ୍ରସର ହୋଇଛନ୍ତି, ସେମାନଙ୍କର ସାହାରା ବନିଛନ୍ତି । ଆପଣମାନଙ୍କ ତ୍ୟାଗ ଏବଂ ତପସ୍ୟାରେ ଝଲସୁଥିବା ଆପଣମାନଙ୍କ ଜୀବନରୁ ପ୍ରେରଣା ନେଇ ଆଜି ପ୍ରତ୍ୟେକ ନାଗରିକ ଦୀପାବଳିର ଦୀପରେ ଚତୁର୍ଦ୍ଦିଗ ଆଲୋକିତ କରୁଛନ୍ତିଏବଂ ଦୀପାବଳିର ଦୀପର ଆଲୋକରେ ଆପଣମାନଙ୍କ ଗୌରବଗାନ କରୁଛନ୍ତି ।

ସାଥୀଗଣ,

ଆପଣମାନେ ସଭିଏଁ ମିଳିମିଲି ଏକଥା ମଧ୍ୟ ସୁନିଶ୍ଚିତ କରିଛନ୍ତି ଯେ କରୋନା ସଂକ୍ରମଣ ଆମର ଅପରେସନାଲ ୟୁନିଟମାନଙ୍କୁ କୌଣସି ପ୍ରକାରେ ସୁଦ୍ଧା ଯେଭଳି ପ୍ରଭାବିତ ନକରି ପାରେ । ସ୍ଥଳସେନା ହେଉ, ନୌସେନା ହେଉ, ବାୟୁ ସେନା ହେଉ, କେହି ହେଲେ ନିଜର ପ୍ରସ୍ତୁତିକୁ କରୋନା କାରଣରୁ ରୋକି ନାହାନ୍ତି, ଥମିବାକୁ ଦେଇନାହାନ୍ତି । କରୋନା କାଳରେ ଏଠାରେ ଜୈସଲମେରରେ ଏବଂ ଆମର ସମୁଦ୍ରରେ ମଧ୍ୟ ସମରାଭ୍ୟାସ ନିରନ୍ତର ଜାରି ରହିଛି । ଏଭଳି ସମୟରେ ଯେତେବେଳେ ବିଶ୍ୱର ଅନେକ ରାଷ୍ଟ୍ରରେ ପ୍ରାୟ ସମସ୍ତ କାର୍ଯ୍ୟ ଅଟକି ଯାଇଛି ସେଭଳି ସମୟରେ ଏଭଳି ବେଗରେ ଅଗକୁ ଅଗ୍ରସର ହେବା କିଛି ସହଜ କଥା ନୁହେଁ । କିନ୍ତୁ ଆପଣମାନେ ଏକଥା ସୁଦ୍ଧା କରି ଦେଖାଇଛନ୍ତି । କରୋନ କାଳରେ ହିଁ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀର ଡେଲିଭରୀ ଏବଂ ଇଣ୍ଡକସନ୍‌ ଉଭୟ କ୍ଷିପ୍ର ଗତିରେ ଜାରି ରହିଛି । ଏହା ସେହି ସମୟ ଥିଲା ଯେତେବେଳେ ୮ଟି ଅତ୍ୟାଧୁନିକ ରାଫେଲ ବିମାନ ଦେଶର ସୁରକ୍ଷା କବଚର ଅଂଶ ବନିଥିଲା । ଏହି କରୋନା କାଳରେ ତେଜସ୍‌ ସ୍କ୍ୱାଡ଼୍ରନ୍‌ ଅପରେସନାଲାଇଜ ହୋଇଛି । ଆପାଚ ଏବଂ  ଚିନୁକ ହେଲିକପ୍ଟରର ସଂପୂର୍ଣ୍ଣ ଶକ୍ତି ମଧ୍ୟ ଏହି ସମୟରେ ଆମକୁ ମିଳିପାରିଛି । ଭାରତରେ ହିଁ ପ୍ରସ୍ତୁତ 2ଟି ଅତ୍ୟାଧୁନିକ ବୁଡ଼ାଜାହାଜ ମଧ୍ୟ କରୋନା କାଳରେ ନୌସେନାକୁ ପ୍ରାପ୍ତ ହୋଇଛି ।

ସାଥୀଗଣ,

କରୋନା କାଳରେ ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବାର ପ୍ରୟାସ କରୁଥିବା ବୈଜ୍ଞାନିକମାନଙ୍କ ସହିତ କ୍ଷେପଣାସ୍ତ୍ର ନିର୍ମାଣ କରୁଥିବା ଆମର ବୈଜ୍ଞାନିକମାନେ ମଧ୍ୟ ଦେଶର ସୁରକ୍ଷା ପାଇଁ ଧ୍ୟାନ କେନ୍ଦ୍ରୀତ କରିଛନ୍ତି । ଏହି ସମୟରେ ନିରନ୍ତର ଖବର ଆସି ଚାଲିଥିଲା ଯେ ଆଜି ଏ ପ୍ରକାର କ୍ଷେପଣାସ୍ତ୍ର ପରୀକ୍ଷା କରାଗଲା । ଆଜି ସେ ପ୍ରକାର କ୍ଷେପଣାସ୍ତ୍ରର ଆଧୁନିକ ପ୍ରଯୁକ୍ତିର ବିକାଶ ଘଟାଗଲା । ଆପଣମାନେ କଳ୍ପନା କରନ୍ତୁ ଯେ ବିଗତ କିଛି ମାସ ମଧ୍ୟରେ ହିଁଦେଶର ସାମରିକ ସାମର୍ଥ୍ୟ କେତେ ଅଧିକ ବୃଦ୍ଧି ପାଇଛି । ବିଗତ ଦୁଇ ମାସ ଭିତରେ ଦେଶରେ ଅନେକ ପ୍ରକାର କ୍ଷେପଣାସ୍ତ୍ରର ସଫଳତାପୂର୍ବକ ପରୀକ୍ଷା କରାଯାଇଛି । ଏକ ସେକେଣ୍ଡରେ ଦୁଇ କିଲୋମିଟର ଦୂରତା ଅତିକ୍ରମ କରିବା କ୍ଷମତା ଥିବା ହାଇପରସୋନିକ୍‌ ଡେମୋନଷ୍ଟ୍ରେଟର ହ୍ୱିକଲର ସଫଳ ପରୀକ୍ଷଣ କରି ଭାରତ ବିଶ୍ୱର ତିନି ଚାରୋଟି ରାଷ୍ଟ୍ରଙ୍କ ତାଲିକାରେ ନିଜକୁ ଠିଆ କରାଇପାରିଛି । ଭାରତ ଏହି ତାଲିକାରେ ସାମିଲ ହେବା ଏକ ବିରାଟ ଉପଲବ୍ଧô ଜଳ ହେଉ, ସ୍ଥଳ ହେଉ ଅବା ଆକାଶ, ପ୍ରତ୍ୟେକ ସ୍ଥାନରେ ଲକ୍ଷ୍ୟଭେଦ କରିବା ଏବଂ ଦୀର୍ଘ ଏବଂ ସ୍ୱଳ୍ପ ଦୂରଗାମୀ ଅନେକ କ୍ଷେପଣାସ୍ତ୍ର ବିଗତ ଦିନରେ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଅତି ଉଚ୍ଚରେ ପହଞ୍ଚାଇପାରିଛି । ମହାକାଶରୁ ମଧ୍ୟ ଭାରତର ସୁରକ୍ଷା ବ୍ୟବସ୍ଥା ମଜଭୁତ ହୋଇପାରିଛି । ସେଠାରେ ମଧ୍ୟ ଭାରତ ଅଭେଦ୍ୟ ଦ୍ୱାରା ଠିଆକରାଇ ପାରିଛି । ଏଭଳି କରୋନ କାଳରେ ଆମର ବୈଜ୍ଞାନିକମାନେ ଭାରତର ଫାୟାର ପାୱାର ପ୍ରସଙ୍ଗରେ ବିଶ୍ୱର ଶ୍ରେଷ୍ଠ ଶକ୍ତି ଭାବେ ନିଜକୁ ପ୍ରମାଣସିଦ୍ଧ କରିପାରିଛନ୍ତି ଏବଂ ସେହି ତାଲିକାରେ ନିଜକୁ ସାମିଲ କରିଛନ୍ତି ।

ସାଥୀଗଣ,

ଆଧୁନିକ ଯୁଦ୍ଧ ସାଜସଜ୍ଜା ସାମଗ୍ରୀ ସହିତ ଦେଶର ସୀମାରେ ମଧ୍ୟ ଅତ୍ୟାଧୁନିକ କନେକ୍ଟିଭିଟି ବାଲା ମେଗା ଇନଫ୍ରାଷ୍ଟ୍ରକଚର୍‌ ପ୍ରକଳ୍ପ ଏହି ସମୟରେ ସଂପୂର୍ଣ୍ଣ କରାଯାଇଛି । ଆଜି ଅଟଳ ଟନେଲ ଦ୍ୱାରା ଲଦାଖ ସହିତ ସଂଯୋଗୀକରଣରେ ବହୁତ ବଡ଼ ସଫଳତା ହାସଲ କରାଯାଇପାରିଛି । ଏହା ସଂଯୋଗର ଏକ ବଡ଼ ମାଧ୍ୟମ ପାଲଟିଛି । ଆମର ଉତ୍ତର ଏବଂ ପଶ୍ଚିମ ସୀମାନ୍ତରେ ଡଜନ ଡଜନ ପୋଲ ଏବଂ ଲମ୍ବା ଲମ୍ବା ସଡ଼କ ମଧ୍ୟ ଏହି ସମୟରେ ସଂପୂର୍ଣ୍ଣ ରୂପେ ନିର୍ମିତ ଏବଂ କାର୍ଯ୍ୟକ୍ଷମ ହୋଇପାରିଛି । ଯେତେବେଳେ ପୁରା ଦୁନିଆରେ କରୋନା ହୃତକମ୍ପ ସୃଷ୍ଟି କରିଛି, ପ୍ରତ୍ୟେକ ଲୋକ ନିଜ ଜୀବନ ରକ୍ଷା ପାଇଁ ଚିନ୍ତତ ରହିଛନ୍ତି ସେଭଳି ପରିସ୍ଥିତିରେ ଦେଶର ସୁରକ୍ଷା ପାଇଁ ନିରନ୍ତର ସମର୍ପିତ ରହିଥିବା ଆପଣମାନେ ବାସ୍ତବିକ ଧନ୍ୟବାଦର ପାତ୍ର । ଯେଉଁଠି ରହି ଆପଣମାନେ ନିଜର କର୍ତ୍ତବ୍ୟ ସଂପାଦନ କରନ୍ତୁ ନା କାହିଁକି ଦେଶର ପ୍ରତ୍ୟେକ ନାଗରିକଙ୍କ ହୃଦୟ ଆପଣମାନେ ଜିଣି ପାରିଛନ୍ତି ।

ସାଥୀଗଣ,

ଆପଣମାନଙ୍କର ସମସ୍ତଙ୍କର ଏହି ପ୍ରତିବଦ୍ଧତା ରହିଛି ଯେ ଦେଶକୁ ସୁରକ୍ଷିତ ରଖିବା, ଦେଶର ସୁରକ୍ଷା ବ୍ୟବସ୍ଥା କିଭଳି ମଜଭୁତ ହୋଇପାରିବ ତାହା ସୁନିଶ୍ଚିତ କରିବା । ଆଜି ଦେଶରେ ଗୋଟିଏ ପଟେ ଯେତେବେଳେ ଆଧୁନିକ ପ୍ରଯୁକ୍ତି, ଆଧୁନିକ ସାଜ ସାମଗ୍ରୀ ଉପରେ ଗୁରୁତ୍ୱ ଆରୋପ କରାଯାଉଛି ସେତିକିବେଳେ ପ୍ରତିରକ୍ଷା ସଂସ୍କାର ଉପରେ ମଧ୍ୟ ସେତିକି ଗମ୍ଭୀରତାର ସହିତ କାର୍ଯ୍ୟ କରାଯାଉଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ କରିବା ପଛରେ ଥିବା ଲକ୍ଷ୍ୟଟି ହେଲା ଏଇଆ ଯେ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ପ୍ରଯୁକ୍ତି ପାଇଁ ବିଦେଶୀ ରାଷ୍ଟ୍ରଙ୍କ ଉପରେ ନିଭରଶୀଳ ହେବାକୁ ପଡ଼ିବନାହିଁ । ଏଭଳି ନିର୍ଭରଶୀଳତା କମିବ । ଏହାକୁ ଦୃଷ୍ଟିରେ ରଖି ଆମର ତିନି ବାହିନୀ ମିଳିତ ଭାବେ ଏକ ପ୍ରଶଂସନୀୟ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସେମାନେ ଏହା ନିଷ୍ପତ୍ତି କରିଛନ୍ତି ଯେ ଏବେ ସୁରକ୍ଷା ସହିତ ସଂଶ୍ଳିଷ୍ଟ 100ରୁ ଅଧିକ ପରିଧାନ ସାମଗ୍ରୀକୁ ଏବେ ଆଉ ବିଦେଶରୁ ଆମଦାନି କରାଯିବ ନାହିଁ । ସେସବୁ ଦେଶରେ ହିଁ ଉତ୍ପାଦନ କରାଯିବ କିମ୍ବା ଉତ୍ପାଦିତ ହେଉଥିବା ସାମଗ୍ରୀକୁ ଅଧିକ ଗୁଣାତ୍ମକ କରାଯିବ ଏବଂ ସେସବୁକୁ ଦେଶ ଭିତରୁ ହିଁ ଆହରଣ କରାଯିବ । ଏକଥା ମଧ୍ୟ ପ୍ରୟାସ କରାଯାଉଛି ଯେ ଏପର୍ଯ୍ୟନ୍ତ ଯେଉଁ ସାମଗ୍ରୀ ଆମଦାନୀ କରାଯାଉଥିଲା ସସବୁ ମଧ୍ୟ ଦେଶ ଭିତରେ ଉତ୍ପାଦନ କରାଯିବ । ଆମର ସେନାବାହିନୀର ଇଚ୍ଛାଶକ୍ତି ଦେଶର ଅନ୍ୟ ଲୋକମାନଙ୍କୁ ମଧ୍ୟ ଭୋକାଲ୍‌ ଫରର ଲୋକାଲ ହେବା ପାଇଁ ପ୍ରେରଣା ଯୋଗାଉଛି ।

ସାଥୀଗଣ,

ଭାରତରେ ଅସ୍ତ୍ରଶସ୍ତ୍ର ନିର୍ମାଣ ଯେଭଳି ଅଧିକରୁ ଅଧିକ କମ୍ପାନୀ କରିପାରିବେ ଏବଂ ସେମାନେ ଭାରତକୁ ଆସିବେ ସେଥିପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଏଫଡ଼ିଆଇର ସୀମାକୁ ବଢ଼ାଇ 74 ପ୍ରତିଶତ କରିଦିଆଯାଇଛି । ଭାରତକୁ ଯେଉଁ କମ୍ପାନୀମାନେ ଆସିବାକୁ ଆଗ୍ରହ ପ୍ରକଟ କରିବେ ସେମାନଙ୍କ ପାଇଁ ସକଳ ପ୍ରକାର ଉତ୍ତମ ସୁବିଧାସୁଯୋଗ ଉପଲବ୍ଧ କରିବା ନିମନ୍ତେ ଉତ୍ତର ପ୍ରଦେଶ ଏବଂ ତାମିଲ ନାଡ଼ୁରେ ଦୁଇଟି ବଡ଼ ବଡ଼ ଡିଫେନ୍ସ କରିଡ଼ୋର ନିର୍ମାଣ ଉପରେ ଦ୍ରୁତ ଗତିରେ କାର୍ଯ୍ୟ ଜାରି ରହିଛି ।

ସାଥୀଗଣ,    

ସେନା ଆଧୁନିକୀକରଣ ଏବଂ ସେନାବାହିନୀର ସାଜ ସାମଗ୍ରୀ କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ସବୁଠାରୁ ବଡ଼ ପ୍ରତିବନ୍ଧକଟି ହେଉଛି ପୁରୁଣା ସମୟର ପ୍ରକ୍ରିୟା ଏଠାରେ ପ୍ରଚଳିତ ରହିଛି । ଏହି ପ୍ରକ୍ରିୟାକୁ ସରଳୀକରଣ କରିବା ନିମନ୍ତେ ଲଗାତାର କାର୍ଯ୍ୟ ଜାରି ରହିଛି । ନିକଟରେ କିଛି ଆହୁରି ବଡ଼ ବଡ଼ ସୁଧାର ଅଣାଯାଇଛି । ପୂର୍ବରୁ  ଟ୍ରାଏଲ ଆଣ୍ଡ ଏରର ପ୍ରକ୍ରିୟା ବେଶ୍‌ ଜଟିଳ ଥିଲା । ସେଥିରେ ସମୟ ମଧ୍ୟ ଅଧିକ ଲାଗୁଥିଲା । ଏହା ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଉପକରଣର ଇଣ୍ଡକସନ କରିବା ନିମନ୍ତେ ଢ଼େର୍‌ ବିଳମ୍ବ ଘଟୁଥିଲା । ଏବେ ସେହି ପ୍ରକ୍ରିୟାକୁ ଅଧିକ ସରଳ କରାଯାଇଛି । ଆମର ତିନି ସେନାଙ୍କ ମଧ୍ୟରେ ସମନ୍ୱୟ ଆହୁରି ବଢ଼ିବା, ତ୍ୱରିତ ନିଷ୍ପତ୍ତି ଗ୍ରହଣ କରାଯିବା ନିମନ୍ତେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍‌ଟାଫ୍ର ବ୍ୟବସ୍ଥା ଆଜି ସମସ୍ତଙ୍କ ସାମ୍ନାରେ ରହିଛି । ଏତେ କମ୍‌ ସମୟ ଭିତରେ ଦେଶ ଏତେ ସବୁ ନୂତନ ବ୍ୟବସ୍ଥାର ମହତ୍ତ୍ୱ ଅନୁଭବ କରିପାରିଛି । ଏତେ କମ୍‌ ସମୟ ଭିତରେ ଏଭଳି ନୂତନ ବ୍ୟବସ୍ଥା ଦ୍ୱାରା ଆମର ପ୍ରତିରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇଛି, ଆମର ସେନା, ବାୟୁସେନା, ନୌସେନାଙ୍କ ପ୍ରତିବଦ୍ଧତା କାରଣରୁ ଏହା ସମ୍ଭବପର ହୋଇପାରିଛି । ଏବଂ ସେଥିପାଇଁ ଆମର ତିନି ବାହିନୀ ଅଭିନନ୍ଦନର ଅଧିକାରୀ । ଆମର ସେନାବଳର ସାମୂହିକ ସଂକଳ୍ପ ଦ୍ୱାରା ସିଡ଼ିଏସର ସଫଳତା ପ୍ରସ୍ତୁତ ହୋଇପାରିଛି ।

ସାଥୀଗଣ,

ଆପଣମାନଙ୍କ ଠାରୁ ଏକଥା ଆଉ ଅଧିକ କିଏ ଜାଣିଛି ଯେ ସୀମା କ୍ଷେତ୍ରରେ କେତେ ପ୍ରକାର ଚାଲେଞ୍ଜ ସୃଷ୍ଟି ହୋଇଥାଏ । ଏଠାରେ ଆପଣମାନେ କେତେ ମୁସ୍କିଲର ସାମ୍ନା କରିଥାନ୍ତି । ସେହିସବୁ ମୁସ୍କିଲର ସମାଧାନ କରିବା ସକାଶେ ସୀମା କ୍ଷେତ୍ର ବିକାଶ ସହିତ ସୀମା କ୍ଷେତ୍ରର ଯୁବଗୋଷ୍ଠୀଙ୍କୁ ବିଶେଷ ତାଲିମ ପ୍ରଦାନ କରାଯିବା ସେତିକି ଜରୁରି । ଅଗଷ୍ଟ 15 ତାରିଖ ଦିନ ଲାଲକିଲ୍ଲା ମଞ୍ଚ ଉପରୁ ମୁଁ କହିଥିଲି ଯେ ଦେଶର 100ରୁ ଅଧିକ ସୀମାବର୍ତ୍ତୀ ଜିଲ୍ଲାରେ ଏନସିସି ସହିତ ଯୁବଗୋଷ୍ଠୀଙ୍କୁ ଯୋଡ଼ିବା ନିମନ୍ତେ ବିଶେଷ ଅଭିଯାନ ଆରମ୍ଭ କରାଯିବ । ସୀମାବର୍ତ୍ତୀ ଏବଂ ସମୁଦ୍ର ସହିତ ସଂଯୁକ୍ତ ଏହି କ୍ଷେତ୍ରମାନଙ୍କରେ ପାଖାପାଖି 1 ଲକ୍ଷ ଯୁବକମାନଙ୍କୁ ପ୍ରସ୍ତୁତ କରାଯିବ । ସେଥିରେ ଥିବା ବିଶେଷ କଥାଟି ହେଲା ଯେ ଏହି ଯୁବକମାନଙ୍କୁ ସ୍ଥଳ ସେନା, ନୌସେନା ଏବଂ ବାୟୁସେନା ହିଁ ତାଲିମ ପ୍ରଦାନ କରିବେ । ଅର୍ଥାତ୍‌, ଯେଉଁଠି ସେନାର ବେସ୍‌ ଥିବ ସେହିଠାରେ ହିଁ ଏଭଳି ତାଲିମ ପ୍ରଦାନ କରାଯିବ, ଯେଉଁଠାରେ ବାୟୁସେନାର ବେସ୍‌ ଥିବ ସେଠାରେ ବାୟୁସେନା ଏବଂ ଯେଉଁଠି ନାଭାଲ ବେସ୍‌ ଥିବ ସେଠାରେ ନୌସେନା ସେମାନଙ୍କୁ ତାଲିମ ଯୋଗାଇଦେବେ ।

ସାଥୀଗଣ,

ଏଥିରେ ମଧ୍ୟ ଅନେକ ସଂଖ୍ୟାରେ ବାଳିକା କେଡ଼େଟ୍‌ଙ୍କୁ ତାଲିମ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହା ସେହି ପ୍ରୟାସର ଅଂଶବିଶେଷ ଯେଉଁଥିରେ ଦେଶର ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସ ବଢ଼ାଇବା ନିମନ୍ତେ ବାଳିକାମାନଙ୍କ ଭୂମିକାକୁ ବିସ୍ତାରିତ କରିବାର ସୁଯୋଗ ପ୍ରଦାନ କରାଯାଉଛି । ଆଜି ଯେଉଁଭଳି ଭାବେ ଅନ୍ୟାନ୍ୟ କ୍ଷେତ୍ରରେ ମହିଳାମାନେ ଆଗକୁ ବଢ଼ିବା ନିମନ୍ତେ ପ୍ରୋତ୍ସାହିତ କରାଯାଉଛି ସେହିଭଳି ଭାବେ ଆମର ସୁରକ୍ଷା ତନ୍ତ୍ରରେ ମଧ୍ୟ ମହିଳା ଶକ୍ତିର ଭୂମିକାକୁ ଆହୁରି ବ୍ୟାପକ କରାଯାଉଛି । ଆଜି ବାୟୁସେନା ଏବଂ ନୌସେନାରେ ମହିଳାମାନଙ୍କୁ କମ୍ବାଟ୍‌ ଭୂମିକା ପ୍ରଦାନ କରାଯାଉଛି । ମିଲିଟାରୀ ପୁଲିସ ବଳରେ ମଧ୍ୟ କନ୍ୟା ସନ୍ତାନମାନଙ୍କୁ ଭର୍ତ୍ତି କରାଯାଉଛି । ବିଏସଏଫ ତ ସେହି ଅଗ୍ରଣୀ ସଂସ୍ଥାମାନଙ୍କ ମଧ୍ୟରେ ରହିଛି ଯେଉଁଠାରେ ବର୍ଡ଼ର ସିକ୍ୟୁରିଟି ବ୍ୟବସ୍ଥାରେ ମହିଳାମାନଙ୍କ ଭୂମିକାକୁ ନିରବଚ୍ଛିନ୍ନ ଭାବେ ବିସ୍ତାରିତ କରାଯାଉଛି । ଏହିଭଳି ଅନେକ ପ୍ରୟାସ ଆମର ଆତ୍ମବିଶ୍ୱାସକୁ ବଢ଼ାଉଛି, ଦେଶର ବିଶ୍ୱାସକୁ ବୃଦ୍ଧି କରୁଛି ।

ସାଥୀଗଣ,

ଦୀପାବଳି ଅବସରରେ ଆପଣମାନେ ସମସ୍ତେ ଆଉ ଗୋଟିଏ କଥା ସ୍ମରଣ ରଖିବା ଉଚିତ । ଯେତେବେଳେ ଆମେ ଦୀପ ଜାଳୁଛୁ ତ ସାଧାରଣତଃ ଗୋଟିଏ ଦୀପ ଅନ୍ୟ ଦୀପମାନଙ୍କୁ ଆଲୋକିତ କରିଥାଏ । ଗୋଟିଏ ଦୀପରୁ ଅନ୍ୟ ଦୀପକୁ , ପ୍ରଜ୍ୱଳିତ ଦୀପ ହଜାର ହଜାର ଭଳି ଆପଣମାନେ ଜଣେ ଜଣେ ଦୀପ କରି ସଂପୂର୍ଣ୍ଣ ଦେଶକୁ ଆଲୋକିତ କରୁଛନ୍ତି  । ଆପଣମାନଙ୍କ ଯୋଗୁ ହିଁ ଦେଶ ଆଜି ଏତେ ଉଜ୍ଜ୍ୱଳ ହୋଇପାରିଛି । ସୀମାରେ ଆପଣମାନେ ଯେଉଁଭଳି ଭାବେ ଜଣେ ଜଣେ ସୈନିକଙ୍କ ଶୌର୍ଯ୍ୟ ଦ୍ୱାରା ଦେଶବାସୀଙ୍କ ମନରେ ରାଷ୍ଟ୍ରଭକ୍ତିର ଆଲୋକକୁ ସୁଦୃଢ଼ କରୁଛନ୍ତି ତାହା ବାସ୍ତବିକ୍‌ ପ୍ରଶଂସନୀୟ । ଆପଣମାନଙ୍କ ଠାରୁ ପ୍ରେରଣା ନେଇ ପ୍ରତ୍ୟେକ ଦେଶବାସୀ ନିଜ ନିଜ ଢ଼ଙ୍ଗରେ ରାଷ୍ଟ୍ରହିତ ସକାଶେ ଆଗକୁ ଆଗେଇ ଆସୁଛନ୍ତି । କିଏ ସ୍ୱଚ୍ଛତାର ସଂକଳ୍ପ ସହିତ ସଂଶ୍ଳିଷ୍ଟ ତ ଆଉ କିଏ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଆଗକୁ ବଢ଼ି ଚାଲିଛି । କିଏ ପ୍ରତ୍ୟେକ ଘରକୁ ଜଳ ପହଞ୍ଚାଇବା ମିଶନ ସହିତ ଯୋଡ଼ି ହୋଇଛି ତ ଆଉ କିଏ ଯକ୍ଷ୍ମାମୁକ୍ତ ଭାରତ ଗଠନ କାମରେ ନିଜକୁ ସମର୍ପିତ କରିଛି । କିଏ କୁପୋଷଣ ବିରୁଦ୍ଧରେ ଅଭିଯାନକୁ ଶକ୍ତି ପ୍ରଦାନ କରୁଛି ତ ଆଉ କିଏ ଅନ୍ୟମାନଙ୍କୁ ଡିଜିଟାଲ କାରବାର ଶିକ୍ଷା ଦେଇ ନିଜର ଦାୟିତ୍ୱ ସଂପାଦନ କରୁଛି ।

ସାଥୀଗଣ,

ଏବେ ତ ଆତ୍ମନିର୍ଭର ଭାରତ ଅଭିଯାନକୁ ଦେଶର ପ୍ରତ୍ୟେକ ନାଗରିକ ନିଜର ଅଭିଯାନରେ ପରିଣତ କରିବାକୁ ସଂକଳ୍ପ ନେଇଛନ୍ତି । ଭୋକାଲ ଫର୍‌ ଲୋକାଲ ଆଜି ପ୍ରତ୍ୟେକ ଭାରତୀୟଙ୍କ ଲାଗି ମିଶନରେ ପରିଣତ ହୋଇସାରିଛି । ଆଜି ଇଣ୍ଡିଆ ଫାଷ୍ଟ୍‌, ଇଣ୍ଡିଆନ୍‌ ଫାଷ୍ଟର ଆତ୍ମବିଶ୍ୱାସ ଚାରିଆଡ଼େ ପ୍ରସାରିତ ହୋଇସାରିଛି । ଏସବୁ ସମ୍ଭବ ହୋଇପାରିଛି କାରଣ, ଏହା ପଛରେ ଆପଣମାନଙ୍କର ସମସ୍ତଙ୍କର ଶକ୍ତି ନିହିତ ରହିଛି । ଆପଣମାନଙ୍କ ଉପରେ ଦେଶର ପୂର୍ଣ୍ଣ ଭରସା ରହିଛି । ଯେତେବେଳେ ଦେଶର ବିଶ୍ୱାସ ବୃଦ୍ଧିପାଏ, ସେତେବେଳେ ବିଶ୍ୱ ସେତିକି କ୍ଷିପ୍ର ଗତିରେ ଆଗକୁ ବଢ଼ିଥାଏ ଏବଂ ଦେଶକୁ ଆମେ ଆଗରେ ଥିବାର ଦେଖିବାକୁ ପାଇଥାଉ । ଆସନ୍ତ ବିଶ୍ୱାସର, ଆତ୍ମବିଶ୍ୱାସର ଏହି ସଂପଳ୍ପକୁ ସିଦ୍ଧ କରିବା ନିମନ୍ତେ ଆମେ ସମସ୍ତେ ଆଗକୁ ବଢ଼ିବା । ଦୀପାବଳିର ଏହି ପବିତ୍ର ପର୍ବରେ ନୂତନ ସଂକଳ୍ପର ସହିତ, ନୂତନ ଆତ୍ମବିଶ୍ୱାସର ସହିତ ଆମେ କାନ୍ଧକୁ କାନ୍ଧ ମିଳାଇ, ପାଦକୁ ପାଦ ମିଳାଇ ଏକ ଜୀବନ, ଏକ ମିଶନର ମାନସିକତା ଲକ୍ଷ୍ୟ ପ୍ରାପ୍ତ କରିବା ନିମନ୍ତେ ପରିଶ୍ରମର ପରାକାଷ୍ଠା କରିବା ଲାଗି ଆଗେଇ ଆସିବା । 130 କୋଟି ଜନସଂଖ୍ୟାବିଶିଷ୍ଟ ଆମର ଏହି ରାଷ୍ଟ୍ରରେ ସଭିଏଁ ମିଳିମିଶି ଆଗକୁ ଅଗ୍ରସର ହେବା ଏବଂ ମାଭାରତୀକୁ ଯେଉଁ ରୂପରେ ସାମର୍ଥ୍ୟବାନ, ସମୃଦ୍ଧ କରିବାକୁ ଆମେ ଚାହୁଁଛେ, ସେହି ସ୍ୱପ୍ନକୁ ପୂରଣ କରିବା । ଏହି ଭାବନାର ସହିତ ଆପଣମାନେ ମୋ ସହିତ ଏକତ୍ରିତ ହୋଇ ଉଚ୍ଚ କଣ୍ଠରେ ଉଚ୍ଚାରଣ କରନ୍ତୁ- ଭାରତ ମାତା କୀ. . .  ଜୟ, ଭାରତ ମାତା କୀ . . . ଜୟ, ଭାରତ ମାତା କୀ. . ଜୟ । ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ଦୀପାବଳି ପର୍ବର ଅନେକ ଅନେକ ଶୁଭକାମନା, ଧନ୍ୟବାଦ ।

 

**********



(Release ID: 1673207) Visitor Counter : 178