ଅର୍ଥ କମିଶନ

2021-22ରୁ 2025-26 ପର୍ଯ୍ୟନ୍ତ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ପଞ୍ଚଦଶ ଅର୍ଥ ଆୟୋଗ

Posted On: 09 NOV 2020 1:00PM by PIB Bhubaneshwar

ପଞ୍ଚଦଶ ଅର୍ଥ ଆୟୋଗଙ୍କ ପକ୍ଷରୁ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କୁ ଆଜି 2021-22ରୁ 2025-26 ପର୍ଯ୍ୟନ୍ତ 5ବର୍ଷ ଅବଧିର ରିପୋର୍ଟ ପ୍ରଦାନ କରାଯାଇଛି । ଆୟୋଗର ଅଧ୍ୟକ୍ଷ ଶ୍ରୀ ଏନ୍‌.କେ. ସିଂହ, ଏହାର ସଦସ୍ୟ ଶ୍ରୀ ଅଜୟ ନାରାଣୟ ଝା, ପ୍ରଫେସର ଅନୁପ ସିଂହ, ଡ. ଅଶୋକ ଲାହିଡି, ଡ. ରମେଶ ଚାନ୍ଦ ତଥା ଆୟୋଗର ସଚିବ ଶ୍ରୀ ଅରବିନ୍ଦ ମେହେତାଙ୍କ ଗହଣରେ  ରାଷ୍ଟ୍ରପତି ଭବନକୁ ଯାଇ  ରାଷ୍ଟ୍ରପତିଙ୍କୁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।

ସର୍ତ୍ତାବଳୀ ଅନୁସାରେ ପଞ୍ଚଦଶ ଅର୍ଥ ଆୟୋଗ 2021-22ରୁ 2025-26 ଏହି 5 ବର୍ଷ ପର୍ଯ୍ୟନ୍ତ ନାନାବିଧ ଆର୍ଥିକ ସୁପାରିସ କରିବାକୁ କ୍ଷମତାପ୍ରାପ୍ତ ହୋଇଥିଲେ । ସର୍ତ୍ତ ଅନୁସାରେ 2020 ଅକ୍ଟୋବର 30 ତାରିଖ ସୁଦ୍ଧା ଏହି ରିପୋର୍ଟ ପ୍ରଦାନ କରିବାର ଥିଲା । ଗତବର୍ଷ ଆୟୋଗ 2020-21 ଆର୍ଥିକ ବର୍ଷ ନିମନ୍ତେ ତାଙ୍କ ସୁପାରିସ ସରକାରଙ୍କୁ ପ୍ରଦାନ କରିଥିଲେ । ଏହାକୁ କେନ୍ଦ୍ର ସରକାର ଗ୍ରହଣ କରିବା ସହିତ 2020 ଜାନୁୟାରୀ 30 ତାରିଖରେ ସଂସଦରେ ଉପସ୍ଥାପନ କରିଥିଲେ । ସର୍ତ୍ତାବଳୀ ଅନୁସାରେ ବିଭିନ୍ନ ତଥା ଅଦ୍ୱିତୀୟ ପ୍ରସଙ୍ଗରେ ନିଜର ସୁପାରିସ ସରକାରଙ୍କୁ ଦେବା ପାଇଁ ଆୟୋଗ ଅଧିକୃତ ହୋଇଥିଲେ । ଟିକସ ବଣ୍ଟନ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁପାରିସ କରିବା ପାଇଁ ଆୟୋଗଙ୍କୁ କୁହାଯାଇଥିଲା । ଉପରୁ ତଳକୁ ଏବଂ କେନ୍ଦ୍ରରୁ ସମାନ୍ତରାଳଭାବେ ଟିକସ ବଣ୍ଟନ ବ୍ୟବସ୍ଥା କରିବା, ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାକୁ ଅନୁଦାନ ପ୍ରଦାନ, ବିପତ୍ତି ପରିଚାଳନା ପାଇଁ ଅଧିକ ଅନୁଦାନ ଯୋଗାଣ ଆଦି କ୍ଷେତ୍ରରେ ଉପଯୁକ୍ତ ମାର୍ଗରେ ଅର୍ଥ ଯୋଗାଇ ଦେବା ସହିତ ଆଉ କେତେକ ବିଷୟକୁ ମଧ୍ୟ ସର୍ତ୍ତାବଳୀରେ ଗୁରୁତ୍ୱ ଦିଆଯାଇଥିଲା । ସେହିଭଳି ଯେଉଁସବୁ ରାଜ୍ୟ ଉର୍ଜ୍ଜା କ୍ଷେତ୍ରର ପରିଚାଳନା, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥାର କାର୍ଯ୍ୟକାରିତା, କଠିନ ବର୍ଜ୍ୟ ପରିଚାଳନା ଭଳି କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଟିକସ ବଣ୍ଟନ କ୍ଷେତ୍ରରେ ପ୍ରଦର୍ଶନଭିତ୍ତିକ ପ୍ରୋତ୍ସାହନ ଦିଆଯିବାର ଔଚିତ୍ୟ ଆଦି ସଂପର୍କରେ ପରୀକ୍ଷା ନିରୀକ୍ଷା କରି ସୁପାରିସ କରିବାକୁ ମଧ୍ୟ କୁହାଯାଇଥିଲା । ଏହାଛଡା ଦେଶର ପ୍ରତିରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ପାଇଁ ଅର୍ଥ ଯୋଗାଇ ଦେବା ନିମନ୍ତେ ଏକ ସ୍ୱତନ୍ତ୍ର ଅର୍ଥ ଯୋଗାଣ ବ୍ୟବସ୍ଥା (ଫଣ୍ଡିଂ ମେକାନିଜମ) କରାଯିବା ଉଚିତ କି ନୁହେଁ ତାହା ମଧ୍ୟ  ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଆୟୋଗକୁ ସରକାର କହିଥିଲେ । ଆହୁରି ମଧ୍ୟ ଏଥିରେ କୁହାଯାଇଥିଲା ଯେ ଯଦି ଏଭଳି ଏକ ଫଣ୍ଡିଂ ବ୍ୟବସ୍ଥା କରାଯିବା ଉଚିତ, ତେବେ ତାହା କିପରି କାର୍ଯ୍ୟକାରୀ ହେବ ତାହାର ଉପାୟ ମଧ୍ୟ ଦର୍ଶାଇବାକୁ ଏଥିରେ କୁହାଯାଇଥିଲା । ଯେଉଁ ସର୍ତ୍ତାବଳୀ ସବୁ ଆୟୋଗ ଆଗରେ ଥିଲା ସେ ସମସ୍ତ ବିଷୟରେ ଏହି ରିପୋର୍ଟରେ ସରକାରଙ୍କୁ ଆୟୋଗ ସୁପାରିସ କରିଛନ୍ତି ।

ସମଗ୍ର ରିପୋର୍ଟଟି 4 ଭାଗରେ ବିଭକ୍ତ । ପୁରୁଣା ବ୍ୟବସ୍ଥା ଭଳି ଏହାର ପ୍ରଥମ ଓ ଦ୍ୱିତୀୟ ଖଣ୍ଡରେ ମୁଖ୍ୟ ରିପୋର୍ଟ ସହିତ ପରିଶିଷ୍ଟ ଯୋଡାଯାଇଛି । ତୃତୀୟ ଖଣ୍ଡରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଷୟ ସଂପର୍କରେ ସୁପାରିସ ସ୍ଥାନ ପାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ଯ୍ୟକୁ ଏଥିରେ ସବିଶେଷ ଆଲୋଚନା କରାଯାଇଛି । ଏହିସବୁ ବିଭାଗର ମଧ୍ୟମ ମିଆଦି ଆହ୍ୱାନ ଓ ସମସ୍ୟାବଳୀ ଏବଂ ସେସବୁର ସମାଧାନ ସୂତ୍ର ଏହି ଖଣ୍ଡରେ ଉଲ୍ଲେଖ ଅଛି । ରିପୋର୍ଟର ଚତୁର୍ଥ ଖଣ୍ଡଟି ଦେଶର ସମସ୍ତ ରାଜ୍ୟଗୁଡିକ ପାଇଁ ଉଦ୍ଦିଷ୍ଟ ରହିଛି । ଏଥିରେ ଆୟୋଗ ସବୁ ପ୍ରଦେଶର ଆର୍ଥିକ ସ୍ଥିତି ଓ ଅର୍ଥ ବ୍ୟାପାରକୁ ଗଭୀରତାର ସହ ଅନୁଧ୍ୟାନ କରିଛନ୍ତି । ସଂପୃକ୍ତ ରାଜ୍ୟର ପ୍ରମୁଖ ସମସ୍ୟାବଳୀ ଏବଂ ଏହାର ସମାଧାନ ସୂତ୍ର ଆଦି ବିଷୟରେ ଏଥିରେ ରାଜ୍ୟୱାରୀ ନିର୍ଦ୍ଦିଷ୍ଟଭାବେ ସୁପାରିସ କରାଯାଇଛି । କେନ୍ଦ୍ର ସରକାର ଏହି ରିପୋର୍ଟ ସହିତ ଏହାର ବ୍ୟାଖ୍ୟାତ୍ମକ ବିବରଣୀ ଏବଂ ଆୟୋଗଙ୍କ ସୁପାରିସ ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ସହିତ ସମସ୍ତ ଦସ୍ତାବିଜକୁ ସଂସଦରେ ଉପସ୍ଥାପନ କରିବା ପରେ ଏହା ସର୍ବସାଧାରଣରେ ଉପଲବ୍ଧ ହେବ । ପଞ୍ଚଦଶ ଅର୍ଥ ଆୟୋଗଙ୍କ ରିପୋର୍ଟର ପ୍ରଚ୍ଛଦ ପୃଷ୍ଠାଟି ବେଶ ଅନୁପମ ହୋଇଛି । ଏହାର ନାମ ରଖାଯାଇଛି ଫାଇନାନ୍ସ କମିଶନ ଇନ୍‌ କୋଭିଡ୍‌ ଟାଇମ୍ସବା କରୋନା ସମୟରେ ଅର୍ଥ ଆୟୋଗ । ଏହାଛଡା ପ୍ରଚ୍ଛଦ ପୃଷ୍ଠାର ସର୍ବାଗେ ଅଶୋକ ସ୍ତମ୍ଭ ଏବଂ ମଧ୍ୟଭାଗରେ ଏକ ନିକିତିର ଚିହ୍ନ ରହିଛି । ଏହି ନିକିତିର ଚିହ୍ନ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଆର୍ଥିକ ଭାରସାମ୍ୟ ରକ୍ଷାର ସୂଚନା ବହନ କରୁଛି ।

**********


(Release ID: 1671479) Visitor Counter : 378