ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ-ଇଟାଲୀ ଭର୍ଚୁଆଲ ଦ୍ୱିପାକ୍ଷିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପୋଷ୍ଟ କରାଯିବା ଦିନାଙ୍କ:
06 NOV 2020 5:49PM by PIB Bhubaneshwar
ମହାମହିମ,
ନମସ୍କାର,
ଆପଣଙ୍କର ପ୍ରାରମ୍ଭିକ ମନ୍ତବ୍ୟ ପାଇଁ ଧନ୍ୟବାଦ ।
କୋଭିଡ-19 ଯୋଗୁଁ ଯାହା ଆପଣ କହିଲେ ମୋତେ ମେ’ ମାସରେ ମୋର ଇଟାଲୀ ଗସ୍ତକୁ ସ୍ଥଗିତ ରଖିବାକୁ ପଡିଥିଲା। ଭଲ କଥା ହେଉଛି ଆଜି ଆମେ ଭର୍ଚୁଆଲ ମାଧ୍ୟମରେ ସାକ୍ଷାତ କରି ପାରିଛୁ । ସର୍ବପ୍ରଥମେ ଇଟାଲୀରେ କରୋନା ଭୂତାଣୁ ଦ୍ଵାରା ହୋଇଥିବା କ୍ଷତି ପାଇଁ ମୋ ତରଫରୁ ଏବଂ ଭାରତର ସମସ୍ତ ନାଗରିକଙ୍କ ତରଫରୁ ମୁଁ ସମବେଦନା ଜଣାଉଛି । ଯେତେବେଳେ ବିଶ୍ଵର ଅନ୍ୟ ଦେଶମାନେ କରୋନା ଭୂତାଣୁକୁ ଜାଣିବାକୁ ଚେଷ୍ଟା କରୁଥିଲେ, ବୁଝିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ଆପଣ ଏହି ବିପର୍ଯ୍ୟୟ ସହିତ ସଂଘର୍ଷ କରୁଥିଲେ ।
ଆପଣ ସମ୍ପୂର୍ଣ୍ଣ ସଫଳତାର ସହିତ ଏକ ଅତ୍ୟନ୍ତ କଷ୍ଟଦାୟକ ସ୍ଥିତିକୁ ଶୀଘ୍ର ନିୟନ୍ତ୍ରଣ କଲେ ଏବଂ ସାରା ଦେଶକୁ ସଂଗଠିତ କଲେ । ମହାମାରୀର ସେହି ପ୍ରଥମ ମାସରେ ଇଟାଲୀର ସଫଳତା ଆମ ସମସ୍ତଙ୍କୁ ପ୍ରେରଣା ଦେଲା । ଆପଣଙ୍କ ଅନୁଭବ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରିଛି ।
ମହାମହିମ,
ଆପଣଙ୍କ ଭଳି ମୁଁ ମଧ୍ୟ ଭାରତ ଏବଂ ଇଟାଲୀ ମଧ୍ୟରେ ସମ୍ପର୍କକୁ ଆହୁରି ବ୍ୟାପକ ଏବଂ ଗଭୀର କରିବାକୁ ପ୍ରତିଶ୍ରୁତିବଦ୍ଧ ଅଟେ । 2018ରେ ଟେକ୍ ସମ୍ମିଳନୀ ପାଇଁ ଆପଣଙ୍କର ଭାରତ ଗସ୍ତ ଏବଂ ଆମର ସାକ୍ଷାତ ଆଲୋଚନା ଅନେକ ଦିଗକୁ ସ୍ପର୍ଶ କରିଛି, ଭାରତର ଲୋକଙ୍କ ମନରେ ମଧ୍ୟ ଇଟାଲୀ ପ୍ରତି ଏକ ନୂତନ ଜିଜ୍ଞାସା ସୃଷ୍ଟି ହୋଇଛି । ଏହା ଖୁସିର ଖବର ଯେ, 2018ରେ ଆମର ଆଲୋଚନା ପରେ, ପାରସ୍ପରିକ ଆଦାନ-ପ୍ରଦାନରେ ବହୁତ ଗତି ଅସିଛି ।
ମୁଁ ଏହା ଜାଣି ଖୁସି ଯେ ଇଟାଲୀର ସଂସଦ ଗତ ବର୍ଷ ଭାରତ-ଇଟାଲୀ ବନ୍ଧୁତା ଗୋଷ୍ଠୀ ଗଠନ କରିଛି । ମୁଁ ଆଶା କରୁଛି ଯେ କୋଭିଡର ସ୍ଥିତି ସୁଧାରିବା ପରେ, ଆମେ ଇଟାଲୀର ସଂସଦ ସଦସ୍ୟମାନଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ପାଇବୁ ।
ମହାମହିମ,
ଏହା ସ୍ପଷ୍ଟ ଯେ, କୋଭିଡ-19 ମହାମାରୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ଭଳି ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇ ରହିବ । ଆମ ସମସ୍ତଙ୍କୁ ଏହି ନୂତନ ବିଶ୍ଵ ଲାଗି, କରୋନା ପରର ବିଶ୍ଵ ପାଇଁ ନିଜକୁ ଖାପଖୁଆଇ ଚଳିବାକୁ ପଡିବ, ଏଥିରୁ ସୃଷ୍ଟି ହୋଇଥିବା ଆହ୍ଵାନ ଏବଂ ସୁଯୋଗ ପାଇଁ ଆମ ସମସ୍ତଙ୍କୁ ଏକ ନୂତନ ଉପାୟରେ ପ୍ରସ୍ତୁତ ହେବାକୁ ପଡିବ ।
ମୋର ବିଶ୍ଵାସ ଯେ, ଆଜିର ଆଲୋଚନା ଆମର ପାରସ୍ପରିକ ସମ୍ପର୍କକୁ ଆହୁରି ସୁଦୃଢ କରିବ, ପାରସ୍ପରିକ ବୁଝାମଣା ବୃଦ୍ଧି ପାଇବ ଏବଂ ସହଯୋଗର ନୂତନ କ୍ଷେତ୍ର ସୃଷ୍ଟି କରିବାରେ ସହାୟକ ହେବ ।
*****
(ରିଲିଜ ଆଡି: 1670760)
ପରିଦର୍ଶକ କାଉଣ୍ଟର : 170
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam