ଅର୍ଥ ମନ୍ତ୍ରଣାଳୟ

ଜରୁରୀକାଳୀନ ଋଣ ଯୋଗାଣ ଗ୍ୟାରେଣ୍ଟି ଯୋଜନାର ମିଆଦକୁ ଆଉ ଏକ ମାସ ବଢାଇଲେ ସରକାର

• ଏହି ଯୋଜନାରେ 2 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ମଞ୍ଜୁର

Posted On: 02 NOV 2020 3:17PM by PIB Bhubaneshwar

କେନ୍ଦ୍ର ସରକାର ଜରୁରୀକାଳୀନ ଋଣ ଯୋଗାଣ ଗ୍ୟାରେଣ୍ଟି ଯୋଜନା (ଇସିଏଲ୍‌ଜିଏସ୍‌)ର ମିଆଦକୁ ଆଉ 1 ମାସ ପାଇଁ ବଢାଇ ଦେଇଛନ୍ତି । ଏହା ଚଳିତ ନଭେମ୍ବର ମାସ 30 ତାରିଖ ଯାଏଁ କିମ୍ବା ଏହି ଯୋଜନାରେ 3 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ମଞ୍ଜୁର ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏ କ୍ଷେତ୍ରରେ ପରିବର୍ଦ୍ଧିତ ସମୟର ମିଆଦ ଓ ଋଣ ମଞ୍ଜୁରି ମଧ୍ୟରୁ ଯେଉଁଟି ଆଗ ହେବ ତାହାକୁ ଗ୍ରହଣ କରାଯିବ । ପ୍ରଚଳିତ ପାର୍ବଣ ଋତୁରେ ଦେଶର ଅର୍ଥନୀତିର ବିଭିନ୍ନ କ୍ଷେତ୍ର ଏବେ କ୍ରମଶଃ ଉନ୍ମୁକ୍ତ ହେଉଛି ଏବଂ ଋଣ ଚାହିଦା ଅଧିକରୁ ଅଧିକ ବଢୁଛି । ତାହାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ସମୟ ମିଆଦ ସଂପ୍ରସାରଣ ଫଳରେ ଯେଉଁସବୁ ଆଗ୍ରହୀ ବ୍ୟକ୍ତି ସଂପୃକ୍ତ ଯୋଜନାରେ ଏ ପର୍ଯ୍ୟନ୍ତ ଋଣ ନେଇନାହାନ୍ତି ସେମାନେ ଏହାର ସୁଯୋଗ ନେଇପାରିବେ ।

ଇସିଏଲ୍‌ଜି ଯୋଜନାକୁ ଆତ୍ମନିର୍ଭର ଭାରତ ପ୍ୟାକେଜର ଏକ ଅଂଶଭାବେ କେନ୍ଦ୍ର ସରକାର  ଘୋଷଣା କରିଥିଲେ । ଏମ୍‌ଏସ୍‌ଏମ୍‌ଇ, ବ୍ୟବସାୟ ଉଦ୍ୟୋଗ, ବ୍ୟବସାୟ ପାଇଁ ବ୍ୟକ୍ତିଗତ ଋଣ ଏବଂ ମୁଦ୍ରା ଋଣକାରୀଙ୍କୁ ବିନା ବନ୍ଧକରେ ଅତିରିକ୍ତ ଋଣ ଗ୍ୟାରେଣ୍ଟି ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ । ଏ କ୍ଷେତ୍ରରେ ସରକାର ଗ୍ୟାରେଣ୍ଟରଭାବେ କାର୍ଯ୍ୟ କରୁଛନ୍ତି । ଯେଉଁମାନେ ଋଣ ନେଇଛନ୍ତି ସେମାନେ ତାହା 29 ଫେବୃୟାରୀ 2020 ସୁଦ୍ଧା ଯଦି ପରିଶୋଧ କରି ନ ଥିବେ, ସେହି ବକେୟା ଋଣର 20 ଶତାଂଶ ହିସାବରେ ଏହି ଅତିରିକ୍ତ ଋଣ ଯୋଗାଣର ବ୍ୟବସ୍ଥା ଏହି ଯୋଜନାରେ କରାଯାଇଛି । ସେହିଭଳି ଯେଉଁ ଋଣକାରୀଙ୍କ ଉପରେ 50 କୋଟିରୁ ଅଧିକ ଟଙ୍କାର ଋଣ 29 ଫେବୃୟାରୀ 2020 ସୁଦ୍ଧା ଥିବ ଏବଂ ସେମାନଙ୍କର ବାର୍ଷିକ କାରବାର 250 କୋଟି ଟଙ୍କା ହେଉଥିବ, ଏହି ଯୋଜନାରେ ସେମାନେ ମଧ୍ୟ ଅତିରିକ୍ତ ଋଣ ସହାୟତା ପାଇପାରିବେ । ଇସିଏଲ୍‌ଜି ଯୋଜନାରେ ସୁଧ ହାର ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନଗୁଡିକ ପାଇଁ 9.25 ଶତାଂଶ ଧାର୍ଯ୍ୟ କରାଯାଇଛି । ଅର୍ଥାତ୍‌ ଏମାନେ 9.25 ଶତାଂଶ ସୁଧରେ ଋଣ ଯୋଗାଇ ଦେବେ । ତେବେ ଅଣବ୍ୟାଙ୍କିଙ୍ଗ ବିତ୍ତୀୟ ସଂସ୍ଥାଗୁଡିକ ହିତାଧିକାରୀଙ୍କୁ 14 ଶତାଂଶ ସୁଧ ହାରରେ ଋଣ ଯୋଗାଇବେ । ଏହି ଯୋଜନାରେ 4 ବର୍ଷ ପାଇଁ ଋଣ ପ୍ରଦାନର ବ୍ୟବସ୍ଥା ରହିଛି ଏବଂ ଏକ ବର୍ଷ ପର୍ଯ୍ୟନ୍ତ ମୂଳଧନ ପରିଶୋଧ କରିବାକୁ ପଡିବ ନାହିଁ ।

ଇସିଏଲ୍‌ଜି ପୋର୍ଟାଲରେ ଋଣ ଯୋଗାଣକାରୀ ସଂସ୍ଥାଗୁଡିକ ଦ୍ୱାରା ଅପ୍‌ଲୋଡ ହୋଇଥିବା ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ଏହି ଯୋଜନାରେ  60.67 ଲକ୍ଷ ଆବେଦନକାରୀଙ୍କ ନିମନ୍ତେ 2.03 ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି । ଏହାଛଡା ଏ ପର୍ଯ୍ୟନ୍ତ ଏହି ଯୋଜନାରେ 1.48 ଲକ୍ଷ କୋଟି ଟଙ୍କା ହିତାଧିକାରୀଙ୍କୁ ଋଣ ଆକାରରେ ଯୋଗାଇ ଦିଆଯାଇଛି ।

 

**********



(Release ID: 1669552) Visitor Counter : 295