ରେଳ ମନ୍ତ୍ରଣାଳୟ

ଭାରତୀୟ ରେଳବାଇ ଅକ୍ଟୋବର 2020ରେ ମାଲ ପରିବହନ ଓ ଆୟରେ ଉଚ୍ଚ ଅଭିବୃଦ୍ଧି ଧାରା ବଜାୟ ରଖିଛି

• ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ ଏହି ମାସରେ ମାଲ ବୋଝେଇ ପରିମାଣ 15% ଅଧିକ ହୋଇଛି; ମାଲ ପରିବହନ ଆୟ ଗତବର୍ଷର ଏହି ସମୟଠାରୁ 9 ଶତାଂଶ ଅଧିକ ରେକର୍ଡ କରାଯାଇଛି
• 2020 ଅକ୍ଟୋବରରେ ଭାରତୀୟ ରେଳବାଇର ବୋଝେଇ ପରିମାଣ ଥିଲା 108.16 ନିୟୁତ ଟନ
• ଗତବର୍ଷ ଏହି ମାସ ତୁଳନାରେ ଏହା ଥିଲା 15 ଶତାଂଶ ଅଧିକ
• ଗତବର୍ଷ ଅକ୍ଟୋବରରେ 93.75 ନିୟୁତ ଟନ ମାଲ ବୋଝେଇ କରାଯାଇଥିଲା
• ରେଳବାଇ ପକ୍ଷରୁ ଲୁହା ଓ ଇସ୍ପାତ, ସିମେଣ୍ଟ, ଊର୍ଜ୍ଜା, କୋଇଲା, ଅଟୋମୋବାଇଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଅଗ୍ରଣୀ ବ୍ୟବସାୟୀଙ୍କ ସହ ଆଲୋଚନା କରାଯାଇ ମାଲ ପରିବହନକୁ ଅଧିକ ସୁଦୃଢ କରିବାକୁ ଉଦ୍ୟମ କରାଯାଉଛି

Posted On: 01 NOV 2020 1:36PM by PIB Bhubaneshwar

ଭାରତୀୟ ରେଳବାଇର ମାଲ ପରିବହନ କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ପରିଲକ୍ଷିତ ହେଉଛି । ଉଭୟ ଆୟ ଏବଂ ମାଲ ବୋଝେଇ କ୍ଷେତ୍ରରେ ଚଳିତବର୍ଷ ଅକ୍ଟୋବର ମାସରେ ଭାରତୀୟ ରେଳବାଇର ପ୍ରଦର୍ଶନ ଭଲ ରହିଛି ।

ମିଶନ ମୋଡରେ ଚାଲିଥିବା ଏହି ପ୍ରୟାସ ଫଳରେ ଗତ ଅକ୍ଟୋବର ମାସରେ ରେଳବାଇ ଯେତେ ମାଲ ପରିବହନ ଓ ଆୟ କରିଥିଲା ଗତବର୍ଷ ଅକ୍ଟୋବର ତୁଳନାରେ ତାହା ଅଧିକ ରହିଛି ।

2020 ଅକ୍ଟୋବରରେ ରେଳବାଇର ମାଲ ବୋଝେଇ ପରିମାଣ ଥିଲା 108.16 ନିୟୁତ ଟନ । 2019 ଅକ୍ଟୋବର ତୁଳନାରେ ଏହା 15 ଶତାଂଶ ଅଧିକ ରହିଛି । ଗତବର୍ଷ ଏହି ମାସରେ 93.75 ନିୟୁତ ଟନ ମାଲ ପରିବହନ କରାଯାଇଥିଲା ।  ଏହି ସମୟ ମଧ୍ୟରେ ଭାରତୀୟ ରେଳବାଇ ମାଲ ବୋଝେଇ ଓ ପରିବହନ ବାବଦରେ 10405.12 କୋଟି ଟଙ୍କା ଆୟ କରିଛି । 2019 ଅକ୍ଟୋବର ତୁଳନାରେ ଏହା 9 ଶତାଂଶ ଅଧିକ । ଗତବର୍ଷ ଏହି ସମୟରେ ରେଳବାଇର ଏ ବାବଦ ଆୟଠାରୁ ଏହା 868.90 କୋଟି ଟଙ୍କା ଅଧିକ  ରେକର୍ଡ କରାଯାଇଛି । ଗତବର୍ଷ ଏହି ସମୟରେ ରେଳବାଇର ଏ ବାବଦ ଆୟ ଥିଲା 9536.22 କୋଟି ଟଙ୍କା ।

2020 ଅକ୍ଟୋବର ମାସରେ ରେଳବାଇର ମୋଟ ବୋଝେଇ ପରିମାଣ ଥିଲା 108.16 ନିୟୁତ ଟନ । ସେଥିମଧ୍ୟରେ 46.97 ନିୟୁତ ଟନ କୋଇଲା, 14.68 ନିୟୁତ ଟନ ଲୁହାପଥର, 5.03 ନିୟୁତ ଟନ ଖାଦ୍ୟଶସ୍ୟ, 5.93 ନିୟୁତ ଟନ ରାସାୟନିକ ସାର ଏବଂ 6.62 ନିୟୁତ ଟନ ସିମେଣ୍ଟ ଅନ୍ତର୍ଭୁକ୍ତ । (ଏଥିରେ କ୍ଲିଙ୍କର ବା ଧାତୁମଳକୁ ହିସାବ କରାଯାଇନାହିଁ)

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ରେଳବାଇର ମାଲ ପରିବହନକୁ ଆକର୍ଷଣୀୟ କରିବା ପାଇଁ କର୍ତ୍ତୃପକ୍ଷ ବିଭିନ୍ନ ପ୍ରକାର ରିଆତି ଓ ସୁବିଧା ପ୍ରଦାନ କରୁଛନ୍ତି । ଆଗାମୀ ଶୂନ୍ୟଭିତ୍ତିକ ସମୟ ସାରଣୀ ଅନୁସାରେ ରେଳବାଇ ମାଲ ପରିବହନ କ୍ଷେତ୍ରରେ ଆହୁରି ଉନ୍ନତ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛି । ନୂତନ ବ୍ୟବସାୟ ଏବଂ ଏବେକାର ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ରେଳବାଇ ପକ୍ଷରୁ ଲୁହା ଓ ଇସ୍ପାତ, ସିମେଣ୍ଟ, ଉର୍ଜ୍ଜା, କୋଇଲା, ଅଟୋମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଅଗ୍ରଣୀ ବ୍ୟବସାୟମଣ୍ଡଳୀ ସହ ଏକାଧିକ ପର୍ଯ୍ୟାୟରେ ଆଲୋଚନା କରିଛି । ମାଲ ପରିବହନକୁ ଅଧିକ ନିର୍ଭରଯୋଗ୍ୟ, ସୁରକ୍ଷିତ ଓ ସମୟବଦ୍ଧ କରିବା ପାଇଁ ରେଳବାଇ ପ୍ରତିଶ୍ରୁତିବଦ୍ଧ ।

ଏହା ବ୍ୟତୀତ ରେଳବାଇ ପକ୍ଷରୁ ଜୋନ ଓ ଡିଭିଜନ ସ୍ତରରେ ବ୍ୟବସାୟ ବିକାଶ ୟୁନିଟମାନ ସ୍ଥାପନ କରାଯାଇଛି । ମାଲ ପରିବହନ ବ୍ୟବସ୍ଥାକୁ ପ୍ରାୟ ଦ୍ୱିଗୁଣିତ କରିବା ସହ ଏ କ୍ଷେତ୍ରରେ ଅଭିବୃଦ୍ଧି ହାରକୁ ବଜାୟ ରଖିବା ନିମନ୍ତେ ଏହି ୟୁନିଟଗୁଡିକ ସହାୟତାରେ ବିଭିନ୍ନ ଉଦ୍ୟମ କରାଯାଉଛି । ପଞ୍ଜାବରେ ଏବେ ରେଳବାଇର ମାଲ ପରିବହନ ବାଧାପ୍ରାପ୍ତ ହୋଇଛି । ଏହା ସତ୍ତ୍ୱେ ଦେଶରେ ମାଲ ପରିବହନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରି ଅଭିବୃଦ୍ଧି ହାର ବଢାଇବାକୁ ରେଳବାଇ ଲକ୍ଷ୍ୟ ରଖିଛି । କରୋନା ମହାମାରୀକାଳୀନ ସମୟକୁ ଭାରତୀୟ ରେଳବାଇ ଏକ ସୁଯୋଗରେ ପରିଣତ କରି ଏହାର ଦକ୍ଷତା ଓ ପ୍ରଦର୍ଶନକୁ ବଢାଇବାରେ ସଫଳ ହୋଇଛି ।

 

**********



(Release ID: 1669384) Visitor Counter : 235