ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ବୃହତ୍ ପଦକ୍ଷେପ
• ଜାତୀୟ ମେଡିକାଲ କମିଶନ ପକ୍ଷରୁ ବାର୍ଷିକ ଏମ୍ବିବିଏସ୍ ନାମଲେଖା ନିୟମ 2020 ସଂକ୍ରାନ୍ତ ସର୍ବନିମ୍ନ ଆବଶ୍ୟକତା ସଂପର୍କରେ ବିଜ୍ଞପ୍ତି ପ୍ରକାଶ
Posted On:
31 OCT 2020 4:48PM by PIB Bhubaneshwar
ଡାକ୍ତରୀ ଶିକ୍ଷାକୁ ସୁଲଭ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଜାତୀୟ ମେଡିକାଲ କମିଶନ (ଏନ୍ଏମ୍ସି) ତାହାର ପ୍ରଥମ ବଡ଼ଧରଣର ନୀତିନିୟମ ଆଜି ଘୋଷଣା କରିଛି । ବାର୍ଷିକ ଏମ୍ବିବିଏସ୍ ନାମଲେଖା ନିୟମ 2020 ପାଇଁ ସର୍ବନିମ୍ନ ଆବଶ୍ୟକତା ଶୀଷର୍କରେ ପ୍ରକାଶିତ ଏକ ବିଜ୍ଞପ୍ତିରେ ପୂର୍ବର ଭାରତୀୟ ଭେଷଜ ପରିଷଦ ବା ଏମ୍ସିଆଇର ବାର୍ଷିକ ନାମଲେଖା ସଂକ୍ରାନ୍ତ 1999ର ନିୟମକୁ ରଦ୍ଦ କରାଯାଇଛି । ଏମ୍ସିଆଇ ପକ୍ଷରୁ 1999 ଆଇନ (50/100/150/200/250 ବାର୍ଷିକ ନାମଲେଖା) ପାଇଁ ଯେଉଁ ସର୍ବନିମ୍ନ ମାନ ଧାର୍ଯ୍ୟ କରାଯାଉଥିଲା ନୂଆ ବିଜ୍ଞପ୍ତି ଅନୁସାରେ ତାହାର ଅବସାନ ଘଟିଛି ।
ନୂଆ ନିୟମ ଅନୁସାରେ ଏଣିକି ଦେଶର ସମସ୍ତ ନୂତନ ପ୍ରସ୍ତାବିତ ମେଡିକାଲ କଲେଜମାନ ସ୍ଥାପନ ହେବ । ଏହି ଆଇନ ଅନୁସାରେ ମଧ୍ୟ ପ୍ରତିଷ୍ଠିତ ହୋଇଥିବା ମେଡିକାଲ କଲେଜଗୁଡିକର ଏମ୍ବିବିଏସ୍ ଆସନ ସଂଖ୍ୟା ବୃଦ୍ଧି କରାଯିବ । 2021-22 ପାଠ୍ୟକ୍ରମ ବର୍ଷରୁ ଏହି ନୂଆ ନିୟମ ଲାଗୁ ହେବ । ଏହି ସନ୍ଧିକ୍ଷଣରେ ପ୍ରତିଷ୍ଠିତ ହୋଇସାରିଥିବା ମେଡିକାଲ କଲେଜଗୁଡିକ ଆଜିର ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ପ୍ରଚଳିତ ନିୟମ ଅନୁସାରେ କାର୍ଯ୍ୟ କରିବ ।
ମେଡିକାଲ ଶିକ୍ଷାନୁଷ୍ଠାନଗୁଡିକର କାର୍ଯ୍ୟ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ଆଇନରେ ନୂତନ ମାନ ଓ ନୀତିମାନ ଧାର୍ଯ୍ୟ କରାଯାଇଛି । ଏଥିରେ ଉପଲବ୍ଧ ସମ୍ବଳର ସର୍ବାଧିକ ବିନିଯୋଗ, ଉତ୍କୃଷ୍ଟ ମାନର ଶିକ୍ଷାଦାନ ପାଇଁ ଅତ୍ୟାଧୁନିକ ଶୈକ୍ଷିକ ଟେକ୍ନୋଲଜିର ଉପଯୋଗ ଏବଂ ସମ୍ବଳ ଦୁର୍ଲ୍ଲଭ ଥିବା ଅବସ୍ଥାରେ ମଧ୍ୟ ଏସବୁ ଶିକ୍ଷାନୁଷ୍ଠାନକୁ କାର୍ଯ୍ୟ କରିବାର ସୁଯୋଗ ଦେବା ଆଦି ଅନ୍ତର୍ଭୁକ୍ତ । ମୋଟାମୋଟି ଭାବେ ନୂଆ ଆଇନ ମେଡିକାଲ କଲେଜ ପ୍ରତିଷ୍ଠା ଏହାର ଶୈକ୍ଷିକ ସମ୍ବଳ ଓ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଆଦି କ୍ଷେତ୍ରରେ ନମନୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ
ନୂଆ ନିୟମରେ ଏକ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପୂର୍ବର ନିର୍ଦ୍ଦିଷ୍ଟ ପରିମାଣ ଜମିର ଆବଶ୍ୟକତାକୁ ଉଠାଇ ଦିଆଯାଇଛି । ସେହିଭଳି ସଂପୃକ୍ତ ମେଡିକାଲ କଲେଜ ସହିତ ସହବନ୍ଧିତ ଟିଚିଂ ହସ୍ପିଟାଲ୍ସଗୁଡିକର ନିର୍ଦ୍ଧାରିତ ଜମି ଆବଶ୍ୟକତା ରହିବ ନାହିଁ । ସଂପୃକ୍ତ ହସ୍ପିଟାଲଗୁଡିକର ସମସ୍ତ ଭବନ ନିର୍ମାଣ ନିର୍ଦ୍ଧାରିତ ନିୟମ ଅନୁସାରେ ହେବା ଉଚିତ । ଏହି ବିଜ୍ଞପ୍ତିରେ ଆହୁରି ମଧ୍ୟ ସବୁ ମେଡିକାଲ କଲେଜରେ ଛାତ୍ରଭିତ୍ତିକ ଇଲାକା (ଷ୍ଟୁଡେଣ୍ଟସ୍ ସେଣ୍ଟ୍ରିକ୍ ସ୍ପେସ୍) କେତେ ରହିବ ତାହାର ସର୍ବନିମ୍ନ ଆବଶ୍ୟକତାକୁ ଧାର୍ଯ୍ୟ କରାଯାଇଛି । ତଦନୁସାରେ ନୂଆ ମେଡିକାଲ କଲେଜର କାର୍ଯ୍ୟକାରୀ ଇଲାକା କେତେ ହେବ ତାହା ମଧ୍ୟ ନିର୍ଦ୍ଧାରିତ ହୋଇଛି । ନୂଆ ନିୟମରେ ଯେଉଁ ମାନ ନିର୍ଦ୍ଧାରଣ କରାଯାଇଛି ସେଥିରେ ସବୁ ମେଡିକାଲ କଲେଜରେ ଉପଲବ୍ଧ ସବୁ ବିଭାଗର ଶିକ୍ଷାଦାନ ଇଲାକାକୁ ହିସାବକୁ ନିଆଯିବ । ପୂର୍ବରୁ ଏହା ସବୁ ବିଭାଗ ପାଇଁ ଭିନ୍ନ ଭିନ୍ନ ଥିଲା ଏବଂ ଏହି ସୁବିଧାକୁ ଏକକଭାବେ ହିସାବକୁ ନିଆଯାଉ ନ ଥିଲା । ନୂଆ ବ୍ୟବସ୍ଥାରେ ମେଡିକାଲ କଲେଜର ସମସ୍ତ ପାଠପଢା ସ୍ଥାନ ଇ-ଲର୍ଣ୍ଣିଂ ପାଇଁ ଉପଲବ୍ଧ ହେବ ଏବଂ ପରସ୍ପର ପରସ୍ପର ସହିତ ଡିଜିଟାଲ ବ୍ୟବସ୍ଥାରେ ସଂଯୁକ୍ତ ହେବେ ।
ନୂଆ ନିୟମ ଅନୁସାରେ ଏକ ସ୍ୱୟଂ ସଂପୂର୍ଣ୍ଣ ସ୍କିଲ ଲାବରେଟୋରୀ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବା ପାଇଁ ଅପରିହାର୍ଯ୍ୟ ହୋଇଛି । ସେହିଭଳି ମେଡିକାଲ ଶିକ୍ଷକମାନଙ୍କୁ ତାଲିମ ଦେବା ପାଇଁ ନୂଆ ବ୍ୟବସ୍ଥାରେ ମେଡିକାଲ ଶିକ୍ଷା ୟୁନିଟ ଗଠନ ବ୍ୟବସ୍ଥା କରାଯାଇଛି । ଏହାଛଡା ଲାଇବ୍ରେରୀ ପାଇଁ ଆବଶ୍ୟକ ସ୍ଥାନ ଏବଂ ଏଥିରେ ପୁସ୍ତକ ଓ ପତ୍ରପତ୍ରିକା କେତେ ରହିବ ତାହାକୁ ମଧ୍ୟ ପୂର୍ବାପେକ୍ଷା ହ୍ରାସ କରାଯାଇ ଯୁକ୍ତିଯୁକ୍ତ କରାଯାଇଛି । ନୂଆ ବ୍ୟବସ୍ଥାରେ ଷ୍ଟୁଡେଣ୍ଟ କାଉନ୍ସେଲିଂ ସେବା ବାଧ୍ୟତାମୂଳକ ହୋଇଛି । ସଂପ୍ରତି ଡାକ୍ତରୀ ଛାତ୍ରଛାତ୍ରୀ ଓ ରେସିଡେଣ୍ଟ ଡାକ୍ତରମାନଙ୍କ ମଧ୍ୟରେ ମାନସିକ ଚାପ ବଢୁଥିବାରୁ ତାହାର ନିରାକରଣ ପାଇଁ ଏହି ସେବା ପ୍ରବର୍ତ୍ତନର ବ୍ୟବସ୍ଥା ହୋଇଛି । ମେଡିକାଲ ଟ୍ରେନିଂ କ୍ଷେତ୍ରରେ ଉତ୍ତମଭାବେ କାର୍ଯ୍ୟ କରୁଥିବା ଏକ ହସ୍ପିଟାଲର ଭୂମିକାକୁ ନୂଆ ନିୟମରେ ଯଥୋଚିତ ମାନ୍ୟତା ପ୍ରଦାନ କରାଯାଇଛି । ତଦନୁସାରେ 300 ଶଯ୍ୟା ବିଶିଷ୍ଟ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆବେଦନ କଲେ ଆବେଦନକାରୀଙ୍କୁ 2 ବର୍ଷ ମଧ୍ୟରେ ଏହିସବୁ ସୁବିଧା ଓ ଭିତ୍ତିଭୂମି ପୂରଣ କରିବାର ବ୍ୟବସ୍ଥା ରହିଛି । ପୂର୍ବ ନିୟମରେ ଏଭଳି ହସ୍ପିଟାଲ ପ୍ରତିଷ୍ଠା ପାଇଁ ସମୟସମୀ ଧାର୍ଯ୍ୟ କରାଯାଇ ନ ଥିଲା । ଟିଚିଂ ହସ୍ପିଟାଲରେ ବିଭିନ୍ନ ବିଭାଗରେ ଆବଶ୍ୟକ ହେଉଥିବା ଶଯ୍ୟାକୁ ଯୁକ୍ତିଯୁକ୍ତ କରାଯାଇଛି । ଏହା ବାର୍ଷିକ ଡାକ୍ତରୀ ଛାତ୍ରଛାତ୍ରୀ ଗ୍ରହଣ, କ୍ଲିନିକାଲ ସ୍ପେଶାଲିଟିସ୍ ପାଇଁ ବିନିଯୋଗ ହେଉଥିବା ପାଠପଢା ସମୟ ଆଦି ସହିତ ସଂଯୁକ୍ତ ହୋଇଛି । ଏହାଛଡା ଏଭଳି ମେଡିକାଲ କଲେଜରେ ସର୍ବନିମ୍ନ ଆବଶ୍ୟକ ଡାକ୍ତରୀ ଉପକରଣର ସୀମା ମଧ୍ୟ ହ୍ରାସ କରାଯାଇଛି । ଆବଶ୍ୟକସ୍ଥଳେ ଅଣ୍ଡର ଗ୍ରାଜୁଏଟ ମେଡିକାଲ ଟ୍ରେନିଂ ପାଇଁ ପୂର୍ବାପେକ୍ଷା 10 ଶତାଂଶ ଟିଚିଂ ବେଡ୍ର ବ୍ୟବସ୍ଥା କମ୍ ହୋଇଛି ।
ଟିଚିଂ ଫାକଲ୍ଟିର ସଂଖ୍ୟାକୁ ମଧ୍ୟ ଯୁକ୍ତିଯୁକ୍ତ କରାଯାଇଛି । ନୂଆ ନିୟମରେ ସର୍ବନିମ୍ନ ନିର୍ଦ୍ଧାରିତ ଫାକଲ୍ଟି ସହିତ ଭିଜିଟିଂ ଫାକଲ୍ଟି ବ୍ୟବସ୍ଥା କରାଯାଇ ଟ୍ରେନିଂର ମାନ ବୃଦ୍ଧି ପାଇଁ ବ୍ୟବସ୍ଥା ରହିଛି । ଅଣ୍ଡର ଗ୍ରାଜୁଏଟ ମେଡିକାଲ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ ପାଇଁ ନୂଆ ବ୍ୟବସ୍ଥାରେ ସବୁ ମେଡିକାଲ କଲେଜ ପାଇଁ ଦୁଇଟି ନୂଆ ଟିଚିଂ ଡିପାର୍ଟମେଣ୍ଟ ବାଧ୍ୟତାମୂଳକ କରାଯାଇଛି । ସେ ଦୁଇଟି ହେଲା ଏମର୍ଜେନ୍ସି ମେଡିକାଲ ବିଭାଗ ଓ ଫିଜିକାଲ ମେଡିସିନ ଏବଂ ରିହାବିଲିଟେସନ ବିଭାଗ । ଆଗରୁ ଏମ୍ର୍ଜେନ୍ସି ମେଡିକାଲ ବିଭାଗଟି କାଜୁଆଲ୍ଟି ବିଭାଗଭାବେ ପରିଚିତ ଥିଲା । ଏହି ନୂଆ ବିଭାଗଟି ରୋଗୀଙ୍କୁ ତୁରନ୍ତ ସେବା ଯୋଗାଇଦେବ । ଏହାଛଡା ଏହି ବିଭାଗ ସେମାନଙ୍କ ଜୁରୁରୀ ଚିକିତ୍ସା ଆବଶ୍ୟକତା ଅନୁସାରେ ତୁରନ୍ତ ଓ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବ । ବିଶେଷ କରି ଟ୍ରମା କ୍ଷେତ୍ରରେ ରୋଗୀଙ୍କ ଚିକିତ୍ସାକୁ ଅଗ୍ରାଧିକାର ଦିଆଯିବ । ସେହିଭଳି ବାଧ୍ୟତାମୂଳକ ଅନ୍ୟ ବିଭାଗଟି ହେଲା ଫିଜିକାଲ ମେଡିସିନ ଓ ରିହାବିଲିଟେସନ । ଯେଉଁ ରୋଗୀମାନେ ପୂର୍ଣ୍ଣାଙ୍ଗ ଥଇଥାନ ଚିକିତ୍ସା ଓ ଯତ୍ନ ଲୋଡୁଛନ୍ତି ଏହି ବିଭାଗ ସେମାନଙ୍କର ଆବଶ୍ୟକତା ପୂରଣ କରିବ । ନୂଆ ନିୟମରେ ‘ଡିଜାଏରେବଲ’ ଓ ‘ଆସ୍ପିରେସନେବୁଲ’ ଲକ୍ଷ୍ୟକୁ ଗୁରୁତ୍ୱ ଦିଆଯାଇଛି । ସର୍ବନିମ୍ନ ଆବଶ୍ୟକତା ବାହାରେ ଏହି ଦୁଇଟି ବିଷୟ ରହିଛି । ମେଡିକାଲ କଲେଜ ଓ ହସ୍ପିଟାଲ ଭଳି ଅନୁଷ୍ଠାନର ଉତ୍କର୍ଷ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି ଦୁଇଟି ମାନ ନୂଆ ନିୟମରେ ଯୋଡା ଯାଇଛି । ଜାତୀୟ ମେଡିକାଲ କମିଶନ ଦେଶର ମେଡିକାଲ ପ୍ରତିଷ୍ଠାନଗୁଡିକର ରେଟିଂ ନିର୍ଦ୍ଧାରଣ କରିବା ସମୟରେ ଏସବୁ ବିଷୟବସ୍ତକୁ ବିଚାରକୁ ନେବ ।
**********
(Release ID: 1669189)
Visitor Counter : 301
Read this release in:
Assamese
,
English
,
Urdu
,
Hindi
,
Marathi
,
Bengali
,
Manipuri
,
Punjabi
,
Tamil
,
Telugu
,
Kannada
,
Malayalam