ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜରାଟରେ 3ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

• ଗୁଜରାଟ କୃଷକଙ୍କ ପାଇଁ ଆରମ୍ଭ ହେଲା ‘କିଷାନ ସୂର୍ଜ୍ୟୋଦୟ’ ଯୋଜନା
• ୟୁଏନ୍‌ ମେହେତା ହୃଦ୍‌ରୋଗ ଓ ଗବେଷଣା ପ୍ରତିଷ୍ଠାନ ସହ ସଂଯୁକ୍ତ ଶିଶୁ ହୃଦ୍‌ରୋଗ ହସ୍ପିଟାଲ ଲୋକାର୍ପିତ
• ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗିର୍‌ନାରରେ ଉଦ୍ଘାଟିତ ହେଲା ରୋପୱେ

Posted On: 24 OCT 2020 2:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଗୁଜରାଟରେ 3ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦ୍ୱାରା ଗୁଜରାଟର ଚାଷୀମାନଙ୍କ ପାଇଁ କିଷାନ ସୂର୍ଜ୍ୟୋଦୟ ଯୋଜନା ଉଦ୍ଘାଟିତ ହୋଇଛି । ଏହି ଯୋଜନାରେ ଚାଷୀମାନଙ୍କୁ 16 ଘଣ୍ଟା ପର୍ଯ୍ୟନ୍ତ ଦୈନିକ ବିଜୁଳି ଯୋଗାଇ ଦିଆଯିବ । ସେ ମଧ୍ୟ ୟୁଏନ୍‌ ମେହେତା ହୃଦ୍‌ରୋଗ ଓ ଗବେଷଣା ପ୍ରତିଷ୍ଠାନ ସହିତ ସଂଯୁକ୍ତ ଥିବା ଏକ ଶିଶୁ ହୃଦ୍‌ ଚିକିତ୍ସାଳୟକୁ ଉଦ୍ଘାଟନ କରିଛନ୍ତି । ଏହା ସହିତ ଟେଲି କାର୍ଡିଓଲଜି ସେବା ଯୋଗାଣ ପାଇଁ ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଏକ ମୋବାଇଲ ଆପ୍ଳିକେସନର ଶୁଭାରମ୍ଭ କରିଛନ୍ତି । ଏହାଛଡା ଗିରନାରଠାରେ ନବନିର୍ମିତ ଏକ ରଜୁପଥ ବା ରୋପୱେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜରାଟ ସବୁବେଳେ ସାଧାରଣ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ସେବା ଯୋଗାଣ ଏବଂ ଏ ଦିଗରେ ସଂକଳ୍ପ ନେଇ କାର୍ଯ୍ୟ କରିବାରେ ଏକ ଉଦାହରଣ ଓ ଆଦର୍ଶ ହୋଇ ରହିଆସିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ସୁଜଳାମ୍‌, ସୁଫଳାମ୍‌ ଓ ସାଉନି ଯୋଜନା ପରେ କିଷାନ ସୂର୍ଜ୍ୟୋଦୟ ଯୋଜନା କାର୍ଯ୍ୟକାରୀ କରି କୃଷକମାନଙ୍କ ଆବଶ୍ୟକତା ପୂରଣ ପାଇଁ ଗୁଜରାଟ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ସେ କହିଛନ୍ତି ଯେ ଗୁଜରାଟ ସରକାର ଦୀର୍ଘଦିନ ଧରି ବିଦ୍ୟୁତ ଶକ୍ତି କ୍ଷେତ୍ରରେ ଯେଉଁ ଭଲ କାମ କରିଆସୁଥିଲେ ତାହାରି ଆଧାରରେ ଏହି ନୂଆ ଯୋଜନା କାର୍ଯ୍ୟକାରୀ ହୋଇଛି । ଶକ୍ତି ଉତ୍ପାଦନଠାରୁ ଏହାର ପରିବହନ ଓ ସଞ୍ଚାଳନ ଆଦି  ଯାବତୀୟ କାର୍ଯ୍ୟ ମିଶନ ମୋଡରେ କାର୍ଯ୍ୟକାରୀ ହୋଇ ରାଜ୍ୟର ଦକ୍ଷତା ବୃଦ୍ଧି ଘଟାଇଛି । ସେ କହିଛନ୍ତି 2010ରେ ଯେତେବେଳେ ଗୁଜରାଟର ପତନଠାରେ ସୌରଶକ୍ତି କେନ୍ଦ୍ର ପ୍ରଥମେ ଉଦ୍‌ଘାଟିତ ହୋଇଥିଲା ସେତେବେଳେ କେହି ବିଶ୍ୱାସ କରିନଥିଲେ ଯେ ଭାରତ ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ ଓ ଗୋଟିଏ ଗ୍ରୀଡ୍‌ ବ୍ୟବସ୍ଥା ଜଗତକୁ ଦେଖାଇବ । ସୌରଶକ୍ତି ଉତ୍ପାଦନ ଏବଂ ଏହାର ଦ୍ରୁତ ସଂପ୍ରସାରଣ ତଥା ବିନିଯୋଗ କ୍ଷେତ୍ରରେ ଗତ କେଇବର୍ଷ ମଧ୍ୟରେ ଉଲ୍ଲେଖନୀୟ କାର୍ଯ୍ୟକରି ଭାରତ ଏବେ ବିଶ୍ୱରେ 5ମ ସ୍ଥାନ ଅଧିକାର କରିଛି । ସୌରଶକ୍ତି ବିନିଯୋଗ କ୍ଷେତ୍ରରେ ଭାରତର ଏଭଳି ପ୍ରଗତିକୁ ସେ ପ୍ରଶଂସା କରିଛନ୍ତି ।

କିଷାନ ସୂର୍ଜ୍ୟୋଦୟ ଯୋଜନା ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ଅଧିକାଂଶ ଚାଷୀ ଜଳସେଚନ ପାଇଁ କେବଳ ରାତିରେ ବିଜୁଳି ଶକ୍ତି ପାଉଥିଲେ । ସେଥିପାଇଁ ତାଙ୍କୁ ରାତି ଅନିଦ୍ରା ହେବାକୁ ପଡୁଥିଲା । ଗିର୍‌ନାର ଏବଂ ଜୁନାଗଡରେ ଚାଷୀମାନେ ରାତିରେ ହିଂସ୍ରଜନ୍ତୁଙ୍କ ଆକ୍ରମଣ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଥିଲେ । କିଷାନ ସୂର୍ଜ୍ୟୋଦୟ ଯୋଜନା ଜରିଆରେ ଏଣିକି  ଚାଷୀ ଦିନରେ 3 ଫେଜ୍‌ ବିଶିଷ୍ଟ ବିଜୁଳି ଶକ୍ତି ପାଇବେ । ଏହା ସକାଳ 5ଟାରୁ ରାତି 9ଟା ପର୍ଯ୍ୟନ୍ତ ସେମାନଙ୍କୁ ଯୋଗାଇ ଦିଆଯିବ । ଏହି ବିଜୁଳି ଶକ୍ତି ଯୋଗାଣ ସେମାନଙ୍କ ଜୀବନରେ ନୂଆ ସୂର୍ଜ୍ୟୋଦୟ ଆଣିବ ।

ଏହି କାର୍ଯ୍ୟ ପାଇଁ ଗୁଜରାଟ ସରକାର ଏକ ପୂର୍ଣ୍ଣାଙ୍ଗ ନୂତନ ବିଜୁଳି ସଂଚାଳନ, ଦକ୍ଷତା ନିର୍ମାଣ କରିଥିବାରୁ ସେ ତାହାକୁ ପ୍ରଶଂସା କରିଥିଲେ । ଏହା ଫଳରେ ଚାଷୀ ଦିନବେଳା ବିଜୁଳି ପାଇବା ସହିତ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଶକ୍ତି ଯୋଗାଣର କୌଣସି କୁପ୍ରଭାବ ପଡିବ ନାହିଁ । ଏହି ଯୋଜନାରେ ପ୍ରାୟ 35 ହଜାର ସର୍କିଟ କିଲୋମିଟର ଟ୍ରାନ୍ସମିଶନ ଲାଇନ ଆଗାମୀ 2-3 ବର୍ଷରେ ବିଛାଯିବ ଓ ଆଗାମୀ  ଦିନରେ ଏହା 1 ହଜାରରୁ ଅଧିକ ଗ୍ରାମରେ କାର୍ଯ୍ୟକାରୀ ହେବ । ଯେଉଁସବୁ ଗ୍ରାମ ଏହି ଯୋଜନା ଦ୍ୱାରା ବିଶେଷ ଉପକୃତ ହେବେ ସେଗୁଡିକ ମଧ୍ୟରେ ଅଧିକାଂଶ ଆଦିବାସୀବହୁଳ ଅଞ୍ଚଳରେ ଅବସ୍ଥିତ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଉଦ୍ୟମ ଦ୍ୱାରା ଯେତେବେଳେ ସମଗ୍ର ଗୁଜରାଟ ବିଜୁଳି ଶକ୍ତି ପାଇବ ତଦ୍ଦ୍ୱାରା ଲକ୍ଷ ଲକ୍ଷ ଚାଷୀଙ୍କ ଜୀବନ ବଦଳିଯିବ ।

ପରିବର୍ତ୍ତିତ ସମୟର ଆବଶ୍ୟକତା ପୂରଣ ପାଇଁ ନିରନ୍ତର କାର୍ଯ୍ୟ ଜାରି ରଖିବାକୁ ସେ ଆହ୍ୱାନ ଜଣାଇଛନ୍ତି । ବିଶେଷକରି ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା, କୃଷି କ୍ଷେତ୍ରରେ ଚାଷୀ ଖର୍ଚ୍ଚ କରୁଥିବା ଅର୍ଥକୁ କମ୍‌ କରିବା ଏବଂ ସେମାନଙ୍କ ସମସ୍ୟାବଳୀ ସମାଧାନ ଦିଗରେ କାର୍ଯ୍ୟକରି ସେମାନଙ୍କ ସ୍ଥିତିରେ ଉନ୍ନତି ଆଣିବାକୁ ସେ ପରାମର୍ଶ ଦେଇଛନ୍ତି । ଚାଷୀମାନଙ୍କର ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଦେଶରେ ହଜାର ହଜାର ସଂଖ୍ୟକ ଏଫ୍‌ପିଓ ଗଠନ, ୟୁରିଆ ସାରରେ ନିମକୋଟିଂ, ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଆଦି ସଂପର୍କରେ ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ କୁସୁମ ଯୋଜନାରେ ଏଫ୍‌ପିଓ, ପଞ୍ଚାୟତ ଓ ଅନ୍ୟ କେତେକ ପ୍ରତିଷ୍ଠାନ ଏବେ ପଡିଆ ଜମିରେ ସୌରଶକ୍ତି କେନ୍ଦ୍ର ସ୍ଥାପନ ପାଇଁ ସହାୟତା ଯୋଗାଉଛନ୍ତି । ଚାଷୀଙ୍କ ପାଣିପମ୍ପ ଏହିସବୁ ସୌରଶକ୍ତି କେନ୍ଦ୍ର ସହିତ ସଂଯୁକ୍ତ ହେବ । ସେ କହିଛନ୍ତି ଯେ ଏହିସବୁ କେନ୍ଦ୍ରରୁ ଉତ୍ପାଦିତ ବିଦ୍ୟୁତ ଶକ୍ତିକୁ ଚାଷୀମାନେ ସେମାନଙ୍କ ଜଳସେଚନ କାର୍ଯ୍ୟରେ ବିନିଯୋଗ କରିବା ସହିତ ବଳକା ଶକ୍ତିକୁ ସରକାରଙ୍କୁ ବିକ୍ରି କରିବେ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ବିଦ୍ୟୁତ ଶକ୍ତି ସହିତ ଗୁଜରାଟ ଜଳସେଚନ ଏବଂ ପାନୀୟଜଳ ଯୋଗାଣ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଛି । ଗୋଟିଏ ସମୟ ଥିଲା ପାଣି ମୁନ୍ଦିଏ ପାଇବା ପାଇଁ ଲୋକଙ୍କୁ ନାହିଁ ନ ଥିବା କଷ୍ଟ ସ୍ୱୀକାର କରିବାକୁ ପଡୁଥିଲା । ଏବେ ରାଜ୍ୟର ସବୁ ଜିଲାକୁ ପାଣି ପହଞ୍ଚି ପାରିଛି । ଯେଉଁଠି ପିଇବା ପାଣିର ସୁବିଧା କରିବା କଳ୍ପନାତୀତ ଥିଲା ଏବେ ସେଠାରେ ପାଣି, ବିଜୁଲି ପହଞ୍ଚିଛି । ସର୍ଦାର ସରୋବର ପ୍ରକଳ୍ପ ଏବଂ ଅନ୍ୟାନ୍ୟ ୱାଟର ଗ୍ରୀଡ୍‌, ଯାହା ରାଜ୍ୟର ମରୁଡିପ୍ରବଣ ଅଞ୍ଚଳରେ ଜଳ ପହଞ୍ଚାଇବାରେ ସହାୟକ ହୋଇଛି ସେଗୁଡିକ ଗର୍ବ ଓ ଗୌରବର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରାଜ୍ୟର 80 ଶତାଂଶ ପରିବାର ଏବେ ପାଇପ ଯୋଗେ ନିଜ ଘରକୁ ପିଇବା ପାଣି ନେବାର ସୁଯୋଗ ପାଇଛନ୍ତି । ଖୁବ୍‌ଶୀଘ୍ର ରାଜ୍ୟରେ ପାଇପ ଯୋଗେ ସବୁ ଘରକୁ ପାନୀୟଜଳ ସଂଯୋଗ ବ୍ୟବସ୍ଥା କରିବାରେ ଗୁଜରାଟ ଦେଶର ପ୍ରଥମ ରାଜ୍ୟ ହେବ ବୋଲି ସେ କହିଛନ୍ତି । ସେ ଚାଷୀମାନଙ୍କୁ ପ୍ରତିବୁନ୍ଦା ପାଣି ବିନିଯୋଗ କରି ଅଧିକ ଶସ୍ୟ ଉତ୍ପାଦନ କରିବା ମନ୍ତ୍ର ସଂପର୍କରେ ସ୍ମରଣ କରାଇ ଦେଇ କହିଛନ୍ତି ଯେ କିଷାନ ସୂର୍ଜ୍ୟୋଦୟ ଯୋଜନା ଏହି କ୍ଷେତ୍ରରେ ନୂଆ ସୁଯୋଗ ଆଣିଛି । ଚାଷୀମାନେ ପ୍ରତିବୁନ୍ଦା ପାଣିର ସଦ୍‌ବିନିଯୋଗ କରି ଅଧିକରୁ ଅଧିକ ଉତ୍ପାଦନ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ ଦିନ ସମୟରେ ଶକ୍ତି ଯୋଗାଣ ଚାଷୀଙ୍କୁ କ୍ଷୁଦ୍ର ଜଳସେଚନ ସୁବିଧା ସୃଷ୍ଟି କରିବାକୁ ସୁଯୋଗ ଦେବ । କିଷାନ ସୂର୍ଜ୍ୟୋଦୟ ଯୋଜନା ରାଜ୍ୟରେ ଏଭଳି ଜଳସେଚନ ବ୍ୟବସ୍ଥାର ସଂପ୍ରସାରଣରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଆଜି ସେ ଉଦ୍‌ଘାଟନ କରିଥିବା ଶିଶୁ ହୃଦ୍‌ରୋଗ କେନ୍ଦ୍ର ସଂପର୍କରେ ସୂଚନା ଦେବାକୁ ଯାଇ କହିଥିଲେ ଯେ ଏହା ୟୁଏନ୍‌ ମେହେତା ହୃଦ୍‌ରୋଗ ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ ସହ ସଂଯୁକ୍ତ ହୋଇଛି । ୟୁଏନ୍‌ ମେହେତା ହୃଦ୍‌ରୋଗ ପ୍ରତିଷ୍ଠାନ ଦେଶର ଅଳ୍ପ କେତେକ ହୃଦ୍‌ ଚିକିତ୍ସା କେନ୍ଦ୍ର ମଧ୍ୟରେ ଅନ୍ୟତମ; ଯେଉଁଠି ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ଆଧୁନିକ ସ୍ୱାସ୍ଥ୍ୟସେବା ସୁବିଧା ରହିଛି । ଏହା ଭାରତର ସର୍ବବୃହତ୍‌ ହୃଦ୍‌ରୋଗ ପ୍ରତିଷ୍ଠାନରେ ପରିଣତ ହେବାକୁ ଯାଉଛିପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜରାଟ ସରକାର ଆଧୁନିକ ହସ୍ପିଟାଲ, ମେଡିକାଲ କଲେଜ ସହିତ ପ୍ରତ୍ୟେକ ଗ୍ରାମକୁ ସଂଯୋଗ କରି ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଯେଉଁ ନେଟୱାର୍କ କରିଛନ୍ତି ତାହା ପ୍ରଶଂସନୀୟ । ଆୟୁଷ୍ମାନ ଭାରତ ଯୋଜନାରେ ଗୁଜରାଟର 21 ଲକ୍ଷ ଲୋକ ମୁକ୍ତ ଚିକିତ୍ସା ସେବା ପାଇଥିବା ସେ କହିଛନ୍ତି । ରାଜ୍ୟରେ 525ରୁ ଅଧିକ ଜନଔଷଧୀ କେନ୍ଦ୍ର ଦ୍ୱାରା ଲୋକଙ୍କୁ ସ୍ୱଳ୍ପମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି । ଏହା ଫଳରେ ସାଧାରଣ ଲୋକ ପ୍ରାୟ 100 କୋଟି ଟଙ୍କା ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଗିର୍‌ନାର ପର୍ବତ ମାଅମ୍ବେଙ୍କ ନିବାସ ସ୍ଥଳ । ଏଥିରେ ଗୋରଖନାଥ ଶୃଙ୍ଗ, ଗୁରୁ ଦତ୍ତାତ୍ରେୟ ଶୃଙ୍ଗ ଓ ଏକ ଜୈନ ମନ୍ଦିର ରହିଛି । ଏହି ପର୍ବତରେ ବିଶ୍ୱସ୍ତରୀୟ ରଜ୍ଜୁପଥ (ରୋପୱେ) ଉଦ୍‌ଘାଟିତ ହେବା ପରେ ଅଧିକରୁ ଅଧିକ ଭକ୍ତ ଓ ପର୍ଯ୍ୟଟକ ଏଠାକୁ ଆସିବେ । ସେ କହିଛନ୍ତି ଯେ ବନସ୍‌କଣ୍ଟା, ପାବାଗଡ଼ ଓ ସାତପୁରା ପରେ ଏହା ରାଜ୍ୟର ଚତୁର୍ଥ ରୋପୱେ । ଏହି ରଜ୍ଜୁପଥ ଏବେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ରୋଜଗାର ସୁଯୋଗ ଯୋଗାଇବ । ଲୋକଙ୍କୁ ବିଶେଷ ସୁବିଧା ସୁଯୋଗ ଯୋଗାଉଥିବା ଏଭଳି ବ୍ୟବସ୍ଥା ଯେତେବେଳେ ଦୀର୍ଘ ସମୟ ଧରି ଅଟକି ରହେ ସେତେବେଳେ ଲୋକେ କି ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେ ସଂପର୍କରେ ଉଲ୍ଲେଖ କରିଥିଲେ । ପର୍ଯ୍ୟଟନ ସ୍ଥଳୀଗୁଡିକର ବିକାଶ ଦ୍ୱାରା ଲୋକେ କିପରି ଆର୍ଥିକ ଲାଭ ପାଇଥାନ୍ତି ତାହା ସେ କହିଥିଲେ । ନିକଟରେ ବ୍ଲୁ ଫ୍ଲାଗ ମାନ୍ୟତା ପାଇଥିବା ଶିବରାଜପୁର ବେଳାଭୂମି ଓ ଷ୍ଟାଚ୍ୟୁ ଅଫ୍‌ ୟୁନିଟ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାଦ୍ୱାରା ସେହି ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ପାଇଁ ବେଶ୍‌ ଭଲ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ଅବସରରେ ସେ ଅହମ୍ମଦାବାଦର କଙ୍କଡିଆ ହ୍ରଦର ଉଦାହରଣ ଦେଇଥିଲେ । ସେ କହିଥିଲେ ଗୋଟିଏ ସମୟ ଥିଲା ଏହି ହ୍ରଦ ଆଡକୁ କେହି ଚାହୁଁ ନ ଥିଲେ । ଏହି ହ୍ରଦର ପୁନରୁଦ୍ଧାର ପରେ ଏବେ ବାର୍ଷିକ ପ୍ରାୟ 75 ଲକ୍ଷ ଲୋକ ସେଠାକୁ ଯାଉଛନ୍ତି । ଫଳରେ ଏହା ଏକ ରାଜସ୍ୱ ଉତ୍ସରେ ପରିଣତ ହେବା ସହିତ ଅନେକ ଲୋକଙ୍କୁ ରୋଜଗାର ପନ୍ଥା ଯୋଗାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ପର୍ଯ୍ୟଟନ ଏଭଳି ଏକ କ୍ଷେତ୍ର ଯେଉଁଠି କମ୍‌ ଅର୍ଥ ବିନିଯୋଗରେ ଅଧିକ ନିଯୁକ୍ତି ସୃଷ୍ଟି ହୁଏ । ଗୁଜରାଟ ଏବଂ ବିଦେଶରେ ଥିବା ଗୁଜରାଟୀମାନେ ପର୍ଯ୍ୟଟନ ଦୂତଭାବେ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁରୁତ୍ୱ ସଂପର୍କରେ ଅଧିକ ପ୍ରଚାର ପ୍ରସାର କରି ଏହି କ୍ଷେତ୍ରରେ ବିକାଶରେ ସହାୟକ ହେବାକୁ ସେ ନିବେଦନ କରିଛନ୍ତି ।

ପୃଷ୍ଠଭୂମି: କିଷାନ ସୂର୍ଜ୍ୟୋଦୟ ଯୋଜନା

ଏହି କାର୍ଯ୍ୟକ୍ରମଟି ଗୁଜରାଟର ଚାଷୀମାନଙ୍କୁ ଦିନ ସମୟରେ ଜଳସେଚନ ପାଇଁ ଶକ୍ତି ଯୋଗାଇବ । ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ନିକଟ ଅତୀତରେ ଏହି ଯୋଜନା ସଂପର୍କରେ ଘୋଷଣା କରିଥିଲେ । ଏହି ଯୋଜନାରେ ଚାଷୀମାନେ ସକାଳ 5ଟାରୁ ରାତି 9ଟା ପର୍ଯ୍ୟନ୍ତ ବିଜୁଳି ଶକ୍ତି ପାଇବେ । କୃଷି କ୍ଷେତ୍ରକୁ 3 ଫେଜ୍‌ ବିଶିଷ୍ଟ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ । ଏହି ଯୋଜନାରେ ଟ୍ରାନ୍ସମିଶନ ଭିତ୍ତିଭୂମି ନିର୍ମାଣ ପାଇଁ ରାଜ୍ୟ ସରକାର ବଜେଟରେ 3500 କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । 2023 ସୁଦ୍ଧା  ଯୋଜନାର କାର୍ଯ୍ୟ ସଂପୂର୍ଣ୍ଣ ହେବ । ଏଥିରେ 234ଟି 66 କିଲୋୱାଟ ଟ୍ରାନ୍ସମିଶନ ଲାଇନ ନିର୍ମାଣ କରାଯିବ ଏବଂ ଏହାର ମୋଟ ଦୈର୍ଘ୍ୟ ହେବ 3490 ସର୍କିଟ କିଲୋମିଟର । ଏହାଛଡା ଏହି ଯୋଜନାରେ 220 କେଭି ସବ୍‌ଷ୍ଟେସନ ମଧ୍ୟ ପ୍ରତିଷ୍ଠା କରାଯିବ । ଦାହୋଡ, ପତନ, ମହୀସାଗର, ପଞ୍ଚମହଲ୍‌, ଛୋଟାଉଦୟପୁର, ଖେଡା, ତାପି, ବାଲ୍‌ସାଦ, ଆନନ୍ଦ ଏବଂ ଗିର-ସୋମନାଥ ଆଦି ଜିଲାକୁ ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷ ପାଇଁ ସଂପୃକ୍ତ କରାଯାଇଛି । ରାଜ୍ୟର ଅନ୍ୟାନ୍ୟ ଜିଲାଗୁଡିକୁ ପର୍ଯ୍ୟାୟକ୍ରମେ 2022-23 ଆର୍ଥିକ ବର୍ଷ ସୁଦ୍ଧା କିଷାନ ସୂର୍ଜ୍ୟୋଦୟ ଯୋଜନାର ଅନ୍ତର୍ଭୁକ୍ତ କରାଯିବ ।

ଶିଶୁ ହୃଦ୍‌ରୋଗ ହସ୍ପିଟାଲ

ଆଜି ପ୍ରଧାନମନ୍ତ୍ରୀ ୟୁଏନ୍‌ ମେହେତା ହୃଦ୍‌ରୋଗ ଚିକିତ୍ସା ଓ ଗବେଷଣା କେନ୍ଦ୍ରର ଶିଶୁ ହୃଦ୍‌ରୋଗ ହସ୍ପିଟାଲ ତଥା ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଏକ ମୋବାଇଲ ଆପ୍ଲିକେସନ ବ୍ୟବସ୍ଥା ଉଦ୍ଘାଟନ କରିଛନ୍ତି । ଏହି ମୋବାଇଲ ଆପ୍‌ ମାଧ୍ୟମରେ ଅହମ୍ମଦାବାଦ ସିଭିଲ ହସ୍ପିଟାଲରୁ ଟେଲି କାର୍ଡିଓଲୋଜି ସୁବିଧା ଉପଲବ୍ଧ ହେବ ।

ୟୁଏନ ମେହେତା ପ୍ରତିଷ୍ଠାନ ଏବେ ଭାରତର ସର୍ବବୃହତ୍‌ ହୃଦ୍‌ରୋଗ ଚିକିତ୍ସା ପ୍ରତିଷ୍ଠାନ ହେବାକୁ ଯାଉଛିଏହାଛଡା ଏହା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ହସ୍ପିଟାଲ; ଯେଉଁଠି ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଓ ଭିତ୍ତିଭୂମି ରହିଛି । ଏହି ହସପିଟାଲର ସଂପ୍ରସାରଣ କାର୍ଯ୍ୟ 470 କୋଟି ଟଙ୍କା ବ୍ୟୟରେ କରାଯାଉଛି । ଏବେ ଏଠାରେ 450 ଶଯ୍ୟା ରହିଛି । ସଂପ୍ରସାରଣ ପରେ ତାହା 1251କୁ ବୃଦ୍ଧି ପାଇବ । ଏହି ଚିକିତ୍ସା ଅନୁଷ୍ଠାନ ମଧ୍ୟ ବିଶ୍ୱର ସର୍ବବୃହତ୍‌ ଏକକ ସୁପର ସ୍ପେଶାଲିଟି ହୃଦ୍‌ରୋଗ ଚିକିତ୍ସା ପ୍ରତିଷ୍ଠାନରେ ପରିଣତ ହେବ ଏବଂ ବିଶ୍ୱସ୍ତରରେ ମଧ୍ୟ ଅନ୍ୟତମ ଶ୍ରେଷ୍ଠ ସୁପର ସ୍ପେଶାଲିଟି ହୃଦ୍‌ରୋଗ ଚିକିତ୍ସା ପ୍ରତିଷ୍ଠାନର ମାନ୍ୟତା ପାଇବ ।

ଏହି ହସ୍ପିଟାଲ ପାଇଁ ଯେଉଁ ଭବନ ନିର୍ମାଣ ହୋଇଛି, ସେଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ଏହାଛଡା ଭୂମିକମ୍ପ ନିରୋଧୀ ବ୍ୟବସ୍ଥା ଏଥିରେ ଅଛି । ଅଗ୍ନି ନିର୍ବାପନ ପାଇଁ ଏଥିରେ ହାଇଡ୍ରାଣ୍ଟ ଓ ମିଷ୍ଟ ବ୍ୟବସ୍ଥା ମଧ୍ୟ ରହିଛି । ଅନୁଷ୍ଠାନର ଗବେଷଣା କେନ୍ଦ୍ରରେ ଦେଶର ପ୍ରଥମ ଅତ୍ୟାଧୁନିକ ହୃଦ୍‌ରୋଗ ଆଇସିୟୁ ଅନ୍‌ ହ୍ୱିଲ୍‌ ଓ ଓଟି ବ୍ୟବସ୍ଥା ଉପଲବ୍ଧ ହେବ । ସେଠାରେ ଭେଣ୍ଟିଲେଟର୍ସ, ଆଇଏବିପି, ହେମୋଡାଆଲିସିସ ଏବଂ ଇସିଏମ୍‌ଓ ଆଦିର ସୁବିଧା ମିଳିବ । ଏହାଛଡା ଏହି ପ୍ରତିଷ୍ଠାନରେ 14ଟି ଅସ୍ତ୍ରୋପଚାର କେନ୍ଦ୍ର ଓ 7ଟି କାର୍ଡିଆକ୍‌ କାଥେଟରରାଇଜେସନ ଲ୍ୟାବ ରହିବ ।

ଗିର୍‌ନାର ରୋପୱେ

ଅକ୍‌ଟୋବର 24ରେ ଗିର୍‌ନାରରେ ଉଦ୍ଘାଟିତ ହୋଇଥିବା ରୋପୱେ ଫଳରେ ଗୁଜରାଟ ପୁଣି ଥରେ ଆନ୍ତର୍ଜାତିକ ପର୍ଯ୍ୟଟନ ମାନଚିତ୍ରରେ ଗୁରୁତ୍ୱ ଲାଭ କରିଛି । ପ୍ରାରମ୍ଭିକଭାବେ ଏହି ରୋପୱେରେ 25ରୁ 30ଟି କ୍ୟାବିନ ସୁବିଧା ରହିବ । ଗୋଟିଏ କ୍ୟାବିନରେ ସର୍ବାଧିକ 8ଜଣ ଲୋକ ଯାତ୍ରା କରିପାରିବେ । ଏହି ରୋପୱେ ଦ୍ୱାରା 2.3 କିମି ଦୂରତ୍ୱକୁ ମାତ୍ର 7.5 ମିନିଟରେ ଅତିକ୍ରମ କରିହେବ । ଏହାସହିତ ରୋପୱେ ଗିର୍‌ନାର ପର୍ବତର ଘଞ୍ଚ ସବୁଜ ବନାନି ଏବଂ ଆଖପାଖ ଅଞ୍ଚଳର ନୈସର୍ଗିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୁବିଧା ପର୍ଯ୍ୟଟକଙ୍କୁ ଯୋଗାଇବ ।

**********



(Release ID: 1667399) Visitor Counter : 182