ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

“ପ୍ରାକୃତିକ ବାଷ୍ପ ବିପଣନରେ ସଂସ୍କାର” ନୀତିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

Posted On: 07 OCT 2020 4:27PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରାକୃତିକ ବାଷ୍ପ ବିପଣନ ସଂସ୍କାରନୀତି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ବାଷ୍ପ ଭିତ୍ତିକ ଅର୍ଥନୀତି ଦିଗରେ ଅଗ୍ରସର ହେବା ପ୍ରୟାସରେ ଏହା ଆଉ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି । ଏହି ନୀତିର ମୂଳ ଉଦ୍ଦେଶ୍ୟ ହେଲା ବାଷ୍ପ ଉତ୍ପାଦକ କମ୍ପାନୀମାନଙ୍କ ଦ୍ୱାରା ବିତରଣ କରାଯାଉଥିବା ଗ୍ୟାସ ମୂଲ୍ୟର ବଜାର ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ଏକ ଷ୍ଟାଣ୍ଡାର୍ଡ଼ ବିଧି ନିର୍ଦ୍ଧାରଣ କରିବ ଯାହାକି  ସ୍ୱଚ୍ଛତା ଏବଂ ପ୍ରତିଦ୍ୱନ୍ଦ୍ୱିତା ଆଧାରରେ ସଂପାଦନ କରାଯିବ । ଏହି ପ୍ରକ୍ରିୟାରେ ସହଯୋଗୀମାନଙ୍କୁ  ମଧ୍ୟ  ବାଷ୍ପ ବିକ୍ରୟ ନିମନ୍ତେ  ନିଲାମୀ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବାର ଅନୁମତି ପ୍ରଦାନ କରାଯିବ । ଏଥି ସହିତ ସେମାନଙ୍କୁ କେତେକ କ୍ଷେତ ବିକାଶ ଯୋଜନାରେ ବିତରଣ ସ୍ୱାଧୀନତା ମଧ୍ୟ ପ୍ରଦାନ କରାଯିବ ଯେଉଁଠାରେ କି ଉତ୍ପାଦନ ବଣ୍ଟନ ଚୁକ୍ତିନାମାରେ ପୂର୍ବରୁ ମୂଲ୍ୟାୟନ ସ୍ୱାଧୀନତା ପ୍ରଦାନ କରାଯାଇସାରିଛି ।

ଏହି ନୀତିର ଉଦ୍ଦେଶ୍ୟ ହେଲା ପ୍ରାକୃତିକ ବାଷ୍ପ ବିକ୍ରୟ ନିମନ୍ତେ ଏକ ଷ୍ଟାଣ୍ଡାର୍ଡ଼ ବିଧି ବ୍ୟବସ୍ଥାର ବିକାଶ ଘଟାଇବା ଯାହାକି ସ୍ୱଚ୍ଛ ତଥା ପ୍ରତିଦ୍ୱନ୍ଦ୍ୱିତା ଆଧାରରେ କରାଯିବ । ଏଥି ନିମନ୍ତେ ଏକ ବଜାର ମୂଲ୍ୟ ଖୋଜି ବାହାର କରାଯିବ ଯେଉଁଥିପାଇଁ ଇ-ବିଡ଼ିଂ ମାଧ୍ୟମରେ କଣ୍ଟ୍ରାକ୍ଟରମାନଙ୍କ ଦ୍ୱାରା ଏହାର ବିକ୍ରୟ ସକାଶେ ନିୟମାବଳୀ ଜାରି କରାଯିବ । ଏହ ବିଭିନ୍ନ ଚୁକ୍ତିନାମା ସ୍ୱାକ୍ଷର ନିମନ୍ତେ ନିଲାମୀ ପ୍ରକିୟା ଏବଂ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସମାନତା ଆଣିବ । ଫଳରେ ଏଥିରେ ଥିବା ଅସମାନତାକୁ ଏଡ଼ାଯାଇପାରିବ ଏବଂ ଇଜ୍‌ ଅଫ୍‌ ଡ଼ୁଇଂ ବିଜିନେସ ପାଇଁ ମଧ୍ୟ ଏହା ଉପକାରସିଦ୍ଧ ସାବ୍ୟସ୍ତ ହୋଇପାରିବ ।

ଏହି ନୀତି ମଧ୍ୟ ସହଯୋଗୀ କମ୍ପାନୀମାନଙ୍କୁ ନିଲାମୀ ବିଧିରେ ଅଂଶଗ୍ରହଣ କରିବା ନିମନ୍ତେ ଅନୁମତି ପ୍ରଦାନ କରେ ଯାହାକି ମୁକ୍ତ, ସ୍ୱଚ୍ଛ ଏବଂ ଇଲେକ୍ଟ୍ରୋନିକ୍‌ ନିଲାମୀ ଦୃଷ୍ଟିରୁ ଗ୍ରହଣ କରାଯାଇଛି । ଏହା ବାଷ୍ୱ ବିପଣନ କ୍ଷେତ୍ରରେ ଅଧିକ ପ୍ରତିଦ୍ୱନ୍ଦ୍ୱିତାର ସୁଯୋଗ ସୃଷ୍ଟି କରିବା ସହ ଏହାକୁ ପ୍ରୋତ୍ସାହନ ଯୋଗାଇବ । ତେବେ, ଯେଉଁ ସହଯୋଗୀ କମ୍ପାନୀମାନେ ଏଥିରେ ଅଂଶଗ୍ରହଣ କରିବେ ସେମାନଙ୍କ ପାଇଁ ପୁନଃ ନିଲାମୀ କରାଯିବ ଏବଂ ସେଥିରେ ଅନ୍ୟ କୌଣସି ନିଲାମଧାରୀ ରହିବେନାହିଁ ।

ଏହି ନୀତି କ୍ଷେତ୍ର ବିକାଶ ଯୋଜନାକୁ ସେହିସବୁ ବ୍ଲକ୍‌ ନିଲାମୀରେ ଅଧିକ ମାର୍କେଟିଂ ସ୍ୱାଧୀନତା ପ୍ରଦାନ କରିବ ଯେଉଁଠାରେ ଉତ୍ପାଦନ ବିଭାଜନ ରାଜିନାମାରେ ଏବେସୁଦ୍ଧା ମୂଲ୍ୟାୟନ ସ୍ୱାଧୀନତା ପ୍ରଦାନ କରାଯାଇଛି ।

ସେହିସବୁ ସଂସ୍କାର ଦ୍ୱାରା ସରକାରଙ୍କ ପକ୍ଷରୁ ବିଗତ କିଛି ବର୍ଷ ମଧ୍ୟରେ ପରିବର୍ତ୍ତନମୂଳକ ସଂସ୍କାରର ଏକ ସିରିଜ୍‌ ଅଣାଯାଇପାରିଛି । ଗ୍ୟାସ ସେକ୍ଟରରେ ସେହିସବୁ ସଂସ୍କାର ଆର୍ଥିକ କାର୍ଯ୍ୟକ୍ରମକୁ ନିମ୍ନଲିଖିତ କ୍ଷେତ୍ରରେ ଅଧିକ ତ୍ୱରାନ୍ୱିତ କରିବ:

  • ପ୍ରାକୃତିକ ବାଷ୍ପ ଉତ୍ପାଦନ, ଭିତ୍ତିଭୂମି ଓ ମାର୍କେଟିଂ ନିମନ୍ତେ ସାମଗ୍ରିକ ଭାବେ ନୀତିଗତ ବ୍ୟବସ୍ଥା ବାତାବରଣକୁ ଅତି ସ୍ୱଚ୍ଛ ଭାବେ କାର୍ଯ୍ୟକାରୀ କରିପାରିବ ଏବଂ ସେଥିରେ ଇଜ୍‌ ଅଫ୍‌ ଡୁଇଂ ବିଜିନେସ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଥିବ ।
  • ସେହିସବୁ ସଂସ୍କାର ଆତ୍ମନିର୍ଭର ଭାରତ ନିମନ୍ତେ ଅତି ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ବୋଲି ସାବ୍ୟସ୍ତ ହେବ ଯଦ୍ୱାରା ପ୍ରାକୃତିକ ବାଷ୍ପର ଘରୋଇ ଉତ୍ପାଦନ ନିମନ୍ତେ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବ ଏବଂ ଏହା ବିଦେଶରୁ ଆମାଦାନୀ ନିର୍ଭରଶୀଳତାକୁ ହ୍ରାସ କରିବ ।
  • ଏଭଳି ସଂସ୍କାର ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରୁଥିବା ହେତୁ ଗ୍ୟାସ ଭିତ୍ତିକ ଅର୍ଥନୀତି ଆଡ଼କୁ ଅଗ୍ରସର ହେବା ଦିଗରେ ଏହା ଆଉ ଏକ ମାଇଲଖୁଣ୍ଟ ଭାବେ ବିବେଚନା କରାଯାଇପାରେ ।
  • ଅଧିକ ପ୍ରାକୃତିକ ବାଷ୍ପ ଉତ୍ପାଦନ ବ୍ୟବହାର ପରିବେଶକୁ ସୁରକ୍ଷିତ ରଖିବା ଦିଗରେ ସହାୟକ ହୋଇପାରିବ ।
  • ଏଭଳି ସଂସ୍କାର ଦ୍ୱାରା ଗ୍ୟାସ ବ୍ୟବହାରକାରୀ ସେକ୍ଟର ଯେଉଁଥିରେ କି ଏମଏସଏମଇ ସାମିଲ ସେଥିରେ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ସହାୟକ ହୋଇପାରିବ ।
  • ପ୍ରାକୃତିକ ବାଷ୍ପର ଘରୋଇ ଉତ୍ପାଦନ ବୃଦ୍ଧି ସିଟି ଗ୍ୟାସ ବିତରଣ ଏବଂ ତତ୍‌ ସଂପର୍କୀତ ଶିଳ୍ପସଂସ୍ଥା ଭଳି ଡାଉନଷ୍ଟ୍ରୀମ ଶିଳ୍ପସଂସ୍ଥାମାନଙ୍କରେ ନିବେଶ ବୃଦ୍ଧିକୁ ଅଧିକ ମାତ୍ରାରେ ସହାୟକ ହୋଇପାରିବ ।

ସରକାର ଏବେ ଅପ୍‌ଷ୍ଟ୍ରୀମ୍‌ ସେକ୍ଟରରେ ପରିବର୍ତ୍ତନମୂଳକ ସଂସ୍କାର ପ୍ରକ୍ରିୟା କାର୍ଯ୍ୟକାରୀ କରିଛନ୍ତି । ନିବେଶ ପ୍ରକ୍ରିୟାକୁ ଅଧିକ ସହଜ କରିବା ଏବଂ ଇଜ୍‌ ଅଫ୍‌ ଡ଼ୁଇଂ ବିଜିନେସକୁ ପ୍ରୋତ୍ସାହନ ପ୍ରଦାନ ହେଉଛି ଏହାର ମୂଳ ଲକ୍ଷ୍ୟ । ଓପନ୍‌ ଏକରେଜ୍‌ ଲାଇସେନ୍ସିଂ ପଲିସି ଯାହାକି ନିବେଶକ ପରିଚାଳିତ ଏକରେଜ୍‌ ନିଲାମୀ ପ୍ରକ୍ରିୟା, ତାହା ଏବେ ଦେଶରେ ବ୍ୟାପକ ଏକରେଜ୍‌ ମାତ୍ରାରେ ବୃଦ୍ଧି ପାଇଛି । ତେବେ 2010 ଠାରୁ 2017 ମସିହା ମଧ୍ୟରେ କୌଣସି ବ୍ଲକ ଆବଣ୍ଟନ କରାଯାଇ ନଥିଲା ଯଦ୍ୱାରା ଘରୋଇ ଉତ୍ପାଦନ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଥିଲା । 2017 ମସିହା ଠାରୁ 1.6 ଲକ୍ଷ ବର୍ଗକିଲୋମିଟରରୁ ଅଧିକ କ୍ଷେତ୍ର ଯାହାକି 105ଟି ଅନୁସନ୍ଧାନ ବ୍ଲକ ଅଧୀନରେ ଆସୁଛି, ସେସବୁ ଆବଣ୍ଟିତ ହୋଇସାରିଛି । ଏହା ଦୀର୍ଘକାଳୀନ ଭିତ୍ତିରେ ଘରୋଇ ଉତ୍ପାଦନକୁ ଦୀର୍ଘସ୍ଥାୟୀତ୍ୱ ପ୍ରଦାନ କରିବା ସୁନିଶ୍ଚିତ କରିବ ।

ସରକାର ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଅନେକଗୁଡ଼ିଏ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି ଏବଂ ଏହା ଫଳରେ ଦେଶର ପୂର୍ବ ଉପକୂଳରେ 70,000 କୋଟିରୁ ଅଧିକ ଟଙ୍କା ନିବେଶ କରାଯାଇଛି । ପୂର୍ବ ଉପକୂଳରୁ ବାଷ୍ପ ଉତ୍ପାଦନ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ବିଶେଷ ଭାବେ ସହାୟକ ହେବ ଏବଂ ଏହା ଦ୍ୱାରା ଦେଶର ଶକ୍ତି ଆବଶ୍ୟକତା ପୂରଣ ମାତ୍ରା ମଧ୍ୟ ବୃଦ୍ଧି ପାଇବ ।

2019 ମସିହା ଫେବୃଆରୀ ମାସରେ ସରକାର ଅପ୍‌ଷ୍ଟ୍ରୀମ୍‌ କ୍ଷେତ୍ରରେ ବ୍ୟାପକ ସଂସ୍କାର ଘଟାଇଥିଲେ ଏବଂ ତାହା ସର୍ବାଧିକ ଉତ୍ପାଦନ ଉପରେ ଗୁରୁତ୍ୱ ଦେବା ନିମନ୍ତେ ଆଭିମୁଖ୍ୟରେ ଆମୂଳଚୂଳ ପରିବର୍ତ୍ତନ ଆଣିଥିଲା । ଓଏଲଏପି ରାଉଣ୍ଡ ଅଧୀନରେ ଏକରେଜ ଆବଣ୍ଟନ କରାଯାଉଛି ଯାହା କାର୍ଯ୍ୟକ୍ରମ ଆଧାରିତ ଏବଂ ତାହା କେବଳ କ୍ୟାଟ-2 ଏବଂ କ୍ୟାଟ-3 ବେସିନରେ ହିଁ ପ୍ରଦାନ କରାଯାଉଛି ।

ଘରୋଇ ବାଷ୍ପ ଉତ୍ପାଦନ କ୍ଷେତ୍ରରେ ସଂପୂର୍ଣ୍ଣ ମାର୍କେଟିଂ ଓ ମୂଲ୍ୟ ନିର୍ଦ୍ଧାରଣ ସ୍ୱାଧୀନତା ପ୍ରଦାନ କରାଯାଇଛି । 2019 ମସିହା ଫେବୃଆରୀ 28 ତାରିଖ ପରେ ମଞ୍ଜୁର କରାଯାଇଥିବା ସମସ୍ତ ଆବିଷ୍କାର ଏବଂ କ୍ଷେତ୍ର ବିକାଶ ଯୋଜନାଗୁଡ଼ିକର ସଂପୂର୍ଣ୍ଣ ମାର୍କେଟିଂ ଏବଂ ମୂଲ୍ୟାୟନ ସ୍ୱାଧୀନତା ରହିଛି ।

 

**********

 

 

 



(Release ID: 1665314) Visitor Counter : 228