ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କାନାଡ଼ାରେ ଇନଭେଷ୍ଟ ଇଣ୍ଡିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 08 OCT 2020 8:00PM by PIB Bhubaneshwar

ମୋର ପ୍ରିୟ ବନ୍ଧୁଗଣ, ନମସ୍କାର!

ପ୍ରଥମତଃ, ଏହି ଫୋରମ ତିଆରି କରିଥିବା କାରଣରୁ ମୁଁ ଶ୍ରୀ ପ୍ରେମ ୱାଟ୍ସାଙ୍କୁ ଅଭିନନ୍ଦନ ଜଣାଉଛି । ଏଠାରେ କାନାଡ଼ାର ଏତେ ସଂଖ୍ୟକ ନିବେଶକ ଓ ବ୍ୟବସାୟୀଙ୍କୁ ଦେଖି ବେଶ୍ ଖୁସି । ଆପଣମାନେ ଭାରତରେ ଥିବା ପର୍ଯ୍ୟାପ୍ତ ପୁଞ୍ଜିନିବେଶ ଏବଂ ବ୍ୟବସାୟ ସୁଯୋଗର ଅନ୍ୱେଷଣ କରୁଥିବାରୁ ମୁଁ ବେଶ୍ ଆନନ୍ଦିତ ।

ବନ୍ଧୁଗଣ, ଏଠାରେ ଅଧିକାଂଶ ଲୋକମାନଙ୍କ ମଧ୍ୟରେ ଗୋଟିଏ ସମାନତା ରହିଛି । ଏହିମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ କି ପୁଞ୍ଜିନିବେଶ ନିଷ୍ପତ୍ତି ନିଅନ୍ତି । ଏହି ନିଷ୍ପତ୍ତି ଯାହାକି ରିସ୍କର ଆକଳନ କରେ । ଏହି ନିଷ୍ପତ୍ତି ଯାହାକି ପୁଞ୍ଜିନିବେଶ ସମୟରେ ଫେରସ୍ତର ଆକଳନ କରିଥାଏ ।

ମୁଁ ଆପଣମାନଙ୍କୁ ପଚାରିବାକୁ ଚାହୁଁଛି: ଏକ ରାଷ୍ଟ୍ରରେ ପୁଞ୍ଜିନିବେଶ କରିବା ପୂର୍ବରୁ ଆପଣମାନେ କଣ ଚିନ୍ତା କରନ୍ତି? ଉକ୍ତ ରାଷ୍ଟ୍ରରେ ଏକ ଚଳଚଂଚଳ ଗଣତନ୍ତ୍ର ରହିଛି କି? ଉକ୍ତ ରାଷ୍ଟ୍ରରେ ରାଜନୈତିକ ସ୍ଥିରତା ଅଛି କି? ଉକ୍ତ ରାଷ୍ଟ୍ରରେ ପୁଞ୍ଜିନିବେଶ ଓ ବ୍ୟବସାୟ ଅନୁକୂଳ ନୀତି ଅଛି କି? ଉକ୍ତ ରାଷ୍ଟ୍ରର ପ୍ରଶାସନରେ ସ୍ୱଚ୍ଛତା ଅଛି କି? ଉକ୍ତ ରାଷ୍ଟ୍ରରେ ଏକ କୁଶଳୀ ମାନବ ସମ୍ବଳ ରହିଛି କି? ଏହିସବୁ ଭିନ୍ନ ଭିନ୍ନ ପ୍ରଶ୍ନ ଆପଣମାନେ ପଚାରି ପାରନ୍ତି ।

ଏ ସମସ୍ତ ପ୍ରଶ୍ନର ଏକ ନିର୍ବିବାଦୀୟ ଉତ୍ତର ଗୋଟିଏ ଏବଂ ତାହା ହେଉଛି ଭାରତ ।

ସେଠାରେ ପ୍ରତ୍ୟେକ- ଆନୁଷ୍ଠାନିକ ନିବେଶକ, ନିର୍ମାତା, ସୃଜନଶୀଳ ଇକୋସିଷ୍ଟମର ସମର୍ଥକ ଏବଂ ଭିତ୍ତିଭୂମି କମ୍ପାନିଙ୍କ ପାଇଁ ସୁଯୋଗ ରହିଛି । ସେଠାରେ ପୁଞ୍ଜିନିବେଶ କରିବାକୁ, ୟୁନିଟ୍ ବସାଇବାକୁ ଏବଂ ବ୍ୟବସାୟ ଚଳାଇବାକୁ ସୁଯୋଗ ରହିଛି । ଆମର ଘରୋଇ କ୍ଷେତ୍ର ଏବଂ ସରକାରଙ୍କ ସହ ସହଭାଗିତା କରିବାକୁ ସେଠାରେ ସୁଯୋଗ ରହିଛି । ସେଠାରେ ରୋଜଗାର କରିବା ଓ ଶିଖିବାକୁ ସୁଯୋଗ ରହିଛି, କେବଳ ସେତିକି ନୁହେଁ, ନେତୃତ୍ୱ ନେବା ସହ ବଢ଼ିବାକୁ ବି ସୁଯୋଗ ରହିଛି ।

ବନ୍ଧୁଗଣ, କୋଭିଡ୍-ପରବର୍ତ୍ତୀ ଦୁନିଆରେ ଆପଣମାନେ ବିଭିନ୍ନ ପ୍ରକାର ସମସ୍ୟା ଯଥା ନିର୍ମାଣ ସମସ୍ୟା, ଯୋଗାଣ ଶୃଙ୍ଖଳ ସମସ୍ୟା, ପିପିଇର ସମସ୍ୟା ସମ୍ପର୍କରେ ଶୁଣିବାକୁ ପାଇବେ । ଏହି ସମସ୍ୟାଗୁଡ଼ିକ ପ୍ରାକୃତିକ ।

କିନ୍ତୁ, ଭାରତରେ ଏସବୁ ସମସ୍ୟା ରହିବନି । ଆମେ ନମନୀୟତା ପ୍ରଦର୍ଶନ କରିଛୁ ଏବଂ ସମାଧାନର ଭୂମି ଭାବେ ଉଭା ହୋଇଛୁ ।

ଦୀର୍ଘ ସମୟ ପାଇଁ ଆମେ ଦେଶର 800 ନିୟୁତ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଏବଂ 80 ନିୟୁତ ପରିବାରକୁ ମାଗଣା ରନ୍ଧନ ଗ୍ୟାସ୍ ଯୋଗାଇଛୁ । ଲଜିଷ୍ଟିକ୍ ସମସ୍ୟା ସତ୍ୱେ ଆମେ କିଛି ଦିନ ମଧ୍ୟରେ 400 ନିୟୁତରୁ ଅଧିକ ଚାଷୀ, ମହିଳା, ଗରିବ ଓ ଆବଶ୍ୟକ କରୁଥିବା ଲୋକଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ପ୍ରଦାନ କରିଛୁ ।

ଏହାର ପ୍ରଶାସନିକ ଢାଂଚା ଏବଂ ବ୍ୟବସ୍ଥାର ମଜବୁତକୁ ଦର୍ଶାଉଛି, ଯାହାକି ଗତ କିଛି ବର୍ଷ ମଧ୍ୟରେ ତିଆରି ହୋଇଛି ।

ବନ୍ଧୁଗଣ, ଭାରତ ଏବେ ବିଶ୍ୱ ପାଇଁ ଫାର୍ମାସୀର ଭୂମିକା ତୁଲାଉଛି । ଏହି ମହାମାରୀ ସମୟରେ ଆମେ ପ୍ରାୟ 150 ରାଷ୍ଟ୍ରକୁ ମେଡିସିନ୍ ଯୋଗାଇଛୁ ।

ଚଳିତ ବର୍ଷ ମାର୍ଚ୍ଚ-ଜୁନ୍ ଅବଧିରେ, ଆମର କୃଷିଜାତ ରପ୍ତାନି 23% ବୃଦ୍ଧି ଘଟଛି । ଯେତେବେଳେ ସାରା ଦେଶ କଠୋର ଲକଡାଉନରେ ରହିଥିଲା, ସେହି ସମୟରେ ହିଁ ଏହା ଘଟିଛି ।

ଆଜି ଆମର ଉତ୍ପାଦନ ପୂର୍ଣ୍ଣ ଗତିରେ ଚାଲୁଛି । ମହାମାରୀ ପୂର୍ବରୁ ଭାରତ ବହୁତ କମ୍ ପିପିଇ କିଟ୍ ତିଆରି କରୁଥିଲା । ଆଜି ଭାରତ କେବଳ ପ୍ରତି ମାସରେ ନିୟୁତ ନିୟୁତ ପିପିଇ କିଟ୍ ତିଆରି କରୁଛି ତାହା ନୁହେଁ ବରଂ ଏହାକୁ ରପ୍ତାନି ମଧ୍ୟ କରୁଛି ।

ଆମେ ଉତ୍ପାଦନ ବୃଦ୍ଧି ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ରହିଛୁ । କୋଭିଡ୍-19 ପାଇଁ ଟିକା ଉତ୍ପାଦନ ହେବାପରେ ସାରା ବିଶ୍ୱକୁ ସାହାଯ୍ୟ କରିବାକୁ ଆମେ ଚାହୁଁଛୁ ।

ବନ୍ଧୁଗଣ, ଭାରତର କାହାଣୀ ଏବେ ବେଶ୍ ମଜବୁତ ରହିଛି ଏବଂ ଆସନ୍ତାକାଲି ମଧ୍ୟ ମଜବୁତ ରହିବ । କେମିତି, ମୁଁ ବୁଝାଉଛି ।

ବର୍ତ୍ତମାନ, ଏଫଡିଆଇ ବ୍ୟବସ୍ଥାର ଉଦାରୀକରଣ କରାଯାଇଛି । ଆମେମାନେ ସାର୍ବଭୌମ୍ୟ ସମ୍ପତ୍ତି ଓ ପେନସନ୍ ଫଣ୍ଡ ପାଇଁ ଏକ ଅନୁକୂଳ ଟିକସ ବ୍ୟବସ୍ଥା ସୃଷ୍ଟି କରିଛୁ ।

ଏକ ତ୍ୱରାନ୍ୱିତ ବଣ୍ଡ୍ ମାର୍କେଟ୍ ବିକାଶ କରିବା ପାଇଁ ଆମେ ବେଶ୍ ମହତ୍ୱପୂର୍ଣ୍ଣ ସଂସ୍କାର ପଦକ୍ଷେପ ନେଇଛୁ । ଚାମ୍ପିଅନ୍ କ୍ଷେତ୍ର ପାଇଁ ଆମେ ପ୍ରୋତ୍ସାହନମୂଳକ ସ୍କିମ୍ ଆଣିଛୁ ।

ଫାର୍ମା, ମେଡିକାଲ ଡିଭାଇସ୍ ଏବଂ ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ ଭଳି କ୍ଷେତ୍ର ପାଇଁ ପୂର୍ବରୁ ସ୍କିମ୍ ରହିଥିଲା । ନିବେଶକଙ୍କ ପାଇଁ ଆମେ ଉଚ୍ଚସ୍ତରୀୟ ସୁବିଧାସୁଯୋଗ ଓ ଦକ୍ଷ ସହାୟତା ସୁନିଶ୍ଚିତ କରିବାକୁ ଚାହୁଁ । ଏଥିପାଇଁ ଏକ ସମର୍ପିତ କ୍ଷମତାସମ୍ପନ୍ନ ସଚିବ ଗ୍ରୁପ୍ ଗଠନ କରାଯାଇଛି ।

ଆମେ ସକ୍ରିୟ ଭାବେ ବିମାନ ଚଳାଚଳ, ରେଳପଥ, ରାଜପଥ, ଶକ୍ତି ବିତରଣ ଲାଇନ୍ ଆଦି କ୍ଷେତ୍ରର ନକଦୀକରଣ କରୁଛୁ । ସରକାରୀ ଓ ଘରୋଇ ସମ୍ପତିର ନକଦୀକରଣ ପାଇଁ ରିଅଲ୍ ଇଷ୍ଟେଟ୍ ଇନଭେଷ୍ଟମେଂଟ ଟ୍ରଷ୍ଟ୍ସ ଏବଂ ଇନ୍ଫ୍ରାଷ୍ଟ୍ରକଚର ଇନଭେଷ୍ଟମେଂଟ ଟ୍ରଷ୍ଟ୍ସ ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି ।

ବନ୍ଧୁଗଣ, ଆଜି ଭାରତର ମାଇଣ୍ଡ୍ ସେଟ୍ ଓ ବଜାରରେ ତ୍ୱରିତ୍ ପରିବର୍ତ୍ତନ ହେଉଛି । କମ୍ପାନି ଆଇନ ଅଧୀନରେ ଭାରତରେ ବିଭିନ୍ନ ଅପରାଧକୁ ନିୟନ୍ତ୍ରଣମୁକ୍ତ ଓ ଅପରାଧବିହୀନ କରାଯାଇଛି ।

ବିଶ୍ୱ ସୃଜନଶୀଳ ସୂଚକାଙ୍କ ରାଙ୍କିଙ୍ଗରେ ଭାରତ ଗତ 5 ବର୍ଷ ଭିତରେ 81ରୁ 48ତମ ସ୍ଥାନକୁ ଉଠିଛି । ଗତ 5 ବର୍ଷ ଭିତରେ ବିଶ୍ୱ ବ୍ୟାଙ୍କ ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ରାଙ୍କିଙ୍ଗରେ 142ରୁ 63ତମ ସ୍ଥାନକୁ ଉଠିଛି । ଏସବୁ ସୁଧାରକୁ ସଭିଏଁ ଦେଖିଛନ୍ତି । 2019 ଜାନୁଆରୀରୁ 2020 ଜୁଲାଇ ମଧ୍ୟରେ ଦେଢ଼ ବର୍ଷ ଭିତରେ ଭାରତ ପ୍ରାୟ 70 ବିଲିୟନ୍ ଆମେରିକୀୟ ଡଲାର ଆନୁଷ୍ଠାନିକ ପୁଞ୍ଜିନିବେଶ ଗ୍ରହଣ କରିଛି । ଏହା 2013ରୁ 2017 ମଧ୍ୟରେ 4 ବର୍ଷରେ ଦେଶ ଗ୍ରହଣ କରିଥିବା ପୁଞ୍ଜିନିବେଶ ସହ ପ୍ରାୟ ସମାନ । 2019ରେ ଯେତେବେଳେ ସାରା ବିଶ୍ୱରେ ଏଫଡିଆଇ ଆଗମନ 1% ଖସିଥିଲା, ଭାରତରେ ଏଫଡିଆଇ 20% ବଢ଼ିଥିବା ବିଶ୍ୱ ନିବେଶକ ସମୁଦାୟ ଦେଖିଛି ।

ଚଳିତ ବର୍ଷ ପ୍ରଥମ 6 ମାସରେ ସାରା ବିଶ୍ୱରୁ ଭାରତ ପ୍ରାୟ 20 ବିଲିୟନ୍ ଡଲାର ପୁଞ୍ଜିନିବେଶ ଗ୍ରହଣ କରିଛି । ତାହା ପୁଣି ସେତେବେଳେ, ଯେତେବେଳେ ସାରା ବିଶ୍ୱରେ କୋଭିଡ୍-19 ବଢ଼ୁଥିଲା ।

ଗିଫ୍ଟ ସିଟିଠାରେ ଇଂଟରନ୍ୟାସନାଲ ଫାଇନାନ୍ସିଆଲ ସର୍ଭିସେସ୍ ସେଂଟର (ଆଇଏଫ୍ଏସସି) ଆମର ଏକ ପ୍ରମୁଖ ପଦକ୍ଷେପ । ସାରା ବିଶ୍ୱରେ ନେଣଦେଣ ପାଇଁ ନିବେଶକମାନେ ଏହାକୁ ଏକ ପସନ୍ଦର ପ୍ଲାଟଫର୍ମ ଭାବେ ବ୍ୟବହାର କରିପାରିବେ । ନିକଟରେ ଏହାପାଇଁ ଆମେ ପୂର୍ଣ୍ଣ କ୍ଷମତାସମ୍ପନ୍ନ ଏକକ ନିୟାମକ ସ୍ଥାପନ କରିଛୁ ।

ବନ୍ଧୁଗଣ, କୋଭିଡ୍-19 ମହାମାରୀ ଦ୍ୱାରା ସୃଷ୍ଟି ସମସ୍ୟାର ସମାଧାନ ପାଇଁ ଭାରତ ଏକ ଅନନ୍ୟ ରଣନୀତି ଆପଣେଇଛି ।

ଗରିବ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆମେ ରିଲିଫ୍ ଓ ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କରିଛୁ । କିନ୍ତୁ ଆମେ ଢାଂଚାଗତ ସଂସ୍କାର ପାଇଁ ଥିବା ସୁଯୋଗର ମଧ୍ୟ ବ୍ୟବହାର କରିଛୁ । ଏହି ସଂସ୍କାରଗୁଡ଼ିକ ଅଧିକ ଉତ୍ପାଦକତା ଓ ସମୃଦ୍ଧି ସୁନିଶ୍ଚିତ କରିବ ।

ଶିକ୍ଷା, ଶ୍ରମ ଓ କୃଷି କ୍ଷେତ୍ରରେ ଭାରତ ବିଶାଳ ସଂସ୍କାର ଆଣିଛି । ଏକାଠି ଏହାର ପ୍ରଭାବ ପ୍ରାୟ ସବୁ ଭାରତୀୟଙ୍କ ଉପରେ ପଡ଼ିବ ।

ଶ୍ରମ ଓ କୃଷିକ୍ଷେତ୍ରରେ ଥିବା ପୁରୁଣା ଆଇନର ସଂସ୍କାରକୁ ଭାରତ ସୁନିଶ୍ଚିତ କରିଛି । ସେଗୁଡ଼ିକ ଘରୋଇ କ୍ଷେତ୍ର ଭାଗିଦାରୀତା ବୃଦ୍ଧିକୁ ସୁନିଶ୍ଚିତ କରିବା ସହ ସରକାରଙ୍କ ସୁରକ୍ଷା ନେଟକୁ ସୁଦୃଢ଼ କରିବ ।

ଏହି ସଂସ୍କାରଗୁଡ଼ିକ ଉଦ୍ୟୋଗୀ ତଥା ଆମର କଠିନ ପରିଶ୍ରମୀ ଲୋକମାନଙ୍କ ପାଇଁ ୱିନ୍-ୱିନ୍ ସ୍ଥିତି ଆଣିବ । ଶିକ୍ଷା କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଆମର ଯୁବଗୋଷ୍ଠୀଙ୍କ ପ୍ରତିଭାକୁ ପୁନଶ୍ଚ ମାର୍ଜିତ କରିବ । ଏହି ସଂସ୍କାର ଦ୍ୱାରା ଭାରତକୁ ଅଧିକ ସଂଖ୍ୟକ ବିଦେଶୀ ବିଶ୍ୱବିଦ୍ୟାଳୟର ଆସିବା ସମ୍ଭବପର ହେବ ।

ଶ୍ରମ ଆଇନରେ ସଂସ୍କାର ଯୋଗୁ ଶ୍ରମ କୋଡ୍ କମିବ । ଏଗୁଡ଼ିକ ଉଭୟ କର୍ମଚାରୀ ଓ ନିଯୁକ୍ତିଦାତା ଅନୁକୂଳ ଏବଂ ପୁନଶ୍ଚ ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସକୁ ତ୍ୱରାନ୍ୱିତ କରିବ ।

କୃଷିକ୍ଷେତ୍ରରେ ସଂସ୍କାର ସୁଦୂରପ୍ରସାରୀ ହେବ । ଏହା କେବଳ ଚାଷୀଙ୍କୁ ଅଧିକ ବିକଳ୍ପ ଦେବ ତାହା ନୁହେଁ, ବରଂ ରପ୍ତାନି ବୃଦ୍ଧି କରିବ ।

ଏହି ସଂସ୍କାରଗୁଡ଼ିକ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଆମ ପ୍ରଚେଷ୍ଟାକୁ ସହାୟକ ହେବ । ଆତ୍ମନିର୍ଭରଶୀଳ ଦିଗରେ କାର୍ଯ୍ୟ କରି ଆମେ ବିଶ୍ୱର ଉନ୍ନତି ଓ ସମୃଦ୍ଧିକୁ ଅବଦାନ ରଖିପାରିବୁ ।

ବନ୍ଧୁଗଣ,

ଯଦି ଆପଣମାନେ ଶିକ୍ଷା କ୍ଷେତ୍ରରେ ପାର୍ଟନର ଖୋଜୁଛନ୍ତି, ତେବେ ସେ ସ୍ଥାନ ହେଉଛି ଭାରତ ।

ଯଦି ଆପଣମାନେ ନିର୍ମାଣ ବା ସେବା କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଚାହୁଁଛନ୍ତି, ସେ ସ୍ଥାନ ହେଉଛି ଭାରତ ।

ଯଦି ଆପଣ କୃଷି କ୍ଷେତ୍ରରେ ସହଯୋଗିତା କରିବାକୁ ଚାହୁଁଛନ୍ତି, ତେବେ ସେ ସ୍ଥାନ ହେଉଛି ଭାରତ ।

ବନ୍ଧୁଗଣ,

ଭାରତ-କାନାଡ଼ା ଦ୍ୱିପାକ୍ଷିକ ସମ୍ପର୍କ ଆମର ଭାଗିଦାରୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବହୁ ଜନସ୍ୱାର୍ଥ ଦ୍ୱାରା ପରିଚାଳିତ । ଆମ୍ଭ ମଧ୍ୟରେ ଥିବା ବାଣିଜ୍ୟ ଓ ପୁଞ୍ଜିନିବେଶ ଲିଙ୍କେଜ୍ ଆମର ବହୁମୂଖୀ ସମ୍ପର୍କ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।

କାନାଡ଼ା ହେଉଛି ଭାରତର 20ତମ ବୃହତ ବିଦେଶୀ ନିବେଶକ । 600ରୁ ଅଧିକ କାନାଡିଆନ୍ କମ୍ପାନି ଭାରତରେ ଉପସ୍ଥିତ । ମୁଁ କହିଥିଲି ଯେ କାନାଡିଆନ୍ ପେନସନ୍ ଫଣ୍ଡ ବର୍ତ୍ତମାନ ସୁଦ୍ଧା ଭାରତରେ 50 ବିଲିୟନ୍ ଡଲାର ପୁଞ୍ଜିନିବେଶ କରିଛି ।

ଯାହା ସଂଖ୍ୟାରେ ଦେଖିବାକୁ ମିଳୁଛି, ତାହା ତୁଳନାରେ ବୋଧହୁଏ ଆମର ସମ୍ପର୍କ ଢେର ମଜବୁତ । କିନ୍ତୁ ଆମେ ଏକାଠି ହୋଇ ଏହାଠୁ ଢେର ଅଧିକ ହାସଲ କରିପାରିବା ।

କାନାଡ଼ାରେ କେତେକ ବୃହତ ଓ ସବୁଠୁ ଅଭିଜ୍ଞ ଭିତ୍ତିଭୂମି ନିବେଶକ ରହିଛନ୍ତି । କାନାଡିଆନ୍ ପେନସନ୍ ଫଣ୍ଡ ପ୍ରଥମେ ଭାରତରେ ସିଧାସଳଖ ପୁଞ୍ଜିନିବେଶ ଆରମ୍ଭ କରିଥିଲା । ସେମାନଙ୍କ ମଧ୍ୟରୁ ଅନେକ ଭାରତର ରାଜପଥ, ବିମାନବନ୍ଦର, ଲଜିଷ୍ଟିକ୍ସ, ଟେଲିକମ୍ ଓ ରିଅଲ ଇଷ୍ଟେଟ୍ ଭଳି କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ଖୋଜି ପାଇଛନ୍ତି । ସେମାନେ ପୁଞ୍ଜିନିବେଶ ସର୍ମ୍ପସାରଣ ପାଇଁ ଚାହୁଁଛନ୍ତି ଏବଂ ନୂଆ ପୁଞ୍ଜିନିବେଶ କ୍ଷେତ୍ର ଖୋଜୁଛନ୍ତି । ଭାରତରେ ଦୀର୍ଘବର୍ଷ ହେଲା ଥିବା କାନାଡିଆନ୍ ନିବେଶକମାନେ ମାନେ ହିଁ ଆମର ଶ୍ରେଷ୍ଠ ବ୍ରାଣ୍ଡ୍ ଆମ୍ବାସାଡର ।

ସେମାନଙ୍କର ନିଜସ୍ୱ ଅଭିଜ୍ଞତା, ସମ୍ପ୍ରସାରଣ ଓ ବିବିଧକରଣ ପାଇଁ ସେମାନଙ୍କ ଯୋଜନା, ଆପଣମାନଙ୍କୁ ସମସ୍ତଙ୍କୁ ଏଠାକୁ ଆଣିବାର ସବୁଠୁ ବିଶ୍ୱମସନୀୟ ପ୍ରମାଣ । ଏହା ବ୍ୟତୀତ ଆପଣମାନଙ୍କୁ ଭାରତକୁ ଜାଣିବାର ଫାଇଦା ମିଳିବ । ଏସବୁ ଶେଷରେ କାନାଡା ହେଉଛି ବିଶ୍ୱରେ ଭାରତୀୟ ବଂଶୋଦ୍ଭବଙ୍କ ସର୍ବବୃହତ ସ୍ଥାନ । ସେଠାରେ ଆପଣମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ରହିବନି । ଆପଣମାନେ ସେଠାରେ ନିଜେ ନିଜ ରାଷ୍ଟ୍ରରେ ସ୍ୱାଗତ ହେଲା ଭଳି ପାଇବେ ।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ରଖିବାକୁ ମୋତେ ନିମନ୍ତ୍ରଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ପୁଣିଥରେ ଧନ୍ୟବାଦ ।

 

**********



(Release ID: 1663261) Visitor Counter : 233