ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

42ଟି ସିଏନଜି ଷ୍ଟେସନ ଏବଂ 3ଟି ସିଟି ଗେଟ୍ ଷ୍ଟେସନ ରାଷ୍ଟ୍ରକୁ ଉତ୍ସର୍ଗ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଗ୍ୟାସ ଭିତ୍ତିଭୂମିରେ 4 ଲକ୍ଷ କୋଟି ପୁଞ୍ଜିନିବେଶ ହେଉଛି - ଧର୍ମେନ୍ଦ୍ର ପ୍ରଧାନ
• ବିଗତ 6 ବର୍ଷରେ ଦେଶରେ ସିଏନଜି ଷ୍ଟେସନ ଦୁଇ ଗୁଣା ହୋଇଛି
• ଦେଶରେ ସିଜିଡି ନେଟୱାର୍କର ସଂପ୍ରସାରଣ ପାଇଁ 8 ହଜାର କୋଟି ପୁଞ୍ଜିନିବେଶ କରିବ ଟୋରେଣ୍ଟ
• ବହୁତ କମ୍ ସମୟ ମଧ୍ୟରେ ଦେଶରେ ଟୋରେଣ୍ଟ ପକ୍ଷରୁ 100 ସିଏନଜି ଷ୍ଟେସନ ସ୍ଥାପନ
• ଗ୍ୟାସ ଆଧାରିତ ଅର୍ଥନୀତି ଦିଗକୁ ଅଗ୍ରସର ହେଉଛି ଭାରତ

Posted On: 06 OCT 2020 2:06PM by PIB Bhubaneshwar

ପରିବେଶକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଟୋରେଣ୍ଟ ଗ୍ୟାସର 42ଟି କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ(ସିଏନଜି) ଏବଂ 3ଟି ସିଟି ଗେଟ୍ ଷ୍ଟେସନକୁ ଉତ୍ସର୍ଗୀକୃତ କରିଛନ୍ତି ।

ଦେଶର ଗ୍ୟାସ ଭିତ୍ତିଭୂମିକୁ ମଜବୁତ୍ କରିବା ପାଇଁ ପାଇପଲାଇନର ଶିଳାନ୍ୟାସ ଓ ଟର୍ମିନାଲ, ଗାସ କ୍ଷେତ୍ରରେ 60 ବିଲିୟନ ଅର୍ଥାତ୍ 4 ଲକ୍ଷ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ପୁଞ୍ଜିନିବେଶ କରାଯାଉଛି ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ।

ଦେଶରେ ସିଟି ଗ୍ୟାସ ବିତରଣ(ସିଜିଡି)ନେଟୱାର୍କର ସଂପ୍ରସାରଣ ପାଇଁ 8 ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରାଯିବା ନେଇ ଟୋରେଣ୍ଟ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ବିଗତ 6 ବର୍ଷରେ ଦେଶରେ ସିଏନଜି ଷ୍ଟେସନ ଦୁଇ ଗୁଣା ହୋଇଛି ।

2014ରେ ଦେଶରେ 938 ସିଏନଜି ଷ୍ଟେସନ ଥିବାବେଳେ ଏବେ ତାହା ବୃଦ୍ଧି ପାଇ 2300ରେ ପହଁଚିଛି । ସେହିପରି ବହୁତ କମ୍ ସମୟ ମଧ୍ୟରେ ଦେଶରେ ଟୋରେଣ୍ଟ ପକ୍ଷରୁ 100 ସିଏନଜି ଷ୍ଟେସନ ସ୍ଥାପନ କରାଯାଇଛି । ଦେଶରେ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମିକୁ ସଂପ୍ରସାରଣ କରିବାରେ ଟୋରେଣ୍ଟ ଗ୍ୟାସର ଉଦ୍ୟମ ପ୍ରଶଂସନୀୟ ।

ଆଜି ଉତ୍ତରପ୍ରଦେଶରେ 14ଟି, ମହାରାଷ୍ଟ୍ରରେ 8ଟି, ଗୁଜୁରାଟରେ 6ଟି, ପଞ୍ଜାବରେ 4ଟି, ତେଲେଙ୍ଗାନା ଏବଂ ରାଜସ୍ଥାନରେ 5ଟି ଲେଖାଏଁ ସିଏନଜି ଷ୍ଟେସନର ଲୋକାର୍ପଣ କରାଯାଇଛି । ଏହାବ୍ୟତିତ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ପଞ୍ଜାବରେ ଗୋଟିଏ ଲେଖାଁଏ ସିଟି ଗେଟ୍ ଷ୍ଟେସନ ଲୋକାର୍ପଣ କରାଯାଇଛି । ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ସମସ୍ତ 42ଟି ସିଏନଜି ଷ୍ଟେସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିରେ ଥିବା ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବାରେ ସହାୟକ ହେବ ।

ଦେଶ ଗ୍ୟାସ ଆଧାରିତ ଅର୍ଥନୀତି ଦିଗକୁ ଅଗ୍ରସର ହେଉଥିବା ବେଳେ ଏହା ଦେଶର ଅଶୋଧିତ ତୈଳର ନିର୍ଭରତାକୁ ହ୍ରାସ କରିବ ।

 

**********

 



(Release ID: 1662142) Visitor Counter : 157