ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଅଟଳ ଟନେଲ ଲୋକାର୍ପିତ

● ହିମାଚଳର ପୀର ପଞ୍ଜାଲ ଭଳି ଦୁର୍ଗମ ଗିରିପଥରେ ଏଭଳି ସୁଡଙ୍ଗ ନିର୍ମାଣ କରିଥିବାରୁ ସୀମା ସଡକ ସଂଗଠନ (ବିଆରଓ) ଏବଂ ଭାରତୀୟ ଯନ୍ତ୍ରୀଙ୍କୁ ଅଭିନନ୍ଦନ
● ଏହି ସୁଡଙ୍ଗ ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର, ଲେହ ଓ ଲଦାଖର ବିକାଶରେ ସହାୟକ ହେବ – ପ୍ରଧାନମନ୍ତ୍ରୀ
● କୃଷକ, ଉଦ୍ୟାନବିତ, ଯୁବଗୋଷ୍ଠୀ, ପର୍ଯ୍ୟଟକ, ସଶସ୍ତ୍ର ସେନା ପ୍ରକଳ୍ପ ଦ୍ଵାରା ହେବେ ଲାଭାନ୍ଵିତ – ପ୍ରଧାନମନ୍ତ୍ରୀ
● ସୀମାନ୍ତ ଅଞ୍ଚଳ ସଂଯୋଗୀକରଣ ଓ ଭିତ୍ତିଭୂମି ପ୍ରକଳ୍ପ ତ୍ୱରାନ୍ୱିତ କରିବାକୁ ଆବଶ୍ୟକ ରାଜନୈତିକ ସଦିଚ୍ଛା – ପ୍ରଧାନମନ୍ତ୍ରୀ
● ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ତ୍ଵରିତ କାର୍ଯ୍ୟାନ୍ଵୟନ ଆର୍ଥିକ ବିକାଶରେ ସହାୟକ ହେବ – ପ୍ରଧାନମନ୍ତ୍ରୀ

Posted On: 03 OCT 2020 1:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ଵର ଦୀର୍ଘତମ ରାଜପଥ ସୁଡଙ୍ଗ ଅଟଳ ଟନେଲକୁ ଆଜି (03.10.2020) ମନାଲିର ସାଉଥ ପୋଟାଲରେ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି 9.2 କିଲୋମିଟର ଦୀର୍ଘ ସୁଡଙ୍ଗ ପଥ ମନାଲି ଲାହୋଲ-ସ୍ପିତି ଉପତ୍ୟକାକୁ ବର୍ଷ ସାରା ସଂଯୋଗ କରିବ । ପ୍ରବଳ ତୁଷାରପାତ ଯୋଗୁଁ ଏହି ଉପତ୍ୟକା ବର୍ଷକରେ ପ୍ରାୟ 6 ମାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହୁଥିଲା । ହିମାଳୟର ପୀର ପଞ୍ଜା ପର୍ବତମାଳାର ସମୁଦ୍ର ପତନଠାରୁ 10 ହଜାର ଫୁଟ ଉଚ୍ଚତାରେ ଏହି ଅତ୍ୟାଧୁନିକ ସୁଡଙ୍ଗ ପଥ ନିର୍ମାଣ କରାଯାଇଛି । ଏହି ସୁଡଙ୍ଗ ନିର୍ମାଣ ଫଳରେ ମନାଲିରୁ ଲେହ ମଧ୍ୟରେ ଦୂରତା 46 କିଲୋମିଟର ହ୍ରାସ ପାଇବା ସହ ଯାତ୍ରା ସମୟ 4 ରୁ 5 ଘଣ୍ଟା ହ୍ରାସ ପାଇବ ଏହି ସୁଡଙ୍ଗରେ ଅଗ୍ନି ନିର୍ବାପକ ନିୟନ୍ତ୍ରଣ ପଦ୍ଧତି ସହ ଭେଣ୍ଟିଲେସନ ଇଲେକ୍ଟ୍ରୋ ମେକାନିକାଲ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସୁଡଙ୍ଗର ସାଉଥ ପୋଟାଲରୁ ନର୍ଥ ପୋଟାଲ ପର୍ଯ୍ୟନ୍ତ ବୁଲି ଦେଖିବା ସହ ମୁଖ୍ୟ ସୁଡଙ୍ଗର ଜରୁରୀକାଳିନ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଥିଲେ । ଅଟଳ ଟନେଲର ନିର୍ମାଣ ଶୈଳୀ ନେଇ ଆୟୋଜିତ ବିଭିନ୍ନ ଚିତ୍ର ସମ୍ବଳିତ ଏକ ପ୍ରଦର୍ଶନୀ ମଧ୍ୟ ସେ ବୁଲି ଦେଖିଥିଲେ । ଏହି ଅବସରରେ ସମ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଏକ ଐତିହାସିକ ଦିବସ । ଆଜି ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟି ସାକାର ହେବା ସହ ଯୁଗ ଯୁଗ ଧରି ପଡିରହିଥିବା ଏହି ଅଞ୍ଚଳର କୋଟି  କୋଟି ଜନସାଧାରଣଙ୍କ ଆଶା ଆକାଂକ୍ଷା ମଧ୍ୟ ପୂରଣ ହୋଇଛି । ହିମାଚଳ ପ୍ରଦେଶ ଓ ନବଗଠିତ ଲେହ – ଲଦାଖ ଅଞ୍ଚଳ ମଧ୍ୟରେ ଏହି ଟନେଲ ଜୀବନରେଖା ସଦୃଶ କାର୍ଯ୍ୟ କରିବ । ଏଥିଯୋଗୁଁ ମନାଲି ଓ କେଲଙ୍ଗ ମଧ୍ୟରେ ଯାତାୟାତ ସମୟ 3 ରୁ 4 ଘଣ୍ଟା ପର୍ଯ୍ୟନ୍ତ ହ୍ରାସ ପାଇବ ।

ସେ ଆହୁରି କହିଛନ୍ତି ଯେ, ଏହାଫଳରେ ଲେହ ଓ ଲଦାଖ ଦେଶର ଅନ୍ୟାନ୍ୟ ଅଞ୍ଚଳ ସହ ସବୁବେଳେ ଯୋଡି ହୋଇ ରହିବା ସହ ଏହାର ଦ୍ରୁତ ଆର୍ଥିକ ଅଭିବୃଦ୍ଧି ମଧ୍ୟ ଘଟିବ । କୃଷକ, ଉଦ୍ୟାନବିତ, ଯୁବ ସମାଜ ମଧ୍ୟ ଏଥିଯୋଗୁଁ ରାଜଧାନୀ ଦିଲ୍ଲୀ ଓ ଅନ୍ୟାନ୍ୟ ବଜାର ସହ ସହଜରେ ସମ୍ପର୍କ ରକ୍ଷା କରିପାରିବେ । ଏହି ଅବସରରେ ଶ୍ରୀ ମୋଦୀ ପ୍ରକଳ୍ପକୁ ଚୁଡାନ୍ତ ରୂପ ଦେବା ପାଇଁ ନିଜ ଜୀବନକୁ ବିପନ୍ନ କରି କାର୍ଯ୍ୟ କରୁଥିବା ଯନ୍ତ୍ରୀ, ଉପଯନ୍ତ୍ରୀ ଓ ଶ୍ରମିକମାନଙ୍କ ଭୂୟଶୀ ପ୍ରଶଂସା କରିଥିଲେ । ଅଟଳ ଟନେଲ ବିଶ୍ଵସ୍ତରୀୟ ସୀମା ସଂଯୋଗ ଯୋଗୁଁ ଦେଶର ସୀମା ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରିବ । ଆଗରୁ ଭିତ୍ତିଭୂମି ସହ ସୀମାନ୍ତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ଯୋଜନା ପଡିରହି କୌଣସି ବିକାଶ ହେଉନଥିଲା ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅଟଳ ଜୀ ଏହି ଟନେଲ ଆପ୍ରୋଚ ରୋଡର 2002ରେ ଶିଳାନ୍ୟାସ କରିଥିଲେ । ମାତ୍ର ଅଟଳ ଜୀଙ୍କ ସରକାର ପରେ ଏହାର କାର୍ଯ୍ୟ ଶୈଳୀ ଏତେ ବିଳମ୍ବିତ ହେଲା ଯେ, ଟନେଲର ମାତ୍ର 1300 ମିଟର ରାସ୍ତା 2013-14 ମଧ୍ୟରେ ତିଆରି ହୋଇପାରିଥିଲା । ଏଭଳି ଗତିରେ ଯଦି କାମ ଚାଲେ ତେବେ 2040 ବେଳକୁ ସୁଡଙ୍ଗ କାମ ସଂପୂର୍ଣ୍ଣ ହୋଇଥାନ୍ତା ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ । ତା’ପରେ ସରକାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଲେ ଓ ବର୍ଷକୁ 1400 ମିଟର ଲେଖାଏଁ କାର୍ଯ୍ୟ ସଂପୂର୍ଣ୍ଣ କରାଗଲା । ପୂର୍ବ ଆକଳନ 26 ବର୍ଷ ପରିବର୍ତ୍ତେ ପ୍ରକଳ୍ପ କାର୍ଯ୍ୟ 6 ବର୍ଷ ମଧ୍ୟରେ ଶେଷ ହୋଇପାରିଲା ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ, ଦେଶ ଯେତେବେଳେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଦ୍ରୁତ ଅଭିବୃଦ୍ଧି ଆବଶ୍ୟକ କରେ ସେତେବେଳେ ଭିତ୍ତିଭୂମି କ୍ଷେତ୍ରର ଦ୍ରୁତ ବିକାଶ ମଧ୍ୟ ଆବଶ୍ୟକ  ଦେଶର ପ୍ରଗତି ପାଇଁ ଅଦମ୍ୟ ରାଜନୈତିକ ସଦିଚ୍ଛା ଓ ଅଙ୍ଗୀକାରବଦ୍ଧତା ମଧ୍ୟ ଆବଶ୍ୟକ ।  ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ସଂପୂର୍ଣ୍ଣ ହେବାରେ ବିଳମ୍ବ ଯୋଗୁଁ ଭିତ୍ତିଭୂମିର ବିକାଶ, ଆର୍ଥିକ କ୍ଷତି ସହିତ ଜନସାଧାରଣ ମଧ୍ୟ ଆର୍ଥିକ ଓ ସାମାଜିକ ସୁବିଧାରୁ ବଞ୍ଚିତ ହୋଇଥାନ୍ତି ବୋଲି ସେ କହିଥିଲେ ।      

ଶ୍ରୀ ମୋଦୀ କହିଥିଲେ ଯେ, 2005ରେ ଏହି ଟନେଲ ବାବଦକୁ ଖର୍ଚ୍ଚ ଭାର 900 କୋଟି ଟଙ୍କା ଆକଳନ କରାଯାଇଥିଲା । ମାତ୍ର ନୀରବଚ୍ଛିନ୍ନ ବିଳମ୍ବ ଯୋଗୁଁ ଆଜି ଏହି ଖର୍ଚ୍ଚ ତିନିଗୁଣ ବୃଦ୍ଧି ପାଇ 3200 କୋଟି ଟଙ୍କା ହୋଇଛି । ଏହିପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅଟଳ ଟନେଲ ଭଳି ଅବସ୍ଥାର ସମ୍ମୁଖୀନ ହେଉଥିବା ସେ କହିଥିଲେ । ବିଭିନ୍ନ କାରଣରୁ ଲଦାଖର ଗୁରୁତ୍ୱପୂର୍ଣ୍ଣ ଏୟାରଷ୍ଟ୍ରିପ ଦୌଲତବେଗ ଓଲଡି 40 – 45 ବର୍ଷ ପରେ ମଧ୍ୟ ଅସମ୍ପୂର୍ଣ୍ଣ ରହିଛି । ସେ ଆହୁରି କହିଥିଲେ ଯେ, ଅଟଳ ଜୀଙ୍କ ସରକାର ସମୟରେ ବୋଗିବିଲ ସେତୁର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲେ ମଧ୍ୟ ଅହେତୁକ ବିଳମ୍ବ ଯୋଗୁଁ ତାହାର କାର୍ଯ୍ୟ ମଧ୍ୟ ପଡିରହିଲା । ଏହି ସେତୁ ଅରୁଣାଚଳ ଏବଂ ଉତ୍ତର-ପୂର୍ବାଞ୍ଚଳ ମଧ୍ୟରେ ସଂଯୋଗର ଏକ ମୁଖ୍ୟ ମାଧ୍ୟମ ଭାବେ ବିବେଚିତ ହୋଇଥାଏ । 2014 ପରେ ଏହାର ନିର୍ମାଣ କାର୍ଯ୍ୟ ଆଶାତୀତ ବୃଦ୍ଧି ପାଇ 2 ବର୍ଷ ପୂର୍ବେ ଅଟଳ ଜୀଙ୍କ ଜନ୍ମ ଦିନ ଅବସରରେ ସେତୁ ଉଦଘାଟିତ ହେଲା ।

ସେ କହିଥିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ ପରିବର୍ତ୍ତନ ଆସିଛି । ଗତ 6 ବର୍ଷ ମଧ୍ୟରେ ସଡକ ହେଉ ବା ସେତୁ ବା ସୁଡଙ୍ଗ, ସୀମା ଭିତ୍ତିଭୂମିର ଦ୍ରୁତ ବିକାଶ ଘଟିଛି । ଶ୍ରୀ ମୋଦୀ କହିଥିଲେ ଯେ, ଦେଶର ସୁରକ୍ଷା ବଳଙ୍କ ଆବଶ୍ୟକତା ପୂରଣ ପାଇଁ ସରକାର ଅଗ୍ରାଧିକାର ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୱାନ ରାଙ୍କ ୱାନ ପେନସନ ଯୋଜନା, ଅତ୍ୟାଧୁନିକ ଯୁଦ୍ଧ ବିମାନ ଓ ଅସ୍ତ୍ରଶସ୍ତ୍ର ଆହରଣ, ଆଧୁନିକ ରାଇଫଲ, ବୁଲେଟ ପ୍ରୁଫ ଜାକେଟ ଓ ଅସହ୍ୟ ଥଣ୍ଡା ଜଳବାୟୁ ପାଇଁ ଉପକରଣ ଇତ୍ୟାଦି ଯାହାକି ପୂର୍ବ ସରକାର ଅଣଦେଖା କରିଥିଲେ, ତାକୁ ବର୍ତ୍ତମାନର ସରକାର ଅଗ୍ରାଧିକାର ଭିତ୍ତିରେ ସଂପୂର୍ଣ୍ଣ କରିଛନ୍ତି । ପୂର୍ବ ସରକାରଗୁଡିକର ଏସବୁ କରିବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ନଥିଲା । ମାତ୍ର ଦେଶରେ ଆଜି ପରିସ୍ଥିତି ବଦଳିଛି ବୋଲି ସେ କହିଛନ୍ତି । ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ଭଳି ସଂସ୍କାର ଯୋଗୁଁ ଦେଶରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ଉପକରଣ ନିର୍ମାଣ ସମ୍ଭବ ହୋଇଛି ଓ ଉତ୍ତମ ସମନ୍ଵୟ ରକ୍ଷା ପାଇଁ ସଂସ୍କାର ସ୍ୱରୂପ ପ୍ରତିରକ୍ଷା ମୁଖ୍ୟ ପଦବୀ ସୃଷ୍ଟି କରାଯାଇଛି । ବିଶ୍ଵର ଅନ୍ୟାନ୍ୟ ଦେଶଭଳି ଭାରତରେ ମଧ୍ୟ ଏହାର ଭିତ୍ତିଭୂମି ସୁଦୃଢ କରିବା ସହ ଆର୍ଥିକ ଓ ଅନ୍ୟାନ୍ୟ ଅଭିବୃଦ୍ଧି ପ୍ରତି ଧ୍ୟାନ ଦେବାକୁ ପଡିବ । ଅଟଳ ଟନେଲ ଆତ୍ମନିର୍ଭର ଭାରତର ଏକ ଜ୍ଵଳନ୍ତ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।

 

**********



(Release ID: 1661424) Visitor Counter : 240