ରାଷ୍ଟ୍ରପତିଙ୍କ ସଚିବାଳୟ
ଗାନ୍ଧୀ ଜୟନ୍ତୀ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ବାର୍ତ୍ତା
Posted On:
01 OCT 2020 4:41PM by PIB Bhubaneshwar
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଗାନ୍ଧୀ ଜୟନ୍ତୀ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଜାରି କରିଛନ୍ତି।
ସେ ନିଜ ବାର୍ତ୍ତାରେ କହିଛନ୍ତି ଯେ “ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 151ତମ ଜୟନ୍ତୀ ଅବସରରେ, ମୁଁ କୃତଜ୍ଞ ରାଷ୍ଟ୍ର ପକ୍ଷରୁ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି।
ପ୍ରତି ବର୍ଷ ଅକ୍ଟୋବର 2 ତାରିଖ ଦିନ, କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ଵରେ ଗାନ୍ଧୀଜୀଙ୍କର ସ୍ମୃତିଚାରଣ କରାଯାଇଥାଏ। ସେ ସମଗ୍ର ମାନବଜାତି ପାଇଁ ପ୍ରେରଣାର ସ୍ରୋତ ସାଜିଛନ୍ତି। ତାଙ୍କର ଜୀବନର ଅମର ଗାଥା, ସମାଜର ଦୁର୍ବଳରୁ ଦୁର୍ବଳତର ବ୍ୟକ୍ତିଙ୍କୁ ଶକ୍ତି ଓ ସମ୍ବଳ ପ୍ରଦାନ କରିଥାଏ। ସତ୍ୟ, ଅହିଂସା ଏବଂ ବିଶ୍ଵ କଲ୍ୟାଣର ମାର୍ଗ ପ୍ରଶସ୍ତ କରିଥାଏ। ତାଙ୍କର ଜୀବନାଦର୍ଶ ଗତକାଲି ମଧ୍ୟ ପ୍ରାସଙ୍ଗିକ ଥିଲା ଆଜି ମଧ୍ୟ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ପ୍ରାସଙ୍ଗିକ ହୋଇରହିବ।
ବର୍ତ୍ତମାନ ଏକ ଧାରଣା ଜନ୍ମ ନେଇଛି ଯେ ସବୁ ବଡ଼ ସମସ୍ୟାର ସମାଧାନ ଗାନ୍ଧୀଜୀଙ୍କ ଦ୍ଵାରା ପ୍ରଦର୍ଶିତ ସଦଭାବନା ଓ ସହିଷ୍ଣୁତା ମାର୍ଗରେ ସମ୍ଭବ ହୋଇପାରିବ। ଗାନ୍ଧୀଜୀଙ୍କ ଜୀବନ ଏହି ମାର୍ଗରେ ଚାଲିବାର ଏକ ଉତ୍ତମ ଉଦାହରଣ। ସେ ଆମକୁ ଶିଖାଇଛନ୍ତି ଯେ ଖରାପ ଚାହୁଁଥିବା ଲୋକ ସହିତ ମଧ୍ୟ ଆମେ ଭଲ ବ୍ୟବହାର କରିବା ଏବଂ ସମସ୍ତଙ୍କ ପ୍ରତି ପ୍ରେମ, ଦୟା ଓ କ୍ଷମା ଭାବନା ରଖିବା। ଆମର ବିଚାର, ଶବ୍ଦ ଓ କର୍ମରେ ସାମଞ୍ଜସ୍ୟ ରହୁ।
ଗାନ୍ଧୀଜୀ ନିଜ କାର୍ଯ୍ୟରେ ନୈତିକତା ଓ ସାଧ୍ୟ ତଥା ସାଧନର ପବିତ୍ରତା ଉପରେ ବିଶେଷ ଗୁରୁତ୍ଵ ଦେଉଥିଲେ। ମୁଁ ଆନନ୍ଦିତ ଯେ ଦେଶର ବିକାଶ ପାଇଁ ଆମ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯେପରିକି ସ୍ଵଚ୍ଛ ଭାରତ ମିଶନ, ମହିଳା ସଶକ୍ତିକରଣ, ଗରିବ ଓ ବଞ୍ଚିତଙ୍କ ସଶକ୍ତିକରଣ, କୃଷକମାନଙ୍କୁ ସହାୟତା ଏବଂ ଗ୍ରାମାଞ୍ଚଳରେ ଆବଶ୍ୟକ ସୁବିଧା ପହଞ୍ଚାଇବା ଆଦିର ମୂଳରେ ଗାନ୍ଧୀଜୀଙ୍କ ବିଚାର ଓ ଶିକ୍ଷା ନୀହିତ ହୋଇ ରହିଛି।
ଆସନ୍ତୁ, ଗାନ୍ଧୀ ଜୟନ୍ତୀର ଏହି ଶୁଭ ଅବସରରେ ଆମେ ସମସ୍ତେ ପୁଣିଥରେ ଏହି ସଂକଳ୍ପ ନେବା ଯେ ଆମେ ସତ୍ୟ ଓ ଅହିଂସା ମନ୍ତ୍ରର ଅନୁସରଣ କରି ରାଷ୍ଟ୍ର କଲ୍ୟାଣ ଓ ପ୍ରଗତି ନିମନ୍ତେ ସମର୍ପିତ ରହିବା। ଏକ ସ୍ଵଚ୍ଛ, ସମର୍ଥ, ସଶକ୍ତ ଓ ସମୃଦ୍ଧ ଭାରତ ନିର୍ମାଣ କରି ଗାନ୍ଧୀଜୀଙ୍କ ସ୍ଵପ୍ନକୁ ସାକାର କରିବା।
**********
(Release ID: 1660803)
Visitor Counter : 195