ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବୟସ ଉପଯୋଗୀ ଫିଟ୍‌ନେସ ପ୍ରୋଟକଲ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

• ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଫିଟ୍‌ନେସ ଉତ୍ସାହୀଙ୍କ ସହ ମତ ବିନିମୟ
• ଫିଟ୍‌ ଇଣ୍ଡିଆ ଡାଇଲଗ୍‌ ପ୍ରତ୍ୟେକ ବୟସ ବର୍ଗର ଫିଟ୍‌ନେସ ଉପରେ ଗୁରୁତ୍ୱ ଦେଉଛି ଏବଂ ଫିଟ୍‌ନେସ ରକ୍ଷା କ୍ଷେତ୍ରରେ ନବଦିଗନ୍ତ ସୃଷ୍ଟି କରିଛି – ପ୍ରଧାନମନ୍ତ୍ରୀ

Posted On: 24 SEP 2020 5:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟର ପ୍ରଥମ ବର୍ଷ ପୂତ୍ତି ଅବସରରେ ଏକ ଭର୍ଚୁଆଲ ସମ୍ମିଳନୀରେ ବୟସ ଉପଯୋଗୀ ଫିଟ୍‌ନେସ ପ୍ରୋଟକଲ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ କ୍ରୀଡାବିତ୍‌, ଫିଟ୍‌ନେସ ବିଶେଷଜ୍ଞ ଏବଂ ଅନ୍ୟମାନଙ୍କ ସହ ଫିଟ୍‌ ଇଣ୍ଡିଆ ଡାଇଲଗ୍‌ କାର୍ଯ୍ୟକ୍ରମରେ ମତ ବିନିମୟ କରିଛନ୍ତି । ଏହି ଫିଟ୍‌ ଇଣ୍ଡିଆ ଡାଇଲଗ୍‌ କାର୍ଯ୍ୟକ୍ରମ ଭର୍ଚୁଆଲ ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା ଏବଂ ଏଥିରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିବିଶେଷ ଅଣଆନୁଷ୍ଠାନିକଭାବେ ନିଜର ଅଭିଜ୍ଞତା ଓ ଫିଟ୍‌ନେସ ମନ୍ତ୍ର ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି କାର୍ଯ୍ୟକ୍ରମ ଅଣଆନୁଷ୍ଠାନିକ ଢଙ୍ଗରେ ଆୟୋଜିତ ହୋଇଥିଲା ।

ପାରା ଅଲିମ୍ପିକ୍‌ ସ୍ୱର୍ଣ୍ଣପଦକ ବିଜେତା ଝଜାରିଆଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପାରା ଅଲିମ୍ପିକ୍‌ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣପଦକ ବିଜେତା ଦେବେନ୍ଦ୍ର ଝଜାରିଆଙ୍କ ସହ କଥାବାର୍ତ୍ତା କରିଥିଲେ । ସେ ଭାରତ ପାଇଁ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଏଭଳି ଗୌରବ ଆଣିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କ ସଫଳତାର ଉଚ୍ଚ ପ୍ରଶଂସା କରିଥିଲେ । ନିଜର ଶାରୀରିକ ଆହ୍ୱାନର ମୁକାବିଲା କରି ସେ କିପରି ବିଶ୍ୱ ପ୍ରସିଦ୍ଧ କ୍ରୀଡାବିତ୍‌ ହୋଇପାରିଛନ୍ତି ପ୍ରଧାନମନ୍ତ୍ରୀ ସେ ବିଷୟରେ ତାଙ୍କୁ ପଚାରି ବୁଝିଥିଲେ ।

ଦେବେନ୍ଦ୍ର ତାଙ୍କର ଜୀବନର ଜଟିଳ ପର୍ଯ୍ୟାୟର ଅନୁଭୂତି ବର୍ଣ୍ଣନା କରିଥିଲେ । ବିଜୁଳି ଆଘାତ ଯୋଗୁଁ ତାଙ୍କୁ ଗୋଟିଏ ହାତ ହରାଇବାକୁ ପଡିଥିଲା । ଏହା ସତ୍ତ୍ୱେ ତାଙ୍କ ମାଆ ତାଙ୍କୁ ଜଣେ ସ୍ୱାଭାବିକ ପିଲାଭାବେ ଜୀବନ ନିର୍ବାହ କରିବାକୁ ପ୍ରେରଣା ଦେଇଥିଲେ । ତାଙ୍କ ମାଙ୍କ ସାହାଯ୍ୟ ସହଯୋଗରେ ସେ ନିଜର ଶାରୀରିକ ଫିଟ୍‌ନେସ ରକ୍ଷା କରିଥିଲେ ।

ପ୍ରଧାନମନ୍ତ୍ରୀ ଝଜାରିଆଙ୍କୁ ତାଙ୍କର ସର୍ବଶେଷ କାନ୍ଧ ଆଘାତ ସଂପର୍କରେ ପଚାରି ବୁଝିଥିଲେ ଏବଂ ଖେଳରୁ ଅବସର ନେବାକୁ ତାଙ୍କର ଯେଉଁ ଭାବନା ସୃଷ୍ଟି ହୋଇଥିଲା ସେଥିରୁ ସେ କିପରି ମୁକୁଳିଲେ ସେ ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ଝଜାରିଆ କହିଥିଲେ ଯେ ଜଣକୁ ନିଜର ମାନସିକ ଓ ଶାରୀରିକ ପ୍ରତିବନ୍ଧକକୁ ଦୂର କରିବାକୁ ହେଲେ ପ୍ରଥମେ ନିଜ ଉପରେ ବିଶ୍ୱାସ ରଖିବାକୁ ପଡିବ । ସେ ଏହି ଅବସରରେ କିଛି ଶାରୀରିକ ବ୍ୟାୟାମ ପ୍ରଦର୍ଶନ କରିବା ସହ ନିଜର ଆଘାତକୁ ଅତିକ୍ରମ କରିବା ପାଇଁ ନିଜକୁ କିପରି ଫିଟ୍‌ ରଖୁଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ । ପାରା ଅଲିମ୍ପିକ୍‌ ସ୍ୱର୍ଣ୍ଣ ବିଜୟୀ ଦେବେନ୍ଦ୍ର ଏକ ଚମତ୍କାର ପ୍ରେରଣାଦାୟୀ କାର୍ଯ୍ୟ କରୁଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିବା ସହ ତାଙ୍କର 80 ବର୍ଷୀୟା ମାଆ ଏବେ ମଧ୍ୟ ଫିଟ୍‌ ଥିବାରୁ ସେ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଫୁଟବଲ ଖେଳାଳି ଅଫ୍‌ସାନ ଆସିକ୍‌ଙ୍କ ସହିତ କଥାବାର୍ତ୍ତା

ଜମ୍ମୁ ଓ କଶ୍ମୀରର ମହିଳା ଫୁଟବଲ ଖେଳାଳି ତଥା ଗୋଲକିପ୍‌ର ଅଫ୍‌ସାନ ଆସିକ୍‌ ନିଜ ପାଇଁ ଏବଂ ଅନ୍ୟମାନଙ୍କ ନିମନ୍ତେ ମଧ୍ୟ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସେ ନିଜେ ଜଣେ ମାଓ ଏକ ପରିବାରର ଦାୟିତ୍ୱ ନିର୍ବାହ କରୁଥିବାବେଳେ ନିଜକୁ ସଂପୂର୍ଣ୍ଣ ଫିଟ୍‌ ରଖିପାରିଛନ୍ତି । କଥାବାର୍ତ୍ତା ଅବସରରେ ସେ କହିଛନ୍ତି ଯେ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଶାନ୍ତ ସ୍ୱଭାବର କାର୍ଯ୍ୟଶୈଳୀ ଦ୍ୱାରା ସେ ଅନୁପ୍ରାଣିତ ହୋଇଛନ୍ତି । ପ୍ରତିଦିନ ସକାଳେ ସେ ଧ୍ୟାନ କରନ୍ତି ଏବଂ ଏହା ତାଙ୍କୁ ଶାନ୍ତ ଓ ସ୍ଥିର ରହିବାରେ ସହାୟକ ହୋଇଥାଏ ।

ପ୍ରଧାନମନ୍ତ୍ରୀ ଅଫ୍‌ସାନଙ୍କୁ ଜମ୍ମୁ କଶ୍ମୀରର ଲୋକେ ଅତି ଦୁର୍ବିସହ ପାଣିପାଗରେ ପାରମ୍ପରିକ ଉପାୟରେ କିପରି ଫିଟ୍‌ ରଖନ୍ତି ସେ ବିଷୟରେ ପଚାରିଥିଲେ । ଏହାର ଉତ୍ତରରେ ଅଫ୍‌ସାନ କହିଥିଲେ ଯେ ଲୋକମାନେ ନିଜର ଆବଶ୍ୟକତା ପୂରଣ ପାଇଁ ପାହାଡିଆ ରାସ୍ତାରେ ଯିବା ଆସିବା କରିବା ଦ୍ୱାରା ନିଜକୁ ଫିଟ୍‌ ରଖିଥାନ୍ତି । ଆହୁରି ମଧ୍ୟ ଜମ୍ମୁ କଶ୍ମୀରର ଲୋକେ ସମୁଦ୍ର ପତନଠାରୁ ବହୁ ଅଧିକ ଉଚ୍ଚତାରେ ବସବାସ କରୁଥିବାରୁ ସେମାନଙ୍କର ଫୁସ୍‌ଫୁସ୍‌ର ଦକ୍ଷତା ଅଧିକ । ତେଣୁ ସେମାନେ ଯେତେବେଳେ ଶାରୀରିକ ପରିଶ୍ରମ କରନ୍ତି ସେତେବେଳେ ସେମାନଙ୍କର ଶ୍ୱାସପ୍ରଶ୍ୱାସଜନିତ ସମସ୍ୟା ନ ଥାଏ । ଜଣେ ଗୋଲ୍‌କିପର ହିସାବରେ ସେ ନିଜକୁ ଶାରୀରିକ ଓ ମାନସିକଭାବେ କିପରି ନମନୀୟ ରଖିପାରିଛନ୍ତି ସେ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ।

ଅଭିନେତା ମିଲିନ୍ଦ ସୋମନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ପ୍ରଧାନମନ୍ତ୍ରୀ ଅଭିନେତା ଓ ମଡେଲ ମିଲିନ୍ଦ ସୋମନଙ୍କ ସହିତ କଥାବାର୍ତ୍ତା ପୂର୍ବରୁ ମେକ୍‌ ଇନ୍‌ ଇଣ୍ଡିଆ ମିଲିନ୍ଦବୋଲି ଉଲ୍ଲେଖ କରିଥିଲେ । ନିଜ ଢଙ୍ଗରେ ସେ କିପରି ମେକ୍‌ ଇନ୍‌ ଇଣ୍ଡିଆର ଜଣେ ବଡ଼ ସମର୍ଥକ ପାଲଟିଛନ୍ତି ତାହା ଉଲ୍ଲେଖ କରିଥିଲେ । ମିଲିନ୍ଦ କହିଥିଲେ ଯେ ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇଛି । ଲୋକେ ଏହାଦ୍ୱାରା ନିଜର ଶାରୀରିକ ଓ ମାନସିକ ସାମର୍ଥ୍ୟ ସଂପର୍କରେ ଅବଗତ ହୋଇପାରୁଛନ୍ତି । ସେ ନିଜ ମାଆଙ୍କର ଫିଟ୍‌ନେସ ସଂପର୍କରେ ମଧ୍ୟ କହିଥିଲେ । ଅତୀତରେ ଲୋକମାନେ ଫିଟ୍‌ ରହୁଥିଲେ ଏବଂ ଗାଁରେ ପାଣି ସଂଗ୍ରହ କରିବାକୁ ଦୈନିକ 40ରୁ 50 କିମି ରାସ୍ତା ଅତିକ୍ରମ କରୁଥିଲେ; କିନ୍ତୁ ଆଜିକାଲି ସହରରେ ଟେକ୍ନୋଲଜିର ସୁବିଧା ଯୋଗୁଁ ଆମେ ଏକ ଆଳସ୍ୟ ଜୀବନଯାପନ କରୁଛୁ । ଏହା ଫଳରେ ଆମେ ବିଭିନ୍ନ ପ୍ରକାର ବ୍ୟାଧିର ସମ୍ମୁଖୀନ ହେଉଛୁ ବୋଲି ମିଲିନ୍ଦ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଫିଟ୍‌ନେସ ବୟସ ଦେଖେନି । ମିଲିନ୍ଦଙ୍କ ମାଆଙ୍କ ଉଦାହରଣ ଦେଇ ସେ କହିଥିଲେ ଯେ 81 ବୟସରେ ମଧ୍ୟ ସେ ଏବେ ଫିଟ୍‌ ଅଛନ୍ତି ଏବଂ ଦୈନିକ ଦଣ୍ଡ ବୈଠକ କରିପାରୁଛନ୍ତି । ଏଥିପାଇଁ ସେ ମିଲିନ୍ଦଙ୍କ ମାଆଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ଉଦ୍ୟମର ଉଚ୍ଚ ପ୍ରଶଂସା କରିଛନ୍ତି । ମିଲିନ୍ଦ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନ କରିଥିଲେ ଯେ ସେ କିପରି ସମାଲୋଚନାର ମୁକାବିଲା କରନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂପୂର୍ଣ୍ଣ ଉତ୍ସର୍ଗୀକୃତଭାବେ କରାଯାଉଥିବା କାର୍ଯ୍ୟ, ସମସ୍ତଙ୍କ ଆବଶ୍ୟକତା ପୂରଣ ପାଇଁ  କାର୍ଯ୍ୟ କରିବାର ଭାବନା ଏବଂ କର୍ତ୍ତବ୍ୟର ବିଚାର ମାନସିକ ଚାପ ଦୂର କରେ । ପ୍ରଧାନମନ୍ତ୍ରୀ କହିଥିଲେ ପ୍ରତିଯୋଗିତା ବିଚାରର ଏକ ସୁସ୍ଥ ମାର୍ଗର ସଂକେତ ଦିଏ । ତେବେ ଜଣେ ଏ କ୍ଷେତ୍ରରେ ଅନ୍ୟ ସହିତ ପ୍ରତିଯୋଗିତା କରିବା ଅପେକ୍ଷା ପ୍ରଥମେ ନିଜସହ ପ୍ରତିଯୋଗିତା କରିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ।

ପୁଷ୍ଟିସାଧନ ବିଶାରଦ ରୁଜୁତା ଦିୱେକରଙ୍କ ସହ କଥାବାର୍ତ୍ତା

ପୁଷ୍ଟିସାଧନ ବିଶେଷଜ୍ଞ ରୁଜୁତା ଦିୱେକରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଳାପ ଅବସରରେ ଖାଦ୍ୟ ପାନୀୟ ବିଷୟରେ କିଛି ଜାଣିବାକୁ ମିଳିଥିଲା । ରୁଜୁତା ଡାଲି, ଭାତ ଓ ଘିଅ ଖାଇବାର ପୁରୁଣା ସଂସ୍କୃତି ଉପରେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ଆମେ ଯଦି ସ୍ଥାନୀୟଭାବେ ଉତ୍ପାଦିତ ଖାଦ୍ୟ ଖାଉ, ତାହାଦ୍ୱାରା ଆମର ଚାଷୀ ଓ ସ୍ଥାନୀୟ ଅର୍ଥନୀତି ଉପକୃତ ହୋଇଥାଏ । ଭୋକାଲ ଫର୍‌ ଲୋକାଲ ବିଚାର ଏ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ସେ କେତେକ ଆନ୍ତର୍ଜାତିକ ଧାରା ଉପରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେଥିରେ ଘିଅ କିପରି ତିଆରି ହୁଏ, ଦୁଧ ହଳଦୀର ଗୁରୁତ୍ୱ କଣ ତାହା ଲୋକେ ଏବେ ଶିଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି କହିଥିଲେ । ଯେଉଁ ଖାଦ୍ୟ ଆମର ଶାରୀରିକ ଏବଂ ମାନସିକ ଶକ୍ତି ନଷ୍ଟ କରେ ତାହାଠାରୁ ଦୂରରେ ରହିବାକୁ ରୁଜୁତା ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ପ୍ରତ୍ୟେକ ଅଞ୍ଚଳରେ ବିଭିନ୍ନ ପ୍ରକାର ସ୍ୱତନ୍ତ୍ର ଖାଦ୍ୟପାନୀୟ ଉପଲବ୍ଧ ହୋଇଥାଏ । ତେଣୁ ଘର ତିଆରି ଖାଦ୍ୟକୁ ସମସ୍ତେ ଅଗ୍ରାଧିକାର ଦେବା ଉଚିତ । ଆମେ ଯଦି ପ୍ୟାକ୍‌ ଓ ପ୍ରୋସେସ ହୋଇଥିବା ଖାଦ୍ୟକୁ ବନ୍ଦ କରୁ ଏବଂ ଘର ତିଆରି ଖାଦ୍ୟ ଅଧିକ ଖାଉ ଆମର ସ୍ୱାସ୍ଥ୍ୟଗତ ଲାଭ ଅଧିକ ହେବ ବୋଲି ସେ କହିଛନ୍ତି ।

ସ୍ୱାମୀ ଶିବଧ୍ୟାନମ୍‌ ସରସ୍ୱତୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଳାପ

ସ୍ୱାମୀ ଶିବଧ୍ୟାନମ୍‌ ସରସ୍ୱତୀ କହିଥିଲେ ଯେ ସେ ସର୍ବଜନ ହିତାୟ, ସର୍ବଜନ ସୁଖାୟଶ୍ଲୋକରୁ ପ୍ରେରଣା ପାଆନ୍ତି । କାରଣ ଏଥିରେ ସମସ୍ତଙ୍କର କଲ୍ୟାଣ ଓ ସନ୍ତୋଷ ନିହିତ । ସେ ତାଙ୍କ ଗୁରୁଙ୍କ ବିଷୟରେ କହିବା ସହ ଯୋଗର ମହତ୍ୱ ସଂପର୍କରେ ପ୍ରଚାର କରିବା ପାଇଁ ସେମାନଙ୍କଠାରୁ ପାଇଥିବା ପ୍ରେରଣା ସଂପର୍କରେ ସୂଚନା ଦେଇଥିଲେ । ପ୍ରାଚୀନ ଗୁରୁକୁଳ ପରମ୍ପରାରେ ପ୍ରଚଳିତ ଗୁରୁଶିଷ୍ୟ ସଂପର୍କ ଉପରେ କହିବା ସହିତ ଛାତ୍ରମାନଙ୍କର ଶାରୀରିକ ଓ ମାନସିକ ବିକାଶ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।

ସ୍ୱାମୀଜୀ କହିଥିଲେ ଯେ ଯୋଗ କେବଳ ଗୋଟିଏ ଅଭ୍ୟାସ ବା ବ୍ୟାୟାମ ନୁହେଁ, ଏହା ଜୀବନର ମାର୍ଗ । ଗୁରୁକୁଳରେ ଏ ସବୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଥିଲା । ପରିବର୍ତ୍ତିତ ଜୀବନଶୈଳୀ ଅନୁସାରେ ଯୋଗକୁ ଖାପଖୁଆଇବା ପାଇଁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋଚନା କରିଥିଲେ ।

ବିରାଟ କୋହଲିଙ୍କ ସହ ଆଲୋଚନା

ପ୍ରଧାନମନ୍ତ୍ରୀ ବିରାଟ କୋହଲିଙ୍କ ସହିତ ତାଙ୍କର ଫିଟ୍‌ନେସ ରୁଟିନ୍‌ ବିଷୟରେ ଆଲୋଚନା କରିଥିଲେ । ବିରାଟ କହିଥିଲେ ଶାରୀରିକ ଶକ୍ତି ମାନସିକ ଶକ୍ତି ସହିତ ସମାନଭାବେ ଗତିକରେ । ଦିଲ୍ଲୀର ପ୍ରଖ୍ୟାତ ଛୋଲେ ଭଟୁରେ ଖାଇବା ସେ କିପରି ଛାଡିଲେ ବୋଲି ପ୍ରଧାନମନ୍ତ୍ରୀ ପଚାରିବାରୁ ବିରାଟ କହିଥିଲେ ଯେ ଘର ରନ୍ଧାଖାଦ୍ୟ ଖାଇବା ସହିତ ଖାଦ୍ୟ ସଂଯମ ତାଙ୍କ ଫିଟ୍‌ନେସ ସ୍ତରକୁ ବଢାଇବାରେ ସହାୟକ ହୋଇଛି । କାଲୋରି ଗ୍ରହଣକୁ କିପରି ବଜାୟ ରଖାଯାଇପାରିବ ସେ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ବିରାଟ କହିଥିଲେ ଯେ ମଣିଷ ଯେଉଁ ଖାଦ୍ୟ ଖାଉଛି ତାହା ହଜମ ହେବାକୁ ସମୟ ଲାଗେ । ସେଥିପାଇଁ ଖାଦ୍ୟ ଗ୍ରହଣରେ ଏକ ନିୟମିତ ବ୍ୟବଧାନ ରହିବା ଉଚିତ । ଇୟୋ ଇୟୋ ଟେଷ୍ଟ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ସହ ଫିଟ୍‌ନେସ ସଂସ୍କୃତି ସୃଷ୍ଟିର ଗୁରୁତ୍ୱ ସଂପର୍କରେ କହିଥିଲେ । ଆପଣ କ୍ଲାନ୍ତ ହୁଅନ୍ତି ନାହିଁ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିବାରୁ ବିରାଟ କହିଥିଲେ ଯେ ଉତ୍ତମ ନିଦ୍ରା, ଖାଦ୍ୟ ଏବଂ ଫିଟ୍‌ନେସ ଦ୍ୱାରା ଶରୀର ଗୋଟିଏ ସପ୍ତାହରେ ସୁସ୍ଥ ହୋଇଯାଏ ।

ଶିକ୍ଷାବିତ୍‌ ମୁକୁଲ କାନିତକରଙ୍କ ସହ ବାର୍ତ୍ତାଳାପ

ଶିକ୍ଷାବିତ୍‌ ମୁକୁଲ କାନିତକର କହିଥିଲେ ଯେ ଫିଟ୍‌ନେସ ବିଚାର କେବଳ ଶରୀର ପାଇଁ ନୁହେଁ, ମାନସିକ ଏବଂ ସାମାଜିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଜରୁରୀ । ଏକ ସ୍ୱାସ୍ଥ୍ୟ ସଂସ୍କୃତି ନିର୍ମାଣ ଉପରେ ସେ ଗୁରୁତ୍ୱ ଦେଇଥିଲେ । ସୂର୍ଯ୍ୟ ନମସ୍କାରର ଜଣେ ପ୍ରବକ୍ତା ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଭଗବତ୍‌ ଗୀତା ଦୁଇଜଣ ଫିଟ୍‌ ମଣିଷଙ୍କ ମଧ୍ୟରେ ହୋଇଥିବା ଆଲୋଚନା । ନୂଆ ଜାତୀୟ ଶିକ୍ଷାନୀତିରେ ଫିଟ୍‌ନେସକୁ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ ।  ସେ କହିଥିଲେ ଯେ ଏହାଦ୍ୱାରା ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ପ୍ରେରଣା ମିଳିବ । ଫିଟ୍‌ନେସ ମନ, ବୁଦ୍ଧି ଏବଂ ଭାବନାର ଏକ ସମନ୍ୱୟ ବୋଲି ସେ ମତ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଉପସଂହାରୀୟ ମନ୍ତବ୍ୟ

କାର୍ଯ୍ୟକ୍ରମ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଫିଟ୍‌ ଇଣ୍ଡିଆ ଡାଇଲଗ୍‌ ପ୍ରତ୍ୟେକ ବୟସ ବର୍ଗର ଫିଟ୍‌ନେସ ଆଗ୍ରହ ଉପରେ ଗୁରୁତ୍ୱ  ଦିଏ । ଏହା ମଧ୍ୟ ଫିଟ୍‌ନେସର ବିଭିନ୍ନ ଦିଗକୁ ଏଥିରେ ଅନ୍ତର୍ଭୁକ୍ତ କରେ । ଏବେ ଦେଶରେ ଫିଟ୍‌ନେସକୁ ଲୋକେ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ସିଆଡେ ମୁହାଁଉଛନ୍ତି । ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଆରମ୍ଭ ହେବା ପରେ ଏ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପ୍ରଗତି ପରିଲକ୍ଷିତ ହୋଇଛି । ଲୋକେ ନିଜର ସ୍ୱାସ୍ଥ୍ୟ ଏବଂ ଫିଟ୍‌ନେସ ନେଇ ଅଧିକ ସଚେତନ ହେଉଛନ୍ତି । ନିଜକୁ ସୁସ୍ଥ ସବଳ ଓ ସମର୍ଥ ରଖିବାକୁ ନିରନ୍ତର ଉଦ୍ୟମ ଚଳାଇଛନ୍ତି । ଏହା ଏକ ଶୁଭ ଲକ୍ଷଣ ବୋଲି ସେ କହିଛନ୍ତି । ଯୋଗ, ବ୍ୟାୟାମ, ଚାଲିବା, ଦୌଡ଼, ପୁଷ୍ଟିକର ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବା ଅଭ୍ୟାସ, ସୁସ୍ଥ ଜୀବନଶୈଳୀ ଏସବୁ ଆମ ସଚେତନତାର ଅଂଶବିଶେଷ ପାଲଟିଯାଇଛି । ସେ କହିଛନ୍ତି ଯେ ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଏହି କରୋନା ମହାମାରୀ ସମୟର କଟକଣା ସତ୍ତ୍ୱେ ମଧ୍ୟ ତାହାର ପ୍ରଭାବ ଓ ପ୍ରାସଙ୍ଗିକତା ବଜାୟ ରଖିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଫିଟ୍‌ ରହିବା କଷ୍ଟସାଧ୍ୟ ବ୍ୟାପାର ନୁହେଁ । ସାମାନ୍ୟ ଶୃଙ୍ଖଳା ଓ କିଞ୍ଚିତ କଷ୍ଟକର କାର୍ଯ୍ୟ ଦ୍ୱାରା ଆପଣ ସର୍ବଦା ସୁସ୍ଥ ରହିପାରିବେ । ସେ ଫିଟ୍‌ନେସ ଡୋଜ୍‌ମନ୍ତ୍ର ପ୍ରଦାନ କରି କହିଥିଲେ ପ୍ରତିଦିନ ପ୍ରତ୍ୟେକଙ୍କ ଜୀବନରେ ମାତ୍ର ଅଧଘଣ୍ଟା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଜଣେ ଫିଟ୍‌ ରହିବାକୁ ଉଦ୍ୟମ କଲେ ସୁସ୍ଥସବଳ ରହିପାରିବ । ପ୍ରତ୍ୟେକ ବ୍ୟକ୍ତି ଦୈନିକ କିଛି ସମୟ ପାଇଁ ଯୋଗ କରନ୍ତୁ କିମ୍ବା ବ୍ୟାଡମିଣ୍ଟନ, ଟେନିସ, ଫୁଟବଲ, କରାଟେ ବା କବାଡି ଅତି କମ୍‌ରେ 30 ମିନିଟ ଖେଳନ୍ତୁ । ଦେଖିବେ ସବୁ ଠିକ୍‌ ହୋଇଯିବ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିତଭାବେ ଫିଟ୍‌ନେସ ପ୍ରୋଟକଲ ଉନ୍ମୋଚନ କରାଯାଇଛି ବୋଲି ଏହି ଅବସରରେ ସେ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଫିଟ୍‌ନେସ ସଂକ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ବିଶ୍ୱବ୍ୟାପୀ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡାଏଟ (ଆହାର), ଶାରୀରିକ କାର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ସଂପର୍କରେ ଏକ ବୈଶ୍ୱିକ ରଣନୀତି ପ୍ରସ୍ତୁତ କରିଛି । ଶାରୀରିକ କାର୍ଯ୍ୟ ସଂପର୍କରେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର ଦୁନିଆ ପାଇଁ ଏକ ପରାମର୍ଶ ସୂଚୀ ଜାରି କରାଯାଇଛି । ଆଜି ଅଷ୍ଟ୍ରେଲିଆ, ଜର୍ମାନୀ, ବ୍ରିଟେନ ଏବଂ ଆମେରିକା ଫିଟ୍‌ନେସ ପାଇଁ ନୂଆ ଲକ୍ଷ୍ୟଧାର୍ଯ୍ୟ କରି ସେ ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ବିଶ୍ୱର ବିଭିନ୍ନ ସ୍ଥାନରେ ଫିଟ୍‌ନେସ ସଂପର୍କରେ ବଡ଼ ବଡ଼ ଅଭିଯାନ ଏବଂ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି  । ଅଧିକରୁ ଅଧିକ ନାଗରିକ ଦୈନିକ ବ୍ୟାୟାମରେ ଯୋଗ ଦେଉଛନ୍ତି ।

 

**********

 


(Release ID: 1658820) Visitor Counter : 284