ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମିଳିତ ଜାତିସଂଘ ସାଧାରଣ ପରିଷଦକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
प्रविष्टि तिथि:
22 SEP 2020 12:18PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମିଳିତ ଜାତିସଂଘ ସାଧାରଣ ପରିଷଦକୁ ଆଜି ସମ୍ବୋଧିତ କରିଛନ୍ତି ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ, ଆଜକୁ 75 ବର୍ଷ ପୂର୍ବେ ସାରା ବିଶ୍ୱ ପାଇଁ ଏଭଳି ଏକ ଅନୁଷ୍ଠାନ ସୃଷ୍ଟି କରାଯାଇଥିଲା ଯାହା ଯୁଦ୍ଧ ବିଭୀଷିକାରୁ ସମଗ୍ର ବିଶ୍ୱକୁ ରକ୍ଷା କରିବା ସକାଶେ ମାନବ ଇତିହାସରେ ପ୍ରଥମ ଥର ପାଇଁ ଏବଂ ଏକ ନୂତନ ଆଶାର ସଞ୍ଚାର କରିପାରିଥିଲା । ସେ କହିଲେ ଯେ ମିଳିତ ଜାତିସଂଘ ଘୋଷଣାନାମାର ମୂଳ ସ୍ୱାକ୍ଷରକାରୀ ରାଷ୍ଟ୍ରଙ୍କ ମଧ୍ୟରୁ ଅନ୍ୟତମ ରାଷ୍ଟ୍ର ଭାବେ ଭାରତ ଏହି ଆଦର୍ଶ ପରିକଳ୍ପନାର ଅଂଶବିଶେଷ ଭାବେ ସାମିଲ ହୋଇଥିଲା ଯାହା ଭାରତର ନିଜସ୍ୱ ଦର୍ଶନ “ବସୁଧୈବ କୁଟୁମ୍ବକମ୍” ଚିନ୍ତାଧାରାରେ ପ୍ରତିଫଳିତ । ଭାରତ ସଦାସର୍ବଦା ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ବୋଲି ହେତୁ କରିଆସିଛି ।
ମିଳିତ ଜାତିସଂଘର ଶାନ୍ତି ସ୍ଥାପନା କାର୍ଯ୍ୟକ୍ରମରେ ବିଶ୍ୱରେ ଶାନ୍ତି ଓ ବିକାଶ ପାଇଁ ଯେଉଁମାନେ ନିଜର ପ୍ରାଣବଳି ଦେଇଛନ୍ତି ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି କେବଳ ମିଳିତ ଜାତିସଂଘ ଯୋଗୁ ହିଁ ଆମର ବିଶ୍ୱରେ ଏତେ ଶାନ୍ତି ସ୍ଥାପନ କରାଯାଇପାରିଛି । ଆଜି ଜାତିସଂଘରେ ଯେଉଁ ଘୋଷଣାନାମା ଗୃହୀତ ହୋଇଛି, ସେ ସଂପର୍କରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ କହିଲେ ଯେ ଯଦିଚ ଏ ଦିଗରେ ବେଶ୍ କିଛି ହାସଲ କରାଯାଇପାରିଛି, ତଥାପି ଜାତିସଂଘର ମୂଳ ଉଦ୍ଦେଶ୍ୟ ଅପୂର୍ଣ୍ଣ ରହିଛି । ଆଜି ଆମେ ଏହି ପରିପ୍ରେକ୍ଷୀରେ ଯେଉଁ ସୁଦୂରପ୍ରସାରୀ ଘୋଷଣାନାମା ଗ୍ରହଣ କରୁଛୁ ସେହି କାର୍ଯ୍ୟ ମଧ୍ୟ ପୂରଣ ହେବା ଆବଶ୍ୟକ । ବିଶ୍ୱରୁ ସାମରିକ ବିବାଦକୁ ରୋକିବା, ବିକାଶକୁ ସୁନିଶ୍ଚିତ କରିବା, ଜଳବାୟୁ ପରିବର୍ତ୍ତନ ଜନିତ କାର୍ଯ୍ୟକ୍ରମକୁ ସୁନିଶ୍ଚିତ କରିବା, ଅସମାନତା ଦୂର କରିବା ଏବଂ ଡିଜିଟାଲ ପ୍ରଯୁକ୍ତିକୁ ପ୍ରୋତ୍ସାହନ ପ୍ରଦାନ ସେଥି ମଧ୍ୟରେ ଅନ୍ୟତମ । ସେହିଭଳି ମିଳିତ ଜାତିସଂଘ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆବଶ୍ୟକ ସଂପର୍କୀତ ଘୋଷଣାନାମାକୁ ପ୍ରଧାନମନ୍ତ୍ରୀ ଦୃଢ଼ ସମର୍ଥନ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ବ୍ୟାପକ ସଂସ୍କାର ବିନା, ମିଳିତ ଜାତିସଂଘ ଏବେ ଯେଉଁ ଆତ୍ମବିଶ୍ୱାସ ସଂକଟର ସମ୍ମୁଖୀନ ହେଉଛି ଏବଂ ଆଜିର ବିଶ୍ୱରେ ଯେଉଁସବୁ ଆହ୍ଵାନମାନ ମୁଣ୍ଡ ଟେକୁଛି ଅପ୍ରାସଙ୍ଗିକ ହୋଇପଡ଼ିଥିବା ବ୍ୟବସ୍ଥା ଦ୍ୱାରା ସେସବୁର ସମାଧାନ କଦାପି କରାଯାଇପାରିବ ନାହିଁ । ସେ କହିଲେ ଯେ ବର୍ତ୍ତମାନର ବିଶ୍ୱ ପରସ୍ପର ସହ ବିଭିନ୍ନ ଭାବେ ସଂଯୁକ୍ତ । ତେଣୁ ଆମକୁ ଏକ ସଂସ୍କାରିତ ବହୁପାକ୍ଷିକ ବ୍ୟବସ୍ଥାର ଆବଶ୍ୟକତା ରହିଛି । ତାହା ଆଜିର ବାସ୍ତବତାକୁ ପ୍ରତିଫଳିତ କରେ । ସମସ୍ତ ପକ୍ଷଙ୍କୁ ସେମାନଙ୍କର ସ୍ୱର ଉତ୍ତୋଳନର ଅଧିକାର ପ୍ରଦାନ କରେ । ବର୍ତ୍ତମାନର ଆହ୍ଵାନଗୁଡ଼ିକୁ ସାମ୍ନା କରିବାର ଦକ୍ଷତା ପ୍ରଦାନ କରେ ଏବଂ ମାନବ କଲ୍ୟାଣ ଉପରେ ଗୁରୁତ୍ୱ ଆରୋପ କରେ । ଏହି ଲକ୍ଷ୍ୟ ହାସଲ ଦିଗରେ ଅନ୍ୟ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସହ ମିଶି କାର୍ଯ୍ୟ କରିବାକୁ ଭାରତ ପ୍ରୟାସୀ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
**********
(रिलीज़ आईडी: 1657860)
आगंतुक पटल : 252
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam