ରେଳ ମନ୍ତ୍ରଣାଳୟ

କିଷାନ ରେଳକୁ ସ୍ୱାଗତ କରିବାକୁ ଦିଲ୍ଲୀ ପ୍ରସ୍ତୁତ

• ଦକ୍ଷିଣ ଭାରତର ପ୍ରଥମ କିଷାନ ରେଳ ଆନ୍ଧ୍ରର ଅନନ୍ତପୁରରୁ ନୂଆଦିଲ୍ଲୀର ଆଦର୍ଶନଗର ଅଭିମୁଖେ ଯାତ୍ରା କଲା
• କୃଷି ଉତ୍ପାଦନ ସମ୍ଭାବ୍ୟ ସର୍ବାଧିକ ବଜାର ଓ ଲାଭ ଲୋଡ଼େ । ଭାରତୀୟ ଶ୍ରମିକ ପ୍ରମାଣିତ କରିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ସେମାନେ କେବେ ଦବି ଯିବେ ନାହିଁ
• କୃଷିଜାତ ସାମଗ୍ରୀକୁ ଦେଶର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚାଇବାକୁ କିଷାନ ରେଳ ନିଶ୍ଚିତ କରିବ: କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର
• ଭାରତୀୟ ରେଳବାଇ କୃଷକଙ୍କ ଉତ୍ପାଦିତ ସାମଗ୍ରୀର ପରିବହନ ଓ ବିପଣନ ପାଇଁ ଅଙ୍ଗୀକାରବଦ୍ଧ: ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁରେଶ ଅଙ୍ଗାଡି
• ଅନନ୍ତପୁର ଓ ନୂଆଦିଲ୍ଲୀ ମଧ୍ୟରେ କିଷାନ ରେଳ ଚଳାଚଳର ଉଦ୍ଘାଟନ କଲେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମର ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ

Posted On: 09 SEP 2020 3:09PM by PIB Bhubaneshwar

ଦକ୍ଷିଣ ଭାରତର ପ୍ରଥମ କିଷାନ ରେଲ ସେପ୍ଟେମ୍ବର 9ରେ ଆନ୍ଧ୍ରପ୍ରଦେଶର ଅନନ୍ତପୁରଠାରୁ ନୂଆଦିଲ୍ଲୀର ଆଦର୍ଶନଗର ଅଭିମୁଖେ ଯାତ୍ରା କରିଛି । ରେଳବାଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁରେଶ ଅଙ୍ଗାଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଭିଡିଓ ଲିଙ୍କ କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଜଗନମୋହନ ରେଡ୍ଡୀ ମିଳିତଭାବେ ଏହାର ଶୁଭାରମ୍ଭ କରିଛନ୍ତି ।

ଏହି ଉପଲକ୍ଷେ ଉଦ୍‌ବୋଧନ ଦେଇ ଶ୍ରୀ ତୋମର କହିଛନ୍ତି ଯେ, ଏହି କିଷାନ ରେଳ ଦକ୍ଷିଣ ଭାରତର ପ୍ରଥମ କିଷାନ ରେଳଭାବେ ଜାତୀୟ ରାଜଧାନୀ ନୂଆଦିଲ୍ଲୀକୁ ସଂଯୋଗ କରିଛି । ଏହାଦ୍ୱାରା ଚାଷୀମାନେ ବିଶେଷଭାବେ ଉପକୃତ ହେବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ଓ ପ୍ରେରଣାରେ  ଭାରତୀୟ ରେଳବାଇ ଗ୍ରାମାଞ୍ଚଳ ଜନତା ଏବଂ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି କିଷାନ ରେଳ ଚଳାଚଳ ଆରମ୍ଭ କରିଛି । ଆନ୍ଧ୍ରର ଚାଷୀଙ୍କ ପାଇଁ ଏହା ଏକ ମହାନ୍‌ ଦିନ । ବଜେଟରେ କିଷାନ ରେଳ ଚଳାଚଳ ଘୋଷଣା କରାଯାଇଥିଲା । କୃଷିଜାତ ସାମଗ୍ରୀ ଯେତେ ଅଧିକରୁ ଅଧିକ ପରିବ୍ୟାପ୍ତ ହୋଇ ବିକ୍ରି ହୋଇପାରିବ ଚାଷୀଙ୍କୁ ସେତେ ଅଧିକ ଲାଭ ମିଳିବ । କୌଣସି ବିପର୍ଯ୍ୟୟ ସେମାନଙ୍କୁ ହରାଇପାରିବ ନାହିଁ । ଭାରତୀୟ ଚାଷୀ ତାହାକୁ ପ୍ରମାଣିତ କରିଛନ୍ତି । ଏହି ରେଳ ନିଶ୍ଚିତ କରିଛି ଯେ ଦେଶର ଗୋଟିଏ କୋଣରୁ ଅନ୍ୟ କୋଣକୁ କୃଷିଜାତ ସାମଗ୍ରୀ ସୁରୁଖୁରୁରେ ପହଞ୍ଚିପାରିବ ଏବଂ ଏଥିରେ କୌଣସି ବ୍ୟାହତ ଘଟିବ ନାହିଁ ।

ଶ୍ରୀ ସୁରେଶ ଅଙ୍ଗାଡି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ବଜେଟରେ ହୋଇଥିବା ଘୋଷଣା ଦ୍ୱାରା ଏହି କିଷାନ ରେଳ ଚଳାଚଳ ସମ୍ଭବ ହୋଇଛି । କୃଷକଙ୍କ ଆୟ ଦ୍ୱିଗୁଣିତ କରିବାରେ ଏହା ସହାୟକ ହେବ । ରାଷ୍ଟ୍ରର ଜୀବନରେଖା ହିସାବରେ ଭାରତୀୟ ରେଳବାଇ ଦେଶର ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ବିଭିନ୍ନ ସ୍ଥାନକୁ ପରିବହନ କରିବା ପାଇଁ ଅଙ୍ଗୀକୃତ । ସେ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ରେଳପଥର ବିଦ୍ୟୁତ୍‌କରଣ କାର୍ଯ୍ୟ ବେଶ୍‌ ବ୍ୟାପକଭାବେ ଚାଲିଛି । ଏହାର ସୁଫଳ ଆନ୍ଧ୍ରବାସୀ ଶୀଘ୍ର ପାଇବେ

କେନ୍ଦ୍ର କୃଷି, କୃଷକ କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ମିଳିତଭାବେ ଅନନ୍ତପୁର-ନୂଆଦିଲ୍ଲୀ କିଷାନ ରେଳକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି କିଷାନ ରେଳଟି ଦକ୍ଷିଣ ଭାରତର ପ୍ରଥମ ଏ ଧରଣର ଟ୍ରେନଭାବେ ଆନ୍ଧ୍ରର ଅନନ୍ତପୁରରୁ ଦିଲ୍ଲୀର ଆଦର୍ଶନଗର ମଧ୍ୟରେ ଯାତାୟାତ କରିବ । ଏହାର ରେକ୍‌ରେ 14ଟି ପାର୍ଶଲ ଭ୍ୟାନ ରହିଛି । ସେଥିମଧ୍ୟରୁ 4ଟି ନାଗପୁରରେ ଓହ୍ଲାଇବ ଏବଂ ଅନ୍ୟ 10ଟି ଆଦର୍ଶନଗର ଯିବ । ଏଥିରେ ମୋଟ 332 ଟନ ସାମଗ୍ରୀ ପ୍ରେରଣ କରାଯାଇଛି ।

ଏହି ଟ୍ରେନରେ ମୁଖ୍ୟତଃ ଟମାଟୋ, ପାଚିଲା କଦଳୀ, ମିଠା କମଳା, ଅମୃତଭଣ୍ଡା, ଫୁଟିକାକୁଡି ଏବଂ ଆମ୍ବ ଆଦି ରହିଛି । ଏହି ଟ୍ରେନଦ୍ୱାରା ଅନନ୍ତପୁର ଏବଂ ନୂଆଦିଲ୍ଲୀ ମଧ୍ୟରେ ସିଧାସଳଖ ତ୍ୱରିତ ସଂଯୋଗ ସ୍ଥାପନ ସମ୍ଭବ ହୋଇଛି । ପ୍ରାୟ 40 ଘଣ୍ଟା ମଧ୍ୟରେ ଏହି ଟ୍ରେନ 2150 କିମି ପଥ ଅତିକ୍ରମ କରିବ ଅନନ୍ତପୁର ଆନ୍ଧ୍ରପ୍ରଦେଶର ଫଳମଣ୍ଡିରେ ପରିଣତ ହୋଇଛି । ଏହି ଜିଲ୍ଲାରେ ଉତ୍ପାଦିତ ହେଉଥିବା 80 ପ୍ରତିଶତରୁ ଅଧିକ ଫଳ ଓ ପନିପରିବା ଅନ୍ୟାନ୍ୟ ରାଜ୍ୟରେ ବିକ୍ରି ହୋଇଥାଏ । ବିଶେଷକରି ଦିଲ୍ଲୀ, ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା ଆଦି ଉତ୍ତର ଭାରତର ରାଜ୍ୟରେ ଅନନ୍ତପୁରର ଫଳ ଓ ପନିପରିବାର ଚାହିଦା ଅଧିକ । ଏହି ଜିଲ୍ଲାରେ ବାର୍ଷିକ 58 ଲକ୍ଷ ମେଟ୍ରିକ ଟନ ଫଳ ଓ ପନିପରିବା ଉତ୍ପାଦିତ ହୋଇଥାଏ । ପୂର୍ବରୁ ଏସବୁ ଫଳ ଓ ପନିପରିବା ଟ୍ରକ ଯୋଗେ ଅନ୍ୟାନ୍ୟ ରାଜ୍ୟକୁ ଯାଉଥିଲା । ସଡ଼କ ପରିବହନ ବିଳମ୍ବିତ ଓ ଖର୍ଚ୍ଚ ବହୁଳ ହେବାରୁ ଚାଷୀମାନେ ବିଶେଷ ଲାଭ ପାଉ ନ ଥିଲେ । ଆହୁରି ମଧ୍ୟ ସଡକ ପରିବହନ ଯୋଗୁଁ ଫଳ ଓ ପନିପରିବା ପଚିସଢି ଯାଉଥିଲା ରେଳ ପରିବହନ ଅଧିକ ନିରାପଦ, ବିଶ୍ୱସ୍ତ ଓ ତ୍ୱରିତ ହୋଇଥିବାରୁ ଚାଷୀମାନେ ଆଶ୍ୱସ୍ତ ହୋଇଛନ୍ତି ସେମାନଙ୍କୁ ନିଶ୍ଚିତ ଅଧିକ ମୂଲ୍ୟ ମିଳିବ ଏବଂ ସେମାନଙ୍କର ଆୟ ମଧ୍ୟ ବଢିବ ।

ରେଳବାଇ ପକ୍ଷରୁ ଏଥିପାଇଁ ଏକ ବ୍ୟବସାୟ ବିକାଶ ୟୁନିଟ ଗୁଣ୍ଟକଲ୍‌ଠାରେ ଖୋଲାଯାଇଛି । ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ଏହି ଯୋଜନାରେ ସହାୟତା କରି ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ସୁସମନ୍ୱୟ ପ୍ରତିଷ୍ଠା କରୁଛନ୍ତି ।

 

**********



(Release ID: 1652787) Visitor Counter : 152