ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଦୁଇ ଓଡ଼ିଆଙ୍କ ସମେତ 38 ଶିକ୍ଷକଙ୍କୁ ‘ସିବିଏଇ ଶିକ୍ଷକ ପୁରସ୍କାର’

• ନୂଆଦିଲ୍ଲୀରେ ଆୟୋଜିତ ଅନଲାଇନ ସମାରୋହରେ ସମ୍ମାନିତ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Posted On: 09 SEP 2020 4:19PM by PIB Bhubaneshwar

ନୂଆଦିଲ୍ଲୀରେ ଆୟୋଜିତ ଏକ ଅନଲାଇନ ସମାରୋହରେ ଆଜି ସିବିଏସଇ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକର 38 ଜଣ ଶିକ୍ଷକଙ୍କୁ ସିବିଏସଇ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ। ଏମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଦୁଇ ଜଣ ଶିକ୍ଷକ । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଷାଣୀ ନୂଆଗାଁ ସଦାନନ୍ଦ ବିହାର ଡିଏଭି ପବ୍ଲିକ ସ୍କୁଲର ଟିଜିଟି ସାମାଜିକ ବିଜ୍ଞାନ ଶିକ୍ଷୟିତ୍ରୀ ସ୍ୱପ୍ନାରାଣୀ ପାଣିଗ୍ରାହୀ ଓ ଜଗତସିଂହପୁର ଜିଲ୍ଲା ପାରାଦୀପସ୍ଥିତ ପାରାଦୀପ ରିଫାଇନାରୀ ସ୍କୁଲର ଅଧ୍ୟକ୍ଷ ଧନଞ୍ଜୟ ପାନ ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଶ୍ରୀମତୀ ଅନୀତା କରୱାଲ ଏବଂ ସିବିଏସଇ ଅଧ୍ୟକ୍ଷ ଶ୍ରୀ ମନୋଜ ଆହୁଜା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶିକ୍ଷା ମନ୍ତ୍ରଣାଳୟ, ଏନଭିଏସ, କେଭିଏସ, ସିବିଏସଇର ବହୁ ଅଧିକାରୀ, ଅଧ୍ୟକ୍ଷ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ କାର୍ଯ୍ୟକ୍ରମରେ ଅନଲାଇନ ମାଧ୍ୟମରେ ଯୋଡ଼ି ହୋଇଥିଲେ । ବିଦ୍ୟାଳୟ ଶିକ୍ଷା, ନବୋନ୍ମେଷ ଓ ସମର୍ପଣ କ୍ଷେତ୍ରରେ ଯୋଗଦାନ ଲାଗି ପ୍ରତ୍ୟେକ ଦୁଇ ବର୍ଷରେ ଥରେ ଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । 2019-20 ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ପୋଖରିୟାଲ ନିଶଙ୍କ କହିଥିଲେ ଯେ, ଶିକ୍ଷକମାନେ ଶିକ୍ଷାର ମୂଳଦୁଆ ସ୍ଥାପନ କରିଥାନ୍ତି । ସେ ଆହୁରି କହିଥିଲେ ଯେ, ଏହି ପୁରସ୍କାରର ଉଦ୍ଦେଶ୍ୟ ହେଉଛି, ଦେଶର କେତେଜଣ ସର୍ବଶ୍ରେଷ୍ଠ ଶିକ୍ଷକମାନଙ୍କ ଯୋଗଦାନକୁ ସମ୍ମାନ ଦେବା ।

ମନ୍ତ୍ରୀ ଆହୁରି କହିଥିଲେ ଯେ, ନୂଆ ଶିକ୍ଷା ନୀତି 2020ରେ ଶିକ୍ଷକମାନଙ୍କୁ ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରରେ ରଖାଯାଇଛି । ପ୍ରତ୍ୟେକ ସ୍କୁଲରେ ଯଥେଷ୍ଟ ସଂଖ୍ୟକ ଶିକ୍ଷକଙ୍କୁ ନିଯୁକ୍ତି ଦେବା ନିମନ୍ତେ ଏହି ନୀତିରେ ଗୁରୁତ୍ୱାରୋପ କରାଯାଇଛି । ଏହାଛଡ଼ା ଏପରି ପରିବେଶ ବିକଶିତ କରିବା ଲାଗି କୁହାଯାଇଛି, ଯାହାଦ୍ୱାରା ସ୍କୁଲଗୁଡ଼ିକରେ କାର୍ଯ୍ୟ ସଂସ୍କୃତି ବିକଶିତ କରାଯାଇପାରିବ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସେବା, କର୍ତ୍ତବ୍ୟ ପରାୟଣତା ଏବଂ ଅସାଧାରଣ ଯୋଗଦାନ ପାଇଁ ପୁରସ୍କାର ପ୍ରାପ୍ତ ଶିକ୍ଷକମାନଙ୍କୁ ମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଥିଲେ ।

ପୁରସ୍କାର ବିଜେତାମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ ଅଭିନନ୍ଦନ ଜ୍ଞାପନ କରିବା ସହିତ ଗୁରୁ ଭାବେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସଫଳତା ପୂର୍ବକ କର୍ତ୍ତବ୍ୟ ନିର୍ବାହ ଲାଗି ପ୍ରଶଂସା କରିଥିଲେ ।

ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରମାଣପତ୍ର, ଉତରୀୟ ଏବଂ 50,000 ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ । 2018 ପରଠାରୁ ଅନଲାଇନ ପ୍ରକ୍ରିୟାରେ ସିବିଏଇ ପକ୍ଷରୁ ପୁରସ୍କାର ବିଜେତାଙ୍କ ଚୟନ କରାଯାଇଆସୁଛି । ସାଧାରଣ ଏବଂ ନିର୍ଦ୍ଦିଷ୍ଟ ବର୍ଗରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଯୋଗଦାନ ନିମନ୍ତେ ଏହି ପୁରସ୍କାର ଦିଆଯାଇଥାଏ । ପୁରସ୍କାର ପାଇଥିବା 38 ଜଣ ଶିକ୍ଷକମାନଙ୍କ ମଧ୍ୟରେ ପ୍ରାଥମିକ, ମାଧ୍ୟମିକ, ଭାଷା ଶିକ୍ଷକ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଶାରୀରିକ ଶିକ୍ଷା, ଗଣିତ, ଅର୍ଥନୀତି, ଆଇଟି, ଲଳିତ କଳା ଶିକ୍ଷକ, ବିଦ୍ୟାଳୟ ପରାମର୍ଶଦାତା, ସ୍କୁଲ କାଉନସେଲର, ଉପାଧ୍ୟକ୍ଷ ଏବଂ ଅଧ୍ୟକ୍ଷମାନେ ରହିଛନ୍ତି ।

 

**********

 



(Release ID: 1652749) Visitor Counter : 184