ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

କେନ୍ଦ୍ର ଶିକ୍ଷା ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ଦ୍ୱାରା ମିଳିତଭାବେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଲାଗି ତିନୋଟି ସ୍ଥାୟୀ ଭବନର ଶିଳାନ୍ୟାସ

Posted On: 29 AUG 2020 5:16PM by PIB Bhubaneshwar

କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ  ଓଡ଼ିଶାର ଦ୍ୱାଦଶ ପ୍ରତିଷ୍ଠା ଉତ୍ସବ ଆଜି ଭର୍ଚୁଆଲ ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର 3ଟି ସ୍ଥାୟୀ ଭବନର ଶିଳାନ୍ୟାସ ମିଳିତଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏବଂ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ସଂପନ୍ନ ହୋଇଛି ।

ତାଙ୍କ ଉଦ୍‌ବୋଧନରେ ଶ୍ରୀ ପୋଖରିୟାଲ ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୁବ୍‌ କମ୍‌ ଦିନରେ ଦେଶର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପରିଣତ ହୋଇଥିବାରୁ ଅନୁଷ୍ଠାନକୁ ସେ ସାଧୁବାଦ ଜଣାଇଛନ୍ତି । କୋଭିଡ୍‌-19 କାଳରେ ଏହି ବିଶ୍ୱବିଦ୍ୟାଳୟ ଭରୋସା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରି ଛାତଛାତ୍ରୀଙ୍କୁ ଉପଯୁକ୍ତ ପରାମର୍ଶ ଦେଇ ସେମାନଙ୍କ ମନରୁ ଭୟ ଓ ଆଶଂକା ଦୂର କରିଥିବାରୁ ସେ ଏହାର କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି । ଗୃହଭିତ୍ତିକ ଓପନ୍‌ବୁକ୍‌ ଏଗ୍‌ଜାମିନେସନକୁ ସଫଳତାର ସହ ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଚାଳନା କରିଥିବାରୁ ସେଥିପାଇଁ ମଧ୍ୟ ଶ୍ରୀ ନିଶଙ୍କ ଏହାକୁ ପ୍ରଶଂସା କରିଛନ୍ତି । ଅତୀତର ଶିକ୍ଷା ବ୍ୟବସ୍ଥାର ସ୍ମୃତିଚାରଣ କରି ଶ୍ରୀ ନିଶଙ୍କ କହିଛନ୍ତି ଯେ ଦିନ ଥିଲା ଯେତେବେଳେ ବିଦେଶରୁ ପିଲାମାନେ ବହୁ ସଂଖ୍ୟାରେ ଭାରତ ଆସୁଥିଲେ । ନୂଆ ଶିକ୍ଷାନୀତି ମାଧ୍ୟମରେ ସେହିଭଳି ଶିକ୍ଷା ବ୍ୟବସ୍ଥା ଭାରତରେ ପ୍ରବର୍ତ୍ତନ କରିବାର ଏବେ ସମୟ ଆସିଛି । ଗବେଷଣା ଓ ଉନ୍ନୟନ ଉପରେ ଅଧିକରୁ ଅଧିକ ଗୁରୁତ୍ୱ ଦେବାକୁ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଆହ୍ୱାନ ଜଣାଇଛନ୍ତି

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଭାଷଣରେ କେନ୍ଦ୍ର ସରକାର ସମାଜର ଉତ୍‌ଥାନ ପାଇଁ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡିଶା, ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ । ଏହା ଏହି ଅଞ୍ଚଳର ଶିକ୍ଷାର ବିକାଶରେ ସନ୍ତୋଷଜନକ କାର୍ଯ୍ୟ କରୁଛି । ସଫଳତାର ଉଚ୍ଚତମ ସୋପାନକୁ ଯିବାପାଇଁ ସମସ୍ତେ ମିଳିତଭାବେ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଜାତୀୟ ଗବେଷଣା ପ୍ରତିଷ୍ଠାନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ମେଣ୍ଟର୍‌ସିପ୍‌ ପ୍ରୋଗ୍ରାମ, ଶିକ୍ଷାନୁଷ୍ଠାନ-ଶିଳ୍ପସଂସ୍ଥା ସଂପର୍କ, ଜନଜାତି ଏବଂ ନୃତତ୍ତ୍ୱ ବିଦ୍ୟାର ଅଧ୍ୟୟନ ତଥା ସ୍ଥାନୀୟ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ ଓ ନାଲ୍‌କୋ ଭଳି ପ୍ରମୁଖ ଉଦ୍ୟୋଗ ସହିତ କନ୍‌ସଲଟାନ୍ସି ସର୍ଭିସ ପ୍ରତିଷ୍ଠା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।  ଓଡ଼ିଶାର ଏହା ଏକମାତ୍ର ବିଶ୍ୱବିଦ୍ୟାଳୟ ହୋଇଥିବାରୁ ଏହି ଶିକ୍ଷାନୁଷ୍ଠାନକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଆତ୍ମନିର୍ଭର ଭାରତର ମଶାଲବାହକ ହେବା ପାଇଁ ସେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଜଣାଇଛନ୍ତି ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ. ରାମବ୍ରହ୍ମମ୍‌ ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ପତାକା ଉନ୍ମୋଚନ ଏବଂ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏଥିରେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଗଣ ଉପସ୍ଥିତ ଥିଲେ । ଗତ 12 ବର୍ଷ ମଧ୍ୟରେ ଅନୁଷ୍ଠାନର ସଫଳତା ଓ ପ୍ରଗତି ସଂପର୍କରେ ସୂଚନା ଦେବା ସହିତ ସେ ଏହାର ଭବିଷ୍ୟତ କାର୍ଯ୍ୟସୂଚୀ ସଂପର୍କରେ ସୂଚାଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚେତନା ସୃଷ୍ଟି ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂଆ ପାଠ୍ୟକ୍ରମ ଆରମ୍ଭ କରାଯିବା ସଂପର୍କରେ କହିଥିଲେ ।

ଭାରତ ସରକାରଙ୍କ ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା ଡ. ସଞ୍ଜୀବ ସନ୍ୟାଲ ପ୍ରତିଷ୍ଠା ଦିବସ ଭାଷଣ ପ୍ରଦାନ କରିଥିଲେ । ତାଙ୍କ ଉଦ୍‌ବୋଧରେ ସେ ଭାରତରେ ଏବେ ଉପଲବ୍‌ଧ ହେଉଥିବା ସମୃଦ୍ଧ ଶିକ୍ଷା ସୁବିଧା ସଂପର୍କରେ କହିବା ସହିତ ଛାତ୍ରଛାତ୍ରୀମାନେ ବାସ୍ତବ ଶିକ୍ଷା ପ୍ରତି ଆଗ୍ରହୀ ହେବାକୁ ପରାମର୍ଶ ଦେଇଥିଲେ । ବହିପାଠ ଭିତରୁ ବାହାରି ଅଧିକରୁ ଅଧିକ ବାସ୍ତବବାଦୀ ଶିକ୍ଷା ଗ୍ରହଣ କରିବାକୁ ସେ  କହିଥିଲେ । ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ନୂଆ ଆହ୍ୱାନର ମୁକାବିଲା ପାଇଁ ପିଲାମାନେ ନିଜକୁ ନିଜେ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଶିକ୍ଷାର ପ୍ରତ୍ୟେକ କ୍ଷେତ୍ରରେ ନୂଆ ଶୈକ୍ଷିକ ଓ ଅଧ୍ୟୟନ ପ୍ରଣାଳୀର ଆବଶ୍ୟକତା ରହିଛି, ତେବେ ଯାଇ ଶିକ୍ଷା ସଂପୂର୍ଣ୍ଣ ହୋଇପାରିବ । ଏ କ୍ଷେତ୍ରରେ ନୂଆ ଶିକ୍ଷାନୀତି ବିଶେଷ ସହାୟକ ହୋଇପାରିବ ବୋଲି ସେ ମତ ଦେଇଥିଲେ । ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଫେସର ଶରତ କୁମାର ପାଲିତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କୁଳସଚିବ ଡ. ଅସିତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟାନ୍ୟ ନିମନ୍ତ୍ରିତ ଭଦ୍ରବ୍ୟକ୍ତି ଯୋଗଦେଇଥିଲେ । କୋଭିଡ୍‌ ନିୟମ ଅନୁସାରେ ସାମାଜିକ ଦୂରତ୍ୱ ରକ୍ଷାକରି ବିଶ୍ୱବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା । ସହକାରୀ ପ୍ରଫେସର ଡ. ସୌରଭ ଗୁପ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ଅବସରରେ  ବିଶ୍ୱବିଦ୍ୟାଳୟ ପରିସରରେ 12ଟି ଚାରାରୋପଣ କରାଯାଇଥିଲା ।

 

**********

 

 



(Release ID: 1649611) Visitor Counter : 126