ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ
ଗରିବ କଲ୍ୟାଣ ରୋଜଗାର ଅଭିଯାନର ସପ୍ତମ ସପ୍ତାହ ସୁଦ୍ଧା ପ୍ରାୟ 21 କୋଟି ଶ୍ରମ ଦିବସ ସୃଷ୍ଟି; 16,768 କୋଟି ଟଙ୍କା ବ୍ୟୟ କରାଯାଇ ମିଶନ ମୋଡରେ କାର୍ଯ୍ୟ ଚାଲିଛି
• କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ପ୍ରବାସୀ ଶ୍ରମିକ ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ରୋଜଗାର ଯୋଗାଇଦେବାକୁ ଏହି ଅଭିଯାନ ଆରମ୍ଭ ହୋଇଛି
Posted On:
20 AUG 2020 4:50PM by PIB Bhubaneshwar
କରୋନା ମହାମାରୀ ଦ୍ୱାରା ଓଡ଼ିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶ- ଏହି 6ଟି ରାଜ୍ୟର ପ୍ରଭାବିତ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘର ପାଖରେ କାମ ଯୋଗାଇଦେବା ପାଇଁ ଆରମ୍ଭ ହୋଇଥିବା ଗରିବ କଲ୍ୟାଣ ରୋଜଗାର ଅଭିଯାନ (ଜିକେଆରଏ) ଏବେ ସଫଳତାର ସହ ମିଶନ ମୋଡରେ କାର୍ଯ୍ୟ କରୁଛି । ସଂପୃକ୍ତ 6ଟି ରାଜ୍ୟରେ ଏହି ଗୃହ ଫେରନ୍ତା ଶ୍ରମିକଙ୍କ ସହିତ ଗ୍ରାମାଞ୍ଚଳର ସ୍ଥାନୀୟ ଶ୍ରମିକମାନଙ୍କୁ ମଧ୍ୟ ନିଯୁକ୍ତି ସୁବିଧା ଯୋଗାଇ ଦିଆଯାଉଛି । ଏସବୁ ରାଜ୍ୟର ମୋଟ 116ଟି ଜିଲାରେ ଏହି ଅଭିଯାନ ଚାଲିଛି ।
ଏ କାର୍ଯ୍ୟକ୍ରମ ଆରମ୍ଭ ହେବାର ସପ୍ତମ ସପ୍ତାହ ଶେଷସୁଦ୍ଧା 21 କୋଟି ଶ୍ରମଦିବସ ସୃଷ୍ଟି କରାଯାଇ ଶ୍ରମିକମାନଙ୍କୁ ରୋଜଗାର ସୁବିଧା ଯୋଗାଇ ଦିଆଯାଇଛି । ସେ ବାବଦରେ ମୋଟ 16,768 କୋଟି ଟଙ୍କା ଏ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି । ଏହି ଅଭିଯାନ ମାଧ୍ୟମରେ ଏସବୁ ରାଜ୍ୟର ଗ୍ରାମାଞ୍ଚଳରେ ବୃହତ୍ ଭିତ୍ତିଭୂମିମାନ ତିଆରି କରାଯାଇଛି । ସେଥିମଧ୍ୟରେ 77,974ଟି ଜଳ ଅମଳ ପ୍ରକଳ୍ପ, 2.33 ଲକ୍ଷ ଗ୍ରାମାଞ୍ଚଳ ଆବାସ, 17,933 ଗୁହାଳ, 11,372 ଚାଷ ପୋଖରୀ ଏବଂ 3552 ଗୋଷ୍ଠୀ ଶୌଚାଳୟ ଅନ୍ତର୍ଭୁକ୍ତ । ଏହାସହିତ ଜିଲ୍ଲା ଖଣିଜ ପାଣ୍ଠି ମାଧ୍ୟମରେ 6,300ଟି କାମ ହାତକୁ ନିଆଯାଇଛି ଓ 764 ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ ଯୋଗାଇ ଦିଆଯାଇଛି । ଏହାଛଡା ଏହି ସମୟ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ 25,487 ଜଣଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଇଛି ।
ଗରିବ କଲ୍ୟାଣ ରୋଜଗାର ଅଭିଯାନ କେନ୍ଦ୍ରର 12ଟି ମନ୍ତ୍ରଣାଳୟ ଓ ବିଭାଗ ଏବଂ ରାଜ୍ୟ ସରକାରଗୁଡିକର ସହଯୋଗରେ ମିଳିତଭାବେ କାର୍ଯ୍ୟକାରୀ ହେଉଛି । ଏଥିରେ ପ୍ରବାସରୁ ଫେରିଥିବା ଶ୍ରମିକ ଏବଂ ଗ୍ରାମୀଣ ସମୁଦାୟଙ୍କୁ ଅଗ୍ରାଧିକାର ଦିଆଯାଉଛି । ଏହି ଅଭିଯାନ କରୋନା ମହାମାରୀ ଆରମ୍ଭ ପରେ ଗାଁକୁ ଫେରିଥିବା ପ୍ରବାସୀ ଶ୍ରମିକ ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ଜୀବିକା ଉପାର୍ଜନର ପନ୍ଥା ଯୋଗାଇଦେବା ପାଇଁ ଆରମ୍ଭ ହୋଇଥିଲା । ଏବେ ଯେଉଁ ଶ୍ରମିକମାନେ ଅଧିକ କାଳ ଗାଁରେ ରହିବାକୁ ଚାହୁଁଛନ୍ତି ସେମାନଙ୍କୁ ଆଉ ଅଧିକ ସମୟ ଏହି ରୋଜଗାର ସୁବିଧା ଯୋଗାଇ ଦିଆଯିବ ।
**********
(Release ID: 1647421)
Visitor Counter : 202