ରେଳ ମନ୍ତ୍ରଣାଳୟ

6ଟି ରାଜ୍ୟରେ ରେଳବାଇ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ 5.5 ଲକ୍ଷରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିଛି

• ଏହି 6ଟି ରାଜ୍ୟ ହେଲା ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନ
• ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଏହିସବୁ କାର୍ଯ୍ୟକ୍ରମକୁ ରେଳବାଇ ମନ୍ତ୍ରଣାଳୟ ତଦାରଖ କରୁଛି
• ଅଗଷ୍ଟ 14 ସୁଦ୍ଧା ଏ ବାବଦରେ ବିଭିନ୍ନ ପ୍ରକଳ୍ପର ଠିକାଦାରମାନଙ୍କୁ 1336.84 କୋଟି ଟଙ୍କା ପ୍ରଦାନ କରାଯାଇଛି
• ଏହି 6ଟି ରାଜ୍ୟର 116ଟି ଜିଲ୍ଲାରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନା କାର୍ଯ୍ୟକାରୀ ହେଉଛି
• ପ୍ରାୟ 165ଟି ରେଳବାଇ ଭିତ୍ତିଭୂମି ପ୍ରକଳ୍ପ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକାରୀ ହେଉଛି; ଏଥିପାଇଁ ବ୍ୟୟ ବରାଦ ହୋଇଛି 2988 କୋଟି ଟଙ୍କା

Posted On: 16 AUG 2020 4:04PM by PIB Bhubaneshwar

ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ଭାରତୀୟ ରେଳବାଇ ଓଡିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ 5.5 ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିଛି । ରେଳବାଇ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଏସବୁ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । କରୋନା ଦ୍ୱାରା ନିଯୁକ୍ତି ହରାଇ ନିଜ ନିଜ ରାଜ୍ୟକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାପାଇଁ ଏହି ଯୋଜନା ଉଦ୍ଦିଷ୍ଟ । ଏସବୁ 6ଟି ରାଜ୍ୟରେ 2988 କୋଟି ଟଙ୍କ ବ୍ୟୟରେ ପ୍ରାୟ 165ଟି ରେଳବାଇ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଅଗଷ୍ଟ 14 ତାରିଖ ସୁଦ୍ଧା ଏହି ଅଭିଯାନରେ 11,296  ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । ସେହିଭଳି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଠିକାଦାମାନଙ୍କୁ 1336.84 କୋଟି ଟଙ୍କା ଦିଆଯାଇଛି ।  ପ୍ରତ୍ୟେକ ଜିଲ୍ଲା ଓ ରାଜ୍ୟରେ ଭାରତୀୟ ରେଳବାଇ ନୋଡାଲ ଅଧିକାରୀଙ୍କୁ ଏଥିପାଇଁ ନିଯୁକ୍ତି ଦେଇଛି । ରାଜ୍ୟ ସରକାରମାନଙ୍କ ସହ ନିବିଡ ସହଯୋଗ ଓ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ଏହା କରାଯାଇଛି । ପ୍ରବାସୀ ଶ୍ରମିକମାନେ ଯେପରି ଏହିସବୁ ପ୍ରକଳ୍ପରେ କାମ ପାଆନ୍ତି ଏବଂ ସେମାନଙ୍କୁ ମଜୁରି ପ୍ରଦାନରେ ଯେପରି ଅନିୟମିତତା ନ ହୁଏ ତାହା ଦେଖିବା ପାଇଁ ରେଳବାଇ ମନ୍ତ୍ରୀ ଶ୍ରୀ ଗୋୟଲ  ଜୋନସ୍ତରୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଯୋଜନାରେ ରେଳବାଇ ବିଭିନ୍ନ ପ୍ରକାର ପ୍ରକଳ୍ପକୁ ଚିହ୍ନଟ କରି କାର୍ଯ୍ୟକାରୀ କରୁଛି । ସେଥିମଧ୍ୟରେ ଲେବଲ କ୍ରସିଂ ପାଇଁ ଆପ୍ରୋଚ ରୋଡ଼ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ, ରେଳଧାରଣା ମଧ୍ୟରେ ଓ ପାଶ୍ୱର୍ରେ ଥିବା ଜଳପଥ, ଫୁକାର ଓ ନାଳଗୁଡିକର ମରାମତି ଓ ସଫେଇ, ରେଳ ଷ୍ଟେସନକୁ ସଂଯୋଗପଥ ନିର୍ମାଣ ଓ ତାହାର ମରାମତି ତଥା ରକ୍ଷଣାବେକ୍ଷଣ, ରେଳପଥର ଏମ୍ବାକ୍‌ମେଣ୍ଟକୁ ପ୍ରଶସ୍ତ କରିବା କାର୍ଯ୍ୟ, ରେଳବାଇ ଜମିରେ ଆବଶ୍ୟକସ୍ଥଳେ ବୃକ୍ଷରୋପଣ ଏବଂ ରେଳପଥର ଏମ୍ବାକ୍‌ମେଣ୍ଟ/କଟିଂ ଓ ବ୍ରିଜର ସୁରକ୍ଷା ଆଦି ଅନ୍ତର୍ଭୁକ୍ତ । ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ପ୍ରବାସୀ ଶ୍ରମିକଙ୍କୁ ବ୍ୟାପକଭାବେ କର୍ମନିଯୁକ୍ତି ଦେବା ସହ ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ । ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଲୋକଙ୍କୁ କାମ ଯୋଗାଇଦେବା ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମିରେ ଉନ୍ନତି ଆଣିବା । କୋଭିଡ ମହାମାରୀ ଯୋଗୁଁ ବହୁ ସଂଖ୍ୟକ ଶ୍ରମିକ ବିଦେଶରୁ ଫେରିଆସି ନିଜର ଗାଁ ଗଣ୍ଡାରେ ରହିଥିବାବେଳେ ସେମାନଙ୍କୁ ରୋଜଗାର ଯୋଗାଇ ଦେବାକୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମ ନିର୍ମାଣ କରିବାକୁ 50 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ଘେନି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

125 ଦିନ ପାଇଁ ଏହି ଅଭିଯାନ କାର୍ଯ୍ୟକାରୀ ହେଉଛି । ଏଥିରେ 25 ପ୍ରକାର କାମ 116ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ।  ଓଡିଶା, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଝାଡଖଣ୍ଡରେ ଅଧିକ ସଂଖ୍ୟକ ପ୍ରବାସୀ ଶ୍ରମିକ ଥିବାରୁ ଏହି 6ଟି ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି । ଏଥିପାଇଁ ମୋଟ 50 ହଜାର କୋଟି ଟଙ୍କାର ସମ୍ବଳ ଯୋଗାଣ ବ୍ୟବସ୍ଥା କେନ୍ଦ୍ର ସରକାର କରିଛନ୍ତି ।

କେନ୍ଦ୍ର ସରକାରଙ୍କ 12ଟି ମନ୍ତ୍ରଣାଳୟ ଓ ବିଭାଗର ମିଳିତ ସହଯୋଗରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିରେ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ, ସଡ଼କ ପରିବହନ ଓ ରାଜପଥ, ଖଣି, ପାନୀୟ ଜଳ ଓ ପରିଚ୍ଛନ୍ନତା, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ନୂଆ ଓ ଅକ୍ଷୟ ଶକ୍ତି, ବର୍ଡର ରୋଡ୍‌ସ, ଟେଲିକମ୍‌ ଓ କୃଷି ଆଦି ମନ୍ତ୍ରଣାଳୟ ଓ ବିଭାଗ ଅନ୍ତର୍ଭୁକ୍ତ ।

 

**********



(Release ID: 1646341) Visitor Counter : 185