ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

“ପାରଦର୍ଶୀ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ” ପ୍ଲାଟଫର୍ମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

• ଟିକସ ବ୍ୟବସ୍ଥା ବାଧାମୁକ୍ତ, ଯନ୍ତ୍ରଣାମୁକ୍ତ ଓ ସାକ୍ଷାତମୁକ୍ତ ହେବା ଆବଶ୍ୟକ : ପ୍ରଧାନମନ୍ତ୍ରୀ
• 130 କୋଟି ଜନସଂଖ୍ୟା ଥିବା ଦେଶରେ ଖୁବ ନଗଣ୍ୟ ଦେଢ଼ କୋଟି ଟିକସଦାତା ଟିକସ ପଇଠ କରୁଛନ୍ତି
• ଆତ୍ମନିର୍ଭର ଭାରତ ନିର୍ମାଣ କରିବା ଲାଗି ଆତ୍ମସମୀକ୍ଷା କରିବା ଓ ଆୟକର ଦାଖଲ କରିବା ନିମନ୍ତେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
• ଟିକସ ଚାର୍ଟର ଶୁଭାରମ୍ଭ ସହିତ ଟିକସଦାତାଙ୍କ ପ୍ରତି ନିରପେକ୍ଷ, ବିନମ୍ର ଓ ତର୍କସଂଗତ ବ୍ୟବହାର ସୁନିଶ୍ଚିତ ହେବ : ପ୍ରଧାନମନ୍ତ୍ରୀ
• ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମତିଥି ସେପ୍ଟେମ୍ବର 25 ତାରିଖ ଠାରୁ ସାରା ଦେଶରେ ସାକ୍ଷାତମୁକ୍ତ ଆବେଦନ ସୁବିଧା ଉପଲବ୍ଧ ହେବ
• “ବ୍ୟାଙ୍କସୁବିଧାରୁ ବଂଚିତଙ୍କୁ ବ୍ୟାଙ୍କସେବା, ଅସୁରକ୍ଷିତଙ୍କୁ ସୁରକ୍ଷା, ପାଣ୍ଠିରୁ ବଂଚିତଙ୍କୁ ପାଣ୍ଠି ଯୋଗାଣ ଏବଂ ସଚ୍ଚୋଟଙ୍କୁ ସମ୍ମାନ”- ସରକାରଙ୍କ ପ୍ରାଥମିକତା : ପ୍ରଧାନମନ୍ତ୍ରୀ
• ପ୍ରତ୍ୟେକ ଆଇନ ଓ ନୀତିକୁ କ୍ଷମତା କୈନ୍ଦ୍ରିକ ପରିବର୍ତ୍ତେ ଜନକୈନ୍ଦ୍ରିକ ଏବଂ ଜନ ଅନୁକୂଳ କରିବା ଲାଗି ଗୁରୁତ୍ୱାରୋପ କରାଯାଉଛି : ପ୍ରଧାନମନ୍ତ୍ରୀ

Posted On: 13 AUG 2020 1:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପାରଦର୍ଶୀ ଟିକସବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଜାରି ରହିଥିବା ଢାଂଚାଗତ ସଂସ୍କାରର ପ୍ରକ୍ରିୟା ଆଜି ଏକ ନୂଆ ସୋପାନରେ ପହଁଚିଛି । ଏକବିଂଶ ଶତାବ୍ଦୀର ଟିକସ ବ୍ୟବସ୍ଥାର ଆବଶ୍ୟକତା ପୂରଣ କରିବା ଲାଗି ପାରଦର୍ଶୀ ଟିକସବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନପ୍ଲାଟଫର୍ମର ଲୋକାର୍ପଣ କରାଯାଇଛି ।

ଏହି ପ୍ଲାଟଫର୍ମରେ ଫେସଲେସ ଆସେସମେଂଟ (ସାକ୍ଷାତମୁକ୍ତ ଆକଳନ), ଫେସଲେସ ଅପିଲ (ସାକ୍ଷାତମୁକ୍ତ ଆବେଦନ) ଏବଂ ଟିକସଦାତା ଚାର୍ଟର ଭଳି ବଡ଼ ସଂସ୍କାର ରହିଛି ।

ସେ କହିଥିଲେ ଯେ ସାକ୍ଷାତମୁକ୍ତ ଆକଳନ ଏବଂ ଟିକସଦାତା ଚାର୍ଟର ଆଜିଠାରୁ ଲାଗୁ ହେଉଛି । ସାକ୍ଷାତମୁକ୍ତ ଆବେଦନ ସୁବିଧା 25 ସେପ୍ଟେମ୍ବର ଅର୍ଥାତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ସାରା ଦେଶରେ ନାଗରିକମାନଙ୍କ ପାଇଁ ଉପଲବ୍ଧ ହେବ । ଏବେ ଟିକସ ବ୍ୟବସ୍ଥା ସାକ୍ଷାତମୁକ୍ତ ହୋଇଥିବା ବେଳେ ଏହା ଟିକସଦାତାମାନଙ୍କୁ ସ୍ୱଚ୍ଛତା ଏବଂ ଭୟଶୂନ୍ୟତାର ବିଶ୍ୱାସ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ 6 ବର୍ଷ ଧରି ବ୍ୟାଙ୍କ ସେବାରୁ ବଂଚିତ ଲୋକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବା, ଅସୁରକ୍ଷିତମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ପାଣ୍ଠିରୁ ବଂଚିତ ଲୋକମାନଙ୍କୁ ପାଣ୍ଠି ଯୋଗାଇ ଦେବା ଦିଗରେ ଆମ ସରକାର କାର୍ଯ୍ୟ କରିଆସିଛି । ସଚ୍ଚୋଟଙ୍କୁ ସମ୍ମାନଏ ଦିଗରେ ଆଉ ଏକ ପଦକ୍ଷେପ ।

ଦେଶର ସଚ୍ଚୋଟ ଟିକସଦାତା ରାଷ୍ଟ୍ର ନିର୍ମାଣରେ ବହୁତ ବଡ଼ ଭୂମିକା ନିର୍ବାହ କରିଥାନ୍ତି ବୋଲି କହି ପ୍ରଧାନମନ୍ତ୍ରୀ ସେମାନଙ୍କର ପ୍ରଶଂସା କରିଥିଲେ । ସେ କହିଥିଲେ, “ଦେଶର ସଚ୍ଚୋଟ ଟିକସଦାତାମାନଙ୍କ ଜୀବନ ସହଜ ହେଲେ, ଆଗକୁ ବଢ଼ିଲେ, ସାରା ଦେଶର ବିକାଶ ହୋଇଥାଏ, ଦେଶ ମଧ୍ୟ ଆଗକୁ ବଢ଼ିଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ, ଆଜିଠାରୁ ଆରମ୍ଭ ହେଉଥିବା ନୂଆ ବ୍ୟବସ୍ଥା, ନୂଆ ସୁବିଧା, ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ ପ୍ରତି ଆମର ପ୍ରତିବଦ୍ଧତାକୁ ଅଧିକ ମଜବୁତ କରୁଛି । ସେ କହିଥିଲେ, ପ୍ରତ୍ୟେକ ନିୟମ-କାନୁନ, ପ୍ରତ୍ୟେକ ନୀତିକୁ ପ୍ରକ୍ରିୟା ଏବଂ କ୍ଷମତା କୈନ୍ଦ୍ରିକ ଆଭିମୁଖ୍ୟ ଠାରୁ ବାହାରକୁ ଆଣି ତାକୁ ଜନକୈନ୍ଦ୍ରିକ ଏବଂ ଜନ ଅନକୂଳ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହା ନୂଆ ଭାରତରେ ନୂଆ ପ୍ରଶାସନିକ ମଡେଲର ପ୍ରୟୋଗ  । ଏହାର ସୁଖଦ ପରିଣାମ ମଧ୍ୟ ଦେଶକୁ ମିଳିବାରେ ଲାଗିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ଦେଶରେ ଏପରି ଏକ ପରିବେଶ ସୃଷ୍ଟି ହୋଇଚାଲିଛି ଯେଉଁଠି କର୍ତବ୍ୟ ଭାବନାକୁ ସର୍ବୋପରି ରଖାଯାଇ ସମସ୍ତ କାମ କରାଯାଉଛି । କେବଳ କଠୋର ବ୍ୟବସ୍ଥା ଏବଂ ଦଣ୍ଡର ଭୟ କାରଣରୁ ଏପରି ଫଳ ମିଳିନାହିଁ । ବରଂ ସାମଗ୍ରିକ ଆଭିମୁଖ୍ୟକୁ ବୁଝି ତାହାକୁ ଗ୍ରହଣ କରିବା ଦ୍ୱାରା ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ସେ କହିଥିଲେ ଯେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ କେବଳ ଚିରାଚରିତ ଧାରା ନୁହେଁ ବରଂ ସାମଗ୍ରିକ ଆଭିମୁଖ୍ୟ ନେଇ ଫଳାଫଳ ପ୍ରଦାନ କରିବା ଲାଗି ଉଦ୍ଦିଷ୍ଟ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଟିକସ ବ୍ୟବସ୍ଥାରେ ମୌଳିକ ଏବଂ ଢାଂଚାଗତ ସଂସ୍କାରର ଆବଶ୍ୟକତା ରହିଥିଲା । କାରଣ ଆମ ପାଖରେ ଥିବା ଆଜିର ଏହି ବ୍ୟବସ୍ଥା ପ୍ରାକ-ସ୍ୱାଧୀନତା ଅମଳରେ ପ୍ରସ୍ତୁତ ହୋଇଥିଲା । ସ୍ୱାଧୀନତା ପରେ ଏଥିରେ ଅଳ୍ପବହୁତ ପରିବର୍ତ୍ତନ କରାଯାଇଥିଲା, କିନ୍ତୁ ବ୍ୟବସ୍ଥାର ବ୍ୟାପକ ସ୍ୱଭାବ ସେହିପରି ରହିଥିଲା ବୋଲି ସେ କହିଥିଲେ । ସେ କହିଥିଲେ ଯେ ପୂର୍ବ ବ୍ୟବସ୍ଥାରେ ଜଟିଳତା ରହିଥିବା କାରଣରୁ ସ୍ପଷ୍ଟତା ଆସିପାରୁନଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁଠି ଜଟିଳତା ଥାଏ, ସେଠି ଅନୁପାଳନ ସହଜ ହୋଇନଥାଏ । ଏହାର ଏକ ଉଦାହରଣ ହେଉଛି ଜିଏସଟି ଯାହା ଡଜନରୁ ଊର୍ଦ୍ଧ୍ଵ ଟିକସ ବ୍ୟବସ୍ଥା ପରିବର୍ତ୍ତେ ଲାଗୁ ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂଆ ଆଇନ ଟିକସ ବ୍ୟବସ୍ଥାରେ ଆଇନଗତ ବୋଝ ହ୍ରାସ କରିଛି ।  ଏବେ ହାଇକୋର୍ଟରେ 1 କୋଟି ଟଙ୍କା ପର୍ଯ୍ୟନ୍ତ ଏବଂ ସୁପ୍ରିମକୋର୍ଟରେ 2 କୋଟି ଟଙ୍କା ପର୍ଯ୍ୟନ୍ତ ମାମଲା ଯିବା ଲାଗି ସୀମା ନିର୍ଦ୍ଧାରଣ କରାଯାଇଛି । ବିବାଦରୁ ବିଶ୍ୱାସ ଭଳି ଯୋଜନା ମାଧ୍ୟମରେ ଅଧିକାଂଶ ମାମଲା କୋର୍ଟ ବାହାରେ ହିଁ ସମାଧାନ କରିବାର ମାର୍ଗ ପ୍ରଶସ୍ତ କରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରକ୍ରିୟାଗତ ଜଟିଳତା ସହିତ ଟିକସ ମଧ୍ୟ ଦେଶରେ ହ୍ରାସ କରାଯାଇଛି । 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଏବେ ଜିରୋ ଟିକସ ଲାଗୁ ହେଉଛି । ବାକି ସ୍ଲାବରେ ମଧ୍ୟ ଟିକସ କମ ହୋଇଛି । କର୍ପୋରେଟ ଟିକସ ବ୍ୟାପାରରେ ଆମେ ବିଶ୍ୱର ସବୁଠୁ କମ ଟିକସ ନେଉଥିବା ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ ।

ପ୍ରଧାନମନ୍ତ୍ରୀ କହିଥିଲେ, ବର୍ତ୍ତମାନର ସଂସ୍କାର ଜରିଆରେ, ଆମର ଟିକସ ବ୍ୟବସ୍ଥାକୁ ବାଧାମୁକ୍ତ (ସିମଲେସ), ଯନ୍ତ୍ରଣାମୁକ୍ତ (ପେନଲେସ), ସାକ୍ଷାତମୁକ୍ତ (ଫେସଲେସ) କରିବା ଲାଗି ପ୍ରୟାସ କରାଯାଉଛି । ସେ କହିଥିଲେ, ସିମଲେସ ଅର୍ଥାତ ଟିକସ ପ୍ରଶାସନ ପ୍ରତ୍ୟେକ ଟିକସଦାତାଙ୍କୁ ଫସାଇବା ବଦଳରେ ସମସ୍ୟା ସମାଧାନ କରିବାର କାମ କରିବ । ପେନଲେସ ଅର୍ଥାତ ପ୍ରଯୁକ୍ତିଠାରୁ ଆରମ୍ଭ କରି ନିୟମ ପର୍ଯ୍ୟନ୍ତ ସବୁକିଛି ସହଜ ହେବ । ଫେସଲେସ ଅର୍ଥାତ ଟିକସଦାତା ଏବଂ ଟିକସ ଅଧିକାରୀଙ୍କ ମଧ୍ୟରେ ସିଧାସଳଖ ସାକ୍ଷାତ ବିନା ସମସ୍ତ ପ୍ରସଙ୍ଗ ଯେପରିକି ଯାଞ୍ଚ, ନୋଟିସ କିମ୍ବା ଆକଳନ କାର୍ଯ୍ୟ ସମ୍ପାଦନ କରାଯିବ ।

ଟିକସଦାତା ଚାର୍ଟର ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଟିକସଦାତା ଚାର୍ଟର ମଧ୍ୟ ଦେଶର ବିକାଶଯାତ୍ରା ଦିଗରେ ବହୁତ ବଡ଼ ପଦକ୍ଷେପ । ଏଥିରେ ଟିକସଦାତାମାନଙ୍କୁ ଉଚିତ, ବିନମ୍ର ଓ ତର୍କସଂଗତ ବ୍ୟବହାର ପାଇଁ ଭରସା ଦିଆଯାଇଛି । ଅର୍ଥାତ ଆୟକର ବିଭାଗ ଏବେ ସମ୍ବେଦଶୀଳତା ସହିତ ଟିକସଦାତାଙ୍କ ସମ୍ମାନ ପ୍ରତି ଧ୍ୟାନ ରଖିବ । ଏହା ଏକ ବିଶ୍ୱାସ ଆଧାରିତ ବ୍ୟବସ୍ଥା  । ବିଭାଗ ଏବେ ଅକାରଣରେ ଟିକସଦାତାଙ୍କୁ ସନେ୍ଦହ ଦୃଷ୍ଟିରେ ଦେଖିପାରିବ ନାହିଁ ।

ଟିକସ ଯାଞ୍ଚ ମାମଲାରେ ହ୍ରାସ ବିଷୟରେ ଉଲ୍ଲେଖ କରି ସେ କହିଥିଲେ 2012-13ରେ ଯେତିକି ଟିକସ ରିଟର୍ଣ୍ଣ ଦାଖଲ କରାଯାଉଥିଲା, ସେଥିମଧ୍ୟରୁ 0.94 ପ୍ରତିଶତ ଯାଞ୍ଚ କରାଯାଉଥିଲା । 2018-19 ଏହି ତଥ୍ୟ ହ୍ରାସ ପାଇ 0.26 ପ୍ରତିଶତରେ ପହଁଚିଛି । ଅର୍ଥାତ ମାମଲା ଯାଞ୍ଚ, ପାଖାପାଖି 4 ଗୁଣା କମ ହୋଇଛି । ଏହା ରିଟର୍ଣ୍ଣ ଦାଖଲକାରୀଙ୍କ ଉପରେ ସରକାରଙ୍କ ଭରସାକୁ ପ୍ରତିଫଳିତ କରୁଛି ।

ସେ କହିଥିଲେ ଯେ ବିଗତ 6 ବର୍ଷ ମଧ୍ୟରେ ଭାରତର ଟିକସ ବ୍ୟବସ୍ଥାରେ ପ୍ରଶାସନର ଏକ ନୂଆ ମଡେଲ ବିକଶିତ ହୋଇଥିବା ପରିଲକ୍ଷିତ ହୋଇଛି । ଏ ସମସ୍ତ ପ୍ରୟାସ ମଧ୍ୟରେ  ବିଗତ 6-7 ବର୍ଷ ମଧ୍ୟରେ ଆୟକର ରିଟର୍ଣ୍ଣ ଭରୁଥିବା ଲୋକଙ୍କ ସଂଖ୍ୟା ପାଖାପାଖି ଅଢ଼େଇ କୋଟି ବଢ଼ିଛି ।

ତେବେ ପ୍ରଧାନମନ୍ତ୍ରୀ କହିଥିଲେ, ଏହାକୁ ମଧ୍ୟ ଅସ୍ୱୀକାର କରାଯାଇପାରିବ ନାହିଁ ଯେ 130 କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଏହା ଏବେବି ଖୁବ କମ ରହିଛି । ଏତେ ବଡ଼ ଦେଶରେ ମାତ୍ର ଦେଢ଼ କୋଟି ସାଥୀ ଆୟକର ଜମା କରୁଛନ୍ତି । ଏଥିପ୍ରତି ଆତ୍ମସମୀକ୍ଷା କରିବା ଏବଂ ଟିକସଦେବାକୁ ଆଗେଇ ଆସିବା ନିମନ୍ତେ ଶ୍ରୀ ମୋଦୀ ଦେଶବାସୀଙ୍କୁ ନିବେଦନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହୋଇପାରିବ ।

 

**********

 



(Release ID: 1645607) Visitor Counter : 236