ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ ମୃତ୍ୟୁହାର ହ୍ରାସ ପାଉଥିବା ଦୃଷ୍ଟିରୁ ବିଦେଶକୁ ଭେଣ୍ଟିଲେଟର ରପ୍ତାନୀ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

Posted On: 01 AUG 2020 4:53PM by PIB Bhubaneshwar

ଭାରତରେ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁହାର କ୍ରମଶଃ ହ୍ରାସ ପାଉଥିବାରୁ କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ଭେଣ୍ଟିଲେଟର ବିଦେଶକୁ ରପ୍ତାନୀ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କୋଭିଡ-19 ପାଇଁ ଗଠିତ ମନ୍ତ୍ରିସ୍ତରୀୟ ଗୋଷ୍ଠୀ ବା ଜିଓଏମ୍‌ ଏ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରସ୍ତାବକୁ ବିଚାର କରି ଭାରତରେ ତିଆରି ଭେଣ୍ଟିଲେଟର୍ସ ବିଦେଶକୁ ରପ୍ତାନୀ ପାଇଁ ଅନୁମତି ଦେଇଛି । ଏ ସଂକ୍ରାନ୍ତ ନିଷ୍ପତ୍ତି ବିଷୟରେ ବୈଦେଶିକ ବାଣିଜ୍ୟ ବିଭାଗର ମହାନିର୍ଦେଶକ (ଡିଜିଏଫ୍‌ଟି)ଙ୍କୁ ଅବଗତ କରାଯାଇଛି । ଡିଜିଏଫ୍‌ଟି ଏବେ ଏହି ଭାରତ ତିଆରି ଭେଣ୍ଟିଲେଟର ରପ୍ତାନୀ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବ ।

ଭାରତରେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁହାର ଉଲ୍ଲେଖନୀୟଭାବେ ହ୍ରାସ ପାଉଥିବା ପରିପ୍ରେକ୍ଷୀରେ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏବେ ଭାରତରେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁହାର 2.15 ଶତାଂଶ ରହିଛି । ଏହାର ଅର୍ଥ, ଗୁରୁତର ସଂକ୍ରମିତଙ୍କ ମଧ୍ୟରୁ ଖୁବ୍‌ କମ୍‌ ଏବେ ଭେଣ୍ଟିଲେଟରରେ ଅଛନ୍ତି । 2020 ଜୁଲାଇ 31 ସୁଦ୍ଧା ସକ୍ରିୟ କରୋନା ସଂକ୍ରମିତଙ୍କ ମଧ୍ୟରେ ମାତ୍ର 0.22 ଶତାଂଶ ଭେଣ୍ଟିଲେଟରରେ  ଥିଲେ । ଆହୁରି ମଧ୍ୟ ଦେଶରେ ଭେଣ୍ଟିଲେଟର ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛି । ଜାନୁୟାରୀ 2020 ତୁଳନାରେ ଏବେ 20ରୁ ଅଧିକ ସଂସ୍ଥା ଏହି ଭେଣ୍ଟିଲେଟର ଉତ୍ପାଦନ କରୁଛନ୍ତି ।

ସୂଚନାଯୋଗ୍ୟ ଯେ ଦେଶରେ କରୋନା ସଂକ୍ରମଣ ଦେଖାଦେବା ପରେ ମାର୍ଚ୍ଚ 2020ରେ ସରକାର ଭେଣ୍ଟିଲେଟର ରପ୍ତାନୀକୁ ନିଷିଦ୍ଧ କରିଥିଲେ । ଘରୋଇ ରୋଗୀଙ୍କ ପାଇଁ ଭେଣ୍ଟିଲେଟରର ଯେପରି ଅଭାବ ନ ପଡେ ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ସରକାରଙ୍କ ନିଷ୍ପତ୍ତିକ୍ରମେ ଏହାର ରପ୍ତାନୀକୁ ନିଷିଦ୍ଧ କରି ଚଳିତବର୍ଷ ମାର୍ଚ୍ଚ 24 ତାରିଖରେ ଡିଜିଏଫ୍‌ଟି ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏବେ ଏହି ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଥିବାରୁ ବିଦେଶକୁ ଭାରତୀୟ ଭେଣ୍ଟିଲେଟର ରପ୍ତାନୀ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି । ଏହି ଭାରତୀୟ ଉତ୍ପାଦ ମଧ୍ୟ ବିଦେଶୀ ବଜାର ହାସଲ କରିବା ପାଇଁ ସୁଯୋଗ ପାଇଛି ।

**********



(Release ID: 1642940) Visitor Counter : 228