ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

ଆଦିବାସୀଙ୍କ ବ୍ୟବସାୟ ବାଣିଜ୍ୟକୁ ଡିଜିଟାଲ କରିବା ପାଇଁ ଟ୍ରାଇଫେଡ୍‌ ଓ ଆଦିବାସୀ ମନ୍ତ୍ରଣାଳୟର ପ୍ରୟାସ

• ଆଦିବାସୀ ହାଟରୁ ବିକ୍ରି ହୋଇନଥିବା ଲକ୍ଷାଧିକ ସାମଗ୍ରୀ କିଣିଲା ଟ୍ରାଇଫେଡ୍‌, ସେସବୁକୁ ଅନ୍‌ଲାଇନରେ ରିହାତି ଦରରେ ବିକ୍ରି କରିବ

Posted On: 28 JUL 2020 12:31PM by PIB Bhubaneshwar

କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଅଧୀନ ଟ୍ରାଇଫେଡ୍‌ ସଂସ୍ଥା ଏକ ଡିଜିଟାଇଜେସନ ଅଭିଯାନ ଆରମ୍ଭ କରିଛି, ଯାହା ଜନଜାତି ବର୍ଗଙ୍କ ବେପାର ବଣିଜକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ । ଏବେ ଦୁନିଆରେ ସବୁ ଜିନିଷର କାରବାର ଅନ୍‌ଲାଇନ ବ୍ୟବସ୍ଥାରେ ହେଉଥିବାରୁ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ସେଥିରେ ଯେପରି ଉଚିତ ପ୍ରତିନିଧିତ୍ୱ ପାଏ ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ଏକ ଅତ୍ୟାଧୁନିକ ଇ-ପ୍ଲାଟଫର୍ମ ତିଆରି ହୋଇଛି । ଆନ୍ତର୍ଜାତିକ ମାନର ସାମଗ୍ରୀଗୁଡିକୁ ବାଛି ଏହାକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ସହିତ ସଂଯୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆଦିବାସୀ ଉତ୍ପାଦକମାନଙ୍କର ନାମ, ଧାମ ଏବଂ ଆଦିବାସୀ କାରିଗରଙ୍କ ଠିକଣା ଆଦି ମଧ୍ୟ ସଂଗ୍ରହ କରାଯାଇ ଏହି ବ୍ୟବସ୍ଥାରେ ଯୋଡାଯାଇଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ବାହାର ଦୁନିଆକୁ ଆଦିବାସୀ ବଜାର ସହ ଯୋଡିବା ଏବଂ ଇ-କମର୍ସ ବ୍ୟବସ୍ଥାରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର କାରବାରକୁ ପ୍ରୋତ୍ସାହିତ କରିବା । ବନଧନ ଯୋଜନାରେ ସଂପୃକ୍ତ ଥିବା ସବୁ ବନବାସୀ, ସେମାନଙ୍କ ଗାଁ, ହାଟ, ଗୋଦାମ ଏବଂ ଉତ୍ପାଦିତ ସାମଗ୍ରୀ ଆଦି ସଂପର୍କରେ ଯେଉଁସବୁ ତଥ୍ୟ ରହିଛି ସେସବୁକୁ ଟ୍ରାଇଫେଡ୍‌ ଏବେ ଡିଜିଟାଇଜ କରୁଛି । ଏଥିପାଇଁ ଜିଆଇଏସ୍‌ ଟେକ୍‌ନୋଲଜିକୁ ମଧ୍ୟ ବ୍ୟବହାର କରାଯାଉଛି । ଆଦିବାସୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ସ୍ୱାବଲମ୍ବୀ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ବର୍ତ୍ତମାନର ଏହି ଅସ୍ଥିର ସମୟରେ ପ୍ରଧାନମନ୍ତ୍ରୀଙ୍କ ସ୍ଥାନୀୟତାକୁ ପ୍ରାଥମିକତା ନୀତି (ଗୋ ଭୋକାଲ ଫର୍‌ ଲୋକାଲ) ମନ୍ତ୍ରରେ ପରିଣତ ହୋଇଛି । ସେହି ଆଧାରରେ ଏବେ ମେରା ବନ, ମେରା ଧନ୍‌, ମେରା ଉଦ୍ୟମ୍‌ ନୀତି ଆପଣେଇ ଟ୍ରାଇଫେଡ୍‌ ସ୍ଥାନୀୟତାକୁ ଅଗ୍ରାଧିକାର ଦେଇ ଉପଜାତି ଲୋକଙ୍କ ଆଡେ ମୁହାଁଇଛି । ଏଥିପାଇଁ ନାନାବିଧ ପଦକ୍ଷେପ ଗ୍ରହଣ କରାଯାଇ ଅସୁବିଧାରେ ଥିବା ଆଦିବାସୀମାନଙ୍କ ଅବସ୍ଥାରେ ଉନ୍ନତି ଆଣିବାକୁ ଉଦ୍ୟମ ଚାଲିଛି । ଟ୍ରାଇଫେଡ୍‌ର ଉଦ୍ୟମକ୍ରମେ ନିକଟ ଅତୀତରେ ଅନେକ ଆଦିବାସୀ ପରିବାର ନିଯୁକ୍ତି ଓ ରୋଜଗାର ସୁବିଧା ପାଇଛନ୍ତି ।

କରୋନା ମହାମାରୀର ମୁକାବିଲା ପାଇଁ ହଠାତ୍‌ ଲକ୍‌ଡାଉନ ଲାଗୁ ହେବାରୁ ବିଭିନ୍ନ ଆଦିବାସୀ କାରିଗରଙ୍କ ଦ୍ୱାରା ଉତ୍ପାଦିତ ପ୍ରାୟ ଏକଶହ କୋଟି ଟଙ୍କାର ସାମଗ୍ରୀ ବିକ୍ରି ନ ହୋଇ ପଡିରହିଛି ।  ଏହିସବୁ ସାମଗ୍ରୀର ବିକ୍ରିବଟା କରି ସଂପୃକ୍ତ ଆଦିବାସୀଙ୍କ ପରିବାର ପାଖରେ ଏହାର ମୂଲ୍ୟ ପହଞ୍ଚାଇବାକୁ ଟ୍ରାଇଫେଡ୍‌ ଇତିମଧ୍ୟରେ ଏକଲକ୍ଷ ସାମଗ୍ରୀ କିଣିସାରିଛି । ଏସବୁ ସାମଗ୍ରୀକୁ ଯଥେଷ୍ଟ ରିହାତି ମୂଲ୍ୟରେ ଅନ୍‌ଲାଇନରେ ବିକ୍ରି କରିବା ପାଇଁ ଟ୍ରାଇଫେଡ୍‌ ଉଦ୍ୟମ ଚଳାଇଛି । ଏଥିପାଇଁ ଟ୍ରାଇବ୍‌ସ ଇଣ୍ଡିଆ ୱେବସାଇଟ, ଆମାଜନ, ଫ୍ଲିପକାର୍ଟ ଏବଂ ଜିଇଏମ୍‌ ପ୍ଲାଟଫର୍ମକୁ ମଧ୍ୟ ବ୍ୟବହାର କରାଯାଉଛି ।

ଚାରିମାସ ଧରି କରୋନା ମହାମାରୀ ବିପତ୍ତି ଲାଗିରହିଛି । ସାରା ଦେଶ ଏହାଦ୍ୱାରା ପ୍ରଭାବିତ ହୋଇଛି । ଏହା ସତ୍ତ୍ୱେ ଲୋକେ ସେମାନଙ୍କର ଜୀବିକା ଅର୍ଜନର ସୂତ୍ର ପୁଣି ଧରିବା ପାଇଁ ଉଦ୍ୟମ କରୁଥିବାବେଳେ ଟ୍ରାଇଫେଡ୍‌ର ଯୋଦ୍ଧାମାନେ ଆଦିବାସୀମାନଙ୍କୁ ଏହି ଦୁର୍ଦ୍ଦିନରେ ସାହାଯ୍ୟ କରି ବିକାଶର ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ଉଦ୍ୟମ କରୁଛନ୍ତି ।

 

**********

 



(Release ID: 1641873) Visitor Counter : 143