ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

ଉନ୍ନତ ଭାରତ ଅଭିଯାନ ପାଇଁ ଆଇଆଇଟି ଦିଲ୍ଲୀ ସହିତ ଟ୍ରାଇଫେଡ୍‌ର ବୁଝାମଣାପତ୍ର ସ୍ୱାକ୍ଷରିତ

• ରୋଜଗାର ନିମନ୍ତେ ଜନଜାତି ବର୍ଗର ଲୋକଙ୍କ ଦକ୍ଷତା ବିକାଶ ପାଇଁ 2600ରୁ ଅଧିକ ପ୍ରତିଷ୍ଠାନ ମିଳିତଭାବେ କାମ କରିବେ
• ବୁଝାମଣା ଅନୁସାରେ ଆଦିବାସୀମାନଙ୍କୁ ନୂଆ ପ୍ରକ୍ରିୟାକରଣ ଟେକ୍‌ନୋଲଜି, ନବସୃଜନ, ଦିଗ୍‌ଦର୍ଶନ ଏବଂ ଡିଜିଟାଲ ବ୍ୟବସ୍ଥା ସଂପର୍କରେ ଶିକ୍ଷା ଦିଆଯିବ

Posted On: 25 JUL 2020 4:25PM by PIB Bhubaneshwar

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଜନଜାତି ବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଟ୍ରାଇଫେଡ୍‌ ସଂସ୍ଥା ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ଜନଜାତି ବର୍ଗର ଲୋକଙ୍କୁ ବିକାଶର ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ଟ୍ରାଇଫେଡ୍‌ର ଉଦ୍ୟମ ଅବ୍ୟାହତ ରହିଛି । ନିଜର ନିର୍ଦ୍ଧାରିତ ଦାୟିତ୍ୱ ଓ କାର୍ଯ୍ୟ ବାହାରେ ଟ୍ରାଇଫେଡ୍‌ ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ଆଇଆଇଟି ଦିଲ୍ଲୀ ସହିତ ମିଳିମିଶି କାମ କରିବାକୁ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛି । ଉନ୍ନତ ଭାରତ ଅଭିଯାନ ଭାରତ ସରକାରଙ୍କ ଏକ ଧ୍ୱଜାଧାରୀ କାର୍ଯ୍ୟକ୍ରମ । ଏହା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଛି ।

ଗତକାଲି ଏଥିପାଇଁ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଥିରେ ଟ୍ରାଇଫେଡ୍‌, ଉନ୍ନତ ଭାରତ ପକ୍ଷରୁ ଆଇଆଇଟି ଦିଲ୍ଲୀ ଏବଂ ବିଜ୍ଞାନ ଭାରତୀ (ବିଭା)ର ପ୍ରତିନିଧିମାନେ ସ୍ୱାକ୍ଷର କରିଛନ୍ତି । ଉନ୍ନତ ଭାରତ ପକ୍ଷରୁ ଆଇଆଇଟି ଜାତୀୟ ସମନ୍ୱୟକାରୀ ପ୍ରତିଷ୍ଠାନ ଭାବେ କାର୍ଯ୍ୟ କରିବ । ବିଜ୍ଞାନ ଭାରତୀ ବା ବିଭା ଯାହା ଏକ ସ୍ୱଦେଶୀ ବିଜ୍ଞାନ ଆନ୍ଦୋଳନ ତାହା ଏଥିରେ ସହଯୋଗ ଯୋଗାଇବ । ଏବେ ଟ୍ରାଇଫେଡ୍‌ ଅଧୀନରେ ଆଦିବାସୀମାନଙ୍କର ଉଦ୍‌ଯୋଗ ବିକାଶ ପାଇଁ ଯେଉଁ ବନଧନ କାର୍ଯ୍ୟକ୍ରମ ଚାଲିଛି ସେଥିରେ ସଂପୃକ୍ତ ବିଦ୍ୟାର୍ଥୀମାନେ 2600ରୁ ଅଧିକ ଶିକ୍ଷାନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଶୈକ୍ଷିକ ସଂସ୍ଥାନର ସୁଯୋଗ ପାଇବେ । ଉନ୍ନତ ଭାରତ ଏହି ସୁଯୋଗ ଯୋଗାଇଦେବ ।

ଉନ୍ନତ ଭାରତ ଅଭିଯାନ ଯୋଜନାରେ ଟ୍ରାଇଫେଡ୍‌ ଜନଜାତିର ଲୋକଙ୍କ ଦକ୍ଷତା ବିକାଶ କରାଇ ସେମାନଙ୍କୁ ରୋଜଗାରକ୍ଷମ କରିବାକୁ ଉଦ୍ୟମ କରୁଛି । ଏହା ବିଭିନ୍ନ ମନ୍ତ୍ରଣାଳୟ, ଜିଲା ପ୍ରଶାସନ, ପଞ୍ଚାୟତିରାଜ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ଅନ୍ୟାନ୍ୟ ସଂପୃକ୍ତ ପକ୍ଷଙ୍କ ସହ ମିଶି କାମ କରୁଛି । ବନଧନ ବିକାଶ କେନ୍ଦ୍ର ପ୍ରତିଷ୍ଠା କରି ଆଦିବାସୀ ଲୋକଙ୍କୁ ଜୀବିକା ଅର୍ଜନର ସୁବିଧା ଦେବାପାଇଁ ଏହି ବୁଝାମଣାପତ୍ର ଅନୁସାରେ ମିଳିତ ଉଦ୍ୟମ କରାଯିବ ।

ଏ ସଂପର୍କରେ ସୂଚନା ଦେଇ ଟ୍ରାଇଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରବୀର କୃଷ୍ଣ କହିଛନ୍ତି ଯେ ଜନଜାତିଙ୍କ ବିକାଶ କ୍ଷେତ୍ରରେ ଏହି ବୁଝାମଣାପତ୍ର ବିଶେଷ ସହାୟକ ହେବ । ତାଙ୍କ ସଂସ୍ଥା ବିଭିନ୍ନ ମନ୍ତ୍ରଣାଳୟ ସହ ସକ୍ରିୟ ସହଯୋଗ ରକ୍ଷାକରି ଆଦିବାସୀଙ୍କ ଦକ୍ଷତା ବିକାଶ ମାଧ୍ୟମରେ ରୋଜଗାର ଯୋଗାଇ ଦେବାକୁ ଉଦ୍ୟମ କରୁଛି । ସେମାନେ ଦକ୍ଷ ଓ ଯୋଗ୍ୟ ହୋଇପାରିଲେ ବର୍ଷସାରା ରୋଜଗାରର ସୁବିଧା ପାଇବେ । କୃଷି, ଉଦ୍ୟାନ କୃଷି, ଫୁଲଚାଷ, ଔଷଧୀୟ ଓ ସୁଗନ୍ଧୀ ବୃକ୍ଷଚାଷ ମାଧ୍ୟମରେ ନିଜର ଜୀବିକା ନିର୍ବାହ କରିପାରିବେ । ଏଣିକି ସେମାନେ କେବଳ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହରେ ସୀମିତ ରହିବେ ନାହିଁ । ଆଇଆଇଟି ଦିଲ୍ଲୀ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏହି ବର୍ଗଙ୍କୁ ଦକ୍ଷ ଓ କୁଶଳୀ କରିବାରେ ଆବଶ୍ୟକ ଦିଗ୍‌ଦର୍ଶନ ଓ ସହାୟତା ଦେବ । ଏହାଛଡା ଦେଶର ବିଭିନ୍ନ ପ୍ରତିଷ୍ଠିତ ଶୈକ୍ଷିକ ଓ ଗବେଷଣା ଭିତ୍ତିକ ଅନୁଷ୍ଠାନରୁ ଆବଶ୍ୟକସ୍ଥଳେ ଏହି ବର୍ଗର ପିଲାମାନେ ତାଲିମ ଏବଂ ଦିଗ୍‌ଦର୍ଶନ ନେଇପାରିବେ ।

ସେ କହିଛନ୍ତି ଯେ ଯେଉଁସବୁ ଆଦିବାସୀ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରୁଛନ୍ତି ସେମାନଙ୍କ ସାମଗ୍ରୀ ପ୍ରକ୍ରିୟାକରଣ ଏହାର ମାନବୃଦ୍ଧି ଓ ପ୍ୟାକେଜିଂ ଆଦି ସଂପର୍କରେ ତାଲିମ ଦିଆଯିବ । ଏହାଛଡା ସାମଗ୍ରୀର ନବସୃଜନ, ମେଣ୍ଟରସିପ୍‌ ବା ଦିଗ୍‌ଦର୍ଶନ, ଡିଜିଟାଲ ବ୍ୟବସ୍ଥାର ଉପଯୋଗ ଏବଂ ପ୍ରାରମ୍ଭିକ ସହାୟତା ଏହି ବର୍ଗର ଲୋକଙ୍କୁ ପ୍ରଦାନ କରାଯିବ । ଏହାଫଳରେ ସେମାନଙ୍କର ଦକ୍ଷତା ବିକାଶ ଘଟିବ । ବୁଝାମଣାପତ୍ର ମାଧ୍ୟମରେ ଦେଶର ଉତ୍ତମ ବୁଦ୍ଧିମାନ ବ୍ୟକ୍ତିମାନେ ଯେତେବେଳେ ଆଦିବାସୀମାନଙ୍କ ଜୀବିକା ଉପାର୍ଜନ ସଂପର୍କରେ ପଦକ୍ଷେପ ନେବେ ସେତେବେଳେ ସେମାନଙ୍କ ସ୍ଥିତିରେ ନିଶ୍ଚୟ ଉନ୍ନତି ଘଟିବ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ଶ୍ରୀ ଭି. ରାମଗୋପାଳ ରାଓ କହିଛନ୍ତି ଯେ ତାଙ୍କ ଅନୁଷ୍ଠାନ ସମାଜ ସହିତ ବିଭିନ୍ନ ଭାବେ ସଂଯୁକ୍ତ ହେବାକୁ ବେଶ୍‌ ସଚେତନ ହୋଇ କାର୍ଯ୍ୟ କରୁଛି । ଇମର୍ସନ କାର୍ଯ୍ୟକ୍ରମରେ ଆମେ ଆମର ଅଧ୍ୟାପକମାନଙ୍କୁ ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ବାସ୍ତବ ସମସ୍ୟାର ସମାଧାନ ପାଇଁ ନିୟୋଜିତ କରୁଛୁ । ହସ୍ପିଟାଲ, ଗାଁ, ଉଦ୍ୟୋଗ ନିର୍ବିଶେଷରେ ଏହି ସହାୟତା ଯୋଗାଇ ଦିଆଯାଉଛି । ଥରେ ସମସ୍ୟାର କାରଣ ଚିହ୍ନଟ ହୋଇଗଲେ ତାହାକୁ ଲବ୍‌ଧ ସମ୍ବଳ ଅନୁସାରେ ସମାଧାନ କରିବାକୁ ଉଦ୍ୟମ କରାଯାଉଛି । ତେଣୁ ଏଭଳି ସ୍ଥିତିରେ ଅଂଶୀଦାରୀର ବିଶେଷ ଗୁରୁତ୍ୱ ରହିଛି । ଆଇଆଇଟି ଦିଲ୍ଲୀ-ଟ୍ରାଇଫେଡ୍‌ ଅଂଶୀଦାରୀ ମଧ୍ୟ ବିଜ୍ଞାନ ଭାରତୀ (ବିଭା)ର ଅଭିଜ୍ଞତା ଏବଂ ବିଶେଷ ଜ୍ଞାନକୁ ବ୍ୟବହାର କରିପାରିବ । ବିଭା ବିଜ୍ଞାନ ଓ ଟେକ୍‌ନୋଲଜି ବିକାଶରେ କିପରି ସହାୟକ ହେଉଛି ସେ ସଂପର୍କରେ ସାରା ଦେଶରେ ସଚେତନତା ସୃଷ୍ଟି କରୁଛି । ବିଜ୍ଞାନ ଓ ଟେକ୍‌ନୋଲଜି ଦ୍ୱାରା ମଣିଷ କିପରି ଆତ୍ମନିର୍ଭଶୀଳ ହୋଇପାରିବ ସେ ଦିଗରେ ଏହି ସଂସ୍ଥା କାମ କରୁଛି । ବନଧନ ଯୋଜନାକୁ ସଫଳ କରିବାରେ ବିଭା ସହାୟକ ହେବ । ବିଭିନ୍ନ ବନଧନ କେନ୍ଦ୍ର ମାଧ୍ୟମରେ ଏହା ଆଦିବାସୀଙ୍କୁ ସାମଗ୍ରୀର ମାନ ବୃଦ୍ଧି, ବ୍ରାଣ୍ଡିଂ, ବିକ୍ରିବଟା ଓ ବଜାର ସୁବିଧା ଆଦି ବିଷୟରେ ଦିଗ୍‌ଦର୍ଶନ ଦେବ । ଏହାଫଳରେ ଏହି ବର୍ଗର ଲୋକେ ରୋଜଗାରର ସୁବିଧା ପାଇବେ ।

ବନଧନ ବିକାଶ କେନ୍ଦ୍ର ବନବାସୀ ଆଦିବାସୀଙ୍କ ପାଇଁ ଏକ ରୋଜଗାର ସୃଷ୍ଟିକାରୀ ବ୍ୟବସ୍ଥାରେ ପରିଣତ ହୋଇଛି । ସେମାନଙ୍କଠାରୁ ଲଘୁବନଜାତ ଦ୍ରବ୍ୟ ଓ ଅନ୍ୟାନ୍ୟ ପାରମ୍ପରିକ ସାମଗ୍ରୀ ସଂଗ୍ରହ କରି ଏହାର ବିକ୍ରିବଟା ବ୍ୟବସ୍ଥା କରାଯାଉଛି । ଆଦିବାସୀ ଶିଳ୍ପୀ ଓ କାରିଗରୀମାନଙ୍କୁ ମଧ୍ୟ ରୋଜଗାର ଯୋଗାଇବାରେ ସହାୟକ ହୋଇଛି । ଦେଶର 3.6 ଲକ୍ଷ ବନବାସୀ ଆଦିବାସୀମାନଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବାକୁ 18,500 ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଉଦ୍ୟମ ଚାଲିଛି ତଥା 1205ଟି ଆଦିବାସୀ ଉଦ୍ୟୋଗ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଦେଶର 22ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ଯେପରି ଆହୁରି ସଂପ୍ରସାରିତ ହେବ ସେଥିପାଇଁ ଟ୍ରାଇଫେଡ୍‌ ଚଳିତ ଆର୍ଥିକ ବର୍ଷରେ 3000 ବନଧନ ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଅନୁମତି ପ୍ରଦାନ କରିଛି । ବନଧନ ଯୋଜନାକୁ ଆଧାର କରି ଆଦିବାସୀମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଟ୍ରାଇଫେଡ୍‌ ମଧ୍ୟ ଆହୁରି ଏକାଧିକ ଯୋଜନା ପ୍ରସ୍ତୁତ କରିଛି ।

ଉନ୍ନତ ଭାରତ ଅଭିଯାନ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏକ ଧ୍ୱଜଧାରୀ ଜାତୀୟ କାର୍ଯ୍ୟକ୍ରମ । ଗ୍ରାମ୍ୟ ଉନ୍ନୟନ ବ୍ୟବସ୍ଥାରେ ଜ୍ଞାନ ଓ ପ୍ରଯୁକ୍ତିକୁ ପ୍ରୟୋଗ କରି ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଏବଂ ଏକ ସମାବେଶୀ ଭାରତ ନିର୍ମାଣ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଦିଲ୍ଲୀ ଆଇଆଇଟିରେ ଉନ୍ନତ ଭାରତ ଅଭିଯାନର ଏକ ସେଲ୍‌ ରହିଛି । ଏଥିରେ ଏକ ପରାମର୍ଶଦାତା କମିଟି, ଏକ କାର୍ଯ୍ୟନିର୍ବାହୀ କମିଟି ଏବଂ ଏକ କାର୍ଯ୍ୟକାରୀ ଗୋଷ୍ଠୀ କାର୍ଯ୍ୟରତ । ବିଭିନ୍ନ ବିଭାଗରୁ ପ୍ରାୟ 40 ଜଣ ଅଧ୍ୟାପକ ଓ ଗବେଷକଙ୍କୁ ଏଥିରେ ସାମିଲ କରାଯାଇଛି । ଏହାକୁ ଗ୍ରାମ୍ୟ ଉନ୍ନୟନ ପ୍ରଯୁକ୍ତି କେନ୍ଦ୍ର (ସିଆରଡିଟି) ଏବଂ ଦିଲ୍ଲୀ ଆଇଆଇଟିର ରୁଟାଙ୍ଗ୍‌ ଗୋଷ୍ଠୀ ସହାୟତା ଯୋଗାଉଛି । ଗ୍ରାମାଞ୍ଚଳର ବିକାଶ ପ୍ରକ୍ରିୟାରେ ପରାମର୍ଶ ଓ ଆବଶ୍ୟକ  ଦିଗ୍‌ଦର୍ଶନ ଏହା ଯୋଗାଉଛି ।

ଉନ୍ନତ ଭାରତ ଅଭିଯାନ ଓ ଦିଲ୍ଲୀ ଆଇଆଇଟି ଦେଶର ବିଭିନ୍ନ ପ୍ରତିଷ୍ଠାନ ସହ ସଂପର୍କ ରଖି କାର୍ଯ୍ୟ କରୁଛି । ସେଥିମଧ୍ୟରେ ସମସ୍ତ ଆଇଆଇଟି, ଏନ୍‌ଆଇଟି, ଡିଏସ୍‌ଟି, ଡିବିଟି, ଆଇସିଏଆର୍‌, ଆଇସିଏମ୍‌ଆର, ଏମ୍‌ଜିଆଇଆରଆଇ, ସିଏସ୍‌ଆଇଆର ଲାବୋରେଟରୀ, ଇସ୍ରୋ, ଡିଆରଡିଓ, ପ୍ରତିରକ୍ଷା ଲାବୋରେଟରୀ, ବାର୍କ, ବିଭିନ୍ନ କମ୍ୟୁନିଟି ଅର୍ଗାନାଇଜେସନ୍‌ ଓ ସଚେତନ କର୍ପୋରେଟ ସଂସ୍ଥାମାନେ ଅଛନ୍ତି । ଏବେ ଉନ୍ନତ ଭାରତ ଅଭିଯାନ ନେଟୱାର୍କରେ 44ଟି ଆଞ୍ଚଳିକ ସମନ୍ୱୟକାରୀ ପ୍ରତିଷ୍ଠାନ ସଲ୍ୟୁସନ ଫାସିଲିଟର ଭାବେ କାର୍ଯ୍ୟ କରୁଛି । ଏଥିରେ 33ଟି ବିଶେଷ ବିଷୟ ବିଶେଷଜ୍ଞ ଗୋଷ୍ଠୀ ଓ ନିର୍ଦ୍ଦିଷ୍ଟ ବିଶେଷଜ୍ଞ ପରାମର୍ଶଦାତା ଅଛନ୍ତି । ଉପଜାତି ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସେମାନଙ୍କ ଦକ୍ଷତା ବିକାଶ ପାଇଁ ସାରା ଦେଶରେ 2600ରୁ ଅଧିକ ସଂଗଠନ କାର୍ଯ୍ୟ କରୁଛି ।

 

**********



(Release ID: 1641260) Visitor Counter : 198