ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ସାଂଘାଇ ସହଯୋଗ ପ୍ରତିଷ୍ଠାନର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ଡିଜିଟାଲ ବୈଠକରେ ଡଃ ହର୍ଷବର୍ଦ୍ଧନ ଉପସ୍ଥାପନ କଲେ ଭାରତର କୋଭିଡ ନିୟନ୍ତ୍ରଣ ରଣନୀତି ସଂପର୍କରେ ତଥ୍ୟ
• ଏହି ସଂଗଠନ ଆନୁକୂଲ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଲକ୍ଷ୍ୟ ପୂରଣ ପାଇଁ ପାରମ୍ପରିକ ଔଷଧପତ୍ର ସଂପର୍କରେ ଅନୁଧ୍ୟାନ କରିବା ନିମନ୍ତେ ଏକ ଉପଗୋଷ୍ଠୀ ଗଠନ ପାଇଁ ଭାରତର ପ୍ରସ୍ତାବ
Posted On:
24 JUL 2020 4:33PM by PIB Bhubaneshwar
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଆଜି ନୂଆଦିଲ୍ଲୀର ନିର୍ମାଣ ଭବନଠାରେ ଆୟୋଜିତ ଏକ ଡିଜିଟାଲ କାର୍ଯ୍ୟକ୍ରମରେ ସାଂଘାଇ ସହଯୋଗ ପ୍ରତିଷ୍ଠାନ (ଏସ୍ସିଓ)ର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ବୈଠକରେ ଭାଗ ନେଇଥିଲେ । ଏଥିରେ ରୁଷିଆର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାସ୍କୋଭ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ବର୍ତ୍ତମାନର କରୋନା ମହାମାରୀ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା ।
ପ୍ରାରମ୍ଭରେ ଡଃ ହର୍ଷବର୍ଦ୍ଧନ ସମଗ୍ର ବିଶ୍ୱରେ କୋଭିଡରେ ପ୍ରାଣ ହରାଇଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ସେ ଏହି ମହାମାରୀକୁ ରୋକିବା ପାଇଁ ଭାରତ ଗ୍ରହଣ କରିଥିବା ରାଜନୈତିକ ଅଙ୍ଗୀକାର ସଂପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କରୋନା ସ୍ଥିତିକୁ ବ୍ୟକ୍ତିଗତଭାବେ ଅନୁଧ୍ୟାନ କରୁଛନ୍ତି ଏବଂ ଏହାର ମୁକାବିଲା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଦେଶରେ ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପର୍ଯ୍ୟାୟକ୍ରମେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।
ଭାରତର କରୋନା ମୁକାବିଲା ପଦକ୍ଷେପ ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ବହୁବିଧ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭ୍ରମଣ ନିର୍ଦ୍ଦେଶାବଳୀ ଜାରି, ଦେଶରେ ପ୍ରବେଶ ଉପରେ ନଜର ରଖିବା, ଗୋଷ୍ଠୀ ଭିତ୍ତିକ ତଦାରଖ, ପରୀକ୍ଷାଗାରର ସଂଖ୍ୟାବୃଦ୍ଧି, ଅଧିକ ହସ୍ପିଟାଲ ନିର୍ମାଣ ସହ ବିଭିନ୍ନ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ବୃଦ୍ଧି, ବୈଷୟିକ ନିର୍ଦ୍ଦେଶାବଳୀର ବ୍ୟାପକ ପ୍ରଚାର ଓ ପ୍ରସାର, ରୋଗ ପରିଚାଳନା ସଂପର୍କରେ ଲୋକଙ୍କୁ ପରାମର୍ଶ ଆଦି ସେଥିମଧ୍ୟରୁ ଅନ୍ୟତମ । ନିରନ୍ତର ଲକଡାଉନ ଲାଗୁ କରାଯିବା ପରେ ସରକାର ଭାରତରେ ବୈଷୟିକ ଭିତ୍ତିଭୂମି ନିର୍ମାଣ ପାଇଁ ସମୟ ପାଇଲେ । ଏହି ସମୟ ମଧ୍ୟରେ ଆବଶ୍ୟକ ଡାକ୍ତରଖାନା, ପରୀକ୍ଷାଗାର, ଚିକିତ୍ସକ ଏବଂ ଚିକିତ୍ସା କର୍ମଚାରୀଙ୍କ ବନ୍ଦୋବସ୍ତ ପାଇଁ ଯଥେଷ୍ଟ ସମୟ ମିଳିଲା ।
ଦେଶରେ କରୋନା ପରୀକ୍ଷଣ ଦକ୍ଷତା ବୃଦ୍ଧି ଏବଂ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି ଫଳରେ ବ୍ୟାଧିକୁ ନିୟନ୍ତ୍ରଣରେ ରଖାଯାଇପାରିଛି । ରୋଗ ବ୍ୟାପିବା ପୂର୍ବରୁ ଭାରତରେ ପିପିଇ ତିଆରି କରିବାକୁ ଗୋଟିଏ ହେଲେ ଉଦ୍ୟୋଗ ନଥିଲା । ଏ କ୍ଷେତ୍ରରେ ଦକ୍ଷତା ବୃଦ୍ଧିକରି ଭାରତ ଅଳ୍ପ କେଇମାସରେ ଆତ୍ମନିର୍ଭରଶୀଳ ହୋଇଛି ଏବଂ ବିଦେଶକୁ ପିପିଇ ରପ୍ତାନୀ କରିପାରୁଛି । ସେହିଭଳି ଭେଣ୍ଟିଲେଟର ଓ ମେଡିକାଲ ଅକ୍ସିଜେନ କ୍ଷେତ୍ରରେ ଯେଉଁ ଅଭାବ ଥିଲା ତାହାକୁ ମଧ୍ୟ ପୂରଣ କରାଯାଇଛି । କୋଭିଡ ନିୟନ୍ତ୍ରଣ ପାଇଁ ଯାହାସବୁ ଦରକାର ପଡୁଥିଲା ଏବେ ସେ ସବୁ କ୍ଷେତ୍ରରେ ଭାରତ ଦେଶୀ ଜ୍ଞାନକୌଶଳ ଉପଯୋଗ କରି ଆତ୍ମନିର୍ଭରଶୀଳ ହୋଇପାରିଛି ।
ଡଃ ହର୍ଷବର୍ଦ୍ଧନ କହିଛନ୍ତି ଯେ କୋଭିଡ ମୁକାବିଲାରେ ସୂଚନା ପ୍ରଯୁକ୍ତିର ଉପଯୋଗ କରାଯାଇ ଏହାର ପରିଚାଳନାକୁ ସହଜ କରାଯାଇପାରିଛି । ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲଜି ବିଶେଷ ସହାୟକ ହୋଇଛି । ଆରୋଗ୍ୟ ସେତୁ ଆପ୍ ଏବଂ ସେଲୁଲାର ଭିତ୍ତିକ ଟ୍ରାକିଂ ଟେକ୍ନୋଲଜି ‘ଇତିହାସ’ ରୋଗୀଙ୍କୁ ଠାବ ଓ ଚିହ୍ନଟ କରିବାରେ ବିଶେଷ ଉପଯୋଗୀ ହୋଇପାରିଛି । ଯେଉଁସବୁ ଅଞ୍ଚଳରେ ସନ୍ଦିଗ୍ଧ ରୋଗୀ ଅଛନ୍ତି, ଏହି ବ୍ୟବସ୍ଥାରେ ସେମାନେ ଧରାପଡିଯାଉଛନ୍ତି । ସ୍ୱାବ ପରୀକ୍ଷାରେ ଆର୍ଟି-ପିସିଆର ଆପ୍ ବ୍ୟବହାର କରାଯାଉଛି । ଏହାଛଡା ଫାସିଲିଟି ଆପ୍ ବ୍ୟବସ୍ଥାରେ ହସ୍ପିଟାଲରେ ଉପଲବ୍ଧ ଶଯ୍ୟା, ଭର୍ତ୍ତି ହୋଇଥିବା ରୋଗୀ ଏବଂ ଆରୋଗ୍ୟ ହେଉଥିବା ରୋଗୀଙ୍କ ସଂଖ୍ୟା ସଂପର୍କରେ ତଥ୍ୟ ପରିଚାଳନା କରାଯାଉଛି । ଏସବୁ ବ୍ୟବସ୍ଥା ଗୋଟିଏ କୋଭିଡ ପୋର୍ଟାଲ ସହ ସଂଯୁକ୍ତ ହୋଇଛି ।
ଡଃ ହର୍ଷବର୍ଦ୍ଧନ ଏହି ଅବସରରେ ଭାରତର ପାରମ୍ପରିକ ଔଷଧ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସେ କହିଥିଲେ ଯେ କୋଭିଡ ସଂକ୍ରମଣ କାଳରେ ସାଧାରଣ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପାରମ୍ପରିକ ଭାରତୀୟ ଔଷଧ ବିଶେଷ ସହାୟକ ହୋଇଛି । ଏସ୍ସିଓ ବ୍ୟବସ୍ଥାରେ ପାରମ୍ପରିକ ଔଷଧ ଓ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଆଲୋଚନା କରିବା ପାଇଁ କୌଣସି ଆନୁଷ୍ଠାନିକ ବ୍ୟବସ୍ଥା ନାହିଁ । ତେଣୁ ପାରମ୍ପରିକ ଔଷଧର ଉପଯୋଗିତା ଓ ଦକ୍ଷତା ସଂପର୍କରେ ଏକ ରଣନୀତି ପ୍ରସ୍ତୁତ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ସମୟ ଧାର୍ଯ୍ୟ କରିଛି ତାହାକୁ ସଫଳ କରିବା ନିମନ୍ତେ ଏକ ଉପଗୋଷ୍ଠୀ ଗଠନର ଆବଶ୍ୟକତା ରହିଛି । 2014ରୁ 2023 ମଧ୍ୟରେ ଏହି ରଣନୀତି ଚୂଡାନ୍ତ କରିବା ପାଇଁ ସମୟ ଧାର୍ଯ୍ୟ ହୋଇଥିବାବେଳେ ଏଦିଗରେ ଏଯାଏଁ ବିଶେଷ କିଛି ହୋଇନାହିଁ । 2018ରେ କିଙ୍ଗଡାଓ ଶିଖର ସମ୍ମିଳନୀରେ ଘୋଷିତ ମିଳିତ ଘୋଷଣାନାମାରେ ମଧ୍ୟ ପାରମ୍ପରିକ ଔଷଧର ବିକାଶ ଓ ବିନିଯୋଗ ପାଇଁ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏ କ୍ଷେତ୍ରରେ ବିଶେଷ ପ୍ରଗତି ହୋଇନଥିବାରୁ ସାଂପ୍ରତିକ ସହଯୋଗ ବ୍ୟବସ୍ଥାରେ ଏକ ଆନୁଷ୍ଠାନିକ ଉପଗୋଷ୍ଠୀ ଗଠନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଡଃ ହର୍ଷବର୍ଦ୍ଧନ ଏହି ଅବସରରେ ସବୁ ସଭ୍ୟ ରାଷ୍ଟ୍ରମାନଙ୍କୁ ମିଳିମିଶି କୋଭିଡ ମୁକାବିଲା କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହାଫଳରେ ଉଭୟ ସ୍ୱାସ୍ଥ୍ୟ ଓ ଅର୍ଥନୀତି ସୁରକ୍ଷିତ ହୋଇପାରିବ ବୋଲି ସେ କହିଛନ୍ତି । ଦେଶରେ କୋଭିଡ ଲଢେଇରେ ସାମିଲ ହୋଇ ଆଗଧାଡିରେ ଥିବା ସବୁ କର୍ମଚାରୀଙ୍କୁ ଏହି ଅବସରେ ସେ ଅଭିନନ୍ଦନ ଜଣାଇ ସେମାନଙ୍କୁ ଈଶ୍ୱରଙ୍କ ସହ ସମାନ ବୋଲି କହିଛନ୍ତି ।
**********
(Release ID: 1641051)
Visitor Counter : 264