ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଣିପୁର ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

• ଲକ୍ଷ ଲକ୍ଷ ଲୋକ ଏହି ପ୍ରକଳ୍ପ ଦ୍ୱାରା ନିଜ ଘରେ ସ୍ୱଚ୍ଛ ପାନୀୟଜଳର ସୁବିଧା ପାଇବେ
• ଗରିବଙ୍କ ସମେତ ସମସ୍ତଙ୍କର ଭଲରେ ବଞ୍ଚିବା ଏବଂ ଉତ୍ତମ ଜୀବନଯାପନ କରିବା ଏକ ଅଧିକାର : ପ୍ରଧାନମନ୍ତ୍ରୀ

Posted On: 23 JUL 2020 1:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‌ଫରେନ୍ସ ବ୍ୟବସ୍ଥା ମାଧ୍ୟମରେ ମଣିପୁର ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ ସାରା ଦେଶ ଏବେ କୋଭିଡ-19 ବିରୋଧରେ ନିରନ୍ତର ଲଢେଇ ଜାରି ରଖିଥିବାବେଳେ ପୂର୍ବ ଏବଂ ଉତ୍ତରପୂର୍ବ ଭାରତ ଦ୍ୱୈତ ଆହ୍ୱାନର ସମ୍ମୁଖୀନ ହୋଇଛି । କରୋନା ସହିତ ଏବେ ଏ ଅଞ୍ଚଳରେ ବର୍ଷା ଓ ବନ୍ୟା ବିତ୍ପାତ ଦେଖାଦେଇଛି । ବନ୍ୟା ଓ ବର୍ଷା ଫଳରେ ଅନେକ ଲୋକ ବାସହୀନ ହେଉଥିବାବେଳେ ବିଭିନ୍ନ ସ୍ଥାନରେ ଜୀବନହାନୀ ମାନ ଘଟୁଛି ।

ସେ କହିଛନ୍ତି ଯେ ଲକ୍‌ଡାଉନ କାଳରେ ମଣିପୁର ସରକାର ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଥିଲେ । ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଥିଲେ । ମଣିପୁରର 25 ଲକ୍ଷ ଦରିଦ୍ର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି । ସେହିଭଳି ରାଜ୍ୟରେ 1.5 ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣା ରୋଷେଇ ଗ୍ୟାସ୍‌ ସିଲିଣ୍ଡର ପ୍ରଦାନ କରାଯାଇଛି ।

ଜଳଯୋଗାଣ ପ୍ରକଳ୍ପ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 3 ହଜାର କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ଜଳସଂକଟ ଦୂର ହେବ । ଏହାଦ୍ୱାରା ମହିଳାମାନେ ବିଶେଷଭାବେ ଉପକୃତ ହେବେ ଏବଂ ସେମାନଙ୍କୁ ଜଳ ଚିନ୍ତାରୁ ବଡ ଆଶ୍ୱସ୍ତି ମିଳିବ । ଶ୍ରୀ ମୋଦୀ କହିଛନ୍ତି ଯେ ଗ୍ରେଟର ଇମ୍ଫାଲ ସହରକୁ ଜଳଯୋଗାଣ ସହିତ ଏହି ଯୋଜନାରେ ରାଜ୍ୟର 25ଟି କ୍ଷୁଦ୍ର ସହର ଏବଂ 1700 ଗ୍ରାମକୁ ପାନୀୟ ଜଳଯୋଗାଣ ସୁବିଧା ଯୋଗାଇ ଦିଆଯିବ । ଆସନ୍ତା 20 ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପର ଡିଜାଇନ ପ୍ରସ୍ତୁତ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ନିୟୁତ ନିୟୁତ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳର ସୁବିଧା ନିଜ ଘରେ ମିଳିବ ଏବଂ ଏହାଦ୍ୱାରା ହଜାର ହଜାର ଲୋକ ନିଯୁକ୍ତି ସୁବିଧା ପାଇବେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତବର୍ଷ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ ମାଧ୍ୟମରେ 15 କୋଟି ଘରକୁ ପାଇପ ଯୋଗେ ଜଳ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ଏବେ ଏହି ଯୋଜନାରେ ପ୍ରତିଦିନ ଏକଲକ୍ଷ ଘରକୁ ପାଇପ ଜଳ ସଂଯୋଗ ସୁବିଧା  ଦିଆଯାଉଛି । ଏଥିରେ ଜନସାଧାରଣଙ୍କର ସହଯୋଗ ରହିଛି । ସେ କହିଛନ୍ତି ଯେ ଉତ୍ତମ ଜୀବନ ଧାରଣ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଣ ଅପରିହାର୍ଯ୍ୟ । ଏହା ଯେତେ ସହଜ ହେବ ଲୋକଙ୍କ ଜୀବନ ଧାରଣର ମାନ ସେତେ ବଢିବ । ଭଲରେ ବଞ୍ଚିବା ଏବଂ ଏଥିପାଇଁ ସୁବିଧା ପାଇବା ଗରିବଙ୍କ ସମେତ ସମସ୍ତଙ୍କର ଏକ ଅଧିକାର ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜୀବନ ଧାରଣକୁ ସହଜ କରି ଏହାର ମାନରେ ଉନ୍ନତି ଆଣିବା ପାଇଁ ଗତ 6 ବର୍ଷ ମଧ୍ୟରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଗରିବ ଲୋକଙ୍କ ପାଇଁ ଏ କ୍ଷେତ୍ରରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ମଣିପୁର ସମେତ ସମଗ୍ର ଭାରତ ଏବେ ବାହ୍ୟ ମଳତ୍ୟାଗ ମୁକ୍ତ ହୋଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ରନ୍ଧନ ଗ୍ୟାସ୍‌ ଏବେ ଦରିଦ୍ରରୁ ଦରିଦ୍ରତମ ପରିବାରେ ପହଞ୍ଚିପାରିଛି । ପ୍ରତ୍ୟେକ ଗାଁକୁ ଉତ୍ତମ ସଡ଼କ ସଂଯୋଗ ବ୍ୟବସ୍ଥା କରାଯାଇଛି । ନିରାଶ୍ରୟମାନଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି । ଏବେ ଦେଶର ପ୍ରତ୍ୟେକ ଘରକୁ ନିରାପଦ ପାନୀୟ ଜଳ ଯୋଗାଇ ଦେବା ପାଇଁ ମିଶନ ମୋଡ୍‌ରେ କାର୍ଯ୍ୟ ଚାଲିଛି ।

ଶ୍ରୀ ମୋଦୀ କହିଛନ୍ତି ଯେ ଉତ୍ତମ ଜୀବନ ଯାପନ ମଧ୍ୟ ସଂଯୋଗ ବ୍ୟବସ୍ଥା ସହିତ ପ୍ରତ୍ୟକ୍ଷଭାବେ ଜଡିତ । ଉତ୍ତର ପୂର୍ବାଞ୍ଚଳକୁ ଉତ୍ତମ ସଡ଼କ ଓ ରେଳ ଆଦି ସଂଯୋଗ ଏକ ନିରାପଦ ତଥା ନିଶ୍ଚିତ ଆତ୍ମନିର୍ଭର ଭାରତ ଗଠନ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ । ଏହାଦ୍ୱାରା ଭାରତର ଆକ୍ଟ ଇଷ୍ଟ ପଲିସି ବା ପ୍ରାଚ୍ୟାଭିମୁଖୀ ନୀତି ତ୍ୱରାନ୍ୱିତ ହେବ । ଏହା ମଧ୍ୟ ଭ୍ରମଣ ଓ ପର୍ଯ୍ୟଟନ ଉଦ୍ୟୋଗ ପାଇଁ ଏକ ଦ୍ୱାର ଖୋଲିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳରେ ସଡ଼କ, ରାଜପଥ, ଆକାଶପଥ, ଜଳପଥ, ଆଇ-ୱେଜ (ସୂଚନା ପ୍ରଯୁକ୍ତି ପଥ) ଏବଂ ଗ୍ୟାସ୍‌ ପାଇପ ଲାଇନ ସଂଯୋଗ କରି ଆଧୁନିକ ଭିତ୍ତିଭୂମିର ବିକାଶ କରାଯାଉଛି । ଗତ 6 ବର୍ଷ ମଧ୍ୟରେ ଏହିସବୁ ଭିତ୍ତିଭୂମି କ୍ଷେତ୍ରରେ ହଜାର ହଜାର କୋଟି ଟଙ୍କା ବିନିଯୋଗ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳର ତ୍ରିପୁରା, ମିଜୋରାମ, ମଣିପୁର ଓ ନାଗାଲାଣ୍ଡର 4ଟି ଯାକ ରାଜଧାନୀକୁ ସଂଯୋଗ କରିବା ପାଇଁ ଉଦ୍ୟମ ଚାଲିଛି ଏବଂ ଏଥିପାଇଁ ଦୁଇଟିକିଆ ସଡ଼କ ମାନ ସବୁ ଜିଲା ସଦର ମହକୁମାରୁ ରାଜ୍ୟ ରାଜଧାନୀକୁ ସଂଯୋଗ କରିବା ନିମନ୍ତେ କାର୍ଯ୍ୟ  କରାଯାଉଛି । ଏହାଛଡା ଏହି ଅଞ୍ଚଳର ସବୁ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ବ୍ୟବସ୍ଥାରେ ଏ ପର୍ଯ୍ୟନ୍ତ ତିନି ହଜାର କିଲୋମିଟର ସଡ଼କ ନିର୍ମାଣ ସରିଛି । ଆଉ 60 ହଜାର କିଲୋମିଟର ସଡ଼କ ନିର୍ମାଣ କାର୍ଯ୍ୟ ସଡ଼କ ସଂଯୋଗ ବ୍ୟବସ୍ଥାରେ 4ଟି ଯାକ ରାଜ୍ୟର ରାଜଧାନୀକୁ ସଂଯୋଗ କରି ଏହାକୁ କ୍ୟାପିଟାଲ ଅଫ୍‌ ଦି କ୍ୟାପିଟାଲସ ଭାବେ ପ୍ରତିଷ୍ଠା କରିବାକୁ ଉଦ୍ୟମ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳରେ ରେଳ ଯୋଗଯୋଗ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିଛି । ନୂଆ ରେଳଷ୍ଟେସନ ମାନ ନିର୍ମାଣ କରିବା ସହ ବର୍ତ୍ତମାନର ଅଣଓସାରିଆ ରେଳପଥଗୁଡିକୁ ଓସାରିଆ କରିବା ପାଇଁ ପ୍ରକଳ୍ପ ମାନ ହାତକୁ ନିଆଯାଇଛି । ଉତ୍ତର ପୂର୍ବାଞ୍ଚଳର ସବୁ ରାଜ୍ୟର ରାଜଧାନୀକୁ ରେଳପଥ ଦ୍ୱାରା ସଂଯୋଗ କରିବା ପାଇଁ ଗତ ଦୁଇବର୍ଷ ହେଲା ଦ୍ରୁତଗତିରେ କାମ ଚାଲିଛି । ସଡ଼କ ଓ ରେଳପଥ ବ୍ୟତୀତ ଏହି ଅଞ୍ଚଳରେ ବିମାନ ସେବାର ବିକାଶ ପାଇଁ କାର୍ଯ୍ୟ ଚାଲିଛି । ଏଥିପାଇଁ ସରକାର ଅଗ୍ରାଧିକାଭିତ୍ତିରେ କାମ କରୁଛନ୍ତି । ଏବେ ଉତ୍ତର ପୂର୍ବାଞ୍ଚଳରେ 13ଟି କାର୍ଯ୍ୟକ୍ଷମ ବିମାନ ବନ୍ଦର ରହିଛି । ଇମ୍ଫାଲ ସମେତ ଉତ୍ତର ପୂର୍ବାଞ୍ଚଳରେ ଥିବା ଅନ୍ୟାନ୍ୟ ବିମାନ ବନ୍ଦରଗୁଡିକର ବିକାଶ ନିମନ୍ତେ 3 ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳକୁ ଜଳପଥର ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ସରକାର ଅଗ୍ରାଧିକାରଭିତ୍ତିରେ କାର୍ଯ୍ୟ କରୁଛନ୍ତି ।  ସମଗ୍ର ଦେଶରେ 20ଟି ଜଳପଥର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ସେଥିମଧ୍ୟରୁ ଗୋଟିଏ ଉତ୍ତର ପୂର୍ବାଞ୍ଚଳ ପାଇଁ ଉଦ୍ଦିଷ୍ଟ । ଏହି ଜଳପଥ କାର୍ଯ୍ୟକ୍ଷମ ହେଲେ ଉତ୍ତର ପୂର୍ବାଞ୍ଚଳକୁ ମୁଖ୍ୟ ଭାରତୀୟ ଭୂଖଣ୍ଡରୁ ନିରନ୍ତର ଯୋଗାଯୋଗ ସୁବିଧା ଉପଲବ୍‌ଧ ହେବ । ସେ କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳ ଭାରତର ସାଂସ୍କୃତିକ ବିବିଧତା ଏବଂ ସାଂସ୍କୃତିକ ଶକ୍ତିର ପ୍ରତିନିଧି । ଏହି ଅଞ୍ଚଳରେ ବିଶାଳ ପର୍ଯ୍ୟଟନ ସୁବିଧା ରହିଛି ଏବଂ ଏଯାଏଁ ତାହାର ପୂର୍ଣ୍ଣ ଉପଯୋଗ ହୋଇପାରିନାହିଁ । ପର୍ଯ୍ୟଟନର ବିକାଶ ପାଇଁ ସବୁମନ୍ତେ ଉଦ୍ୟମ କରାଯାଉଛି । ସେ କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳ ଦେଶର ଅଭିବୃଦ୍ଧିର ଇଞ୍ଜିନ ହେବା ଉଚିତ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳର ଯୁବକ ଓ ଜନତା ଏବେ ହିଂସା ପରିହାର କରି ବିକାଶ ଏବଂ ଉନ୍ନୟନକୁ ଗୁରୁତ୍ୱ ଦେଉଛନ୍ତି । ଆଗରୁ ମଣିପୁରରେ ଯେଉଁ ଅବରୋଧ ଓ ପ୍ରତିବାଦ ମାନ ହେଉଥିଲା ଏବେ ତାହା ଇତିହାସର ବିଷୟବସ୍ତୁ ପାଲଟିଛି । ଶ୍ରୀ ମୋଦୀ କହିଛନ୍ତି ଯେ ଆସାମ, ତ୍ରିପୁରା ଏବଂ ମିଜୋରାମ ଏହି 3 ରାଜ୍ୟ ଏବେ ହିଂସା ପରିହାର କରିଛନ୍ତି । ବ୍ରୁ-ରିଆଙ୍ଗ ଶରଣାର୍ଥୀ ଏବେ ଏକ ଉନ୍ନତ ଜୀବନ ଯାପନ ଆଡେ ମୁହାଁଇଛନ୍ତି । ଏହି ଅଞ୍ଚଳର ବିପୁଳ ବାଉଁଶ ସଂପଦ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାଦ୍ୱାରା ବିଭିନ୍ନ ପ୍ରକାର ଶିଳ୍ପୋଦ୍ୟୋଗ ପ୍ରତିଷ୍ଠା କରାଯାଇପାରିବ । ଏହାଛଡା ଏହି ଅଞ୍ଚଳରେ ଜୈବିକ ସାମଗ୍ରୀ ଉତ୍ପାଦନର ସୁବିଧା ଯଥେଷ୍ଟ ରହିଥିବାରୁ ତାହାର ବିକାଶ ପାଇଁ ଆତ୍ମନିର୍ଭର ଭାରତ ଯୋଜନାରେ କାର୍ଯ୍ୟ କରାଯାଉଛି । ସ୍ଥାନୀୟଭାବେ ଉତ୍ପାଦିତ ସାମଗ୍ରୀର ପ୍ରକ୍ରିୟାକରଣ, ମୂଲ୍ୟମିଶ୍ରଣ ଏବଂ ବଜାର ସୃଷ୍ଟି ସହିତ କେଉଁ କେଉଁ ଅଞ୍ଚଳରେ କେଉଁ ସାମଗ୍ରୀ ଉତ୍ପାଦିତ ହୋଇପାରିବ ତାହାର ବାଟ ଫିଟିଛି ।

ସେ କହିଛନ୍ତି ଯେ କୃଷି ଷ୍ଟାର୍ଟଅପ୍‌ ଏବଂ ଅନ୍ୟାନ୍ୟ ଉଦ୍ୟୋଗୁଡିକ କ୍ଲଷ୍ଟରଭିତ୍ତିକ ଯୋଜନାରେ ଉପକୃତ ହେବେ । ଏହି ଅଞ୍ଚଳରେ ଯେଉଁ ବାଉଁଶ ସଂପଦ ରହିଛି ତାହାର ଉପଯୁକ୍ତ ବିନିଯୋଗ ହେଲେ ଭାରତକୁ ଆଉ ବାଉଁଶ ଆମଦାନୀ କରିବାକୁ ପଡିବ ନାହିଁ । ଏବେ ସାରା ଦେଶରେ ଧୂପକାଠିର ବିପୁଳ ଚାହିଦା ରହିଛି । ଏହା ସତ୍ତ୍ୱେ ଆମେ ବିଦେଶରୁ ଶହ ଶହ କୋଟି ଟଙ୍କାର ଧୂପକାଠି ଆମଦାନୀ କରୁଛୁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାତୀୟ ବାଉଁଶ ମିଶନ କାର୍ଯ୍ୟକ୍ରମରେ ଶହ ଶହ କୋଟି ଟଙ୍କା ବାଉଁଶ ଚାଷୀ, କାରିଗର ଏବଂ ବାଉଁଶ ଶିଳ୍ପସହ ସଂପୃକ୍ତ ଲୋକଙ୍କ ପାଇଁ ବିନିଯୋଗ ହେଉଛି । ଏହାଦ୍ୱାରା ଉତ୍ତର ପୂର୍ବାଞ୍ଚଳ ଲୋକେ ଉପକୃତ ହୋଇପାରିବେ ଏବଂ ଅନେକ ନୂଆ ଷ୍ଟାର୍ଟଅପ୍‌ ଖୋଲାଯାଇପାରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ଷ୍ଟାର୍ଟଅପ୍‌ ଓ ଅନ୍ୟାନ୍ୟ ତାଲିମ ପାଇଁ ଏବେ ଉତ୍ତର ପୂର୍ବାଞ୍ଚଳରେ ଅନେକ ପ୍ରତିଷ୍ଠାନ ନିର୍ମାଣ କରାଯାଉଛି । କ୍ରୀଡା ବିଶ୍ୱବିଦ୍ୟାଳୟ ଓ ବିଶ୍ୱସ୍ତରୀୟ ଷ୍ଟାଡିୟମମାନ କାର୍ଯ୍ୟକ୍ଷମ ହେବାପରେ ମଣିପୁର ଦେଶର କ୍ରୀଡା ପ୍ରତିଭାମାନଙ୍କ ପାଇଁ ଏକ ବୃହତ୍‌ ହବ୍‌ରେ ପରିଣତ ହେବ ବୋଲି ସେ କହିଛନ୍ତି ।

 

**********



(Release ID: 1640726) Visitor Counter : 195