ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆସନ୍ତାକାଲି ମଣିପୁର ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ

Posted On: 22 JUL 2020 11:34AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଜୁଲାଇ 23) ମଣିପୁର ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଭିଡିଓ କନ୍‌ଫରେନ୍‌ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟ ସଂପାଦିତ ହେବ । ଇମ୍ଫାଲଠାରେ ଏହି ଅବସରରେ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ, ସାଂସଦ ଓ ବିଧାୟକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ହର୍‌ ଘର୍‌ ଜଲ୍‌ଲକ୍ଷ୍ୟ ନେଇ 2024 ସୁଦ୍ଧା ଦେଶର ଗ୍ରାମାଞ୍ଚଳର ସବୁ ପରିବାରକୁ ଆବଶ୍ୟକ ପରିମାଣର ନିରାପଦ ପାନୀୟଜଳ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଜଳ ଜୀବନ ମିଶନ ଆରମ୍ଭ କରିଛନ୍ତି । ଏଥିରେ ଜଳଉତ୍ସର ସୁରକ୍ଷା ମଧ୍ୟ ଅନ୍ତର୍ଭୁକ୍ତ । ପରିତ୍ୟକ୍ତ ଜଳର ବିଶୋଧନ, ଜଳ ସଂରକ୍ଷଣ, ବର୍ଷା ଜଳ ଅମଳ ଏବଂ ଜଳ ପୁନଃକ୍ଷରଣ ବ୍ୟବସ୍ଥାରେ ମୌଳିକ ଜଳଉତ୍ସକୁ ସର୍ବଦା ବ୍ୟବହାର ଉପଯୋଗୀ ରଖିବା ଏହି ଯୋଜନାର ଏକ ଅପରିହାର୍ଯ୍ୟ ଦିଗ । ସେଥିପ୍ରତି ମଧ୍ୟ ଯଥୋଚିତ ଧ୍ୟାନ ଦିଆଯାଉଛି ।

ଜଳ ଜୀବନ ମିଶନ ଗୋଷ୍ଠୀଗତ ଆଭିମୁଖ୍ୟ ନେଇ କାର୍ଯ୍ୟକାରୀ ହେଉଛି । ଗୋଟିଏ ଜନଗୋଷ୍ଠୀ ପାଇଁ ଜଳର ଆବଶ୍ୟକତା, ଏହାର ସଂରକ୍ଷଣ, ଉପଯୁକ୍ତ ବିନିଯୋଗ ଆଦି ସଂପର୍କରେ ସଚେତନତା ସୃଷ୍ଟି ପାଇଁ ଲୋକଙ୍କୁ ଶିକ୍ଷା, ସୂଚନା ମାଧ୍ୟମରେ ଉଦ୍ୟମ କରାଯାଉଛି । ଜଳ ସଂରକ୍ଷଣକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହିତ ସମସ୍ତଙ୍କ ବିଚାରରେ ଏହାକୁ ସର୍ବାଗ୍ରେ ରଖିବା ପାଇଁ ସରକାର ଉଦ୍ୟମ କରୁଛନ୍ତି ।

ଭାରତରେ ଏବେ ପ୍ରାୟ ମୋଟ 19 କୋଟି ପରିବାର ବସବାସ କରୁଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର 24 ଶତାଂଶଙ୍କ ପାଖରେ ସ୍ୱଚ୍ଛ ଜଳ ସୁବିଧା ପାଇବା ପାଇଁ ଟ୍ୟାପ ସଂଯୋଗ ବ୍ୟବସ୍ଥା ଅଛି । ଜଳ ଜୀବନ ମିଶନରେ 14 କୋଟି 33 ଲକ୍ଷ 21 ହଜାର 49 ପରିବାରକୁ ଅଂଶୀଦାର ଭିତ୍ତିରେ ପାଇପ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସରକାର, ପଞ୍ଚାୟତିରାଜ ପ୍ରତିଷ୍ଠାନ ଏବଂ ସ୍ଥାନୀୟ ସମୁଦାୟଙ୍କୁ ଏଥିରେ ସାମିଲ କରାଯାଇଛି ।

ଜଳ ଜୀବନ ମିଶନ ଯୋଜନାରେ ଭାରତ ସରକାର ମଣିପୁରକୁ ପାଣ୍ଠି ଯୋଗାଇ ଦେଇଛନ୍ତି । ଏଥିରେ 1185 ଗାଁର 1 ଲକ୍ଷ 42 ହଜାର 749 ପରିବାରକୁ ପାଇପ ଜଳ ସୁବିଧା ଯୋଗାଇ ଦିଆଯିବ । ରାଜ୍ୟରେ ଆଉ ଯେଉଁ ପରିବାର ବାକି ରହିଲେ ସେଥିପାଇଁ ରାଜ୍ୟ ସରକାର ଅତିରିକ୍ତ ପାଣ୍ଠି ବ୍ୟବସ୍ଥା କରିବେ । ଉତ୍ତର ପୂର୍ବାଞ୍ଚଳ ବିକାଶ ବିଭାଗରୁ ମଧ୍ୟ ଏଥିପାଇଁ ଅର୍ଥ ଅଣାଯାଇପାରିବ ।

ବାହ୍ୟ ଆର୍ଥିକ ସହାୟତାରେ କାର୍ଯ୍ୟକାରୀ ହେଉଥିବା ମଣିପୁର ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ଗ୍ରେଟର ଇମ୍ଫାଲ ପ୍ଲାନିଂ ଏରିଆରେ ପିଇବା ପାଣି ସୁବିଧା ନ ଥିବା, ଅବଶିଷ୍ଟ ସବୁ ଘର, ରାଜ୍ୟର 25ଟି ସହର ଏବଂ 1731ଟି ଗ୍ରାମରେ ପାଇପ ପାଣି ଯୋଗାଣ ବ୍ୟବସ୍ଥା କରାଯିବ । ଏହାଫଳରେ ମଣିପୁରରର 16ଟି ଜିଲ୍ଲାର 2 ଲକ୍ଷ 80 ହଜାର 756 ପରିବାର ଉପକୃତ ହେବେ । ଏହି ପ୍ରକଳ୍ପରେ ମୋଟ 3054.58 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏଥିପାଇଁ ଆବଶ୍ୟକ ଋଣ ନିଉ ଡେଭଲପ୍‌ମେଣ୍ଟ ବ୍ୟାଙ୍କ ଯୋଗାଇଦେବ । 2024 ସୁଦ୍ଧା ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାର ଲକ୍ଷ୍ୟ ରଖାଯାଇଛି ।

 

**********

 



(Release ID: 1640467) Visitor Counter : 199