ଅର୍ଥ ମନ୍ତ୍ରଣାଳୟ

ଡାଟା ଆଦାନପ୍ରଦାନ ପାଇଁ ସିବିଡିଟି ଓ ଏମ୍‌ଏସ୍‌ଏମ୍‌ଇ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

Posted On: 20 JUL 2020 6:55PM by PIB Bhubaneshwar

ଡାଟା ଆଦାନପ୍ରଦାନ କ୍ଷେତ୍ରରେ ଅଂଶୀଦାର ହେବା ପାଇଁ ଆଜି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ଅନୁସାରେ ସବିଡିଟି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟକୁ ଆବଶ୍ୟକ ଡାଟା ବା ତଥ୍ୟାବଳୀ ଯୋଗାଇବ । ଆୟକର ବିଭାଗର ପ୍ରମୁଖ ମହାନିର୍ଦେଶକ (ସିଷ୍ଟମ) ଶ୍ରମତୀ ଅନୁ ଜେ ସିଂହ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଉନ୍ନୟନ କମିସନର ଦେବେନ୍ଦ୍ରକୁମାର ସିଂହ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି ।

ଏହି ଚୁକ୍ତି ଫଳରେ ଆୟକର ରିଟର୍ଣ୍ଣ ସଂକ୍ରାନ୍ତ ସୂଚନାବଳୀ ଆଦି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ନିରନ୍ତର ପାଇବ । ଏହି ସୂଚନାବଳୀକୁ ଆଧାର କରି ମନ୍ତ୍ରଣାଳୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକର ବର୍ଗୀକରଣ କରିବ । ଏହି ବର୍ଗୀକରଣ ପାଇଁ ଗତ ଜୁନ୍‌ 26 ତାରିଖରେ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଆୟକର ବିଭାଗର ତଥ୍ୟ ତାହାକୁ କାର୍ଯ୍ୟକାରୀ କରିବାରେ ସହାୟକ ହେବ । ସ୍ୱାକ୍ଷରିତ ହେବା ଦିନଠାରୁ ଏହି ବୁଝାମଣାପତ୍ର କାର୍ଯ୍ୟକାରୀ ହୋଇଛି । ଡାଟା ଆଦାନପ୍ରଦାନ ସଂକ୍ରାନ୍ତ କାର୍ଯ୍ୟ ପରିଚାଳନା କରିବା ପାଇଁ ଉଭୟ ପକ୍ଷ ନିଜ ନିଜର ନୋଡାଲ ଏବଂ ବିକଳ୍ପ ନୋଡାଲ ଅଫିସର ନିଯୁକ୍ତି କରିବେ । ଦୁଇପକ୍ଷ ମଧ୍ୟରେ ଏହି ବୁଝାମଣା ସହଯୋଗର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି ।

 

**********



(Release ID: 1640015) Visitor Counter : 201