ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

‘ଆଇଟୋଲିଜୁମାବ’ କୋଭିଡ ରୋଗୀଙ୍କ ପାଇଁ ଜରୁରୀ ସ୍ଥିତିରେ ସୀମିତ ବ୍ୟବହାର ହୋଇପାରିବ: ଡିସିଜିଆଇ

Posted On: 11 JUL 2020 12:22PM by PIB Bhubaneshwar

ଭାରତୀୟ ଭେଷଜ ମହାନିୟନ୍ତ୍ରକ (ଡିସିଜିଆଇ) କୋଭିଡ-19 ଆକ୍ରନ୍ତଙ୍କ ପାଇଁ ଆଇଟୋଲିଜୁମାବଔଷଧ ଜରୁରୀକାଳୀନ ସୀମିତ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି । ଆଇଟୋଲିଜୁମାବ’ (ଆରଡିଏନ୍‌ଏ ଅରିଜିନ) ଏକ ମନୋକ୍ଲୋନାଲ ଆଣ୍ଟିବଡି ବା ରୋଗ ପ୍ରତିରୋଧକାରୀ ଔଷଧ । ଏହା ଏବେ ଗୁରୁତର ଏବଂ ପୁରୁଣା ପ୍ଲାକ୍‌ ସୋରିଆସିସ୍‌ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଛି । କୋଭିଡ ଆକ୍ରାନ୍ତଙ୍କୁ ଏହା ଦିଆଯାଇପାରିବ ବୋଲି ପରୀକ୍ଷାମୂଳକ ପ୍ରୟୋଗ ପରେ ଡିସିଜିଆଇ ଅନୁମତି ଦେଇଛନ୍ତି । ବାଇକନ୍‌ କଂପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଔଷଧଟି ପ୍ଲାକ୍‌ ସୋରିଆସିସ୍‌ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 2013ରୁ  ଆଲ୍‌ଜୁମାବ ବ୍ରାଣ୍ଡ ନାମରେ ବିକ୍ରି ହେଉଛି । ଏହି ଦେଶୀ ଔଷଧଟିକୁ କୋଭିଡ ଚିକିତ୍ସା ପାଇଁ ପୁନଃଉଦ୍ୟେଶିତ କରାଯାଇଛି ।

ବାଇକନ କଂପାନୀ ଏହି ଔଷଧର କ୍ଲିନିକାଲ ପରୀକ୍ଷା କରିବା ପରେ ସଂପୃକ୍ତ ରିପୋର୍ଟ ଡିସିଜିଆଇକୁ ଦେଇଥିଲା । ଡିସିଜିଆଇର ବିଶେଷଜ୍ଞ କମିଟି ଏହା ଉପରେ ତର୍ଜମା କରିବା ପରେ କୋଭିଡ ରୋଗୀଙ୍କୁ ଏହା ଦିଆଯାଇପାରିବ ବୋଲି ମତ ଦେଇଛନ୍ତି । ଏହି ଔଷଧ ଇନ୍‌ଫ୍ଲାମେସନ ବା ପ୍ରଦାହ ପାଇଁ ବିଶେଷ ଦାୟୀ ଆଇଏଲ୍‌-6, ଟିଏନ୍‌ଏଫ୍‌ଏ ଆଦିର ପ୍ରକୋପକୁ ଉଲ୍ଲେଖନୀୟଭାବେ ହ୍ରାସ କରିପାରୁଥିବା ପରୀକ୍ଷାରୁ ଜଣାପଡିଛି । ଏହି ଔଷଧ କୋଭିଡ ରୋଗୀଙ୍କୁ ଦିଆଗଲେ ସେମାନେ ମାତ୍ରାଧିକ ଇନ୍‌ଫ୍ଲାମେସନରୁ ରକ୍ଷା ପାଇପାରିବେ । କମିଟିର ସୁପାରିସ ଆଧାରରେ ଡିସିଜିଆଇ ଏହି ଔଷଧର ବିକ୍ରିବଟା ପାଇଁ ଅନୁମତି ଦେଇଛନ୍ତି ଏବଂ ନିଜ ନିର୍ଦେଶରେ ସ୍ପଷ୍ଟ କରିଦେଇଛନ୍ତି ଯେ ସ୍ୱଳ୍ପ ଓ ମଧ୍ୟମ ଧରଣର କରୋନା ଆକ୍ରାନ୍ତଙ୍କ ପାଇଁ ଏହା ଜରୁରୀକାଳୀନ ସ୍ଥିତିରେ ସୀମିତଭାବେ ବ୍ୟବହାର ହୋଇପାରିବ । ଏହା କେବଳ ସଂପୃକ୍ତ ରୋଗୀ ଯେତେବେଳେ ମାତ୍ରାଧିକ ଶ୍ୱାସ କ୍ରିୟାଜନିତ ସମସ୍ୟାର ସମ୍ମୁଖୀନ ହେବେ ସେତେବେଳେ ସାଇଟୋକାଇନ୍‌ ରିଲିଜ ସିମ୍‌ଣ୍ଡ୍ରୋମ ପାଇଁ ଏହା ବ୍ୟବହୃତ ହେବ । ଅବଶ୍ୟ ଏଥିପାଇଁ ହସ୍‌ପିଟାଲରେ ଆବଶ୍ୟକ ଜରୁରୀକାଳୀନ ପରିଚାଳନା ବ୍ୟବସ୍ଥା ରଖିବାକୁ ପଡିବ । ହସ୍ପିଟାଲ ବାହାରେ ଏହି ଔଷଧ ବ୍ୟବହାର କରାଯାଇପାରିବ ନାହିଁ । ଏହି ଦେଶୀ ଔଷଧ ଆଇଟୋଲିଜୁମାବ ବ୍ୟବହାର ଫଳରେ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ତୁଳନାତ୍ମକଭାବେ ଯଥେଷ୍ଟ ହ୍ରାସ ପାଇବ । ସୂଚନାଯୋଗ୍ୟ ଯେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ପ୍ରୋଟକଲ ଅନୁସାରେ ରୋଗୀଙ୍କ ଚିକିତ୍ସା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ସେଥିରେ ଯେଉଁ ଇନ୍‌ଭେଷ୍ଟିଗେସ୍‌ନାଲ ଥେରାପି ବିଧି ରହିଛି ତଦନୁସାରେ ଏହି ଔଷଧକୁ ବ୍ୟବହାର କରାଯିବ ।

 

**********



(Release ID: 1638054) Visitor Counter : 299