କ୍ୟାବିନେଟ

ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସୁବିଧା ପାଇବାର ସମୟ ମିଆଦ ଆଉ 3 ମାସ ବୃଦ୍ଧି

Posted On: 08 JUL 2020 4:27PM by PIB Bhubaneshwar

ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ସୁବିଧା ଯୋଗାଇ ଦେବା ସଂକ୍ରାନ୍ତ ସମୟ ସୀମା 3 ମାସ ବଢିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଏକ ପ୍ରସ୍ତାବ ଦିଆଯାଇଥିଲା । ତଦନୁସାରେ 1 ଜୁଲାଇ 2020 ଠାରୁ 3 ମାସ ପାଇଁ ଏହ ସମୟ ମିଆଦ ବୃଦ୍ଧି ପାଇଛି ।

ସାଂପ୍ରତିକ କରୋନା ମହାମାରୀ ଯୋଗୁଁ ଦେଶର ଯେଉଁ ଅତି ଦରିଦ୍ର ପରିବାର ବିଶେଷଭାବେ ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ୟାକେଜ ଘୋଷଣା କରାଯାଇଛି । ଏହି ପ୍ୟାକେଜ ମଧ୍ୟ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଏଲ୍‌ପିଜି ସଂଯୋଗ ନେଇଥିବା ଗରିବ ପରିବାରଙ୍କ ପାଇଁ ଉଦ୍ଦିଷ୍ଟ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଉଜ୍ଜ୍ୱଳା ହିତାଧିକାରୀମାନଙ୍କୁ ଗତ ଏପ୍ରିଲ 1 ତାରିଖଠାରୁ 3 ମାସ ଲାଗି ମାଗଣାରେ ଏଲ୍‌ପିଜି ରିଫିଲ୍‌ ସୁବିଧା ମିଳିଛି ।

ଏହି ଯୋଜନାରେ 9709.86 କୋଟି ଟଙ୍କା ଉଜ୍ଜ୍ୱଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏପ୍ରିଲ, ମେ, ଜୁନ 3 ମାସ ପାଇଁ ପ୍ରେରଣ କରାଯାଇଛି । ଏହାଛଡା ଏହି ସମୟ ମଧ୍ୟରେ ହିତାଧିକାରୀ 11.97 କୋଟି ଗ୍ୟାସ ସିଲିଣ୍ଡର ପାଇଛନ୍ତି । ଏହି ମହାମାରୀ କାଳରେ ସଂପୃକ୍ତ ଯୋଜନା ଏହି ଗରିବବର୍ଗର ଲୋକଙ୍କ ଦୁଃଖଦୁର୍ଦ୍ଦଶା ଦୂର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଯୋଜନାର ସମୀକ୍ଷାରୁ ଜଣାପଡିଛି ଯେ ଉଜ୍ଜ୍ୱଳା ଯୋଜନାର କେତେକ ହିତାଧିକାରୀଙ୍କ ଖାତାକୁ ସରକାର ଯେଉଁ ଅଗ୍ରୀମ ଅର୍ଥ ପଠାଇଥିଲେ ତାହାକୁ ସେମାନେ ନିର୍ଦ୍ଧାରିତ ସମୟରେ  ଗ୍ୟାସ୍‌ ସିଲିଣ୍ଡର କିଣିବାରେ ବ୍ୟୟ କରିପାରିନାହାନ୍ତି । ତେଣୁ ସେମାନଙ୍କୁ ସୁଯୋଗ ଦେବା ପାଇଁ ମନ୍ତ୍ରିପରିଷଦ ବୈଠକରେ ଏହି ସମୟସୀମା ବୃଦ୍ଧି କରାଯାଇଛି । ମନ୍ତ୍ରିପରିଷଦର ବୈଠକରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହେବା ପରେ ସଂପୃକ୍ତ ହିତାଧିକାରୀମାନେ ଯେଉଁ ଅଗ୍ରୀମ ଅର୍ଥ ସରକାରଙ୍କଠାରୁ ଇତିମଧ୍ୟରେ ପାଇସାରିଛନ୍ତି ସେମାନେ ଆସନ୍ତା ସେପ୍ଟେମ୍ବର 30 ପର୍ଯ୍ୟନ୍ତ ମାଗଣା ଗ୍ୟାସ୍‌ ସିଲିଣ୍ଡର ନେଇପାରିବେ ।

**********



(Release ID: 1637356) Visitor Counter : 225