ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆହତ ସୈନିକଙ୍କ ସହ ଲେହ ହସ୍ପିଟାଲରେ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
03 JUL 2020 8:23PM by PIB Bhubaneswar
ବନ୍ଧୁଗଣ,
ମୁଁ ଆଜି ଆପଣମାନଙ୍କୁ ପ୍ରଣାମ ଜଣାଇବାକୁ ଆସିଛି । ଆପଣମାନେ ବୀରତ୍ୱର ସହ ସଂଘର୍ଷ କରିଥିଲେ । ଯେଉଁମାନେ ଶହୀଦ ହୋଇଛନ୍ତି, ସେମାନେ ଆମକୁ ଛାଡି ଚାଲିଯାଇନାହାନ୍ତି । ଆପଣମାନେ ସମସ୍ତେ ମିଶି ଶତ୍ରୁଙ୍କୁ କଡା ଜବାବ ଦେଇଛନ୍ତି । ଆପଣମାନେ ଏବେ ହସ୍ପିଟାଲରେ ଅଛନ୍ତି । ଆପଣମାନଙ୍କ ପାଇଁ ଆଜି 130 କୋଟି ଭାରତୀୟ ଗର୍ବିତ । ଆପଣମାନଙ୍କ ବୀରତ୍ଵ ଏବଂ ଅଦମ୍ୟ ସାହସ ଆଗାମୀ ପିଢି ପାଇଁ ପ୍ରେରଣାଦାୟୀ । ଆପଣମାନେ ଯାହା କରିଛନ୍ତି ଏବଂ ଯେଉଁ ଅଦମ୍ୟ ସାହସ ପ୍ରଦର୍ଶନ କରିଛନ୍ତି ତାହା ଯୁବ ବର୍ଗ ଏବଂ ଦେଶର ଜନସାଧାରଣଙ୍କୁ ଆଗାମୀ ଦିନରେ ପ୍ରେରଣା ଯୋଗାଇ ଦେବ । ବର୍ତ୍ତମାନ ବିଶ୍ଵର ଯେଉଁ ସ୍ଥିତି ରହିଛି, ଏହି ସମୟରେ ବିଶ୍ଵକୁ ଭାରତ ସାମର୍ଥ୍ୟର ବାର୍ତ୍ତା ପ୍ରଦାନ କରିଛି । ଆପଣମାନେ ଯେଉଁଭଳି ଭାବେ ଦୃଢତାର ସହ ଶକ୍ତି ପ୍ରଦର୍ଶନ କରିଛନ୍ତି, ଏହି ବୀର ଯବାନମାନେ କିଏ ବୋଲି ବିଶ୍ଵବାସୀ ଉତ୍ସୁକତାର ସହ ଜାଣିବାକୁ ଚାହୁଁଛନ୍ତି ? ସେମାନେ ଜାଣିବାକୁ ଚାହୁଁଛନ୍ତି ଯେ ଏମାନଙ୍କୁ କି ପ୍ରଶିକ୍ଷଣ ଦିଆଯାଇଛି ? ସେମାନଙ୍କ ତ୍ୟାଗ କେତେ ଉଚ୍ଚ ? ତାଙ୍କ ତ୍ୟାଗ ପାଇଁ ସେମାନେ କେତେ ସଙ୍କଳ୍ପବଦ୍ଧ । ଆଜି ସମଗ୍ର ବିଶ୍ଵ ଭାରତୀୟ ଯବାନଙ୍କ ସାହସ ଓ ବୀରତ୍ଵକୁ ଅବଲୋକନ କରି ବିସ୍ମିତ ହୋଇଛି।
ମୁଁ ଆଜି କେବଳ ଆପଣମାନଙ୍କୁ ପ୍ରଣାମ ଜଣାଇବାକୁ ଆସିଛି । ଆପଣମାନଙ୍କୁ ସ୍ପର୍ଶ କରି, ଆପଣମାନଙ୍କୁ ଦେଖି ଏକ ଶକ୍ତି ନେଇ ଯାଉଛି, ଏକ ପ୍ରେରଣା ନେଇ ଯାଉଛି । ଆମ ଭାରତ ଆତ୍ମନିର୍ଭର ହେଉ, ବିଶ୍ଵର କୌଣସି ଶକ୍ତି ସମ୍ମୁଖରେ ପୂର୍ବରୁ ଆମେ କେବେ ମଧ୍ୟ ନତମସ୍ତକ ହୋଇନାହୁଁ, ଏବଂ ଭବିଷ୍ୟତରେ ହେବୁନାହିଁ ମଧ୍ୟ ।
ଏ କଥା ମୁଁ କେବଳ ଆପଣମାନଙ୍କ ଭଳି ବୀର ପରାକ୍ରମୀ ବନ୍ଧୁମାନଙ୍କ ଯୋଗୁ କହିପାରୁଛି। ମୁଁ ଆପଣମାନଙ୍କୁ ପ୍ରଣାମ କରୁଛି ଏବଂ ସେହି ମା ମାନଙ୍କୁ ପ୍ରଣାମ ଜଣାଉଛି ଯେଉଁମାନେ ଆପଣମାନଙ୍କ ଭଳି ବୀର ଯୋଦ୍ଧାଙ୍କୁ ଜନ୍ମ ଦେଇ ଲାଳନ ପାଳନ କରି ଦେଶ ପାଇଁ ଲଢେଇ କରିବାକୁ ପଠେଇଛନ୍ତି । ସେହି ମା ମାନଙ୍କର ଯେତେ ପ୍ରଶଂସା କଲେ ମଧ୍ୟ କମ।
ବନ୍ଧୁଗଣ, ଆପଣମାନେ ଅତି ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ମୋର କାମନା । ଆମେ ଶୃଙ୍ଖଳା ଓ ସହଯୋଗ ରକ୍ଷାକରି ମିଳିମିଶି ଆଗକୁ ଅଗ୍ରସର ହେବା ।
****************
(ରିଲିଜ ଆଡି: 1636661)
ପରିଦର୍ଶକ କାଉଣ୍ଟର : 228
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam