ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ଓଡିଶାର ପାରାଦୀପଠାରେ ଇଣ୍ଡିଆନ ଅଏଲର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର ଉଦ୍ଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

• ରାଜ୍ୟର ଶିଳ୍ପାୟନରେ ଯୁବକଙ୍କ ଆକାଂକ୍ଷାକୁ ପୂରଣ କରୁଛି ମୋଦିଙ୍କ ପୂର୍ବଦୋୟ ନୀତି - ଧର୍ମେନ୍ଦ୍ର ପ୍ରଧାନ
• ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମିଳିତ ଭାବରେ ପିଏଡିସିର କଲେ ଉଦଘାଟନ
• ଓଡିଶା ଏବଂ ପୂର୍ବ ଭାରତରେ ପଲିମର ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବ
• ଓଡିଶାରେ ରୋଜଗାର ଓ ରାଜସ୍ୱ ବଢାଇବା ପାଇଁ ଭାରତ ସରକାର ଉଦ୍ୟମ କରୁଛନ୍ତି
• ପିଏଡିସି ଓଡିଆ ପିଲାଙ୍କ ପାଇଁ ନୂଆ ବ୍ୟବସାୟ ବାତାବରଣ ତିଆରି କରିବ
• ଓଡିଆ ଯୁବକଙ୍କୁ ଆତ୍ମନିର୍ଭର କରିବାରେ ବଡ ପଦକ୍ଷେପ
• ପ୍ଲାଷ୍ଟିକ ଉଦ୍ୟୋଗୀଙ୍କୁ କମ ମୂଲ୍ୟରେ କଂଚାମାଲ ଦେବାର ଦାୟିତ୍ୱ ନେବ ଇଣ୍ଡିଆନ ଅଏଲ
• ଇଣ୍ଡିଆନ ଅଏଲ ପାରାଦୀପରେ 40 ହଜାରରୁ ଅଧିକ କୋଟି ଟଙ୍କା ପୁଞ୍ଜନିବେଶ କରିଛି
• ରାଜ୍ୟରେ ତୈଳ ଶିଳ୍ପରେ ସର୍ବମୋଟ 1 ଲକ୍ଷ 35 ହଜାର କୋଟି ଟଙ୍କା ପୁଞ୍ଜିନିବେଶ

Posted On: 25 JUN 2020 2:00PM by PIB Bhubaneshwar

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମିଳିତ ଭାବେ ପାରାଦୀପଠାରେ ଇଣ୍ଡିଆନ ଅଏଲର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର (ପିଏଡିସି)ର ଉଦ୍ଘାଟନ କରିଛନ୍ତି । ପିଏଡିସି ଓଡିଶା ଏବଂ ପୂର୍ବ ଭାରତରେ ପଲିମର ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବଦୋୟ ଭିଜନକୁ ସାକାର କରିବ । ଓଡିଶାର ଶିଳ୍ପାୟନରେ ରାଜ୍ୟର ଯୁବକଙ୍କ ଆକାଂକ୍ଷାକୁ ପୂରଣ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ସର୍ବଦା ସହଯୋଗ କରିଆସୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେ କହିଛନ୍ତି ଓଡିଶାର ଶିଳ୍ପାୟନ ତଥା ବିକାଶ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଇଣ୍ଡିଆନ ଅଏଲ ପକ୍ଷରୁ 43 କୋଟି ବ୍ୟୟରେ ଏହି କେନ୍ଦ୍ରକୁ ନିର୍ମାଣ କରାଯାଇଛି ।

ଆାଗାମୀ ଦିନରେ ଭଦ୍ରକ ଏବଂ ଧାମରାରେ ଟେକ୍ସଟାଇଲ ଡାଉନଷ୍ଟ୍ରିମ ୟୁନିଟ ପାଇଁ ପଲିଷ୍ଟର ସୂତା ଓ କପଡା ପାଇଁ ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ଏହା ଜାତୀୟ ସ୍ତରର ଓ ଅନ୍ତର୍ଜାତିୟ ସ୍ତରର ସେଂଟରରେ ଓଡିଆ ପିଲାଙ୍କ ପାଇଁ ନୂଆ ବ୍ୟବସାୟ ବାତାବରଣ ସୃଷ୍ଟି କରାଯିବ ।

ଏହି ସେଂଟର ଓଡିଆ ଶିଳ୍ପ ଉଦ୍ୟୋଗୀ ଓ ଯୁବକମାନଙ୍କୁ ଆତ୍ମନିର୍ଭର କରିବାରେ ବଡ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଭାରତ ସରକାରଙ୍କ ସହଯୋଗରେ ଓଡିଶା ସରକାର ପେଟ୍ରୋକେମିକାଲ, ଇସ୍ପାତ, ଖଣି, କୋଇଲା, ଆଲୁମିନିୟମ, ପର୍ଯ୍ୟଟନ, ଟେକ୍ସଟାଇଲ, ଉଦ୍ୟୋଗୀ ତଥା ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ରୋଜଗାର ସୃଷ୍ଟି କରି ରାଜ୍ୟର ରାଜସ୍ୱ ବଢାଇବାର ଲକ୍ଷ୍ୟ ରଖିଛନ୍ତି ।

ଇଣ୍ଡିଆନ ଅଏଲ କର୍ପୋରେସନ ପାରାଦୀପରେ 40 ହଜାରରୁ ଅଧିକ କୋଟି ଟଙ୍କା ପୁଞ୍ଜନିବେଶ କରିଛି । ଇଡକୋ ଏବଂ ଆଇଓସିଏଲ ପକ୍ଷରୁ ଯୁଗ୍ମ ଭାବରେ ଏସପିଭି ଗଠନ କରାଯାଇ ପାରାଦୀପରେ ବିଶ୍ୱସ୍ତରୀୟ ପ୍ଲାଷ୍ଟିକ ପାର୍କ ନିର୍ମାଣ କରାଯାଉଛି । ଭାରତ ସରକାରଙ୍କ କେମିକାଲ ଓ ପେଟ୍ରୋକେମିକାଲ ବିଭାଗ ତରଫରୁ ଭୁବନେଶ୍ୱର ସିପେକର ଉଚ୍ଚସ୍ତରର ପ୍ରଶିକ୍ଷଣ କେନ୍ଦ୍ର ବନାଯାଇଛି । ପାରାଦୀପ, ବାଲେଶ୍ୱର, ଖୋର୍ଦ୍ଧା ବା ଓଡିଶାର ପ୍ଲାଷ୍ଟିକ ଅଂଚଳରେ ଉଦ୍ୟୋଗୀଙ୍କୁ ନିରନ୍ତର କମ ମୂଲ୍ୟରେ କଂଚାମାଲ ଦେବାର ଦାୟିତ୍ୱ ଇଣ୍ଡିଆନ ଅଏଲ ନେବ ।

ଓଡିଶାକୁ ଗ୍ୟାସ ଆଧାରିତ ଅଂଚଳ ଭାବେ ତିଆରି କରିବା, ତୈଳ ଭିତ୍ତିଭୂମି ଅଂଚଳ ଭାବରେ ପରିଣତ କରିବା, ପେଟ୍ରୋଲିୟମ ଓ ପେଟ୍ରୋକେମିକାଲ ଏବଂ ଆନୁଷାଙ୍ଗିକ ଆନ୍ସିଲାରୀ କ୍ଷେତ୍ରକୁ ଓଡିଶାକୁ ଅଗ୍ରଣୀ ରାଜ୍ୟ ଭାବେ ତୋଳିବା ପାଇଁ ତୈଳ ଶିଳ୍ପରେ ସର୍ବମୋଟ 1 ଲକ୍ଷ 35 ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଭର୍ଚୁଆଲ ଉତ୍ସବରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ତରୁଣ କାପୁର, ଆଇଓସିଲର ଚେୟାରମ୍ୟାନ ସଞ୍ଜିବ ସିଂହ ଏବଂ ଭାରତ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

**********



(Release ID: 1634304) Visitor Counter : 210