ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

ଚାପଗ୍ରସ୍ତ ଉଦ୍ୟୋଗଙ୍କୁ ସାହାଯ୍ୟ କରିବା ପାଇଁ ଏମଏସଏମଇ ମନ୍ତ୍ରଣାଳୟର ଆଉ ଏକ ଅର୍ଥ ଯୋଗାଣ ଯୋଜନା

• 2 ଲକ୍ଷ ଉଦ୍ୟୋଗକୁ ଏହି ଯୋଜନାରେ 20 ହଜାର କୋଟି ଟଙ୍କା ଯୋଗାଇ ଦିଆଯିବ
• ଯେଉଁ ଉଦ୍ୟୋଗ ଆର୍ଥିକ ଦୁର୍ଦ୍ଦଶାର ସମ୍ମୁଖୀନ କିମ୍ବା ଏନପିଏ ଘୋଷିତ ସେଗୁଡ଼ିକୁ ଅର୍ଥ ଯୋଗାଇବା ପାଇଁ ଏହା ଏକ ଉପ-ଋଣ ବ୍ୟବସ୍ଥା

Posted On: 24 JUN 2020 4:32PM by PIB Bhubaneshwar

କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମଏସଏମଇ) ଉଦ୍ୟୋଗ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ସବର୍ଡିନେଟ ଡେଟ ବା ଉପଋଣ ଗ୍ୟାରେଂଟି ଯୋଜନା ଘୋଷଣା କରିଛନ୍ତି । ଏହାକୁ ମଧ୍ୟ ଡିସଟ୍ରେଷ୍ଟ ଆସେଟ୍ସ ଫଣ୍ଡ-ସବଅର୍ଡିନେଟ ଡେଟ ଫର ଏମଏସଏମଇକୁହାଯାଉଛି ।

ଏହି ଯୋଜନା ଅନୁସାରେ 20 ହଜାର କୋଟି ଟଙ୍କାର ଋଣ ଗ୍ୟାରେଂଟି ଉଦ୍ୟୋଗୀମାନଙ୍କୁ ଯୋଗାଇ ଦିଆଯିବ । ସେମାନେ ନିଜ ନିଜର ଆର୍ଥିକ ଚାପଗ୍ରସ୍ତ ଉଦ୍ୟୋଗରେ ପୁଞ୍ଜି ଲଗାଇବା ପାଇଁ ବ୍ୟାଙ୍କରୁ ଋଣ ନେଲେ ସରକାର ଗ୍ୟାରେଂଟର ରହିବେ । ଏବେ ଅନଭୂତ ହେଉଛି ଯେ ଯେଉଁସବୁ ଏମଏସଏମଇ ଉଦ୍ୟୋଗର ଆର୍ଥିକ ସ୍ଥିତି ଭଲ ନାହିଁ ସେମାନେ ପୁଞ୍ଜି ସଂଗ୍ରହ କରିବାରେ, ଋଣ କିମ୍ବା ଇକ୍ୟୁଟି ପାଇବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତଦନୁସାରେ ଚଳିତବର୍ଷ ମେ13 ତାରିଖରେ ଅର୍ଥମନ୍ତ୍ରୀ ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ପ୍ୟାକେଜରେ ଏହି ଯୋଜନା ସ୍ଥାନ ପାଇଛି । ସଂପୃକ୍ତ ଉଦ୍ୟୋଗୀମାନଙ୍କୁ ସବର୍ଡିନେଟ ଡେଟ ଯୋଜନାରେ ଏହି ଋଣ ମିଳିବ । ତେବେ ଯେଉଁ ଉଦ୍ୟୋଗଗୁଡିକ ଚାଲୁଛି କିନ୍ତୁ ଉତ୍କଟ ଅର୍ଥାଭାବର ସମ୍ମୁଖୀନ ସେଗୁଡିକ ପାଇଁ ଏହି ଯୋଜନା ମୁଖ୍ୟତଃ ଉଦ୍ଦିଷ୍ଟ । ଅର୍ଥ ମନ୍ତ୍ରଣାଳୟ, ସିଡବି ଏବଂ ରିଜର୍ଭ ବ୍ୟାଙ୍କ ଭଳି ସଂସ୍ଥାଙ୍କ ସହ ପରାମର୍ଶ କ୍ରମେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଏହି ଯୋଜନାକୁ ଅନୁମୋଦନ କରିଛି । ନାଗପୁରଠାରେ ଆଜି ଶ୍ରୀ ଗଡ଼କରୀ ଆନୁଷ୍ଠାନିକଭାବେ ଏହା ଘୋଷଣା କରିଛନ୍ତି ।

ଯୋଜନାର ମୁଖ୍ୟାଂଶ

ଯେଉଁସବୁ ଉଦ୍ୟୋଗ ଚଳିତବର୍ଷ ଏପ୍ରିଲ 30 ତାରିଖ ସୁଦ୍ଧା ଉତ୍କଟ ଅର୍ଥାଭାବର ସମ୍ମୁଖୀନ ହୋଇ ଏନପିଏ ଘୋଷିତ ହୋଇଥିବେ ସେଭଳି ଉଦ୍ୟୋଗକୁ ଏହି ଯୋଜନାରେ ସହାୟତା ପ୍ରଦାନ କରାଯିବ ।

ସଂପୃକ୍ତ ଉଦ୍ୟୋଗର ଉଦ୍ୟୋକ୍ତାଙ୍କୁ ସେମାନଙ୍କ ମୋଟ ଇକ୍ୟୁଟି ଓ ଋଣର 15 ଶତାଂଶ କିମ୍ବା 75 ଲକ୍ଷ ଟଙ୍କା ମଧ୍ୟରୁ ଯେଉଁଟି ସର୍ବନିମ୍ନ ହେବ ତାହା ଋଣ ଆକାରରେ ଯୋଗାଇ ଦିଆଯିବ ।

ସଂପୃକ୍ତ ଉଦ୍ୟୋଗୀଙ୍କୁ ସମାନ ପରିମାଣର ଅର୍ଥ ନିଜ ଉଦ୍ୟୋଗରେ ଇକ୍ୟୁଟି ଆକାରରେ ନିବେଶ କରିବାକୁ ପଡିବ ଏବଂ ତଦନୁସାରେ ନଗଦ ପରିମାଣ ବଢାଇ ଋଣ-ଇକ୍ୟୁଟି ଅନୁପାତକୁ ବଜାୟ ରଖିବାକୁ ହେବ ।

ସବଡେଟର ନବେ ଶତାଂଶ ଅର୍ଥ ଗ୍ୟାରେଂଟି ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବ ଏବଂ ଅବଶିଷ୍ଟ 10 ଶତାଂଶ ସଂପୃକ୍ତ ଉଦ୍ୟୋଗୀ ଯୋଗାଇବେ ।

ମୂଳ ଋଣ  ପରିଶୋଧ ପାଇଁ 7 ବର୍ଷର ସ୍ଥଗନାଦେଶ ବା ମୋରଟରିୟମ ରହିବ । ତେବେ 10 ବର୍ଷ ମଧ୍ୟରେ ସମସ୍ତ ଋଣ ପରିଶୋଧ କରିବାକୁ ପଡ଼ିବ ।

ଆଶା କରାଯାଉଛି ଯେ ଏହି ଯୋଜନା ଦ୍ୱାରା ଆର୍ଥିକ ସଂକଟର ସମ୍ମୁଖୀନ ପ୍ରାୟ 2 ଲକ୍ଷ  ଉଦ୍ୟୋଗ ଉପକୃତ ହେବେ ଏବଂ ସେମାନେ ପୁନର୍ବାର ନିଜର ଉତ୍ପାଦନ ଆରମ୍ଭ କରିବାକୁ ସୁଯୋଗ ପାଇବେ । ଏହାର ସିଧା ପ୍ରଭାବ ଅର୍ଥନୀତି ଉପରେ ପଡିବ ଓ ଆର୍ଥିକ ବ୍ୟବସ୍ଥାରେ ଉନ୍ନତି ଆସିବ । ଏହାଦ୍ୱାରା ମଧ୍ୟ ଏମଏସଏମଇ ଉଦ୍ୟୋଗ ଉପରେ ନିର୍ଭରଶୀଳ ନିୟୁତ ନିୟୁତ ଲୋକଙ୍କ ଜୀବିକା ସୁରକ୍ଷିତ ହୋଇପାରିବ ।

ଯେଉଁ ଉଦ୍ୟୋଗଗୁଡିକ ଏହି ଋଣ ସହାୟତ ପାଇବା ପାଇଁ ଯୋଗ୍ୟ ସେମାନେ ଯେକୌଣସି ଅନୁସୂଚିତ ବ୍ୟାବସାୟିକ ବ୍ୟାଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଯୋଜନା ଏମଏସଏମଇଏସ କ୍ରେଡିଟ ଗ୍ୟାରେଂଟି ଫଣ୍ଡ ଟ୍ରଷ୍ଟ ଦ୍ୱାରା କାର୍ଯ୍ୟକାରୀ ହେବ । ଏଥିପାଇଁ ଆବଶ୍ୟକ ନିର୍ଦେଶାବଳୀ ଏବଂ ସନ୍ଦେହ ମୋଚନ ପାଇଁ ବିଭିନ୍ନ ପ୍ରଶ୍ନର ଉତ୍ତର ଆଜି ଜାରି କରାଯାଇଛି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଡ଼କରୀ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଉକ୍ତ ଯୋଜନା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏଭଳି ଏକ ଉତ୍ତମ ଯୋଜନା ପ୍ରସ୍ତୁତ କରିଥିବାରୁ ସେ ମଧ୍ୟ ଆର୍ଥିକ ବ୍ୟୟ ବିଭାଗ, ଆର୍ଥିକ ସେବା ବିଭାଗ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସାଧୁବାଦ ଜ୍ଞାପନ କରିଛନ୍ତି ।

 

**********



(Release ID: 1634096) Visitor Counter : 277