ରସାୟନ ଓ ସାର ମନ୍ତ୍ରଣାଳୟ
ଦେଶରେ ପ୍ରଥମ ବୃହତ ଭର୍ଚୁଆଲ ସ୍ୱାସ୍ଥ୍ୟସେବା ଓ ପରିମଳ ଏକ୍ସପୋ 2020 ଉଦ୍ଘାଟିତ
• ପାଞ୍ଚଦିନିଆ ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ରହିବ ଆୟୁଷ ଏବଂ ୱେଲନେସ, ଡାକ୍ତରୀ ଉପକରଣ, ଡାକ୍ତରୀ ବୟନ ଓ ଉପଯୋଗୀ ବସ୍ତୁ, ଫାର୍ମାସ୍ୟୁଟିକାଲ୍ସ, ପରିମଳ ଓ ବିଶୋଧକ
ପୋଷ୍ଟ କରାଯିବା ଦିନାଙ୍କ:
22 JUN 2020 4:05PM by PIB Bhubaneshwar
କେନ୍ଦ୍ର ଜାହାଜ ଚଳାଚଳ (ସ୍ଵାଧୀନ) ଓ ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ ଆଜି ଭାରତର ସର୍ବ ବୃହତ ପ୍ରଥମ ଭର୍ଚୁଆଲ ହେଲ୍ଥ କେୟାର ଆଣ୍ଡ ହାଇଜିନ ଏକ୍ସପୋ 2020ର ଉଦ୍ଘାଟନ କରିଛନ୍ତି । ଫିକି ଦ୍ଵାରା ଏହି ଏକ୍ସପୋର ଆୟୋଜନ କରାଯାଇଛି ।
ଏହି ଏକ୍ସପୋ 22ରୁ ଠାରୁ 26 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଝାନ୍ସି ଲୋକସଭା ସଦସ୍ୟ ତଥା ଫିକି ଅଧ୍ୟକ୍ଷ ଶ୍ରୀ ଅନୁରାଗ ଶର୍ମା, ଆୟୁଷ କମିଟିର ଡାକ୍ତର ସଂଗୀତା ରେଡ୍ଡୀ, ବିଶିଷ୍ଟ କ୍ରୀଡ଼ାବିତ ପି.ଭି.ସିନ୍ଧୁ, ଫିକି ମେଡିକାଲ ଡିଭାଇସ ଫୋରମର ଅଧ୍ୟକ୍ଷ ଶ୍ରୀ ବଦ୍ରି ଆୟେଙ୍ଗର ଏବଂ ଶିଳ୍ପଗୁଡିକର ଅନ୍ୟ ପ୍ରତିନିଧିମାନେ ଭର୍ଚୁଆଲ ଏକ୍ସପୋରେ ଯୋଗ ଦେଇଥିଲେ ।
ଦେଶରେ ପ୍ରଥମଥର ଏପରି ଏକ ବୃହତ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହା ଏପରି ଏକ ନୂତନ ମଞ୍ଚ ଯେଉଁଠାରେ ଡିଜିଟାଲ ଇଣ୍ଡିଆର ସମୃଦ୍ଧି ଯୋଗୁଁ ବ୍ୟବସାୟିକ କାର୍ଯ୍ୟ ଆପେ ଆପେ ହୋଇପାରିବ । ଉଦ୍ଘାଟନୀ ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ମାଣ୍ଡଭିୟ କହିଲେ ଯେ, ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହେଉଛି । ଏଥିଯୋଗୁଁ ସ୍ୱାସ୍ଥ୍ୟ, ପରିମଳ ଓ ଔଷଧପତ୍ର କ୍ଷେତ୍ରରେ ଘରୋଇ ଉତ୍ପାଦନ ଅଧିକ ପ୍ରୋତ୍ସାହନ ପାଇବ । ସ୍ୱାସ୍ଥ୍ୟ, ପରିମଳ ଓ ଡାକ୍ତରୀ ବୟନ, ଆୟୁଷ ଏବଂ ୱେଲନେସ ସେକ୍ଟରର ଗୁରୁତ୍ଵ କୋଭିଡ-19 ବୈଶ୍ଵିକ ମହାମାରୀ କାଳରେ ଅଧିକ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏଦିଗରେ ଘୋଷଣା କରାଯାଇଥିବା ଅନେକ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ । ପ୍ରତି ଘରକୁ ଶୌଚାଳୟ, ସ୍ୱାସ୍ଥ୍ୟ ସେବା ପାଇଁ ଦେଶର 10 କୋଟି ପରିବାରକୁ ଆୟୁଷ୍ମାନ ଭାରତ ଅଧିନକୁ ଆଣିବା, ସ୍ଵଚ୍ଛ ଭାରତ ଅଭିଯାନ, ସୁଲଭ ସାନିଟାରି ନାପକିନ ଇତ୍ୟାଦି ଏଦିଗରେ ଏକ ସଫଳ ପ୍ରଚେଷ୍ଟା ବୋଲି ସେ କହିଛନ୍ତି । ସେ ମଧ୍ୟ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧପତ୍ର ଯୋଗାଉଥିବା ଜନଔଷଧୀୟ କେନ୍ଦ୍ରର ମହତ୍ଵ ଉପରେ ଆଲୋକପାତ କରିଥିଲେ । ଏହିସବୁ ପଦକ୍ଷେପ କିପରି ନରେନ୍ଦ୍ର ମୋଦୀ ସରକାରଙ୍କ ଦୂରଦୃଷ୍ଟି ଦ୍ଵାରା ସଫଳ ହୋଇପାରିଛି, ଶ୍ରୀ ମାଣ୍ଡଭିୟ ତାହାର ଅବତାରଣ କରିଥିଲେ ।
ମହିଳାମାନଙ୍କ ସ୍ଵାସ୍ଥ୍ୟରକ୍ଷା ଦିଗରେ ଯଥାର୍ଥ୍ୟ ପଦକ୍ଷେପ ନେବା ଉପରେ ମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ । ଜନଔଷଧି କେନ୍ଦ୍ରଗୁଡ଼ିକରେ ମାତ୍ର ଏକ ଟଙ୍କାରେ ସୁବିଧା ନାପକିନ କିଭଳି ଉପଲବ୍ଧ ହେଉଛି ତାହାର ଉଦାହାରଣ ସେ ଦେଇଥିଲେ । ପି ଭି ସିନ୍ଧୁ କହିଥିବା ସୁସ୍ଥ ଓ ପରିମଳ କିପରି ସ୍ୱାସ୍ଥ୍ୟ ରକ୍ଷା ସହ ଅଙ୍ଗାଙ୍ଗିଭାବେ ଜଡିତ ମନ୍ତବ୍ୟକୁ ସେ ଏକମତ ହୋଇଥିଲେ । ଦେଶରେ ସରକାର ବଳ୍କ ଡ୍ରଗ ପାର୍କ ଓ ମେଡିକାଲ ଡିଭାଇସ ପାର୍କ ପ୍ରତିଷ୍ଠା ପାଇଁ ନିକଟରେ ଘୋଷଣା କରିଛନ୍ତି ଏବଂ ଏହି ଉଦ୍ୟାନ ସବୁ ଘରୋଇ କ୍ଷେତ୍ର ବିକାଶ କରିବାକୁ ଚାହିଲେ ସରକାର ସେମାନଙ୍କୁ ସହାୟତା ପ୍ରଦାନ କରିବେ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ଆତ୍ମନିର୍ଭର ଅଭିଯାନ ଏହିସବୁ ଘୋଷଣା ଦ୍ଵାରା ପରିପୃଷ୍ଟ ହେବ ବୋଲି ସେ କହିଥିଲେ । ମନ୍ତ୍ରୀ ନାଗରିକମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ବିଶେଷକରି ଡାକ୍ତର, ନର୍ସ, ପୁଲିସ କର୍ମଚାରୀଙ୍କ ଅବଦାନ ଉଲ୍ଲେଖନୀୟ ବୋଲି ପ୍ରକାଶ କରିଥିଲେ । ଦେଶରେ ଆବଶ୍ୟକ ମୁତାବକ ପିପିଇ କିଟ୍ସ, ମାସ୍କ, ଭେଣ୍ଟିଲେଟର ଅନ୍ୟାନ୍ୟ ଯନ୍ତ୍ରପାତି ନିର୍ମାଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ନିର୍ମାଣକାରୀଙ୍କୁ ମନ୍ତ୍ରୀ ସାଧୁବାଦ ଜଣାଇଥିଲେ । ଶ୍ରୀ ମାଣ୍ଡଭିୟ ଆୟୁଷର ଉପକାରିତା ଉପରେ କହିବା ସହ କିପରି ଏହା ରୋଗ ପ୍ରତିରୋଧକ ସାହାଯ୍ୟକାରୀ ତାହା ବର୍ଣ୍ଣନା କରିଥିଲେ । ସରକାର କରୋନା ପରିସ୍ଥିତିର ମୁକାବିଲା କରିଲା ବେଳେ ଆମର ପାରମ୍ପାରିକ ଔଷଧ ସେଥିରେ ମୁଖ୍ୟ ସହାୟକ ହୋଇପାରିଛି ବୋଲି ସେ କହିଥିଲେ ।
**********
(ରିଲିଜ ଆଡି: 1633384)
ପରିଦର୍ଶକ କାଉଣ୍ଟର : 291