ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ସ୍କୁଲ ପାଠ୍ୟକ୍ରମରେ ଯୋଗକୁ ସାମିଲ କରିବା ପାଇଁ ଏନସିଇଆରଟି ପକ୍ଷରୁ ଅନଲାଇନ କୁଇଜ ପ୍ରତିଯୋଗିତା

• ଏଭଳି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁସ୍ଥ ଅଭ୍ୟାସ ଓ ଜୀବନଚର୍ଯ୍ୟା ବିକାଶରେ ସହାୟକ ହେବ : ଶ୍ରୀ ରମେଶ ପୋଖରିଆଲ ନିଶଙ୍କ
• ଏହି ପ୍ରତିଯୋଗିତା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଦେଶର ସବୁ ଛାତ୍ରଛାତ୍ରୀଙ୍କ ପାଇଁ ମୁକ୍ତ

Posted On: 21 JUN 2020 6:08PM by PIB Bhubaneshwar

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଜାତୀୟ ଶିକ୍ଷା, ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି) ମାଧ୍ୟମରେ ସ୍କୁଲ ପାଠ୍ୟକ୍ରମରେ ଯୋଗକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିବିଧ ପ୍ରୟାସ ଆରମ୍ଭ କରିଛି । ଏଥିପାଇଁ ଏନସିଇଆରଟି ପକ୍ଷରୁ ଯୋଗ ବିଷୟକ ଏକ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ସୁସ୍ଥ ଜୀବନଚର୍ଯ୍ୟା ସଂପର୍କରେ ପ୍ରସ୍ତୁତ ହୋଇଥିବା ଏହି ପାଠ୍ୟକ୍ରମ ଉଚ୍ଚ ପ୍ରାଥମିକଠାରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଉଦ୍ଦିଷ୍ଟ । ଏହାଛଡ଼ା 2016ରୁ ଯୋଗ ଅଲମ୍ପିଆଡ଼ ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି । କରୋନା ମହାମାରୀ ସ୍ଥିତିରେ ପିଲାମାନେ ନିଜର ପିତାମାତା ଓ ଶିକ୍ଷକଙ୍କ ହେପାଜତରେ ନିଜ ଘରେ ଯୋଗାଭ୍ୟାସ କରିବା ସହିତ ଶାରୀରିକ ବ୍ୟାୟାମ ଆଦି କରୁଛନ୍ତି । ପିଲାଙ୍କ ପାଇଁ ଯେଉଁ ବିକଳ୍ପ ପାଠ୍ୟକ୍ରମ କ୍ୟାଲେଣ୍ଡର କରାଯାଇଛି ସେଥିରେ ଏହା ଅନ୍ତର୍ଭୁକ୍ତ ହୋଇଛି । ଏବର୍ଷ କରୋନା ମହାମାରୀ ଯୋଗୁଁ ଯୋଗ ଅଲମ୍ପିଆଡ଼ ଆୟୋଜନ କରିବାରେ ଅସୁବିଧା ସୃଷ୍ଟି ହୋଇଛି । ତେଣୁ ପିଲାମାନଙ୍କୁ ଘରେ ନିରାପଦରେ ରହି ଯୋଗ ଶିଖିବା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ନିଶଙ୍କ ସୋସିଆଲ ମିଡିଆ ମାଧ୍ୟମରେ ଅନଲାଇନ ଯୋଗ କୁଇଜ ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି । ଏନସିଇଆରଟି ଦ୍ୱାରା ଏହା ଆୟୋଜିତ ହୋଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିଶଙ୍କ କହିଛନ୍ତି ଯେ ଏଭଳି ପ୍ରତିଯୋଗିତା ଆୟୋଜନର ଲକ୍ଷ୍ୟ ହେଲା ପିଲାମାନଙ୍କୁ ବିଭିନ୍ନ ପ୍ରକାର ଯୋଗାଭ୍ୟାସ ସଂପର୍କରେ ଉତ୍ସାହିତ କରିବା ଏବଂ ଉପଯୁକ୍ତ ଓ ପ୍ରମାଣସିଦ୍ଧ ସୂତ୍ରରୁ ସୂଚନା ପ୍ରଦାନ କରିବା । ଏହି କାର୍ଯ୍ୟକ୍ରମ ଦ୍ୱାରା ପିଲାଙ୍କ ମଧ୍ୟରେ ଯୋଗ ପ୍ରତି ଆଗ୍ରହ ବଢିବ ଏବଂ ସେମାନେ ଜୀବନର ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତରେ ଏହାକୁ ପ୍ରୟୋଗ କରିବାର କଳା ଶିଖିବେ । ଏହି ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଭଳି ପ୍ରତିଯୋଗିତା ପିଲାମାନଙ୍କ ଜୀବନଚର୍ଯ୍ୟା ଓ ଅଭ୍ୟାସକୁ ସୁସଂହତ ତଥା ଶୃଙ୍ଖଳିତ କରିବା ସହ ସେମାନଙ୍କ ଆବେଗ ଓ ମାନସିକ ସ୍ଥିତି ନିୟନ୍ତ୍ରଣରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଶ୍ରୀ ପୋଖରିଆଲ କହିଛନ୍ତି ଯେ ୟମ, ନିୟମ, ସତକର୍ମ/କ୍ରିୟା, ଆସନ, ପ୍ରାଣାୟମ, ଧ୍ୟାନ, ବନ୍ଧ ଓ ମୁଦ୍ରା ଭଳି ଯୋଗର ବିଭିନ୍ନ ଅଭ୍ୟାସଗୁଡିକ ଉପରେ ଏହି କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିପାଇଁ ଏନସିଇଆରଟି ଆବଶ୍ୟକ ପାଠ୍ୟକ୍ରମ ପ୍ରସ୍ତୁତ କରି

ସାରିଛି । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଦେଶର ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଏହି କୁଇଜ ପ୍ରତିଯୋଗିତା ଉନ୍ମୁକ୍ତ । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତାରେ ଭାଗ ନେବାକୁ ଅଲଗା ବ୍ୟବସ୍ଥା କରାଯାଇଛି । ସେମାନଙ୍କ ପାଇଁ ଆବଶ୍ୟକ ସ୍ଥଳେ ଲିଖିତ ପ୍ରଶ୍ନଗୁଡିକୁ ଅଡିଓ ବାର୍ତ୍ତାରେ ପରିଣତ କରିବାର ବ୍ୟବସ୍ଥା ହୋଇଛି । ଏହି ପ୍ରତିଯୋଗିତାରେ  ବହୁ ଉତ୍ତରଭିତ୍ତିକ (ମଲ୍‌ଟିପୁଲ ଚଏସ୍‌) ବର୍ଗର ପ୍ରଶ୍ନ ପଡିବ ଏବଂ ହିନ୍ଦୀ ଓ ଇଂରାଜୀରେ ଏହା ପ୍ରସ୍ତୁତ କରାଯାଇଛି । ଛାତ୍ରଛାତ୍ରୀ ଚାହିଁଲେ ନିଜ ଇଛା ଅନୁସାରେ ଯେ କୌଣସି ଭାଷାରେ ଉତ୍ତର ଦେଇପାରିବେ । ସର୍ବାଧିକ ନମ୍ବର ରଖିଥିବା 100 ଜଣ ଛାତ୍ରଛାତ୍ରୀଙ୍କୁ ମେରିଟ ସାର୍ଟିଫିକେଟ ପ୍ରଦାନ କରାଯିବ ।

ଏନସିଇଆରଟି ୱେବସାଇଟ (ncert.nic.in)ରେ ଇତିମଧ୍ୟରେ ଏହି ପ୍ରତିଯୋଗିତାର ସମସ୍ତ କାର୍ଯ୍ୟକ୍ରମ ଅପ୍‌ଲୋଡ ହୋଇସାରିଛି । ଜୁନ 21ଠାରୁ ଆରମ୍ଭ ହୋଇଥିବା ଏହି କୁଇଜ ପ୍ରତିଯୋଗିତା 1 ମାସ ପର୍ଯ୍ୟନ୍ତ ଚାଲି ଜୁଲାଇ 20 ମଧ୍ୟରାତ୍ରରେ ଶେଷ ହେବ ।

କୁଇଜର ଲିଙ୍କ ତଳେ ଦିଆଯାଇଛି ।

ଇଂରାଜୀ କୁଇଜ = https://bit.ly/EYQ_NEWS

ହିନ୍ଦୀ କୁଇଜ = https://bit.ly/HYQ_NEWS

 

**********



(Release ID: 1633225) Visitor Counter : 196