ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାରାଣସୀର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 19 JUN 2020 3:51PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନଫରେନ୍ସିଂଗ ବ୍ୟବସ୍ଥାରେ ବାରାଣସୀରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିରେ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଚାଲିଥିବା ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଏକ ଡ୍ରୋନ ଭିଡିଓ ଦ୍ୱାରା ଉତ୍ତୋଳିତ ଚିତ୍ରାବଳୀ ଉପସ୍ଥାପନ କରାଯାଇଥିଲା । ଏହାଛଡ଼ା ଏହି ନଗରୀରେ କରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଉତ୍ତର ପ୍ରଦେଶର ମନ୍ତ୍ରୀ ତଥା ବାରାଣସୀ ଦକ୍ଷିଣର ବିଧାୟକ ନୀଳକଣ୍ଠ ତିୱାରୀ, ବାରଣସୀ ଉତ୍ତରର ବିଧାୟକ ତଥା ରାଜ୍ୟର ମନ୍ତ୍ରୀ ରବୀନ୍ଦ୍ର ଜୟସ୍ୱାଲ, ରୋହଣିଆର ବିଧାୟକ ସୁରେନ୍ଦ୍ର ନାରାୟଣ ସିଂହ, ବାରାଣସୀ ଛାଉଣୀର ବିଧାୟକ ସୌରଭ ଶ୍ରୀବାସ୍ତବ, ସେବାପୁରୀ ବିଧାୟକ ନୀଳରତନ ନୀଲୁ, ବିଧାନ ପରିଷଦ ସଦସ୍ୟ ଅଶୋକ ଧାୱନ, ଲକ୍ଷ୍ମଣ ଆଚାର୍ଯ୍ୟ, ବାରାଣସୀ ଡିଭିଜନର କମିସନର ଦୀପକ ଅଗ୍ରୱାଲ, ଜିଲାପାଳ କୌଶଲରାଜ ଶର୍ମା ଏବଂ ମ୍ୟୁନିସିପାଲ କମିସନର ଗୌରାଙ୍ଗ ରାଠି ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା ସହ ମନ୍ଦିର ପରିସରରେ ଖନନ ବେଳେ ଯେଉଁସବୁ ପୁରୁଣା ଛୋଟ ଛୋଟ ମନ୍ଦିର ବାହାରିଛି ତାହାର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ନିର୍ଦେଶ ଦେଇଥିଲ । ଏହିସବୁ ମନ୍ଦିରର ଐତିହାସିକ ଓ ସ୍ଥାପତ୍ୟ କଳାର ମହତ୍ୱ ସୁରକ୍ଷିତ କରିବା ପାଇଁ  ବିଶେଷଜ୍ଞମାନଙ୍କ ସହାୟତା ନେବାକୁ ପରାମର୍ଶ ଦେଇଥିଲେ ଏସବୁ ମନ୍ଦିରର ନିର୍ମାଣକାଳ ନିର୍ଦ୍ଧିାରଣ କରିବା ପାଇଁ କାର୍ବନ ଡେଟିଂ ପଦ୍ଧତି ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦେଶ ଦେବା ସହ କାଶୀ ବିଶ୍ୱନାଥ ମନ୍ଦିର ଭ୍ରମଣରେ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ସେ ସଂପର୍କରେ ଅବଗତ କରିବାକୁ କହିଥିଲେ । ମନ୍ଦିର ପରିସରକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଏକ ପର୍ଯ୍ୟଟକ ଗାଇଡ୍‌ ଏବଂ ରୁଟ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ ସେ କାଶୀ ବିଶ୍ୱନାଥ ଟ୍ରଷ୍ଟକୁ ନିର୍ଦେଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ବାରାଣସୀରେ କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ପ୍ରକଳ୍ପଗୁଡିର ସବିଶେଷ ସମୀକ୍ଷା କରିଥିଲେ । ବୈଠକରୁ ମିଳିଥିବା ସୂଚନା ଅନୁସାରେ ବାରାଣସୀରେ ପ୍ରାୟ 8 ହଜାର କୋଟି ଟଙ୍କା ବ୍ୟୟରେ ଶତାଧିକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏଥିମଧ୍ୟରେ ହସ୍ପିଟାଲ ବିଲ୍ଡିଂ, ଜାତୀୟ ଜଳମାର୍ଗ, ରିଂ ରୋଡ଼, ବାଇପାସ୍‌, ଆନ୍ତର୍ଜାତିକ କନ୍‌ଭେନସନ୍‌ ସେଣ୍ଟର (ରୁଦ୍ରାକ୍ଷ)  ଆଦି ଭାରତ-ଜାପାନ ସହଯୋଗରେ ନିର୍ମିତ ହେଉଛି । ନଗରବାସୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ଏହିସବୁ ପ୍ରକଳ୍ପର ଉଦ୍ଦେଶ୍ୟ ।

ପ୍ରକଳ୍ପଗୁଡିର ନିର୍ମାଣ କାର୍ଯ୍ୟ ଉତ୍ତମମାନର କରିବା ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସେସବୁକୁ ସଂପୂର୍ଣ୍ଣ କରିବାକୁ ପ୍ରଧାନମନ୍ତ୍ରୀ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । କେତେକ ନୂଆ ପିଢ଼ିର ଭିତ୍ତିଭୂମି ପାଇଁ ନବୀକୃତ ଊର୍ଜ୍ଜାର ସର୍ବାଧିକ ବ୍ୟବହାର ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏହାଛଡ଼ା ଆବାସିକ ଗୃହ ଓ ସଡ଼କଗୁଡିକର ଆଲୋକୀକରଣ ପାଇଁ ସମଗ୍ର ବାରାଣସୀ ଜିଲାରେ ମିଶନ ମୋଡରେ ଏଲିଡି ବଲ୍‌ବ ଲଗାଇବା କାର୍ଯ୍ୟ ହାତକୁ ନେବାକୁ ସେ କହିଥିଲେ ।

କାଶୀକୁ ପର୍ଯ୍ୟଟକଙ୍କ ଆଗମନ ବଢାଇବା ପାଇଁ ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେବାସହ କ୍ରୁଜ ଟୁରିଜିମ, ଲାଇଟ ଆଣ୍ଡ ସାଉଣ୍ଡ ଶୋ, ଦଶାଶ୍ୱମେଧ ଘାଟ ତଥା ଗଙ୍ଗାକୂଳରେ ଥିବା ବିଭିନ୍ନ ଖିଡିକିର ପୁନରୁଦ୍ଧାର କରିବାକୁ ନିର୍ଦେଶ ଦେଇଥିଲେ । ଏହାଛଡ଼ା ଗଙ୍ଗା ଆଳତୀ କାର୍ଯ୍ୟକ୍ରମକୁ ଅଗ୍ରାଧିକାରଭିତ୍ତିରେ ଅଡିଓ ଭିଡିଓ ସ୍କ୍ରିନ୍‌ରେ ପ୍ରଦର୍ଶିତ କରିବାକୁ ସେ କହିଥିଲେ । ବିଶ୍ୱ ଐତିହ୍ୟର ଏକ ପ୍ରମୁଖ ସ୍ଥଳଭାବେ କାଶୀର ଥିବା ମହତ୍ୱ ସଂପର୍କରେ ଆବଶ୍ୟକ ପ୍ରଚାର ପ୍ରସାର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଜାପାନ ଓ ଥାଇଲାଣ୍ଡ ଭଳି ଦେଶରେ ଯେଉଁଠି ଏବେ ବୌଦ୍ଧଧର୍ମର ପ୍ରଭାବ ଅଧିକ ରହିଛି ସେସବୁ ଦେଶର ପର୍ବପର୍ବାଣିକୁ ନେଇ କାଶୀରେ ଏକ ସପ୍ତାହବ୍ୟାପୀ ଉତ୍ସବ ଆୟୋଜନ କରି ସେସବୁ ଦେଶର କଳା ଓ ସାଂସ୍କସ୍କୃତିର ଐତିହ୍ୟର ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।

କାଶୀର ଏକ ପ୍ରମୁଖ ରାସ୍ତାକୁ ଚିହ୍ନଟ କରି ତାହାକୁ ବିଭିନ୍ନ ଐତିହ୍ୟ ଓ କଳା ସଂସ୍କୃତିରେ ବିମଣ୍ଡିତ କରିବା ପୂର୍ବକ ଏହାକୁ ଗୌରବପଥ ନାମରେ ନାମିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । କାଶୀର ଗୌରବ ବହନ କରୁଥିବା ଏଭଳି ଏକ ପଥ ନିର୍ମାଣରେ ସେ ସ୍ଥାନୀୟ ନାଗରିକଙ୍କ ସହଯୋଗ ଲୋଡିଛନ୍ତି ।

କାଶୀ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏହି ନଗରୀରେ ପରିଚ୍ଛନ୍ନତା ଓ ସ୍ୱଚ୍ଛତାକୁ ଉଚ୍ଚସ୍ତରୀୟ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଏ କ୍ଷେତ୍ରରେ  ସହରରେ ଓଡିଏଫ୍‌ ପ୍ଲସ ସ୍ତର ଯେପରି ବଜାୟ ରହେ ସେଥିପ୍ରତି ଆବଶ୍ୟକ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ସଫେଇ କାର୍ଯ୍ୟରେ ମେସିନ ବ୍ୟବହାର, ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ ସହିତ ସମଗ୍ର ନଗରୀର ପରିବେଶକୁ ସ୍ୱାସ୍ଥ୍ୟପ୍ରଦ ଓ ସୁନ୍ଦର କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ଏହି ସମୀକ୍ଷା ବୈଠକ ଅବସରରେ ବାରାଣସୀ ନଗରୀରେ ଏକ ବିଶ୍ୱସ୍ତରୀୟ ଯୋଗାଯୋଗ ଓ ସଂଯୋଗ ଭିତ୍ତିଭୂମି ତିଆରି କରିବା ଉପରେ ଆଲୋଚନା ହୋଇଥିଲା । ବାରାଣସୀ-ହଳଦିଆ ଜାତୀୟ ଜଳପଥର ଏକ ପେଣ୍ଠ (ହବ୍‌)ଭାବେ ବାରାଣସୀରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଥିଲେ । ଗଙ୍ଗାରେ ଜିନିଷପତ୍ର ପରିବହନ, ସେସବୁର ଭଣ୍ଡାରଣ ଓ ବିକ୍ରିବଟା ପାଇଁ ଆବଶ୍ୟକ ପରିବେଶ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ବିଭିନ୍ନ ବନ୍ଦରରେ ଯେପରି କାର୍ଗୋ ସିପିଂ ଓ ମାଲ ପରିବହନ ବ୍ୟବସ୍ଥା ରହିଛି ବାରାଣସୀରେ ଏକ ନଦୀ ବନ୍ଦର ନିର୍ମାଣ କରି ଅନୁରୂପ ବ୍ୟବସ୍ଥା କରିବାକୁ ସେ କହିଛନ୍ତି । ନଗରୀର ଲାଲବାହାଦୂର ଶାସ୍ତ୍ରୀ ଆନ୍ତର୍ଜାତିକ ବିମାନ ବନ୍ଦରର ସଂପ୍ରସାରଣ କାର୍ଯ୍ୟ ତୁରନ୍ତ ଶେଷ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ହେଲେ କାଶୀ ଅତ୍ୟାଧୁନିକ ରେଳ, ସଡ଼କ, ନୌ ଓ ବିମାନ ପରିବହନ ସଂଯୋଗର ପ୍ରମୁଖ ନଗରୀ ମାନ୍ୟତା ପାଇବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ଆତ୍ମନିର୍ଭର ଭାରତ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଯୋଜନାର ସୁଫଳ ଲୋକଙ୍କ ପାଖରେ ଯେପରି ଶୀଘ୍ର ପହଞ୍ଚେ ସେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ । ପିଏମ୍‌ ସ୍ୱନିଧି କାର୍ଯ୍ୟକ୍ରମ ଯାହା ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ଉଦ୍ଦିଷ୍ଟ ତାହାର କାର୍ଯ୍ୟକାରିତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବାକୁ ଶ୍ରୀ ମୋଦୀ କହିଥିଲେ । ଏସବୁ ଭେଣ୍ଡର ଯେପରି ସହଜରେ କ୍ୟାଶଲେସ କାରବାର କରିପାରିବେ ସେଥିପାଇଁ ଉପଯୁକ୍ତ ଟେକ୍‌ନୋଲଜି ଓ ଭିତ୍ତିଭୂମି ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ । ପିଏମ୍‌ ସ୍ୱନିଧି ଯୋଜନାରେ ଏହି ଭେଣ୍ଡରମାନେ ବିନା ବନ୍ଧକରେ ବ୍ୟାଙ୍କରୁ ଯେପରି ସହଜରେ ଋଣ ଆଣିପାରିବେ ତାହା ନିଶ୍ଚିତ କରିବା ସହ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲି କ୍ରେଡିଟ ପ୍ରୋଫାଇଲକୁ ଡିଜିଟାଲ ବ୍ୟବସ୍ଥାରେ ସଂଯୁକ୍ତ କରିବାକୁ କହିଥିଲେ । ଏହାଦ୍ୱାରା ଏହି ବର୍ଗର ଲୋକେ ବିଶେଷ ଉପକୃତ ହୋଇପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କ ବିକାଶ ପାଇଁ ତାଙ୍କ ସରକାର ଅଗ୍ରାଧିକାର ଦେଉଛନ୍ତି ଏବଂ ସେମାନଙ୍କର ଆୟ ଯେପରି ବଢିବ ସେଥିପାଇଁ ଉଦ୍ୟମ କରୁଛନ୍ତି । ମହୁ ଚାଷ ଉପରେ ସେ ଗୁରୁତ୍ୱ ଦେବା ସହ ଏହାଦ୍ୱାରା କିପରି  ଚାଷୀଙ୍କର ଆୟ ବଢୁଛି ତାହା ସୂଚାଇ ଥିଲେ । ବାରାଣସୀଠାରେ ଅଗ୍ରାଧିକାର ଭିତ୍ତିରେ ଏକ ପ୍ୟାକେଜିଂ ପ୍ରତିଷ୍ଠାନ ସ୍ଥାପନ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ ।  ଏହାଦ୍ୱାରା ଚାଷୀମାନ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ବାହାରକୁ ପଠାଇବା ସୁବିଧା ପାଇବେ ବୋଲି ସେ କହିଥିଲେ । ବାଣିଜ୍ୟ ମନ୍ତ୍ରଣାଳୟର ଆପେଡ଼ା ସଂସ୍ଥା ସହାୟତାରେ ପନିପରିବା ଓ ଆମ୍ବ ରପ୍ତାନୀ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।

ସହରର ଆବର୍ଜନାରୁ ଊର୍ଜ୍ଜା, କମ୍ପୋଷ୍ଟ ଖତ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରି ଏହାକୁ ସମ୍ପଦରେ ପରିଣତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଆବର୍ଜନାରୁ ପ୍ରସ୍ତୁତ କମ୍ପୋଷ୍ଟ କୃଷି କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଚାଷୀଙ୍କୁ ପ୍ରବର୍ତ୍ତାଇବା ପାଇଁ କହିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଶୂନ୍ୟ ବଜେଟଭିତ୍ତିକ କୃଷିକୁ ପ୍ରୋତ୍ସାହିତ କରିବାକୁ ଜୋର୍‌ ଦେଇଥିଲେ । ସେ କହିଥିଲେ ଏହି ଉପାୟରେ ଚାଷୀ ଚାଷ କଲେ ତାଙ୍କର ଉପଯୁକ୍ତ ଲାଭକ୍ଷତି ବୁଝିପାରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ କରୋନା ମହାମାରୀର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ସବିଶେଷ ସମୀକ୍ଷା କରିଥିଲେ । ଆରୋଗ୍ୟ ସେତୁର ବ୍ୟବହାର ଏବଂ ଏହାଦ୍ୱାରା ସନ୍ଦିଗ୍ଧ ରୋଗୀଙ୍କ ପରୀକ୍ଷା, ସେମାନଙ୍କୁ ଠାବ କରିବା ଓ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ । କରୋନା ସଂକ୍ରମିତଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଯେଉଁ ଖାଦ୍ୟ, ଆଶ୍ରୟ ଓ କ୍ୱାରେଣ୍ଟାଇନ ବ୍ୟବସ୍ଥା କରାଯାଇଛି ତାହା ଦେଖିବା ସହ ଏହାର ପ୍ରଶଂସା କରିଥିଲେ ।

ଏହି ସମୀକ୍ଷା ଅବସରରେ ପ୍ରଧାନମନ୍ତ୍ରୀ ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ଓ କୁଶଳତା ଆକଳନ କରିବା ଉପରେ ଜୋର୍‌ ଦେଇଥିଲେ । ସେମାନଙ୍କୁ ସେମାନଙ୍କର ଦକ୍ଷତା ଅନୁସାରେ ନିଯୁକ୍ତି ସୁଯୋଗ ଯୋଗାଇ ଦେବାକୁ ଜିଲା ପ୍ରଶାସନକୁ କହିଥିଲେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା କୋଭିଡ ରିଲିଫ ଯୋଜନାର ସେ ସମୀକ୍ଷା କରି ଏହାର ସଫଳ ଦିଗ ସଂପର୍କରେ ଅବଗତ ହୋଇଥିଲେ ।

ନୀତି ଆୟୋଗ ଦ୍ୱାରା ବାରାଣସୀ ପାଇଁ ପ୍ରସ୍ତୁତ ହୋଇଥିବା ଗ୍ରାମପଞ୍ଚାୟତ ବିକାଶ କାର୍ଯ୍ୟକ୍ରମ ସଂପର୍କରେ ସେ ସମୀକ୍ଷା କରିଥିଲେ । ଗ୍ରାମାଞ୍ଚଳ ବିକାଶ, ପଞ୍ଚାୟତିରାଜ, ପରିମଳ, ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, ଶିକ୍ଷା, ସାମାଜିକ କଲ୍ୟାଣ, କୃଷି ଓ ତତ୍‌ସଂଲଗ୍ନ କ୍ଷେତ୍ର, ଜୀବିକା ଅର୍ଜନ ତଥା ଦକ୍ଷତା ବିକାଶ ଆଦି ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ପୁଷ୍ଟିସାଧନ ଏକ ଗୋଷ୍ଠୀ ଆନ୍ଦୋଳନରେ ପରିଣତ ହେବା ଆବଶ୍ୟକ ରହିଛି । ଅଙ୍ଗନବାଡ଼ି କେନ୍ଦ୍ରମାନେ ଏଥିରେ ଯଥାସମ୍ଭବ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ ଆଦିଙ୍କୁ ସାମିଲ କରି ପିଲାମାନଙ୍କୁ ଖାଦ୍ୟ ଯୋଗାଇବା ସହ ସେମାନଙ୍କର ପୁଷ୍ଟିସାଧନ ବଢ଼ାଇବା ଉଚିତ । ସେ ମଧ୍ୟ ବିଭିନ୍ନ ସଂଗଠନ ଓ ଗୋଷ୍ଠୀର ସଦସ୍ୟଙ୍କ ଦ୍ୱାରା ଅଙ୍ଗନବାଡି କେନ୍ଦ୍ରଗୁଡିକୁ ପୋଷ୍ୟଭାବେ ଗ୍ରହଣକରି ସୁସ୍ଥ ଶିଶୁ ପ୍ରତିଯୋଗିତା ଆୟୋଜନ ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିବାକୁ କହିଥିଲେ ।

ପ୍ରଧାନମନ୍ତ୍ରୀ ଏହି ସମୀକ୍ଷା କାଳରେ ବିକାଶ ଓ କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡିକର ତ୍ୱରିତ କାର୍ଯ୍ୟକାରିତା, ଲୋକଙ୍କୁ ଉନ୍ନତ ମାନର ସେବା ଯୋଗାଣ ଏବଂ ସେମାନଙ୍କ ଜୀବନଧାରଣ ମାନର ଉନ୍ନତି ଆଣିବା ପାଇଁ ସବୁମନ୍ତେ ଉଦ୍ୟମ କରିବାକୁ ସଂପୃକ୍ତ ଲୋକପ୍ରତିନିଧି ଓ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

 

**********

 


(रिलीज़ आईडी: 1632770) आगंतुक पटल : 261
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam