ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ଚୀନ ସୀମାନ୍ତ ଘଟଣା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

Posted On: 17 JUN 2020 3:35PM by PIB Bhubaneshwar

ବନ୍ଧୁଗଣ,

ଭାରତମାତାର ସାହସୀ ସନ୍ତାନମାନେ ଦେଶମାତୃକାର ସୁରକ୍ଷା କରିବାବେଳେ ଗଲୱାନ ଉପତ୍ୟକାରେ ପ୍ରାଣବଳି ଦେଇଛନ୍ତି ।

ଦେଶର ସେବାରେ ସେମାନଙ୍କର ମହାନ ତ୍ୟାଗ ପାଇଁ ମୁଁ ସେମାନଙ୍କୁ ସାଲ୍ୟୁଟ କରୁଛି । ହୃଦୟର ଗଭୀରତମ ପ୍ରଦେଶରୁ ମୁଁ  ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି।

ଦୁଃଖର ଏହି ଜଟିଳ ସମୟରେ ମୁଁ ସେହି ସହିଦମାନଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ଜ୍ଞାପନ କରୁଛି ।

ଆଜି ସମଗ୍ର ରାଷ୍ଟ୍ର ଆପଣମାନଙ୍କ ସହିତ ରହିଛି । ସାରା ଦେଶର ସମବେଦନା ଆପଣଙ୍କ ସହ ଅଛି ।

ଆମ ବୀର ସହିଦମାନଙ୍କ ସର୍ବୋଚ୍ଚ ବଳିଦାନ ବ୍ୟର୍ଥ ଯିବନାହିଁ ।

ପରିସ୍ଥିତି ଯାହା ହେଉନା କାହିଁକି ଭାରତ ତାହାର ଭୂ-ଭାଗର ପ୍ରତ୍ୟେକ ଇଞ୍ଚକୁ ଦୃଢତାର ସହ ସୁରକ୍ଷିତ କରିବ ଏବଂ ନିଜର ଆତ୍ମସମ୍ମାନ ବଜାୟ ରଖିବ ।

ସାଂସ୍କୃତିକ ଦୃଷ୍ଟିରୁ ଭାରତ ଏକ ଶାନ୍ତିପ୍ରିୟ ଦେଶ । ଶାନ୍ତି ପ୍ରତି ଶ୍ରଦ୍ଧାର ମହତ୍ୱ  ଭାରତର ଇତିହାସରେ ସର୍ବଦା ବର୍ଣ୍ଣିତ । ଭାରତର ଆଦର୍ଶଗତ ମନ୍ତ୍ର ହେଲା- ଲୋକାଃ ସମସ୍ତାଃ ସୁଖୀନୋ ଭବନ୍ତୁ

ସବୁ ଯୁଗରେ ଆମେ ଶାନ୍ତି ଏବଂ ସମଗ୍ର ବିଶ୍ୱ ଓ ମାନବ ଜାତିର କଲ୍ୟାଣ କାମନା କରିଆସିଛୁ ।

ଆମ ପଡ଼ୋଶୀମାନଙ୍କ ସହ ଆମେ ସର୍ବଦା ନିବିଡ଼ଭାବେ ସହଯୋଗ ଓ ବନ୍ଧୁତ୍ୱପୂର୍ଣ୍ଣ ମାର୍ଗରେ କାମ କରିଛୁ । ଆମେ ସବୁବେଳେ ସେମାନଙ୍କ କଲ୍ୟାଣ ଓ ବିକାଶ ଚାହିଁଛୁ ।

ଯେତେବେଳେ କୌଣସି ମତଭେଦ ସୃଷ୍ଟି ହୋଇଛି ତାହା ଯେପରି ବିବାଦରେ ପରିଣତ ନହୁଏ ସେଥିପାଇଁ ଆମେ ଉଦ୍ୟମ କରିଆସିଛୁ ।

ଆମେ କେବେ କାହାକୁ ଉସୁକାଉନା, କିନ୍ତୁ ଆମେ ଆମ ଦେଶର ସାର୍ବଭୌମ ଓ ଅଖଣ୍ଡତା ସହ କେବେ ବୁଝାମଣା କରିନାହୁଁ । ଯେତେବେଳେ ଏହା ଦରକାର ପଡ଼ିଛି ଆମେ ସେତେବେଳେ ଆମର ଶକ୍ତି ପ୍ରଦର୍ଶନ କରି ଆମ ଦେଶର ସାର୍ବଭୌମ ଓ ଅଖଣ୍ଡତାକୁ ସୁରକ୍ଷିତ କରିବାର ଦକ୍ଷତା ଦେଖାଇଛୁ ।

ତ୍ୟାଗ ଏବଂ ଧୈର୍ଯ୍ୟ ଆମ ଜାତୀୟ ଚରିତ୍ରର ଅଂଶ ବିଶେଷ । ସମାନଭାବେ ସାହସିକତା ଓ ବୀରତ୍ୱ ମଧ୍ୟ ଏହାର ଏକ ଅଭିନ୍ନ ଅଙ୍ଗ ।

ମୁଁ ରାଷ୍ଟ୍ରକୁ ପ୍ରତିଶ୍ରୁତି ଦେବାକୁ ଚାହେଁ ଯେ ଆମ ଯବାନମାନଙ୍କର ବଳିଦାନ କେବେ ବ୍ୟର୍ଥ ଯିବନାହିଁ ।

ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ଆମ ପାଇଁ ମହାନ୍‌ ଏବଂ ଏହାର ସୁରକ୍ଷା ପାଇଁ ଆମକୁ କେହି ଏଥିରୁ ବିରତ କରିପାରିବେ ନାହିଁ ।

କାହାରି ମନରେ ଏ ନେଇ ସାମାନ୍ୟତମ ସନ୍ଦେହ ରହିବା ଅନୁଚିତ ।

ଭାରତ ଶାନ୍ତି ଚାହେଁ କିନ୍ତୁ କେହି ଯଦି ତାକୁ ଉସୁକାଏ ବା ଉତ୍ତେଜିତ କରେ ତେବେ ଦେଶ ତାହାର ଉଚିତ ଜବାବ ଦେବ ।

ଆମର ଯବାନମାନେ ଲଢେଇ କରୁଥିବାବେଳେ ସହିଦ ହୋଇଛନ୍ତି; ତେଣୁ ସେମାନଙ୍କ ପାଇଁ ଦେଶ ଗର୍ବିତ । ଏହି ବୀର ସନ୍ତାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ନିମନ୍ତେ ଦୁଇ ମିନିଟ ନିରବତା ପାଳନ କରିବାକୁ ମୁଁ ନିବେଦନ କରୁଛି ।

 

**********

 

 

 

 



(Release ID: 1632181) Visitor Counter : 248